କେତେଦିନ ଚାଲିବ ଏ ପାଲା?

କେତେଦିନ ଚାଲିବ ଏ ପାଲା?

Share :

ଗୋଲଖ ଚନ୍ଦ୍ର ଦାସ   ସାଧ୍ୱୀ ପ୍ରଜ୍ଞା ଜେଲରୁ ମୁକ୍ତି ହେବା ପାଇଁ ବାଟ ପରିଷ୍କାର ହୋଇଯାଇଛି। ୨୦୦୮ ସେପ୍ଟେମ୍ୱର ୨୯ ତାରିଖରେ ମହାରାଷ୍ଟ୍ର ନାସିକ ଜିଲା ମାଲେଗାଓଁ ସହରରେ ଦୁଇଟି ବିସ୍ଫୋରଣ ଘଟିଥିଲା। ମହାରାଷ୍ଟ୍ର ଆତଙ୍କବାଦ ନିରୋଧ ସ୍କ୍ୱାଡ (ଏଟିଏସ) ପ୍ରଥମେ ଏହାର ତଦନ୍ତ କରିଥିଲା। ପରେ ଏହାର ତଦନ୍ତ ଭାର ଏନଆଇଏ ନେଇଥିଲା। ଏନଆଇଏ ତଦନ୍ତ ଭାର ନେବା ପୂର୍ବରୁ ଏଟିଏସ ସାଧ୍ୱୀ ପ୍ରଜ୍ଞାଙ୍କ ସମେତ ୧୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଗତମାସରେ ଏନଆଇ କହିଥିଲା ସାଧ୍ୱୀ ପ୍ରଜ୍ଞାଙ୍କ ବିସ୍ଫୋରଣ ମାମଲାରେ ସମ୍ପୃକ୍ତି ନେଇ ସେପରି କୌଣସି ବଳିଷ୍ଠ ପ୍ରମାଣ ନାହିଁ। ଜାତୀୟ ତଦନ୍ତକାରୀ ଏଜେନ୍ସି ମେ ୧୩ ତାରିଖ ଦିନ ଅଭିଯୋଗ ଫର୍ଦ ଦାଖଲ କରି ଅଭିଯୋଗ ଫର୍ଦରେ ଅଭିଯୁକ୍ତ ତାଲିକାରୁ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କ ନାମ ବାଦ ଦେବା ସହିତ ଲୋକେଶ ଶର୍ମା, ଶିବ ନାରାୟଣ କାଲସାଙ୍ଗ୍ରା, ଶ୍ୟାମ ଭାବରାଲ ସାହୁ ଓ ପ୍ରବୀଣ ଟାକାଲକିଙ୍କୁ ମଧ୍ୟ କ୍ଲିନ ଚିଟ ଦେଇଛି। ଏଥି ସହିତ ମକୋକା ଆଇନ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ହୋଇଥିିବା ବିଭିନ୍ନ ଆରୋପକୁ ମଧ୍ୟ ବାଦ ଦେଇଛି। ଅନ୍ୟତମ ଅଭିଯୁକ୍ତ ଲେପ୍ଟନାଂଟ କଣ୍ଣେର୍ଲ ପ୍ରସାଦ ଶ୍ରୀକାନ୍ତ ପୁରୋହିତଙ୍କ ବିରୋଧରେ ମଧ୍ୟ ମନଗଢା କାହାଣି ଗଢା ଯାଇ ତାଙ୍କ ନାମରେ ମିଥ୍ୟା ଅଭିଯୋଗ କରାଯାଇଛି ଏବଂ ସାକ୍ଷିମାନଙ୍କୁ ଧମକାଇ ଜୋରଜବରଦସ୍ତ ସାକ୍ଷି ନେଇଛି ଏଟିଏଏସ ବୋଲି ଏନଆଇଏ କହିଛି। ଏନଆଇଏର ଜଣେ ଅଧିକାରୀଙ୍କ କହିଛନ୍ତି ଯେ ଆମ ପାଖରେ ପ୍ରମାଣ ଅଛି ଯେ ପୁରୋହିତଙ୍କ ଘରେ ଆରଡିଏକ୍ସ ଏଟିଏସ ଦ୍ୱାରା ରଖାଯାଇଥିଲା।   କିଛି ଦୋଷ ନଥାଇ ଦଣ୍ଡ ମିଳିଲା। ସାଧ୍ୱୀ ପ୍ରଜ୍ଞାଙ୍କୁ ଦୀର୍ଘ ୮ ବର୍ଷ ଧରି ଜେଲ ମଧ୍ୟରେ ଅନେକ ନିର୍ଯ୍ୟାତନା ସହିବାକୁ ପଡିଲା। ଏହି ସମୟ ମଧ୍ୟରେ ସାଧ୍ୱୀ ପ୍ରଜ୍ଞାଙ୍କର ଯେଉଁ କ୍ଷତି ହେଲା ତାହାକୁ ପୂର୍ଣ୍ଣ କରିବ କିଏ ? ହିନ୍ଦୁ ଆତଙ୍କବାଦ ନାମରେ ଟେଙ୍ଗୁରା ପିଟୁଥିବା ତଥା କଥିତ ଧର୍ମନିରପେକ୍ଷବାଦୀ ଏହା ଉପରେ କି ବନ୍ତବ୍ୟ ଦେବେ ? ସାଧ୍ୱୀ ପ୍ରଜ୍ଞାଙ୍କର ଓକିଲ ଶ୍ରୀ ସଞ୍ଜିବ ପୁନାଠାକେର କହିଛନ୍ତି ଯେ ଏହା ଏକ ରାଜନୈତିକ ଖେଳ। ଏହି ଖେଳରେ ମୁସଲମାନ କି ଖ୍ରୀଷ୍ଟିଆନ କେହି ବଳି ପଡିବେନି ବଳି ପଡୁଛନ୍ତି ନିରୀହ, ନିର୍ଦ୍ଦୋଷ ହିନ୍ଦୁ। ଏହି ଘଟଣାରେ ରଘୁବଂଶୀ ଏବଂ କେରକରଙ୍କୁ କାଠ କଣ୍ଡେଇ ପରି ବ୍ୟବହାର କରାଯାଇଛି। ତତ୍କାଳୀନ କଂଗ୍ରେସ ସରକାରଙ୍କ ଗୃହମନ୍ତ୍ରୀ ଏସଆର ପାଟିଲ ଏବଂ କିଛି ପୋଲିସ ଅଧିକାରୀଙ୍କ ଥିଲା ଏହା ଏକ ହୀନ ଚକ୍ରାନ୍ତ ବା ଷଡଯନ୍ତ୍ର।   ଏହି ଘଟଣାରୁ ପ୍ରମାଣ ମିଳୁଛି ଯେ ଦୀର୍ଘ ସମୟ ଧରି ଭାରତରେ କ୍ଷମତାଧାରୀ ରାଜନୈତିକ ଦଳ ନିଜ ବିରୋଧୀଙ୍କୁ ଉଚିତ ଶିକ୍ଷା ଦେବା ସହିତ ଠେକେ ପାଣି ପିଆଇବା ପାଇଁ ସାମ, ଦାମ, ଦଣ୍ଡ, ଭେଦ ସବୁର ଉପଯୋଗ କରୁଛନ୍ତି। ଆଇନ କାନୁନକୁ ନିଜ ହିସାବରେ ପ୍ରୟୋଗ କରୁଛନ୍ତି। ସରକାରଙ୍କ ହାତ ବାରିସୀ ସାଜିଥିବା ଅଧିକାରୀ ମାନେ ମଧ୍ୟ ନିଜର ନୀତି ଓ ନୈତିକତା ଭୁଲି ଯାଇ ସେମାନଙ୍କୁ ଖୁସି କରିବାକୁ ଲାଗି ପଡୁଛନ୍ତି।   ଯେଉଁପରି ଭାବରେ ସାଧ୍ୱୀ ପ୍ରଜ୍ଞାଙ୍କୁ ଗିରଫ କରାଗଲା ଏବଂ ତାଙ୍କ ଉପରେ ଯେଉଁପରି ଅମାନୁଷିକ ଅତ୍ୟାଚାର କରାଗଲା ତାହା ନିନ୍ଦନୀୟ। ବିଗତ ଆଠ ବର୍ଷ ମଧ୍ୟରେ ସାଧ୍ୱୀ ପ୍ରଜ୍ଞାଙ୍କ ବିରୋଧରେ ଯାଞ୍ଚ ଏଜେନ୍ସିକୁ ଏପରି ପ୍ରମାଣ ମିଳିଲା ନାହିଁ ଯେ ଯାହା ଅପରାଧ ଶ୍ରେଣୀରେ ଆସି ପାରିବ। ଏହାପରେ ମଧ୍ୟ ଶୁଣିବାକୁ ମିଳୁଛି ଯେ ସାଧୁ ପ୍ରଜ୍ଞାଙ୍କ ଉପରେ ଅମାନୁଷିକ ଅତ୍ୟାଚାର କରିବା ସହିତ ତାଙ୍କୁ ନଗ୍ନ ଚଳଚିତ୍ର ଦେଖାଯାଇଛି। ଜବରଦସ୍ତ ମାଂସ ଖୁଆଇବା ପାଇଁ ପ୍ରୟାସ କରାଯାଇଛି। ଏପରି ଅମାନବୀୟ କାର୍ଯ୍ୟ କରାଯାଇଥିଲେ ମଧ୍ୟ କୌଣସି ମାନବତାବାଦୀଙ୍କୁ ଏ ବିଷୟ ଦେଖାଯାଇ ନଥିଲା। କେହିବି ଆହା ବୋଲି ପଦେ କହିନଥିଲେ। ଦେଶରେ ଦଣ୍ଡ ଭୋଗୁଥିବା ଆତଙ୍କବାଦୀଙ୍କର ସେବା ଶ୍ରୁଶୁଷାରେ ଯଦି କେଉଠି କିଛି କମ ରହିଯାଉଛି ସେତେବେଳେ ମାନବତାବାଦୀ ସଂଗଠନମାନେ ଯୋରସୋର ଚିତ୍କାରକରି ପ୍ରତିବାଦ କରୁଛନ୍ତି। ହେଲେ ଏତେ ବେଳକୁ କେଉଠି ଥିଲେ?   ମାଲେଗାଓଁ ବିସ୍ଫୋରଣ ଘଟଣାରେ କିଛି ମୁସଲମାନମାନଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ସେମାନଙ୍କୁ ବର୍ଷକ ପରେ ମୁକ୍ତ କରାଯାଇଥିଲା। ଏହାର ସ୍କ୍ରିପ୍ଟ କଂଗ୍ରେସ ଲେଖିଥିଲା ବେଳେ ଏହାର ଶବ୍ଦ ସଂଯୋଜନା କରିଥିଲେ ହେମନ୍ତ କେରକରଙ୍କ ଭଳି ଅନେକ ସରକାରୀ ଅଧିକାରୀ। ଏଥିରେ ଖଳନାୟକ ଭୂମିକାରେ ସାଧୁ ପ୍ରଜ୍ଞାଙ୍କୁ ସ୍ଥାନୀତ କରିଥିଲେ। ସାଧୁ ପ୍ରଜ୍ଞା ଗୋଟିଏ ପରେ ଗୋଟିଏ କେସରେ ନିର୍ଦ୍ଦୋଷ ପ୍ରମାଣିତ ହେଉଥିବା ବେଳେ ତାଙ୍କ ନାମରେ ଆଉ ଏକ ଦଫା ଲଗା ଯାଉଥିଲେ। ଶେଷରେ ସୁନୀଲ ଯୋଶୀ ହତ୍ୟାକାଣ୍ଡରେ ସାଧୁ ପ୍ରଜ୍ଞାଙ୍କୁ ନାମ ଯୋଡି ଦିଆଗଲା।   ମାଲେଗାଓଁ ଘଟଣାରେ ପ୍ରଶାସନ ତନ୍ତ୍ର ଉପରେ ବହୁତ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆମ ପାଖରେ ସବୁ ପ୍ରକାର ବ୍ୟବସ୍ଥା ଥିଲେ ମଧ୍ୟ ଆମେ କାହିଁକି ଘଟଣାର ମୁଖ୍ୟ ଅପରାଧୀଙ୍କ ନିକଟରେ ପହଁଞ୍ଚି ପାରୁନାହୁଁ। କୁହାଯାଇଛି ଆଇନ ସମସ୍ତଙ୍କ ପାଇଁ ସମାନ। ହେଲେ ସାଧ୍ବୀ ପ୍ରଜ୍ଞାଙ୍କ ପ୍ରତି ଯାହା ହେଲା ତାହା ଠିକ ହେଲା କି ? ଯେଉଁମାନେ କାନୁନକୁ ଖେଳନା କରି ଖେଳିଲେ ସେମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କି ? ଯଦି ସେମାନଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ ଏହା ଭୟଙ୍କର ରୂପ ନେବ। ଯେଉଁମାନେ ସାଧ୍ବୀ ପ୍ରଜ୍ଞାଙ୍କୁ ଏହି କେସରେ ଫସାଇଲେ ସେମାନଙ୍କୁ ଉଚିତ ଶାସ୍ତି ମିଳିବା ଦରକାର। ଯଦି ଏପରି ହେବ ତେବେ ଭବିଷ୍ୟତରେ କେହି ଆଇନ ସହିତ ଖେଳ ଖେଳିବା ପାଇଁ ସାହସ କରିବେ ନାହିଁ।ା ମାଧବ ଭବନ, ଘିଗିଡିଆ, ବାରୁଅ, କେନ୍ଦ୍ରାପଡା। ମୋବାଇଲ-୯୮୬୧୦୨୮୫୫୩

Share :