ଆଂଚଳିକତାବାଦ ଆଡ଼କୁ ଆଉ ପାଦେ

ଆଂଚଳିକତାବାଦ ଆଡ଼କୁ ଆଉ ପାଦେ

Share :

ଦେବେନ୍ଦ୍ର ପୃଷ୍ଟି   ଗତ କିଛି ବର୍ଷ ଧରି ଭାରତୀୟ ରାଜନୀତିରେ ଆଂଚଳିକ ଦଳଗୁଡ଼ିକର ପ୍ରଭାବ ଓ ପତିଆରା ବୃଦ୍ଧି ପାଇବାରେ ଲାଗିଛି। ମେ ୧୯ ତାରିଖରେ ଘୋଷିତ ୫ ରାଜ୍ୟରର ନିର୍ବାଚନ ଫଳାଫଳ ମଧ୍ୟ ଏହି କଥାକୁ ଆଉ ଥରେ ପ୍ରମାଣିତ କରିଛି। ଏହି ନିର୍ବାଚନ ପରିଣାମ ନେଇ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି ଓ ତାହାର ସମର୍ଥକମାନେ କଂଗ୍ରେସମୁକ୍ତ ଭାରତ ଆଡ଼କୁ ଆଉ ପାଦେ ବୋଲି ଡିଣ୍ଡିମ ପିଟିଥିଲେ ବି ବାସ୍ତବରେ ସେଭଳି କିଛି ସଂକେତ ମିଳି ନାହିଁ। ବରଂ ଉଭୟ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ପାଇଁ ଏହି ନିର୍ବାଚନ ପରିଣାମ ଆଶଙ୍କା ଓ ଆକଳନର ସୁଯୋଗ ସୃଷ୍ଟି କରିଛି।   ୨୦୧୬ ଏପ୍ରିଲ-ମେ ମାସ ମଧ୍ୟରେ ଆସାମ, ପଶ୍ଚିମ ବଙ୍ଗ, ତାମିଲନାଡ଼ୁ, କେରଳ ଓ ପୁଡୁଚେରୀ ଆଦି ପାଞ୍ଚଟି ରାଜ୍ୟର ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହା ସହିତ ତେଲେଙ୍ଗାନା, ଗୁଜରାଟ, ଉତ୍ତର ପ୍ରଦେଶ ଓ ଝାଡ଼ଖଣ୍ଡ ରାଜ୍ୟର ୬ ବିଧାନସଭା ଆସନ ପାଇଁ ଉପନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ମୋଟ ଉପରେ ଏସବୁ ରାଜ୍ୟର ୮୨୮ ବିଧାନସଭା ଆସନ ପାଇଁ ହୋଇଥିବା ନିର୍ବାଚନର ପରିଣାମ ମେ ୧୯ ତାରିଖରେ ନିର୍ବାଚନ କମିଶନଙ୍କ ତରଫରୁ ଘୋଷିତ ହୋଇଛି। ଏହି ପରିଣାମକୁ ନିରପେକ୍ଷ ଭାବେ ଅନୁଶୀଳନ କରାଗଲେ ବିଜେପିର କଂଗ୍ରେସମୁକ୍ତ ଭାରତ ଦାବି କେତେ ଅସତ୍ୟ ଆକଳନ ଉପରେ ଆଧାରିତ ତାହା ସ୍ପଷ୍ଟ ହୁଏ। ସେହିପରି ଏହି ପରିଣାମ ଉଭୟ ବିଜେପି ଓ କଂଗ୍ରେସ ପରି ଜାତୀୟ ଦଳ ପାଇଁ ଚିନ୍ତା ଓ ସମୀକ୍ଷା ବିଷୟ ହୋଇଥିବାରୁ ତାହାକୁ ସେମାନେ ଆଡ଼େଇଯିବା ଉଚିତ ନୁହେଁ।   ଏହି ବିଧାନସଭା ମିନି ସାଧାରଣ ନିର୍ବାଚନରେ ମାଟ ୮୨୮ ଆସନରୁ କଂଗ୍ରେସକୁ ୧୨୬ ଆସନ ମିଳିଥିବାବେଳେ ବିଜେପିକୁ ମିଳିଛି ମାତ୍ର ୬୬ ଆସନ। କିନ୍ତୁ ଆଂଚଳିକ ଦଳଗୁଡ଼ିକ ଜିତିଛନ୍ତି ମୋଟ ଉପରେ ୬୩୩ ଆସନ। ତେବେ ଏ ବିଜୟ କାହାର? ଆଂଚଳିକ ଦଳଗୁଡ଼ିକର ନା ବିଜେପିର ନା କଂଗ୍ରେସର?   ଏକଥା ସତ ଯେ ଆସାମରେ କ୍ଷମତାରେ ଥିବା କଂଗ୍ରେସକୁ ପରାସ୍ତ କରି ଭାରତୀୟ ଜନତା ପାର୍ଟି ସେଠାରେ ତା’ର ଗୈରିକ ଧ୍ବଜା ଉଡ଼ାଇବାରେ ସଫଳ ହୋଇଛି। କିନ୍ତୁ ସେଠାରେ ଯେ ଗତ ୧୫ ବର୍ଷ ଧରି କଂଗ୍ରେସ ସରକାର ଅଧିଷ୍ଠିତ ଥିଲା ତାହା ଭୁଲିଯିବା ଉଚିତ ନୁହେଁ। ତରୁଣ ଗୋଗୋଇଙ୍କ ନେତୃତ୍ବରେ ସେଠାରେ କଂଗ୍ରେସ ପାର୍ଟି ଗଲା ତିନିଟି ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲା। ଏଥର ଗୋଗୋଇଙ୍କର ଘନିଷ୍ଠ ସହକର୍ମୀ ହେମନ୍ତ ଶର୍ମା ବିଦ୍ରୋହ କରି ନଥିଲେ ଏବଂ ମେଣ୍ଟ ପାଇଁ ଏଆଇୟୁଡିଏଫ ଦେଇଥିବା ପ୍ରସ୍ତାବକୁ କଂଗ୍ରେସ ଗ୍ରହଣ କରିଥିଲେ ଫଳ ସଂପୂର୍ଣ୍ଣ ଓଲଟା ହୋଇଥାନ୍ତା ବୋଲି ମଧ୍ୟ ନିର୍ବାଚନ ପରିଣାମରୁ ସ୍ପଷ୍ଟ ହୋଇଯାଇଛି। ଆସାମ କଂଗ୍ରେସର ଅନ୍ୟତମ ଲୋକପ୍ରିୟ ତଥା ବରିଷ୍ଠ ନେତା ହେମନ୍ତଙ୍କୁ ଗୋଗୋଇ ତାଙ୍କର ଉତ୍ତରାଧିକାରୀ ଭାବେ ଉପସ୍ଥାପିତ କରିବା ପରିବର୍ତ୍ତେ ତାଙ୍କ ନିଜ ପୁଅ ଗୌରବଙ୍କୁ ଭବିଷ୍ୟତର ମୁଖ୍ୟମନ୍ତ୍ରୀ ଭାବେ ଉପସ୍ଥାପିତ କରିଥିଲେ। ହେମନ୍ତଙ୍କ ଅନୁରୋଧ ସତ୍ତ୍ବେ କଂଗ୍ରେସ ଉପାଧ୍ୟକ୍ଷ ରାହୁଳ ଗାନ୍ଧୀ ଅସାମ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କର ଏହି ପାରିବାରିକ ରାଜନୀତିକୁ ଖାରଜ କଲେ ନାହିଁ। ତେଣୁ ହେମନ୍ତ ଦଳ ଛାଡ଼ି ବିଜେପିରେ ମିଶିଲେ। ଆସାମରେ ବିଜେପିର ବିଜୟ ପଛରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସର୍ବାନନ୍ଦ ସୋନୋବାଲଙ୍କ ତୁଳନାରେ ହେମନ୍ତ ଶର୍ମାଙ୍କ ଭୂମିକା ଅଧିକ ବୋଲି ପରିଣାମ ଘୋଷଣା ପରେ ଅନେକ ପର୍ଯ୍ୟବେକ୍ଷକ ମତ ଦେଇଛନ୍ତି।   ସେହିପରି ଆସାମରେ ଦୁଇଟି ଆଂଚଳିକ ଦଳ ସହିତ ବିଜେପି ନିର୍ବାଚନୀ ମେଣ୍ଟ କରିଥିଲା। ଏହି ଦୁଇଟି ଦଳ ହେଲେ ଆସାମ ଗଣ ପରିଷଦ ଓ ବୋଡ଼ୋ ପିପୁଲ୍ସ ଫ୍ରଣ୍ଟ। ଅତୀତରେ ଆସାମ ଗଣ ପରିଷଦ ରାଜ୍ୟରୁ କଂଗ୍ରେସ ଶାସନ ହଟାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏହି ଦଳ ସରକାର ଗଠନ କରିଥିଲା। ପରେ ଏ ଦଳ ବାରମ୍ବାର ବିଭାଜିତ ହୋଇଥିଲେ ବି ରାଜ୍ୟର କେତେକ ଅଂଚଳରେ ଏହା ଏବେ ବି ଲୋକପ୍ରିୟ। ଆସାମ ନିର୍ବାଚନରେ ବିଜେପିକୁ ୨୯ ପ୍ରତିଶତ ଭୋଟ ମିଳିଥିଲାବେଳେ କଂଗ୍ରେସକୁ ୩୧ ପ୍ରତିଶତ ଓ ଅନ୍ୟ ଆଂଚଳିକ ଦଳଗୁଡ଼ିକୁ ୨୫ ପ୍ରତିଶତ ଭୋଟ ମିଳିଛି। ସେଠାରେ ବିଜେପି ୬୦, କଂଗ୍ରେସ ୨୬ ଓ ଆଂଚଳିକ ଦଳଗୁଡ଼ିକ ୩୯ ଆସନ ପାଇଛନ୍ତି।   ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଏହିପରି ପରିଣାମ ଦେଖିବାକୁ ମିଳିଛି। କେରଳରେ ବାମପନ୍ଥୀ ଓ କଂଗ୍ରେସ ମେଣ୍ଟରେ ଥିବା ଆଂଚଳିକ ଦଳଗୁଡ଼ିକୁ ରାଜ୍ୟର ୧୪୦ରୁ ୧୦୭ ଆସନ ମିଳିଛି। ଏହି ଦଳଗୁଡ଼ିକ ମଧ୍ୟ ୪୮ ପ୍ରତିଶତ ଭୋଟ ପାଇଛନ୍ତି। ସେଠାରେ କଂଗ୍ରେସକୁ ୨୪ ଓ ବିଜେପିକୁ ୧୧ ପ୍ରତିଶତ ଭୋଟ ମିଳିଛି। ତାମିଲନାଡ଼ୁରେ ଆଂଚଳିକ ଦଳଗୁଡ଼ିକ ରାଜ୍ୟର ୨୩୪ ଆସନରୁ ୨୨୩ ଆସନ ଓ ୮୦ ପ୍ରତିଶତ ଭୋଟ ହାତେଇଛନ୍ତି। ସେ ତୁଳନାରେ କଂଗ୍ରେସ ୬ ଓ ବିଜେପି ୩ ପ୍ରତିଶତ ଭୋଟ ପାଇଛନ୍ତି। ପଶ୍ଚିମ ବଙ୍ଗରେ ତୃଣମୂଳ କଂଗ୍ରେସ ଓ ବାମପନ୍ଥୀ ଦଳଗୁଡ଼ିକ ମୋଟ ଉପରେ ୨୪୬ ଆସନ ଓ ୭୨ ପ୍ରତିଶତ ଭୋଟ ପାଇଛନ୍ତି। ସେ ତୁଳନାରେ କଂଗ୍ରେସ ୧୨ ପ୍ରତିଶତ ଓ ବିଜେପି ୧୦ ପ୍ରତିଶତ ଭୋଟ ପାଇଛନ୍ତି। ଉତ୍ତର ପ୍ରଦେଶର ଦୁଇଟି ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ଆଂଚଳିକ ସମାଜବାଦୀ ପାର୍ଟି, ତେଲେଙ୍ଗାନାର ଗୋଟିଏ ଆସନରେ ଆଂଚଳିକ ତେଲେଙ୍ଗାନା ରାଷ୍ଟ୍ର ସମିତି ବିଜୟ ହାସଲ କରିଛନ୍ତି।   ଏହା କି ପ୍ରକାର ରାଜନୀତିକ ସଂକେତ ପ୍ରଦାନ କରୁଛି? ଏହା କଂଗ୍ରେସ ମୁକ୍ତ ଭାରତ ଆଡ଼କୁ ଆଉ ପାଦେ ଅଗ୍ରଗତି ନା ଜାତୀୟ ଦଳ ମୁକ୍ତ ଭାରତୀୟ ରାଜନୀତି ଆଡ଼କୁ ଆଉ ଏକ ପାଦ? ଏହି ନିର୍ବାଚନ ଭାରତୀୟ ରାଜନୀତିର ଆଂଚଳିକତାବାଦକୁ ଅଧିକ ସୁଦୃଢ଼ କରିନାହିଁ କି? ଏହି ଦୃଷ୍ଟିରୁ ଏହା ଉଭୟ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ପାଇଁ ଚିନ୍ତାର କାରଣ ନୁହେଁ କି?

Share :