ଦୁର୍ବଳ ହେଉଛି କୃଷି ଅର୍ଥନୀତି

ଦୁର୍ବଳ ହେଉଛି କୃଷି ଅର୍ଥନୀତି

Share :

ରାଜ୍ୟ ଅର୍ଥନୀତି ଦୁଃସ୍ଥିତି ଦେଇ ଗତି କରୁଛି। ରାଜ୍ୟ ଅର୍ଥନୀତି ଉପରେ ମରୁଡ଼ି, ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ଓ ମୁଦ୍ରାସ୍ଫୀତିର ପାହାର ବାଜିଛି। ଫଳରେ ୨୦୧୫-୧୬ ବର୍ଷରେ ରାଜ୍ୟର ଅଭିବୃଦ୍ଧି ମାତ୍ର ୬.୧୬ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ବିଶେଷ କରି କୃଷି କ୍ଷେତ୍ର ବହୁଳ ଭାବରେ ପ୍ରଭାବିତ ହୋଇଛି। ଚଳିତ ବର୍ଷ ସରକାର କୃଷି ଉତ୍ପାଦନ ରେକର୍ଡ଼ କରିଛି ବୋଲି ବାହାସ୍ଫୋଟ ମାରୁଥିବା ବେଳେ ଅର୍ଥନୈତିକ ସର୍ଭେ ୨୦୧୫-୧୬ରେ ରାଜ୍ୟ ଅର୍ଥନୀତିର କରୁଣ ଚିତ୍ର ଦେଖିବାକୁ ମିଳିଛି। ୨୦୧୫-୧୬ରେ କୃଷି ଅଭିବୃଦ୍ଧି ୧୨.୮୫ ପ୍ରତିଶତ ହାସ ପାଇବ ବୋଲି ଆକଳନ କରାଯାଇଛି। ୫ ପ୍ରତିଶତ କମ‌ ଅଞ୍ଚଳରେ ଫସଲ ହେବା, ଅମଳ ହାର ୪୦ ପ୍ରତିଶତ ଓ ଉତ୍ପାଦନ ହାର ୪୪ ପ୍ରତିଶତ ହ୍ରାସ ପାଇଥିବାରୁ କୃଷି କ୍ଷେତ୍ରର ଅଭିବୃଦ୍ଧି ଅତ୍ୟନ୍ତ ନକରାତ୍ମକ ରହିଛି। ଅପରପକ୍ଷରେ ୨୦୧୫-୧୬ରେ ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ହାର ୧୦.୫୮ ପ୍ରତିଶତ ଓ ସେବା କ୍ଷେତ୍ରରେ ଅଭିବୃଦ୍ଧି ୯.୬୫ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ଖଣି, ବାଣିଜ୍ୟ, ହୋଟେଲ, ରେଳବାଇ ଆଦି କ୍ଷେତ୍ରରେ ମଧ୍ୟ ଆଶାନୁରୂପକ ଅଭିବୃଦ୍ଧି ହେବ ବୋଲି ଆକଳନ କରାଯାଇଛି।   ୨୦୧୪-୧୫ ବର୍ଷରେ ୨୦୧୧-୧୨ ବର୍ଷର ଭିତ୍ତି ଓ ବଜାର ଦର ଅନୁଯାୟୀ ରାଜ୍ୟର ଅଭିବୃଦ୍ଧି ୬.୨୪ ପ୍ରତିଶତ ରହିଛି। ୨୦୧୪-୧୫ ବର୍ଷରେ କୃଷି କ୍ଷେତ୍ରର ଅଭିବୃଦ୍ଧି ୯.୨୬ ପ୍ରତିଶତ ଥିବାବେଳେ ସେବା କ୍ଷେତ୍ରରେ ଅଭିବୃଦ୍ଧି ୯.୩୮ ପ୍ରତିଶତ ରହିଥିଲା। ୨୦୧୪-୧୫ ବର୍ଷରେ ଫସଲ କ୍ଷେତ୍ରର ଅଭିବୃଦ୍ଧି ୧୨.୩୫ ପ୍ରତିଶତ ରହିଥିଲା। ଅନୁରୂପ ଭାବେ ବାଣିଜ୍ୟ ଓ ହୋଟେଲ, ରେଳବାଇ, ପରିବହନ ଆଦି କ୍ଷେତ୍ରରେ ମଧ୍ୟ ଦୁଇ ଅଙ୍କ ଅଭିବୃଦ୍ଧି ହାସଲ ହୋଇପାରିଥିଲା।   ୨୦୧୫-୧୬ ବର୍ଷରେ ରାଜ୍ୟର ମୁଣ୍ଡପିଛା ଆୟ ୫୫୧୧୬ ଟଙ୍କା ରହିବ ବୋଲି ଆକଳନ କରାଯାଇଛି। ଏହା ଗତ ଆର୍ଥିକ ବର୍ଷ ତୁଳନାରେ ୪.୯୫ ପ୍ରତିଶତ ଅଧିକ। ୨୦୧୪-୧୫ ବର୍ଷରେ ଭାରତର ମୁଣ୍ଡପିଛା ଆୟ ୭୨୮୮୯ ଟଙ୍କା ଥିଲା। ଏହାଛଡ଼ା ରାଜ୍ୟ ଜିଏସ‌ଡିପିକୁ କୃଷି କ୍ଷେତ୍ରର ଅବଦାନ ୧୭.୭, ଶିଳ୍ପ କ୍ଷେତ୍ରର ଅବଦାନ ୩୭ ଓ ସେବା କ୍ଷେତ୍ରର ଅବଦାନ ୪୫.୨୮ ପ୍ରତିଶତ ହିସାବ ହୋଇଛି।   ଅର୍ଥନୈତିକ ସର୍ଭେ ୨୦୧୫-୧୬ରେ ଦର୍ଶାଯାଇଛି ଯେ ଓଡ଼ିଶାର ମୁଣ୍ଡପିଛା ଆୟ ବୃଦ୍ଧି ପାଇଥିଲେ ମଧ୍ୟ ତାହା ଜାତୀୟ ହାରଠାରୁ କମ‌। ମୋଟ ମୂଲ୍ୟଯୁକ୍ତ କରିବା ତାଲିକାର ସୁନ୍ଦରଗଡ଼ ଜିଲା ସର୍ବାଗ୍ରେ ରହିଛି। ଏହି ଜିଲାର ଅବଦାନ ରାଜ୍ୟ ପ୍ରତି ୮.୭୯ ପ୍ରତିଶତ ଥିବାବେଳେ ଖୋର୍ଦ୍ଧା ଜିଲାର ଅବଦାନ ୭.୬ ପ୍ରତିଶତ ରହିଛି। ଦେବଗଡ଼ର ଅବଦାନ ସର୍ବନିମ୍ନ ୦.୬୨ ପ୍ରତିଶତ ରହିଛି। ମୁଣ୍ଡପିଛା ଆୟରେ ଅନୁଗୁଳ ସର୍ବାଗ୍ରେ ରହିଛି। ୨୦୧୧-୧୨ରେ ରାଜ୍ୟର ମୁଣ୍ଡପିଛା ଆୟ ୨୪,୫୪୨ ଟଙ୍କା ଥିବାବେଳେ ଅନୁଗୁଳର ମୁଣ୍ଡପିଛା ଆୟ ୪୦,୫୧୬ ରହିଛି। ୧୧ଟି ଜିଲାର ମୁଣ୍ଡପିଛା ଆୟ ରାଜ୍ୟ ହାରଠାରୁ ଅଧିକ। ଅପରପକ୍ଷରେ ନବରଙ୍ଗପୁର ଓ ମାଲକାନାଗିରିର ମୁଣ୍ଡପିଛା ଆୟ ସର୍ବନିମ୍ନ ଯଥାକ୍ରମେ ୧୪,୪୩୫ ଓ ୧୬,୩୧୩ ରହିଛି।   ରାଜ୍ୟରେ ନିଯୁକ୍ତି ହାର ବଢ଼ିଛି। ଓଡ଼ିଶାରେ ଶ୍ରମିକଙ୍କ ଅଂଶଗ୍ରହଣ ଅନୁପାତ ୪୧.୮ ପ୍ରତିଶତ ଓ ଏହା ଜାତୀୟ ହାରଠାରୁ ଅଧିକ। ତେବେ ରାଜ୍ୟରେ ଠିକା ଶ୍ରମିକଙ୍କ ସଂଖ୍ୟା ବଢ଼ୁଛି। ଏହା ଉଦ‌ବେଗଜନକ। କୃଷି କ୍ଷେତ୍ରରେ ସର୍ବାଧିକ ୬୨ ପ୍ରତିଶତ ଶ୍ରମିକ ନିୟୋଜିତ ହୋଇଛନ୍ତି।   ରାଜ୍ୟ ଅର୍ଥନୀତିକୁ କୃଷି କ୍ଷେତ୍ରରେ ଅବଦାନ ହ୍ରାସ ପାଉଛି। ୨୦୧୧-୧୨ରୁ ୨୦୧୪-୧୫ ମଧ୍ୟରେ ଜିଏସ‌ଡିପିକୁ କୃଷି କ୍ଷେତ୍ରରେ ଅବଦାନ ୨୦ ପ୍ରତିଶତକୁ ହ୍ରାସ ପାଇଛି। ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ କୃଷି ଉତ୍ପାଦନ ପ୍ରଭାବିତ ହୋଇଥିବାରୁ ଏପରି ଘଟିଛି ବୋଲି ରାଜ୍ୟ ସରକାର ସଫେଇ ଦେଇଛନ୍ତି। ୨୦୧୫-୧୬ରେ ଫସଲ ଓ ପଶୁସମ୍ୱଳ ଅବଦାନ ୧୪ ପ୍ରତିଶତକୁ ହାସ ପାଇଛି। ୧୯୬୦ ଦଶକରେ ରାଜ୍ୟ ଅର୍ଥନୀତିକୁ ଏହି କ୍ଷେତ୍ରର ଅବଦାନ ୬୦ ପ୍ରତିଶତ ରହିଥିଲା। ୨୦୧୪-୧୫ରେ ରାଜ୍ୟରେ ହେକ୍ଟର ପିଛା ଉତ୍ପାଦନ ୨୦ କୁଇଣ୍ଟାଲରେ ପହଞ୍ଚିଛି। ୨୦୧୯ ସୁଦ୍ଧା ରାଜ୍ୟ ସରକାର ଆଉ ୧୦ ଲକ୍ଷ ହେକ୍ଟର ଜମିରେ ଜଳସେଚନ ବ୍ୟବସ୍ଥା କରିବା ପାଇଁ ଲକ୍ଷ ରଖିଥିବା ବେଳେ ୨୦୧୪-୧୫ରେ ୨.୨୩ ଲକ୍ଷ ହେକ୍ଟର ଜମିକୁ ଜଳସେଚନର ବ୍ୟବସ୍ଥା କରାଯାଇଛି। ରାଜ୍ୟର ୩୧୪ ବ୍ଲକ ମଧ୍ୟରୁ ଏବେ ୧୯୮ଟି ବ୍ଲକରେ ୩୫ ପ୍ରତିଶତରୁ କମ‌ ଜଳସେଚନ ବ୍ୟବସ୍ଥା ରହିଛି। ଡିସେମ୍ୱର ୨୦୧୪ ସୁଦ୍ଧା ଏହି ବ୍ଲକଗୁଡ଼ିକ ମଧ୍ୟରୁ ୨୬ ଜିଲାର ୭୬ ବ୍ଲକରେ ୩୫ ପ୍ରତିଶତ ଜଳସେଚନର ଟାର୍ଗେଟ ହାସଲ କରାଯାଇ ପାରିଛି।   ଜିଏସ‌ଡିପିକୁ ଶିଳ୍ପ କ୍ଷେତ୍ରରେ ଅବଦାନ ୩୯ ପ୍ରତିଶତ ଥିବାବେଳେ ୨୦୧୫-୧୬ରେ ଏହି କ୍ଷେତ୍ରରେ ୧୦.୫୮ ପ୍ରତିଶତ ଅଭିବୃଦ୍ଧି ହାସଲର ଲକ୍ଷ୍ୟ ରହିଛି। ୨୦୧୫ ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ୨୫୨ଟି ବୃହତ ଓ ମଧ୍ୟମ ଶିଳ୍ପ ସ୍ଥାପନ କରାଯାଇଥିଲା। ସେଥିମଧ୍ୟରୁ ୧୬୨ଟି ଶିଳ୍ପ ଖଣି ଓ ଇଞ୍ଜିନିୟରିଂ ଭିତ୍ତିକ ହୋଇଥିବା ବେଳେ ଏଥିରେ ୭୮ ହଜାର ୨୦୦ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି। ଫଳରେ ୮୯,୧୯୯ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଇପାରିଛି। ଏହାଛଡ଼ା ରାଜ୍ୟରେ ଏମ‌ଏସ‌ଏମ‌ଇ ଉଦ୍ୟୋଗ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ତେବେ ହସ୍ତଶିଳ୍ପ ଓ କୁଟୀରଶିଳ୍ପ ସଂଖ୍ୟା ଉଦ‌ବେଗଜନକ ଭାବେ ହ୍ରାସ ପାଇଛି। ଗତ ୫ ବର୍ଷ ମଧ୍ୟରେ ଜିଏସ‌ଡିପିକୁ ଖଣି କ୍ଷେତ୍ରରେ ଅବଦାନ ୧୦.୬୫ ପ୍ରତିଶତ ରହିଥିବାବେଳେ ୨୦୧୫-୧୬ରେ ଏହା ୯.୫୪ ରହିବ ବୋଲି ଆକଳନ କରାଯାଇଛି। ଖଣି ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଦେଶରେ ସର୍ବାଗ୍ରେ ରହିଛି।   ୨୦୧୧-୧୨ରୁ ୨୦୧୪-୧୫ ମଧ୍ୟରେ ଜିଏସ‌ଡିପିକୁ ସେବା କ୍ଷେତ୍ରର ଅବଦାନ ୪୧ ପ୍ରତିଶତ ରହିଛି। ଏଥିମଧ୍ୟରୁ ବାଣିଜ୍ୟ କ୍ଷେତ୍ରର ଅବଦାନ ୧୦.୮୬ ଥିବାବେଳେ ପରିବହନ କ୍ଷେତ୍ରର ଅବଦାନ ୮.୪୨ ପ୍ରତିଶତ, ରିୟଲ ଇଷ୍ଟେଟ‌ କ୍ଷେତ୍ରର ଅବଦାନ ୮.୨୪ ପ୍ରତିଶତ ରହିଛି। ୨୦୧୫-୧୬ରେ ସେବାକ୍ଷେତ୍ରର ଅଭିବୃଦ୍ଧି ପ୍ରାୟ ୯.୬୫ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ରାଜ୍ୟରେ ରହିଥିବା ବ୍ୟାଙ୍କ ଶାଖା ମଧ୍ୟରୁ ୮୦ ପ୍ରତିଶତ ଶାଖା ଗ୍ରାମାଞ୍ଚଳ ଓ ଅର୍ଦ୍ଧସହରାଞ୍ଚଳରେ ରହିଛି। ୨୦୧୪-୧୫ରେ ବ୍ୟାଙ୍କ ଶାଖା ସଂଖ୍ୟା ୯.୧୩ ପ୍ରତିଶତ ବୃଦ୍ଧି ପାଇଛି। ସେହିପରି ଭାବେ ବ୍ୟାଙ୍କ ଜମା ମଧ୍ୟ ୧୫.୬ ପ୍ରତିଶତ ବୃଦ୍ଧି ପାଇଥିବା ରିପୋର୍ଟରେ ଦର୍ଶାଯାଇଛି। ସେହିପରି ନିର୍ମାଣ କ୍ଷେତ୍ରର ଅବଦାନ ୨୦୧୫-୧୬ରେ ୭.୬୨ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି।   ରାଜ୍ୟରେ ଉଭୟ ରାଜ୍ୟ ଭିତରର ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି।   ଶକ୍ତି ସଂସ୍କାର କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ପରିଣତ ହୋଇଛି। ରାଜ୍ୟରେ ବିଜୁଳି ଉପଲବ୍ଧ ଆଶାନୁରୂପକ ଭାବେ ବୃଦ୍ଧି ପାଇଥିଲେ ମଧ୍ୟ ପରିବହନ କ୍ଷତି ଉଦବେଗଜନକ ଅବସ୍ଥାରେ ରହିଛି। ରାଜ୍ୟର ୯୨ ପ୍ରତିଶତ ଗ୍ରାମରେ ବିଦ୍ୟୁତ୍କରଣ କରାଯାଇଥିବା ବେଳେ ୨୦୧୪-୧୫ରେ ଓଡ଼ିଶା ବିଦ୍ୟୁତ ବଳକା ରାଜ୍ୟ ହୋଇଥିଲା। ରାଜ୍ୟର ପ୍ରାୟ ୭୮ ପ୍ରତିଶତ ବିଦ୍ୟୁତ ଉପଭୋକ୍ତା ଗ୍ରାମାଞ୍ଚଳର ଅଧିବାସୀ। ତେବେ ଶିଳ୍ପକ୍ଷେତ୍ର ୩୫ ପ୍ରତିଶତ ବିଜୁଳି ବ୍ୟବହାର କରୁଥିବା ବେଳେ ଘରୋଇ ଗ୍ରାହକମାନେ ୩୦ ପ୍ରତିଶତ ବିଜୁଳି ବ୍ୟବହାର କରିଥାନ୍ତି। ଓଡ଼ିଶାର ରାସ୍ତା ଘନତା ଜାତୀୟ ହାରଠାରୁ ଅଧିକା ରହିଥିଲେ ମଧ୍ୟ ପକ୍କା ରାସ୍ତା କ୍ଷେତ୍ରରେ କମ‌ ରହିଛି। ସେହିପରି ରାଜ୍ୟରେ ଯାଇଥିବା ରେଳଲାଇନ‌ ଜାତୀୟ ହାରଠାରୁ କମ‌। ୨୦୧୫ ମାର୍ଚ୍ଚ ସୁଦ୍ଧା ରାଜ୍ୟର ଟେଲିଘନତା ୬୬.୮୫ ରହିଥିବା ବେଳେ ସହରାଞ୍ଚଳରେ ଟେଲିଘନତା ଜାତୀୟ ହାରଠାରୁ ଅଧିକ ରହିଛି।   ଦାରିଦ୍ର୍ୟ ଦୂରୀକରଣରେ ଓଡ଼ିଶା ସଫଳ ହୋଇଛି। ୨୦୦୪-୦୫ରୁ ୨୦୧୧-୧୨ ମଧ୍ୟରେ ରାଜ୍ୟର ଦାରିଦ୍ର୍ୟ ହାର ୨୪.୬ ପ୍ରତିଶତ ହାସ ପାଇଛି। ସେହିପରି ଧନୀ ଦରିଦ୍ର ତାରିତମ୍ୟ ଅନୁପାତ ୧୭.୭ରୁ ହାସ ପାଇ ୭ ପ୍ରତିଶତରେ ପହଞ୍ଚିଛି। ରାଜ୍ୟର ସାକ୍ଷରତା ହାର ଜାତୀୟ ହାର ସହ ସମତୁଲ ଥିବାବେଳେ ପ୍ରାଥମିକ ଶିକ୍ଷାରେ ନାମଲେଖା ବଢ଼ିଛି। ୨୦୦୦ରୁ ୨୦୧୫ ମଧ୍ୟରେ  ପ୍ରାଥମିକ ଶିକ୍ଷାରେ ଅଧାରୁ ପାଠ ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୪୧.୮ ପ୍ରତିଶତରୁ ୨ ପ୍ରତିଶତରୁ ହାସ ପାଇଥିବା ବେଳେ ଉଚ୍ଚ ପ୍ରାଥମିକ କ୍ଷେତ୍ରରେ ତାହା ୫୭ ପ୍ରତିଶତରୁ ୨.୪ ପ୍ରତିଶତ ହାସ ପାଇଛି। ରାଜ୍ୟରେ ବହୁ ଖ୍ୟାତିସମ୍ପନ୍ନ ଜାତୀୟ ଶିକ୍ଷା ପ୍ରତିଷ୍ଠାନ ପ୍ରତିଷ୍ଠା କରାଯାଇଛି। ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ପରିବର୍ତ୍ତନ ପରିଲକ୍ଷିତ ହୋଇଛି। ରାଜ୍ୟରେ ୫ ଲକ୍ଷ ୯୫ ହଜାର ମହିଳା ଏସ‌ଏଚ‌ଜି ଥିବାବେଳେ ସେମାନଙ୍କର ବ୍ୟାଙ୍କ ଜମା ୫୭୫ କୋଟିକୁ ଟପି ଯାଇଛି।   କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଉଥିବାରୁ ତାହା ରାଜ୍ୟ ଉପରେ ଚାପ ସୃଷ୍ଟି କରିଛି। ତେବେ ବିତ୍ତୀୟ ଶୃଙ୍ଖଳା ନୀତି ଆପଣାଇ ରାଜ୍ୟ ସରକାର ଅର୍ଥନୀତିକୁ ସୁଧାରି ପାରିଛନ୍ତି। ପୁଞ୍ଜି ବ୍ୟୟ ବୃଦ୍ଧି ପାଇଥିବା ବେଳେ ବିତ୍ତୀୟ ନିଅଣ୍ଟ ମଧ୍ୟ କମ‌ ରହିଛି। ଏକଦା ରାଜ୍ୟର ଋଣ ଭାର ଜିଏସ‌ଡିପିର ୫୦ ପ୍ରତିଶତ ଥିବାବେଳେ ଏବେ ତାହା ୨୦ ପ୍ରତିଶତକୁ ହାସ ପାଇଛି। ପ୍ରାକୃତିକ ବିପର୍ଯ୍ୟୟ, ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଓ ମୁଦ୍ରାସ୍ଫୀତି ରାଜ୍ୟ ଅର୍ଥନୀତିକୁ ପ୍ରଭାବିତ କରୁଥିବା ବେଳେ ରାଜ୍ୟ ଦାରିଦ୍ର୍ୟ ଦୂରୀକରଣ ଓ ଅନ୍ତଭୁର୍କ୍ତିଯୁକ୍ତ ଅଭିବୃଦ୍ଧି ପାଇଁ ପଦକ୍ଷେପ ଗ୍ରହଣ କରୁଛି।

Share :