ଆୟୁ କମାଉଛି ପ୍ରଦୂଷଣ

ଆୟୁ କମାଉଛି ପ୍ରଦୂଷଣ

Share :

  ବାୟୁ ପ୍ରଦୂଷଣ ଯୋଗୁଁ ଭାରତୀୟଙ୍କ ଆୟୁସ କମିବାରେ ଲାଗିଛି। ପ୍ରଦୂଷିତ ବାୟୁ ନିଃଶ୍ୱାସରେ ନେବା ଫଳରେ ଲୋକମାନଙ୍କର ଆୟୁସ ଅତିକମରେ ୩.୪ ବର୍ଷ କମି ଯାଉଛି ବୋଲି ପୁନାସ୍ଥିତ ଇଣ୍ଡିଆନ ଇନ‌ଷ୍ଟିଚ୍ୟୁଟ‌ ଅଫ ଟ୍ରପିକାଲ ମେଟେରୋଲୋଜି ବା ଆଇଆଇଟିଏମର ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ ରହିଛି। ରିପୋର୍ଟଟି ଏଇ ନିକଟରେ ସାର୍ବଜନୀନ ହୋଇଛି।   ରିପୋର୍ଟ ଅନୁସାରେ ବାୟୁ ପ୍ରଦୂଷଣ ଯୋଗୁଁ ଆୟୁସ କମିବାରେ ଦିଲ୍ଲୀବାସୀ ଭାରତବର୍ଷର ଅନ୍ୟ ସମସ୍ତ ରାଜ୍ୟ ତୁଳନାରେ ସର୍ବାଗ୍ରେ ଅଛନ୍ତି। ଏହି ସହରର ଲୋକମାନେ ବାୟୁ ପ୍ରଦୂଷଣ ଯୋଗୁଁ ହାରାହାରି ୬.୩ ବର୍ଷ ଆୟୁସ ହରାଉଛନ୍ତି। ଏହି ରିପୋର୍ଟ ଅନୁସାରେ ପ୍ରତି ବର୍ଷ ଭାରତର ୫.୭ ଲକ୍ଷ ଲୋକ ବାୟୁ ପ୍ରଦୂଷଣ ଯୋଗୁଁ ପ୍ରାଣ ହରାଉଛନ୍ତି। ପ୍ରଦୂଷିତ ବାୟୁରେ ଥିବା ପିଏମ୨.୫ ନିଃଶ୍ୱାସରେ ନେଇ ଏହି ଲୋକମାନେ ମୃତ୍ୟୁବରଣ କରୁଛନ୍ତି। ସେହିପରି ଭୂପୃଷ୍ଠ ବାୟୁରେ ଓଜୋନ ମାତ୍ରା ବୃଦ୍ଧି କାରଣରୁ ଶ୍ୱାସପ୍ରଶ୍ୱାସ ଜନିତ ରୋଗରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ମଧ୍ୟରୁ ୩୧ ହଜାରଙ୍କର ପ୍ରତି ବର୍ଷ ମୃତ୍ୟୁ ହେଉଛି।   ଏହି ରିପୋର୍ଟରେ ଏଭଳି ଦୁର୍ଦ୍ଦଶା ଆଗକୁ ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା ପ୍ରକାଶ କରାଯାଇଛି। ଭବିଷ୍ୟତରେ ବାୟୁରେ ପିଏମ୨.୫ ଅନୁପାତ ଆହୁରି ଅଧିକ ହେବାର ସମ୍ଭାବନା ଥିବାରୁ ଏହି କାରଣରୁ ଅଧିକ ଲୋକଙ୍କର ଶ୍ୱାସପ୍ରଶ୍ୱାସ ଜନିତ ରୋଗରେ ମୃତ୍ୟୁ ହେବାର ଆଶଙ୍କା ରହିଛି। ଆଇଆଇଟିଏମର ପ୍ରମୁଖ ଅନୁଧ୍ୟାନକାରୀ ସଚିନ ଘୁଡେ଼ କହିଛନ୍ତି ଯେ ଶିଳ୍ପ, ସହର ଓ ଟ୍ରାଫିକ ଯୋଗୁଁ ବାୟୁ ପ୍ରଦୂଷଣ ଅଧିକ ଉତ୍କଟ ହେବାରେ ଲାଗିଛି। ତେଣୁ ଆଗକୁ ଅଧିକ ଲୋକ ଏହି କାରଣରୁ ମୃତ୍ୟୁବରଣ କରିବାର ଆଶଙ୍କା ରହିଛି। ଘୁଡେ଼ କହିଛନ୍ତି ଯେ ଶିଳ୍ପ, ସହର ଓ ଟ୍ରାଫିକ ନିର୍ଗମନ ସହିତ ଜୀବାଶ୍ମ ଇନ୍ଧନର ବ୍ୟବହାର ଯୋଗୁଁ ବାୟୁ ମଣ୍ଡଳରେ ପିଏମ୨.୫ ଏବଂ ଓଜୋନ ଅନୁପାତ ବୃଦ୍ଧି ପାଇବାରେ ଲାଗିଛି।   ନିକଟରେ ପ୍ରକାଶ ପାଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥାର ଏକ ରିପୋର୍ଟ ଅନୁସାରେ ଦିଲ୍ଲୀ ହେଉଛି ପୃଥିବୀର ଏକାଦଶ ସର୍ବାଧିକ ପ୍ରଦୂଷିତ ସହର। ବିଶ୍ୱର ୧୦୦ ଦେଶର ୩୦୦୦ ସହରର ବାୟୁରେ ଥିବା ପିଏମ୨.୫ ଅନୁପାତ ତର୍ଜମା କରି ଦିଲ୍ଲୀକୁ ଏହି ମାନ୍ୟତା ଦିଆଯାଇଛି। ରିପୋର୍ଟ ଅନୁସାରେ ବାୟୁ ପ୍ରଦୂଷଣ କାରଣରୁ ପଶ୍ଚିମ ବଙ୍ଗ ଓ ବିହାରର ମୃତ୍ୟୁହାର ଯଥାକ୍ରମେ ୬.୧ ଓ ୫.୭ ପ୍ରତିଶତ ବୃଦ୍ଧି ପାଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଏକ ରିପୋର୍ଟ ଅନୁସାରେ ଭାରତର ମୋଟ ୧୪୧ଟି ସହରରୁ ୭୮ ପ୍ରତିଶତ ସହରର ବାୟୁମଣ୍ଡଳରେ ପିଏମ୨.୫ ଅନୁପାତ ଅନୁମୋଦିତ ହାରକୁ ଟପି ଗଲାଣି। ଦେଶର ୯୦ଟି ସହରର ବାୟୁମଣ୍ଡଳରେ ପିଏମ୨.୫ ହାର ସଂକଟଜନକ ଥିଲାବେଳେ ୨୬ ସହରରେ ଏଇ ସ୍ଥିତି ଅତି ସଂକଟଜନକ ସ୍ଥିତିରେ ପହଂଚି ଯାଇଛି।   ରିପୋର୍ଟ ଅନୁସାରେ ଉତ୍ତର ପ୍ରଦେଶରେ ୧୫ ପ୍ରତିଶତ ମୃତ୍ୟୁର କାରଣ ପିଏମ୨.୫ ହୋଇଥିବାବେଳେ ମହାରାଷ୍ଟ୍ରର ୧୦ ପ୍ରତିଶତ, ପଶ୍ଚିମ ବଙ୍ଗରେ ୯ ପ୍ରତିଶତ ଓ ବିହାରରେ ୮ ପ୍ରତିଶତ ମୃତ୍ୟୁ ଏହି କାରଣରୁ ହୋଇଥାଏ। ସେହିପରି ବାୟୁମଣ୍ଡଳରେ ମାତ୍ରାଧିକ ଓଜୋନ‌ ଯୋଗୁଁ ଉତ୍ପନ୍ନ ଶ୍ୱାସପ୍ରଶ୍ୱାସ ଜନିତ ରୋଗ ଉତ୍ତର ପ୍ରଦେଶର ୧୮ ପ୍ରତିଶତ ମୃତ୍ୟୁର କାରଣ ହୋଇଥିବାବେଳେ ବିହାରର ୧୧ ପ୍ରତିଶତ, ପଶ୍ଚିମ ବଙ୍ଗର ୯.୫ ପ୍ରତିଶତ ଏବଂ ମହାରାଷ୍ଟ୍ର ଓ ଆନ୍ଧ୍ର ପ୍ରଦେଶର ୭ ପ୍ରତିଶତ ମୃତ୍ୟୁର କାରଣ ହୋଇଛି।   ଜିଓଫିଜିକାଲ ରିସର୍ଚ୍ଚ ଲେଟର ନାମକ ଏକ ପତ୍ରିକାରେ ପ୍ରକାଶ ପାଇଥିବା ଏହି ରିପୋର୍ଟର ପ୍ରସ୍ତୁତିରେ ଆଇଆଇଟିଏମ ସହିତ ଆମେରିକାର କଲରାଡୋ ସହରରେ ଥିବା ନ୍ୟାସନାଲ ସେଣ୍ଟର ଅଫ ଆଟମୋଲ୍ଫେରିକ ରିସର୍ଚ୍ଚ ମଧ୍ୟ ସହଯୋଗ କରିଛି।

Share :