ସରକାର କି ଚିଜ?

ସରକାର କି ଚିଜ?

Share :

ରତ୍ନେଶ୍ବର ସାହୁ   ଅନେକ ଲୋକ ସରକାର କ’ଣ ଠିକରେ ବୁଝି ନାହାନ୍ତି। ସେମାନେ ଜଣେ ଲୋକକୁ ବା ଦଳକୁ ସରକାର ବୋଲି କହୁଛନ୍ତି। ଗୋଟିଏ ଗଣତନ୍ତ୍ର ରାଷ୍ଟ୍ରରେ ଗୋଟିଏ ବ୍ୟକ୍ତି ବା ଗୋଟିଏ ରାଜନୈତିକ ଦଳ ସରକାର ନୁହେଁ। ହଁ, ଆମେ କହିପାରିବା ଯେ ଅମୁକ ଦଳ କିମ୍ବା ବ୍ୟକ୍ତିଙ୍କ ନେତୃତ୍ବରେ ଚାଲିଥିବା ଶାସନ ବ୍ୟବସ୍ଥା। ସରକାର ଯଦି କେବଳ ଗୋଟେ ଦଳ ବା ଜଣେ ବ୍ୟକ୍ତି ବା କିଛି ବ୍ୟକ୍ତି ହୋଇଥାନ୍ତେ ତେବେ ତାହା କେବଳ ମନ୍ତ୍ରିସଭାରେ ସୀମୀତ ରହନ୍ତା। ବ୍ୟବସ୍ଥାପିକା ଓ ନ୍ୟାୟପାଳିକା ପାଇଁ ସରକାରୀ ତହବିଲରୁ କାହିଁକି ଟଙ୍କା ଖର୍ଚ୍ଚ ହୁଅନ୍ତା? ଏ ଦୁଇ ଅଙ୍ଗ ବି କାହିଁକି ସରକାରଙ୍କୁ ପରାମର୍ଶ ଦିଅନ୍ତେ, ନିୟନ୍ତ୍ରିତ କରନ୍ତେ? କାରଣ ଆମର ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକାର ମିଳିତ ବ୍ୟବସ୍ଥା ହେଉଛି ଦେଶର ଶାସନତନ୍ତ୍ର। ଏଥିରୁ ଗୋଟିକୁ ଛାଡ଼ି ବାକି ଦୁଇଟି ଦେଶ ଚଳାଇବା ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ। ବ୍ୟବସ୍ଥାପିକାରେ ଲୋକମାନଙ୍କ ମତ ରଖିବା ପାଇଁ ଲୋକମାନେ ନିର୍ବାଚନ ମାଧ୍ୟମରେ ନିଜର ପ୍ରତିନିଧି ପଠାଇଥାନ୍ତି। ବ୍ୟବସ୍ଥାପିକାର ନିର୍ବାଚିତ ସଦସ୍ୟଙ୍କ ମଧ୍ୟରୁ ବଛାବଛା ପ୍ରତିନିଧିଙ୍କୁ ନେଇ କାର୍ଯ୍ୟପାଳିକା ଗଠିତ ହୋଇଥାଏ। ନ୍ୟାୟପାଳିକାର ଦାୟିତ୍ବ ତୁଲାଇଥାନ୍ତି ବିଭିନ୍ନ ସ୍ତରରର ବିଚାରପତି। ଆଜିକାଲି କେବଳ କାର୍ଯ୍ୟପାଳିକାକୁ ଲୋକମାନେ ସରକାର ଭାବେ ଗ୍ରହଣ କରିଛନ୍ତି ଏହା ବ୍ୟବସ୍ଥାପିକା ଓ ନ୍ୟାୟପାଳିକାର ଊର୍ଦ୍ଧ୍ବରେ ବୋଲି ଏକ ଧାରଣା ସୃଷ୍ଟି ହୋଇଛି। ଏଇ ସରକାର ସବୁ କରୁଛି, ଆଉ କେହି କିଛି କରୁ ନାହାନ୍ତି ବୋଲି ଲୋକେ ଭୁଲ ଭାବରେ ବୁଝି ଯାଇଛନ୍ତି। ସରକାର ଲୋକଙ୍କୁ ମାଗଣା ଚାଉଳ ଦଉଛି, ଘର ଦଉଛି, ବହି ଦଉଛି, ପୋଷାକ ଦଉଚି ପରି ଭ୍ରମ ସୃଷ୍ଟି ହେଉଛି। କିନ୍ତୁ ଲୋକେ ବୁଝିବା ଦରକାର ଯେ ସରକାରର ନେତୃତ୍ବ ନେଉଥିବା ଲୋକମାନ ନିଜ ଜମିବାଡ଼ି ବିକି ବା ଶ୍ବଶୁର ଘରୁ ଆଣିଥିବା ଯୌତୁକ ଟଙ୍କାରେ ଏଭଳି ଯୋଜନା କରି ନାହାନ୍ତି। ସେଥିପାଇଁ ଲୋକାମାନଙ୍କୁ ବିପୁଳ ପରିମାଣର ଟିକସ ଦେବାକୁ ପଡ଼ୁଛି।   ବିଭିନ୍ନ ସମୟରେ ସରକାର କିଛି ମାଗଣା ଦେବା ବ୍ୟବସ୍ଥା କରିଦେଲେ ଲୋକମାନେ ଖୁସି ହୁଅନ୍ତି। ଲୋକେ ଜାଣନ୍ତି ନାହିଁ ଯେ ସେମାନେ ଯେଉଁ ସୁବିଧା ପାଇଁ ଏତେ ଖୁସି ହେଉଛନ୍ତି ସେଥିପାଇଁ ସେମାନେ ବହୁତ ମୂଲ୍ୟ ଦେବାକୁ ପଡେ। ଇନ୍ଦିରା ଆବାସ ଘର କିମ୍ବା ଅନ୍ୟ କିଛି ଯୋଜନାର ଘର ପାଇବା ପାଇଁ ଧାର୍ଯ୍ୟ ନିୟମ ରହିଛି। ସେହି ଯୋଗ୍ୟତା ବା ସର୍ତ୍ତ ପୂରଣ କରୁଥିବା ଲୋକଟି ଏଭଳି ଯୋଜନାର ହିତାଧିକାରୀ ହୋଇଥାଏ। ସେଥିପାଇଁ ଗ୍ରାମସଭାର ନିଷ୍ପତ୍ତି ଚୂଡ଼ାନ୍ତ। ଗ୍ରାମସଭା ନିଷ୍ପତ୍ତି ବାହାରେ ସରପଂଚ, ସମିତି ଅଧ୍ୟକ୍ଷ, ବିଡିଓ, କଲେକ୍ଟର, ସଚିବ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଏପରିକି ରାଷ୍ଟ୍ରପତି ମଧ୍ୟ କିଛି କରିପାରିବେ ନାହିଁ। କିନ୍ତୁ ବାସ୍ତବ କ୍ଷେତ୍ରରେ ଏମିତି ଚାଲି ନାହିଁ। ପଂଚାୟତ ଓ ସମିତି ସ୍ତରେର ୧୦ରୁ ୨୦ ହଜାର ଟଙ୍କା ଲାଂଚ ଦେଲେ ଇନ୍ଦିରା ଆବାସ ଯୋଜନାର ହିତାଧିକାରୀ ତାଲିକାରେ ନାଁ ଚଢ଼ିଯାଏ। ଯେହେତୁ ପଲ୍ଲିସଭା କିମ୍ବା ଗ୍ରାମସଭା ନିୟମିତ ହୁଏ ନାହିଁ ଏବଂ ଉପଯୁକ୍ତ ହିତାଧିକାରୀ ତାଲିକା ପ୍ରକାଶ ପାଏ ନାହିଁ ତେଣୁ ହିତାଧିକାରୀ ଯୋଗ୍ୟତା ଥିଲେ ମଧ୍ୟ କାଳେ ତାହାକୁ ମିଳିବ ନାହିଁ ସେହିପ୍ରକାର ଅବିଶ୍ବାସର ବାତାବରଣ ଭିତରେ କିଛି ଲୋକ ହିତାଧିକାରୀଠାରୁ ଟଙ୍କା ହଡପ କରନ୍ତି।   ଅନେକ ସମୟରେ ଲୋକମାନଙ୍କୁ କୁହାଯାଏ ଯେ ତୁମ ଗାଁକୁ ରାସ୍ତା ଆମ ସରକାର କରିଦେଲେ, ତୁମ ଗାଁକୁ ବିଦ୍ୟାଳୟ ଆମ ସରକାର କରିଦେଲେ, ତୁମକୁ ଟଙ୍କିକିଆ ଚାଉଳ ଆମ ସରକାର ଦେଲେ। କିନ୍ତୁ କେବେ ନେତାମାନେ କେବେ କୁହନ୍ତି ନାହିଁ ଯେ ତୁମ ଗାଁ ପାଇଁ ଏତିକି ଟଙ୍କା ଏହି କାମ ବାବଦରେ ଆସିଥିଲା ଏବଂ ରାସ୍ତାଟି ଏପରି ହେବାର କଥା, ଚାଉଳର ଗୁଣ ଏପରି, ମାସିକ ଏତିକି ପରିମାଣର କିରୋସିନି ମିଳିବା କଥା, ବିଦ୍ୟାଳୟକୁ ଯଦି ଶିକ୍ଷକ ନିୟମିତ ଆସନ୍ତି ନାହିଁ ତାହାହେଲେ ଏହି ଅଧିକାରୀମାନଙ୍କୁ ଜଣାଇବା କଥା, ଚାଉଳ ଓଜନ କମିଗଲେ ନିଅନ୍ତୁ ନାହିଁ ବରଂ ସରକାରଙ୍କ ନଜରକୁ ଆଣନ୍ତୁ।   ଲୋକେ ବୋଧହୁଏ ଭୁଲି ଯାଇଛନ୍ତି ଯେ, ସେମାନେ ଦୁଇ ଟଙ୍କାର ଲୁଣକୁ ପ୍ରାୟ ୨୦ ଟଙ୍କାରେ କିଣୁଛନ୍ତି, ଯେଉଁ ସାବୁନ ୧୦ ଟଙ୍କା ଦେଇ କିଣୁଛନ୍ତି ତାହା ପ୍ରକୃତରେ ଅଧା ଦାମରୁ କମ, ଯେଉଁ ପେଟ୍ରୋଲ କିମ୍ବା ଡିଜେଲ କିଣୁଛନ୍ତି ତାହା ପ୍ରୟ ଦୁଇଗୁଣରୁ କମ ଦାମରେ କିଣି ପାରୁଥାନ୍ତେ। ଯେଉଁମାନେ କହୁଛନ୍ତି ଯେ ସରକାର ମାଗଣା ଦେଉଛନ୍ତି ସେମାନେ ଭୁଲିଯାଉଛନ୍ତି ଯେ ମାଗଣା ପାଇବା ପାଇଁ ଲୋକଙ୍କୁ ଟିକସ ଓ ଅନ୍ୟାନ୍ୟ ବାଟରେ ଯଥେଷ୍ଟ ଅଧିକ ମୂଲ୍ୟ ଦେବାକୁ ହେଉଛି।   ସରକାରୀ କଳ ଚାଲିବା ପାଇଁ ଆମେ ହିଁ ଟିକସ ଦେଉଛୁ। ଯଦି ଟିକସ ଦେବାକୁ ପଡୁ ନ ଥାନ୍ତା ତେବେ ଆମ ପାଖରେ କ୍ରୟ କରିବାର କ୍ଷମତା ଆହୁରି ଅଧିକ ଥାଆନ୍ତା। କଥା ଉଠୁଛି ତାହାହେଲେ ଆମେ କ’ଣ ଟିକସ ଦେବା ଉଚିତ ନୁହେଁ? ଆମେ କହୁଛୁ ଆମେ ଆମ ଦେଶ ଚଳିବା ପାଇଁ ଟିକସ ଦେବାକୁ ପଡିବ। କିନ୍ତୁ ସେହିଭଳି ଆମର ଟଙ୍କାର ହିସାବ ମଧ୍ୟ ଆମକୁ ଠିକ ଭାବେ ମିଳିବା ଦରକାର। ଏଥିପାଇଁ ନିୟମିତ ଭାବେ ପଞ୍ଚାୟତ ଏବଂ ନଗର ସରକାର ତରଫରୁ ପଲ୍ଲିସଭା, ଗ୍ରାମସଭା ଏବଂ ଓ୍ବାର୍ଡ ସଭା ଆୟୋଜନ କରି ହିତାଧିକାରୀ ଯାଞ୍ଚ କରିବା ଏବଂ କାର୍ଯ୍ୟ ଉପଯୁକ୍ତ ଭାବେ ହେଉଛି ନ ନାହିଁ ତଦାରଖ କରିବା କଥା। କିନ୍ତୁ ଏଥିପାଇଁ କିଏ କାହାକୁ ବାଧ୍ୟ କରିବ ନାହିଁ। ସରକାରୀ କର୍ମଚାରୀମାନେ ନିଜ ଆଡୁ ସବୁ ହିସାବ ଠିକଭାବେ ଉପସ୍ଥାପନ କରିବେ। ଏଠାରେ ମଧ୍ୟ ଠିକ ଏହିଭଳି ବହୁତ ଲୋକ ଯେଉଁମାନେ ପ୍ରକୃତରେ ହିତାଧିକାରୀ ହେବାକୁ ଯୋଗ୍ୟ ନୁହନ୍ତି ସେମାନେ ଗଳା ବାଟ ଦେଇ ସରକାରୀ ଅର୍ଥକୁ ବାଟମାରଣ କରିଥାନ୍ତି। ତେଣୁ ନିଜର ଭୁଲକୁ ଲୁଚାଇବା ପାଇଁ ସେମାନେ ରୀତିମତ ଉଦ୍ୟମ କରିଥାନ୍ତି। ଏହାକୁ ମଧ୍ୟ ତଦାରଖ କରାଯାଇ ପାରେ।   ଲୋକମାନଙ୍କ ଟିକସରେ ଦେଶ ଚାଲିଛି। ତେଣୁ ସେମାନଙ୍କ ପାଇଁ ସେବା ଯୋଗାଇବା ନାଁରେ ହଡପ କଲେ ଲୋକେ ଭବିଷ୍ୟତରେ ଆଉ ଟିକସ ଦେବେ ନାହିଁ ବୋଲି କହିପାରନ୍ତି। ଫଳରେ ସରକାରୀ କଳ ଚଳାଇବା ସମ୍ଭବ ହେବ ନାହିଁ। ସରକାରୀ ତହବିଲରେ ଅର୍ଥ ନଥିଲେ ସାଧାରଣ ଲୋକଙ୍କ ସୁରକ୍ଷା ନାମରେ ଥିବା କର୍ମଚାରୀଙ୍କୁ ଦରମା ଓ ଭତ୍ତା ନମିଳିପାରେ। ଆଜି ଯେପରି ସରକାରୀ ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି କି ଡାକ୍ତରଖାନାରେ ଡାକ୍ତର ନାହାନ୍ତି ସେହିଭଳି ହୁଏତ ଅନେକ ନିଯୁକ୍ତି ମଧ୍ୟ କମିଯାଇପାରେ। ସାଧାରଣ ଲୋକଟି ତାହାର ମୋଟ ଆୟର ପ୍ରାୟ ୮୦ ପ୍ରତିଶତ ଖର୍ଚ୍ଚ କରିଦିଏ। ଏହି ଖର୍ଚ୍ଚ ଜରିଆରେ ତା’ଠାରୁ ବିପୁଳ ପରିମାଣର ଟିକସ ଆଦାୟ ହୋଇଥାଏ। ସରକାର ଟିକସ ନେଉ ନଥିଲେ ତାହା ଲୋକଙ୍କର ସଂଚୟ ହୋଇଥାନ୍ତା। ସେହି ସଂଚୟ ତା’ର କ୍ରୟଶକ୍ତି ବୃଦ୍ଧି କରିଥାନ୍ତା। ସଂଚୟ ମାଧ୍ୟମରେ ତା’ର ଧନସଂପତ୍ତି ମଧ୍ୟ ବୃଦ୍ଧି ହୋଇଥାନ୍ତା। ସେଥିପାଇଁ ସରକାରଙ୍କ ମାଗଣା ଯୋଜନାକୁ ଅପେକ୍ଷା କରି ହୀନିମାନିଆ ହେବାକୁ ପଡ଼ନ୍ତା ନାହିଁ।

Share :