ଅଙ୍ଗନବାଡ଼ି ଘର ନାହିଁ, ଶୁଣ୍ଢିପିଣ୍ଡାରେ ଶିଶୁ

ଅଙ୍ଗନବାଡ଼ି ଘର ନାହିଁ, ଶୁଣ୍ଢିପିଣ୍ଡାରେ ଶିଶୁ

Share :

  ଶିଶୁ ମୃତ୍ୟୁହାର ରୋକିବା ସହ ମା ଓ ଶିଶୁର ସୁରକ୍ଷା ଏବଂ ଯତ୍ନ ପାଇଁ ସରକାର କାର୍ଯ୍ୟକାରୀ କରୁଛନ୍ତି ଶିଶୁ ବିକାଶ ଯୋଜନା। ଏହି ଯୋଜନା ଅଧୀନରେ ପାଞ୍ଚ ବର୍ଷ ବୟସର ଶିଶୁମାନଙ୍କୁ ଦେଖାଶୁଣା କରିବା ସହ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ମାଧ୍ୟମରେ ଅକ୍ଷର ଚିହ୍ନିବା ଏବଂ ଶାରୀରିକ ସ୍ବାସ୍ଥ୍ୟ ପାଇଁ ପୁଷ୍ଟିକର ଖାଦ୍ୟ ଯୋଗାଇବାକୁ ସରକାର ଅଙ୍ଗନବାଡି କେନ୍ଦ୍ର ବ୍ୟବସ୍ଥା ପ୍ରଚଳନ କରିଛନ୍ତି। ପ୍ରତି ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ସରକାର ପକ୍କା ଘର ବ୍ୟବସ୍ଥା କରିଛନ୍ତି। ସେଥିପାଇଁ କେନ୍ଦ୍ରରୁ ପ୍ରଚୁର ପାଣ୍ଠି ଆସୁଛି।   କିନ୍ତୁ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବଢଚେର ଗାଁ ଗ୍ରାମ ପଞ୍ଚାୟତର ପିଲାଙ୍କ ପାଇଁ ଏହି ସୁବିଧା ନାହିଁ। ପଂଚାୟତରେ ଥିବା ୪ ଗୋଟି ଅଙ୍ଗନବାଡି କେନ୍ଦ୍ରର ଘର କାମ ୫ ବର୍ଷ ଧରି ଅଧପନ୍ତରିଆ ଭାବେ ପଡିରହିଛି। ଫଳରେ ଅକ୍ଷର ଚିହ୍ନିବା ଓ ପୁଷ୍ଟିକର(!) ଖାଦ୍ୟ ଖାଇବା ଆଶାରେ କୋମଳମତି ପିଲାମାନେ ବାରଦୁଆର ଶୁଣ୍ଢିପିଣ୍ଡା ହେଉଛନ୍ତି। କୋଉଠି ଘରକାନ୍ଥରେ ତ କୋଉଠି ଗାଈ ଗୁହାଳରେ ପାଠପଢୁଛନ୍ତି ପିଲା। ଏନେଇ ଗାଁର ଅଙ୍ଗନବାଡି ଦିଦିଙ୍କଠାରୁ ଆରମ୍ଭ କରି ୱାର୍ଡମେମ୍ୱର ପର୍ଯ୍ୟନ୍ତ ସମସ୍ତେ ବିଡିଓଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହି।   କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବଡଚେର ଗାଁ ଗ୍ରାମପଞ୍ଚାୟତ ଅଧୀନରେ ଆଠ ଗୋଟି ରାଜସ୍ୱ ଗ୍ରାମ ଥିବାବେଳେ ସାତଗୋଟି ଅଙ୍ଗନୱାଡି କେନ୍ଦ୍ର ରହିଛି। ଏଥିମଧ୍ୟରୁ ଗଣ୍ଡୁରୀ, ଫଟାମୁଣ୍ଡା, ମେରମହୁଲ ଗାଁରେ ଥିବା ଅଙ୍ଗନବାଡି କେନ୍ଦ୍ର ଅଧପନ୍ତରିଆ ହୋଇ ପଡିରହିଥିବା ବେଳେ, ଡମବସା ଗାଁରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କାମ ସରିଥିଲେ ମଧ୍ୟ ଠିକାଦାର ତାହା ହସ୍ତାନ୍ତର କରି ନାନ୍ତି। ଫଳରେ ଅଙ୍ଗନବାଡି ଓ ସହାୟିକାମାନେ କେବେ ବରଗଛ ମୂଳେ ତ କେବେ କାହା ଦାଣ୍ଡରେ କିମ୍ୱା ପରିତ୍ୟକ୍ତ ଘରେ ପ୍ରାକ୍ ବିଦ୍ୟାଳୟ କେନ୍ଦ୍ର ଚଳାଉଛନ୍ତି। ଆଗକୁ ବର୍ଷା ଋତୁ ଆସୁଥିବାରୁ ପର ଗୁହାଳ ବା ଦୁର୍ବଳ ମାଟି ଘରେ ଚାଲୁଥିବା ଅଙ୍ଗନବାଡ଼ିରେ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ପୂର୍ବରୁ ନୟାଗଡ଼ ଜିଲ୍ଲାରେ ଏପରି ଘଟି ଅନେକ ଶିଶୁ ମୃତାହତ ହୋଇଛନ୍ତି।   ପ୍ରତ୍ୟେକ ବୁଧବାର ଅଙ୍ଗନବାଡି କେନ୍ଦ୍ରରେ ଶିଶୁମାନଙ୍କ ଟିକାକରଣ ଓ ଗର୍ଭବତୀ ମହିଳା ଓ ପ୍ରସୂତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସମ୍ଭବ ହେଉନାହିଁ। ଏବେ ସର୍ବଶିକ୍ଷା ଅଭିଯାନରେ ସବୁବର୍ଗର ପିଲାଙ୍କୁ ମୌଳିକ ଶିକ୍ଷା ପ୍ରଦାନ ଦିଗରେ ଗୁରୁତ୍ୱ ଦିଆଯାଉଥିବା ଯୋଗୁଁ ଅଙ୍ଗନବାଡିରେ ପ୍ରାକ୍ ଶିକ୍ଷାର ଚାହିଦା ବୃଦ୍ଧି ପାଇଛି। କିନ୍ତୁ ଅଧିକାଂଶ ଗାଁରେ ସ୍ଥାୟୀ ଅଙ୍ଗନବାଡି କେନ୍ଦ୍ର ନଥିବା ଯୋଗୁଁ ଅଙ୍ଗନବାଡି କେନ୍ଦ୍ରକୁ ଆସୁଥିବା ଚାଉଳ ଓ ଡାଲି ଆଦି ଅନ୍ୟମାନଙ୍କ ଘରେ ରଖିବାକୁ ପଡ଼ିଛି। ଅନେକ ସମୟରେ ସେଥିରୁ କିଛି କିଛି ହଡ଼ପ ହେଉଛି। ଏପରିକି ଅଙ୍ଗନବାଡି କେନ୍ଦ୍ରଗୁଡ଼ିକରେ ରୋଷେଇ ଗୃହ ନଥିବା ଯୋଗୁଁ ଅଙ୍ଗନବାଡି ସହାୟିକାମାନେ ନିଜ ଘରେ ରୋଷେଇ କରି ପିଲାଙ୍କୁ ଖାଇବାକୁ ଦେଉଛନ୍ତି। ଶିଶୁମାନଙ୍କ ଶାରୀରିକ ଏବଂ ବୌଦ୍ଧିକ ବିକାଶ ପାଇଁ ଅଙ୍ଗନବାଡି କେନ୍ଦ୍ର ଜରୁରୀ ଥିଲେ ହେଁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଉ ନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।

Share :