ରୋଆନୁରେ ବୁଡ଼ିଲା ସୂର୍ଯ୍ୟମନ୍ଦିର

ରୋଆନୁରେ ବୁଡ଼ିଲା ସୂର୍ଯ୍ୟମନ୍ଦିର

Share :

    ମେ ୧୮ ତାରିଖରେ ପଶ୍ଚିମ-କେନ୍ଦ୍ରୀୟ ଓ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସାମୁଦ୍ରିକ ଝଡରେ ପରିଣତ ହୋଇ ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷା କରାଇଛି। ଏହା ବାତ୍ୟା ରୂପ ନେଲା ପରେ ଏହାକୁ ରୋଆନୁ ନାମ ଦିଆଯାଇଥିଲା। ସାମୁଦ୍ରିକ ଝଡ ‘ରୋଆନୁ’ ଅବପାତର ରୂପ ନେଇ ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶା ଉପକୂଳ ଦେଇ ବାଙ୍ଗଲାଦେଶରେ ମାଡ଼ ହୋଇଛି। ତେବେ ସାମୁଦ୍ରିକ ଝଡ ରୋଆନୁ ପ୍ରଭାବ ଯୋଗୁଁ ମେ ୨୦ ତାରିଖ ଶୁକ୍ରବାରଠାରୁ କୋଣାର୍କରେ ପ୍ରବଳ ବର୍ଷା ଲାଗିରହିଥିଲା। ଏଥି ଯୋଗୁଁ ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିର ପରିସର କୃତ୍ରିମ ହ୍ରଦରେ ପରିଣତ ହୋଇଥିଲା।    ‘ରୁଆନୁ’ ଗୋପାଳପୁରଠାରୁ ୪୫୦ କିଲୋମିଟର ଦୂରରେ ଥିବାବେଳେ ରାଜ୍ୟ ସରକାର ଏ ନେଇ ବାରମ୍ବାର ସିମୀକ୍ଷା ବେଠକ ଓ ସତର୍କ ସୂଚନା ଜାରି କରିବାରୁ ଲୋକମାନେ ଆତଙ୍କିତ ହୋଇ ଘର ପାଇଁ ଆବଶ୍ୟକତାଠାରୁ ଅଧିକ ପରିମାଣରେ ଅତ୍ୟାବଶ୍ୟକ ସାମଗ୍ରୀ କିଣି ଘରେ ସାଇତି ରଖିଥିଲେ। ଏହା ଫଳରେ ବଜାରରେ ଖାଉଟି ସାମଗ୍ରୀର କୃତ୍ରିମ ଅଭାବ ଦେଖାଦେଇଥିଲା। କୋଣାର୍କ, କାକଟପୁର ଓ ଅସ୍ତରଙ୍ଗ ବାତ୍ୟାପ୍ରବଣ ଅଞ୍ଚଳ ହୋଇଥିବାରୁ ଲୋକ ଅଧିକ ଆତଙ୍କ ବୋଧ କରିଥିଲେ। ରୁଆନୁକୁ ନେଇ ରାଜ୍ୟ ପ୍ରଶାସନ ପକ୍ଷରୁ ୧୨ ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଉପକୂଳ ବର୍ତ୍ତୀ ଅଞ୍ଚଳର ବାସିନ୍ଦାମାନଙ୍କୁ ସତର୍କ କରିଦିଆଯିବା ସହ ଉଚ୍ଚ ସ୍ଥାନ ଓ ବାତ୍ୟା ଆଶ୍ରୟସ୍ଥଳିକୁ ଯିବା ପାଇଁ କୁହାଯାଇଥିଲା।   ଏହି ସମୟରେ ସମୁଦ୍ର ଅଶାନ୍ତ ହୋଇ ସୁଉଚ୍ଚ ଜୁଆରମାନ କୂଳକୁ ମାଡି ଆସୁଥିଲା। ପ୍ରଶାସନ ପକ୍ଷରୁ ପର୍ଯ୍ୟଟକମାନଙ୍କୁ ସମୁଦ୍ର ସ୍ନାନ ନ କରିବା ପାଇଁ ବାରଣ କରାଯାଇଥିଲା। ମତ୍ସଜୀବୀମାନଙ୍କୁ  ସମୁଦ୍ର ମଧ୍ୟକୁ ନ ଯିବାପାଇଁ ସତର୍କ କରାଯାଇଥିଲା। ତେବେ ମୂଳରୁ ଗଣମାଧ୍ୟମ ଜରିଆରେ ସରକାରଙ୍କ ପ୍ରଚାରରେ ଛାନିଆ ହୋଇଥିବା ଲୋକମାନ ରୋଆନୁ ପ୍ରକୋପରୁ ବର୍ତ୍ତିବା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ। ବାତ୍ୟା ଆଶ୍ରୟ ସ୍ଥଳମାନଙ୍କରେ ମକ ଡ୍ରିଲ ସହିତ ଅତ୍ୟାବଶ୍ୟକ ସାମଗ୍ରୀ, ନିରବଛିନ୍ନ ବିଦ୍ୟୁତ ବ୍ୟବସ୍ଥା ପାଇଁ ଜେନେରେଟର, ପିଇବା ପାଣି ଓ ସ୍ୱାସ୍ଥ୍ୟ ସେବା ଇତ୍ୟାଦି ସମସ୍ତ ସବୁଧା ଯୋଗାଇ ଦେବା ନିମନ୍ତେ ସରକାରୀ ପ୍ରସ୍ତୁତି ସଂପନ୍ନ ହୋଇଥିଲା।   ଶୁକ୍ରବାର ପ୍ରତ୍ୟୁଷରୁ ଆକାଶ ମେଘାଚ୍ଛନ୍ନ ରହି ଘଡଘଡି ସହ ତୁହାକୁ ତୁହା ବର୍ଷା ଲଗିରହିବା ଯୋଗୁଁ ବିଶ୍ୱ ପର୍ଯ୍ୟଟନ ସ୍ଥଳି କୋଣାର୍କକୁ ପର୍ଯ୍ୟଟକଙ୍କ ଆଗମନ କମିଯାଇଥିଲା। ଲାଗାଣ ବର୍ଷା ଯୋଗୁଁ ସୂର୍ଯ୍ୟମନ୍ଦିର ପରିସରରୁ ବର୍ଷା ଜଳ ନିଷ୍କାଷିତ ହୋଇ ନ ପାରି ମନ୍ଦିର ପରିସର କୃତ୍ରିମ ହ୍ରଦରେ ପରିଣତ ହୋଇଥିଲା। ପର୍ଯ୍ୟଟକମାନେ ପାଣିରେ ପଶି ସୂର୍ଯ୍ୟମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖୁଥିବା ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସୂର୍ଯ୍ୟମନ୍ଦିର ପରିସର ଓ କୋଣାର୍କ ବଜାରରୁ ଜଳଜମାଟି ସମସ୍ୟା ଦୂର କରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ଡ୍ରେନେଜ ବିଭାଗ ପକ୍ଷରୁ ୨୦୧୧ ମସିହାରେ ଡ୍ରେନ ନିର୍ମାଣ କରାଯାଇଥିଲେ ମଧ୍ୟ ତାହା କୋଉ କାମରେ ଆସୁନାହିଁ।

Share :