ଦୁର୍ନୀତିର ଦାରିର୍ଦ୍ୟ ଓ ଦାରିଦ୍ର୍ୟର ଦୁର୍ନୀତି

ଦୁର୍ନୀତିର ଦାରିର୍ଦ୍ୟ ଓ ଦାରିଦ୍ର୍ୟର ଦୁର୍ନୀତି

Share :

ଦେବେନ୍ଦ୍ର ପୃଷ୍ଟି   ଓଡ଼ିଶାର ମୋଟ ଲୋକସଂଖ୍ୟା 4 କୋଟି 20 ଲକ୍ଷ | ଏହି ଗଣନା 2011 ମସିହାର | ଏ 4 ବର୍ଷ ଭିତରେ ଲୋକସଂଖ୍ୟାରେ ଆଉ 20-30 ଲକ୍ଷ ଅଭିବୃଦ୍ଧି ଘଟିଥିବ | ଏତେସବୁ ଲୋକ ପ୍ରାୟ 90 ଲକ୍ଷ ପରିବାରରେ ବାନ୍ଧି ହୋଇ ରହୁଛନ୍ତି | ଓଡ଼ିଶାରେ ପରିବାର ପିଛା ହାରାହାରି ସଦସ୍ୟଙ୍କ ସଂଖ୍ୟା ହେଉଛି 4-5 ଜଣ | ଓଡ଼ିଶା ସରକାରଙ୍କ ହିସାବରେ ଏହି 90 ଲକ୍ଷ ପରିବାର ମଧ୍ୟରୁ 63 ଲକ୍ଷ ହେଲେ ଗରୀବ | ସେମାନଙ୍କୁ ଟଙ୍କିକିଆ ଯୋଜନାର ହିତାଧିକାରୀ ତାଲିକାରୁ ବାଦ ଦେଇ ହେବ ନାହିଁ | ସେପରି କଲେ ଏହି 63 ଲକ୍ଷ ପରିବାରର ଲୋକମାନେ ଅନାହାର ଓ ଅର୍ଦ୍ଧାହାରର ସମ୍ମୁଖୀନ ହେବେ | ଅନାହାରରୁ ଅନେକ ମଧ୍ୟ ମୃତ୍ୟୁଦଶା ଭୋଗ କରିପାରନ୍ତି | ସେଥିପାଇଁ ଏହି ହିତାଧିକାରୀ ତାଲିକାରୁ କାହାକୁ ବି ବାଦ ଦେବାକୁ ରାଜି ହେଉ ନାହାନ୍ତି ଓଡ଼ିଶା ସରକାର | ତେଣୁ ସେମାନଙ୍କୁ ଦାରିଦ୍ର୍ୟ ସୀମାରେଖା ତଳେ ବା ବିପିଏଲ ବର୍ଗର ଲୋକ ଭାବେ ଗଣନା କରାଯାଉଛି | ଅଥଚ ସେମାନେ ସମସ୍ତେ ବିପିଏଲ ନୁହନ୍ତି | ଏ ହିସାବ ବି ଏଇ ସରକାର ଦେଇଛନ୍ତି | ବିଧାନସଭାରେ ରାଜ୍ୟ ସରକାର ଉପସ୍ଥାପନ କରିଥିବା ତଥ୍ୟ ଅନୁସାରେ ରାଜ୍ୟର 42.14 ଲକ୍ଷ ପରିବାର ହେଉଛନ୍ତି ବିପିଏଲ | ଯଦିଓ ରାଜ୍ୟରେ ବାସ୍ତବରେ କେତେ ପରିବାର ଏହି ବର୍ଗରେ ଗଣନା କରାଯିବେ ତାହାର କୌଣସି ବିଜ୍ଞାନସମ୍ମତ ସୁମାରି ପ୍ରାୟ 18 ବର୍ଷ ହେଲା ହୋଇନାହିଁ | ରାଜ୍ୟରେ ଶେଷ ଥର ପାଇଁ 1997 ମସିହାରେ ବିପିଏଲ ସର୍ଭେ ହୋଇଥିଲା | ସେତେବେଳେ କଂଗ୍ରେସ ଦଳର ସରକାର ଥିଲା | ସେହି ସର୍ଭେ ଅନୁସାରେ ସରକାର ରାଜ୍ୟରେ ବିପିଏଲ ପରିବାରଙ୍କ ସଂଖ୍ୟା 48.58 ଲକ୍ଷ ବୋଲି ଧାର୍ଯ୍ୟ କରିଥିଲେ | ନିୟମ ଅନୁସାରେ ପ୍ରତି 5 ବର୍ଷରେ ଥରେ ବିପିଏଲ ସର୍ଭେ ହେବା କଥା | ତେଣୁ ଇତିମଧ୍ୟରେ 2002, 2007 ଓ 2012 ମସିହାରେ ତିନିତିନିଟି ସର୍ଭେ ଜରିଆରେ ବିପିଏଲ ତାଲିକାରେ ସଂଶୋଧନ ହେବା କଥା | ମାତ୍ର, ରାଜନୀତିକ, ନ୍ୟାୟିକ ଓ ଦୁର୍ନୀତି କାରଣରୁ ଏହା ଏଯାଏଁ ହୋଇନାହିଁ | ଏହାର ଅଭାବରେ ସରକାର 1997 ହିସାବ ଅନୁସାରେ 48.58 ଲକ୍ଷ ପରିବାରଙ୍କୁ ଟଙ୍କିକିଆ ଚାଉଳ ଦେବା କଥା | ମାତ୍ର, ଲକଡ଼ବାଲା କମିଟିର ସୁପାରିଶ ଅନୁସାରେ କେନ୍ଦ୍ର ସରକାର ଓଡ଼ିଶାର ବିପିଏଲ ପରିବାର ସଂଖ୍ୟା 32.98 ଲକ୍ଷ ହେବା କଥା ବୋଲି ହିସାବ କରିଛନ୍ତି | ଏପରି ହେଲେ ରାଜ୍ୟର ଟଙ୍କିକିଆ ଚାଉଳ ପାଉଥିବା ପରିବାର ସଂଖ୍ୟା କମିଯିବ, ଅନ୍ୟାର୍ଥରେ ଦଳୀୟ ଭୋଟରଙ୍କ ସଂଖ୍ୟା କମିଯିବ, ଏଇ ଆଶଙ୍କାରେ ସରକାର ଏଯାଏଁ ଲକ୍ଡ଼ବାଲା କମିଟି ସୁପାରିଶକୁ ଗ୍ରହଣ କରି ନାହାନ୍ତି | ଓଲଟି ବିପିଏଲ ସହିତ ଏପିଏଲଙ୍କୁ ମଧ୍ୟ ଟଙ୍କିକିଆ ଚାଉଳ ଯୋଜନାରେ ସାମିଲ କରିଛନ୍ତି | ଓଡ଼ିଶାରେ ନବୀନ ପଟ୍ଟନାୟକ ସରକାରଙ୍କ ଏତେ ସଫଳତା ସତ୍ତ୍ବେ ରାଜ୍ୟରେ ଦାରିଦ୍ର୍ୟ ସୀମାରେଖ ତଳେ ଥିବା ପରିବାର ସଂଖ୍ୟା କାହିଁକି କମୁ ନାହିଁ ତାହାର କୌଣସି ସିଧାସଳଖ ଉତ୍ତର ସରକାର ବା ସରକାରୀ ପଦାଧିକାରୀଙ୍କଠାରୁ ଆଶା କରିବା ବୃଥା | କିନ୍ତୁ ଯଦି ସରକାର ବିଧାନସଭାରେ ଉପସ୍ଥାପନ କରିଥିବା ଅନ୍ୟ କିଛି ତଥ୍ୟକୁ ଅନୁଶୀଳନ କରାଯାଏ ତେବେ ଦାରିଦ୍ର୍ୟକୁ ନେଇ କିପରି ଦୁର୍ନୀତି କରାଯାଏ ତାହାର ଏକ ସ୍ପଷ୍ଟଚିତ୍ର ଦୃଶ୍ୟମାନ ହୁଏ | ଖାସ୍ ଦୁର୍ନୀତି ପାଇଁ ହିଁ ଓଡ଼ିଶାର ଦାରିଦ୍ର୍ୟ କମୁନାହିଁ | ଓଡ଼ିଆ ଲୋକମାନଙ୍କୁ ଦରିଦ୍ର ଦେଖାଇ ସ୍ବେଚ୍ଛାସେବୀ ସଂଗଠନଗୁଡ଼ିକ ଯେପରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଭିକ୍ଷାବୃତ୍ତିର ଆଶ୍ରୟ ନେଇଛନ୍ତି ସେହିପରି ରାଜନୀତିକ ଦଳ ଓ ପ୍ରାଶାସନିକ କଳ ମଧ୍ୟ ଓଡ଼ିଆଙ୍କୁ ଦରିଦ୍ର ବୋଲି କହି କେନ୍ଦ୍ରରୁ ଅନୁଦାନ ଆଣି ତହିଁରୁ ଦୁର୍ନୀତି ବାଟେ ବାକ କୋଟିକୋଟି ଟଙ୍କା ହଡ଼ପ କରୁଛନ୍ତି | ଦୁର୍ନୀତିର ଏହି ସହଜସାଧ୍ୟ ପଦ୍ଧତିକୁ ସ୍ଥାୟୀ ଓ ସକ୍ରିୟ ରଖିବା ପାଇଁ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅସ୍ତ୍ର କରାଯାଇଛି, ଡିଲର ଓ ଷ୍ଟୋରେଜ୍ ଏଜେଣ୍ଟ ବ୍ୟବସ୍ଥାକୁ ଉଚ୍ଛେଦ କରିବା ପରିବର୍ତ୍ତେ ସ୍ଥାୟୀ କରାଯାଇଛି ଏବଂ ଧାନ ସଂଗ୍ରହ ଓ ଚାଉଳ ଉତ୍ପାଦନ ପାଇଁ ସରକାରୀ ବ୍ୟବସ୍ଥା କରାଯାଇଛି | ବିଧାନସଭାରେ ମନ୍ତ୍ରୀ ରଖଥିବା ତଥ୍ୟ ଅନୁଯାୟୀ ଟଙ୍କିକିଆ ଚାଉଳ ଯୋଜନାରେ ପ୍ରତି ଚାଉଳ କିଲୋ ପିଛା 20-23 ଟଙ୍କା ରିହାତି ବା ସବ୍ସିଡ଼ି ଦେଉଛନ୍ତି | ଏହି ଯୋଜନାରେ ପ୍ରତି ପରିବାରକୁ ମାସିକ କେନ୍ଦ୍ର ସରକାର 35 କିଲୋଗ୍ରାମ ଚାଉଳ ଦେଉଥିଲେ ହେଁ ରାଜ୍ୟ ସରକାର ଅଧିକ ଲୋକଙ୍କୁ ଯୋଜନା ଅନ୍ତର୍ଭୁକ୍ତ କରିବା ଉଦ୍ଦେଶ୍ୟରେ ମାସିକ 25 କିଲୋଗ୍ରାମ ଦେଉଛନ୍ତି | ତେଣୁ ଜଣେ ଜଣେ ହିତାଧିକାରୀ ଏହି ଯୋଜନାରେ କେନ୍ଦ୍ର ସରକାରଙ୍କଠାରୁ ମାସିକ 500 ଟଙ୍କା ଯାଏଁ ସବ୍ସିଡ଼ି ପାଉଛନ୍ତି | ହିତାଧିକାରୀ ସଂଖ୍ୟା ଯେତେ ଅଧିକ ସବ୍ସିଡ଼ି ପରିମାଣ ସେତେ ଅଧିକ | ମନେ କରନ୍ତୁ ଗୋଟିଏ ଗାଁରେ ଜାଲିଆତି ଭାବେ 20 ରେସନ୍ କାର୍ଡ଼ ସୃଷ୍ଟି କରାଯାଇଛି ଓ ଏହି କାର୍ଡ଼ଗୁଡ଼ିକୁ ଟଙ୍କିକିଆ ଚାଉଳ ଯୋଜନାରେ ସାମିଲ କରାଯାଇଛି | ଏହି 20 କାର୍ଡ଼ଧାରୀଙ୍କ ନାମରେ ମାସିକ ଯେଉଁ 500 କିଲୋଗ୍ରାମ ଚାଉଳ ବଣ୍ଟନ କରାଯିବ ସେଥିରେ 10 ହଜାର ଟଙ୍କାର ସବ୍ସିଡ଼ି ରହିଛି | ଏହି ଚାଉଳକୁ ଖୋଲା ବଜାରରେ ବିକିଦେଲେ 10 ହଜାର ବଦଳରେ 5 ହଜାର ଟଙ୍କା ତ ମିଳିବ ! ଗାଁରେ ରହି ରାଜନୀତି କରୁଥିବା ଲୋକଙ୍କ ପାଇଁ ମାସିକ 5 ହଜାର ଟଙ୍କାର ବେଆଇନ ସବ୍ସିଡ଼ି କିଛି କମ୍ କଥା ନୁହେଁ !

Share :