ଚିଟ୍ ଫଣ୍ଡ ଟଙ୍କା ଖାଇଛି କିଏ ?
 

ଚିଟ୍ ଫଣ୍ଡ ଟଙ୍କା ଖାଇଛି କିଏ ?  

Share :

ଦେବେନ୍ଦ୍ର ପୃଷ୍ଟି   ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ | ଗଣତନ୍ତ୍ରର ଅନ୍ୟ ତିନି ସ୍ତମ୍ଭ ଯଦି ଗଣବିମୁଖ ହୁଏ, ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଲିପ୍ତ ରହି ଜନସ୍ବାର୍ଥର ସୁରକ୍ଷା କରିବା ପରିବର୍ତ୍ତେ ଏହାକୁ ଧ୍ବଂସ କରେ, ତେବେ ଗଣମାଧ୍ୟମ ଗଣଚେତନାର ବାର୍ତ୍ତବହ ଭାବେ କର୍ଯ୍ୟ କରେ | ଗଣମାଧ୍ୟମ ଗଣତନ୍ତ୍ରର ଅନ୍ୟ ତିନି ସ୍ତମ୍ଭର ଦୋଷଦୁର୍ବଳତାକୁ ପଦାରେ ପକାଇ ସେ ସଂକ୍ରାନ୍ତରେ ଲୋକମାନଙ୍କୁ ଜାଗତିଆର କଲେ ଗଣତନ୍ତ୍ର ଶକ୍ତିଶାଳୀ ଓ ସୁଦୃଢ଼ ହୋଇଥାଏ | ସ୍ବଚ୍ଛ ଓ ନିରପେକ୍ଷ ଗଣମାଧ୍ୟମ ଚାପରେ ସରକାର ମଧ୍ୟ ସ୍ବଚ୍ଛ ଓ ନିରପେକ୍ଷ ହେବାକୁ ବାଧ୍ୟ ହୋଇଥାଏ | କିନ୍ତୁ ଗଣମାଧ୍ୟମ ଯଦି ନିଜର ଏହି ନିଦ୍ଦିର୍ଷ୍ଟ ଓ ଉଦ୍ଦିଷ୍ଟ ଚରିତ୍ର ହରାଏ ତେବେ ଗଣତନ୍ତ୍ର ଉଜୁଡ଼ି ଯାଏ, ଶାସନ ବ୍ୟବସ୍ଥା ଦୁର୍ବଳ ହୋଇଯାଏ, ବିଧି ବ୍ୟବସ୍ଥା ଅଚଳ ହୋଇଯାଏ ଏବଂ ଏସବୁ କାରଣରୁ ଜନଗଣ ଦୁର୍ନୀତି ଓ ଭ୍ରଷ୍ଟାଚାରର ଶିକାର ହୁଅନ୍ତି | ସଂପ୍ରତି ଚିଟ୍ ଫଣ୍ଡ ଦୁର୍ନୀତିର ସିବିଆଇ ତଦନ୍ତ ଚାଲିଥିବାବେଳେ ଗଣମାଧ୍ୟମର ଯେଉଁ ଚରିତ୍ର ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ସେଥିରୁ ଭାରତୀୟ ଗଣତନ୍ତ୍ରର ଏହି ଦୁର୍ଦ୍ଦଶା ଓ ଦୁରବସ୍ଥା କଥା ଚିନ୍ତା କରାଯାଇ ପାରେ | ପଶ୍ଚିମ ବଙ୍ଗର ଶରଧା ଚିଟ୍ ଫଣ୍ଡ ସଂସ୍ଥା ହେଉ ବା ଓଡ଼ିଶାର ଅର୍ଥତତ୍ତ୍ବ ବା ସିଶୋର୍-ଏସବୁ ସଂସ୍ଥା ସହିତ କେବଳ କେତେକ ନେତା, ଅଫିସର, ଅଭିନେତା ଓ ବିଲ୍ଡର ସଂପୃକ୍ତ ନଥିଲେ, ଗଣମାଧ୍ୟମର ଅନେକ ବ୍ୟକ୍ତିତ୍ବ ମଧ୍ୟ ଏପରି ଅନେକ ସଂସ୍ଥା ସହିତ ନିବିଡ଼ ଭାବେ ଜଡ଼ିତ ଥିବା ନେଇ ସିବିଆଇ ପ୍ରମାଣ ବାହାର କରିଛି | ଆଇନ ଅନୁସାରେ ଚିଟ୍ ଫଣ୍ଡ କାରବାର ପ୍ରାୟ ଛଅ ଦଶନ୍ଧି ତଳୁ ନିଷିଦ୍ଧ ହୋଇଥିଲେ ହେଁ ଶାସନ, ପ୍ରଶାସନ ଓ ଗଣମାଧ୍ୟମର ଷଡ଼ଯନ୍ତ୍ରମୂଳକ ନିଷ୍କ୍ରିୟତା, ଅପରାଧମୂଳକ ଅବହେଳା ଏବଂ ସ୍ବାର୍ଥପର ଉଦାସୀନତାରୁ ସାର ଓ ପାଣି ପାଇ ଏହି କାରବାର ଜରିଆରେ ଓଡ଼ିଶା ପରି ଏକ ଦରିଦ୍ର ରାଜ୍ୟର ଦରିଦ୍ର ଜନ ସାଧାରଣଙ୍କଠାରୁ ପ୍ରାୟ 20 ହଜାର କୋଟି ଟଙ୍କା ଲୁଣ୍ଠନ କରି ନିଆଯାଇଛି | ଅଧିକ ଲାଭର ଲୋଭରେ ଲୋକମାନଙ୍କୁ ଫସେଇ ସର୍ବସ୍ବାନ୍ତ କରାଯାଇଛି | ଏଥିରେ ନେତା ଓ ପ୍ରଶାସକଙ୍କ ସହିତ ଗଣମାଧ୍ୟମର ଭୂମିକା ପଦାକୁ ଆସିବା ପରେ ଓଡ଼ିଶାରେ ଗଣତନ୍ତ୍ରର ସ୍ଥିତି କିଭଳି ବିପନ୍ନ ଅବସ୍ଥାରେ ପଡ଼ିଯାଇଛି ତାହା ଅନୁମାନ କରି ହେଉଛି | ଆଇନ ଅନୁସାରେର ଚିଟ୍ ଫଣ୍ଡ ସଂସ୍ଥା ସହିତ କୌଣସି ପ୍ରକାର ସଂପର୍କ ହେଉଛି ଅପରାଧ | ସେଭଳି ସଂସ୍ଥାର ରସିଦ୍ ଓ ଅନ୍ୟାନ୍ୟ ଫର୍ମ ଇତ୍ୟାଦି ଛାପିବା ବେଆଇନ | ସେହି ଦୋଷରେ ଏସବୁ ଛପେଇଥିବା ପ୍ରେସ୍ ମାଲିକଙ୍କୁ ଦଣ୍ଡିତ କରାଯାଇ ପାରିବ | ଏଭଳି ସଂସ୍ଥାଗୁଡ଼ିକ ସପକ୍ଷରେ କୌଣସି ପ୍ରକାର ସମ୍ବାଦ ପ୍ରକାଶ ଓ ପ୍ରସାର କରିବା ବେଆଇନ | ଏଥିପାଇଁ ଖବରକାଗଜ ଓ ଟିଭି ଚାନେଲ୍ ମାଲିକମାନଙ୍କୁ ଜେଲରେ ପୂରାଇ ହେବ | ଏଭଳି ସଂସ୍ଥାଙ୍କର ବିଜ୍ଞାପନ ପ୍ରକାଶ ଓ ପ୍ରସାର କରିବା ମଧ୍ୟ ବେଆଇନ | ଗଣମାଧ୍ୟମ ଚିଟ୍ ଫଣ୍ଡ ସଂସ୍ଥାଗୁଡ଼ିକ ସପକ୍ଷରେ ଅନେକ ସମ୍ବାଦ ପ୍ରକାଶିତ ଓ ପ୍ରସାରିତ କରି ସେମାନଙ୍କର ଲୁଣ୍ଠନ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରିଛି | ଚିଟ୍ ଫଣ୍ଡ କାରବାରୀଙ୍କ ସହିତ ନେତା ଓ ଅଭିନେତାମାନେ ଉଠାଇଥିବା ଫଟୋକୁ ରାଜ୍ୟର ଅନେକ ଗଣମାଧ୍ୟମ ପ୍ରକାଶ କରି ସେମାନଙ୍କର ପ୍ରଚାର କରିଛନ୍ତି | ସେମାନଙ୍କର ବିଭିନ୍ନ ବୈଠକ ଓ ସଭାର ବିବରଣୀ ପ୍ରକାଶ କରିବା ସହିତ ସେମାନଙ୍କ ଲାଭଜନକ ବ୍ୟବସାୟର ବିବରଣୀ ଛାପି ଲୋକଙ୍କ ମଧ୍ୟରେ ସେମାନଙ୍କ ପ୍ରତି ଆସ୍ଥା ଓ ବିଶ୍ବାସ ସୃଷ୍ଟି କରାଯାଇଛି | ସିବିଆଇ ଅଧିକାରୀମାନେ ଏହି ଦୁର୍ନୀତିର ତଦନ୍ତ କରି ଏହା ଜାଣିବା ପରେ ରାଜ୍ୟର ଜଣେ ଦୁଇ ଜଣ ଗଣମାଧ୍ୟମ ବ୍ୟକ୍ତିତ୍ବଙ୍କୁ ଜେରା କରିବା ସହିତ ଗିରଫ କରିଛି | ଯେଉଁମାନେ ଗିରଫ ହୋଇଛନ୍ତି ସେମାନେ ବିଜ୍ଞାପନ ଛାପିବା ପାଇଁ ଟଙ୍କା ନେଇଥିବା କହିଥିଲେ କିନ୍ତୁ ପ୍ରମାଣ ଦେଇନଥିଲେ ବୋଲି ସିବିଆଇ ଯୁକ୍ତି କରିଛି | ତେବେ ସିବିଆଇ ଅଧିକାରୀମାନେ କଣ ଏହା ବୁଝିଛନ୍ତି ଯେ ଯେଉଁ ଗଣମାଧ୍ୟମ ଚିଟ୍ ଫଣ୍ଡ ସଂସ୍ଥାଗୁଡ଼ିକର ବିଜ୍ଞାପନ ପ୍ରକାଶିତ ବା ପ୍ରସାରିତ କରିବା ବାବଦକୁ କୋଟିକୋଟି ଟଙ୍କା ନେଇଥିବାର ରସିଦ୍ ଇତ୍ୟାଦି ଦେଖାଇବ ସେସବୁ ସଂସ୍ଥା ଅପରାଧ କରିନାହାନ୍ତି? ତେବେ ସେମାନଙ୍କୁ କାହିଁକି ଜେରା କରାଯାଇ ନାହିଁ ? ସିବିଆଇ ଅଧିକାରୀମାନେ ଯଦି ଏହି ଦୁର୍ନୀତିର ନିରପେକ୍ଷ ତଦନ୍ତ କରିବାକୁ ଚାହାନ୍ତି ତେବେ ଚିଟ୍ ଫଣ୍ଡ କାରବାର ସହିତ ଜଡ଼ିତ ସବୁ ପ୍ରକାର ସଂସ୍ଥା ଉପରେ ଚଢ଼ାଉ ହେବା ଆବଶ୍ୟକ | ଚିଟ୍ ଫଣ୍ଡ ଦୁର୍ନୀତିର ଟଙ୍କା କୁଆଡ଼େ ଗଲା ତାହାର ତଦନ୍ତ କରିବା ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ସୁପ୍ରିମ କୋର୍ଟ | ଯେଉଁ ଟଙ୍କା ବିଜ୍ଞାପନ ବାବଦରେ ଖର୍ଚ୍ଚ ହୋଇଛି ତାହା କେଉଁ ସଂସ୍ଥାକୁ ଯାଇଛି ତାହାର ସତ୍ୟାସତ୍ୟ ଉଦଘାଟନ କରିବା ବି ସିବିଆଇର ଦାୟିତ୍ବ ଓ କର୍ତ୍ତବ୍ୟ | ଗୋଟେ ଦୁଇଟା ସଂସ୍ଥାକୁ ଅଭିଯୁକ୍ତ କରି ଅନ୍ୟ ଉପକୃତ ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ତଦନ୍ତ ପରିସରରୁ ବାଦ ଦିଆଯିବା କଦାଚିତ ନିରପେକ୍ଷ ତଦନ୍ତ ହେବ ନାହିଁ | ସେହିପରି ଚିଟ୍ ଫଣ୍ଡ ସଂସ୍ଥାଗୁଡ଼ିକ ସଂଗ୍ରହ କରିଥିବା ଅର୍ଥର ପ୍ରାୟ 40 ପ୍ରତିଶତ ଏହିସବୁ ସଂସ୍ଥାର ଏଜେଣ୍ଟ ଓ କର୍ମଚାରୀମାନେ ନେଇଥିବା ଜଣାପଡ଼ିଛି | ସେମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବା ସହିତ ଗିରଫ କରି ଜେରା କରାଯିବା ଉଚିତ | କାରଣ ଚିଟ୍ ଫଣ୍ଡ ସଂସ୍ଥା ଗଢ଼ିଥିବା ଲୋକମାନେ ପ୍ରାଥମିକ ପୁଞ୍ଜି ଖଟାଇଥିଲେ ବି ଏହି ଏଜେଣ୍ଟମାନେ ହିଁ ଜନ ସାଧାରଣଙ୍କୁ ମିଛସତ ବୁଝାଇ କୋଟିକୋଟି ଟଙ୍କା ସଂଗ୍ରହ କରିଥିଲେ | ତେଣୁ ଏମାନଙ୍କ ଅପରାଧର ଗୁରୁତ୍ବ ସର୍ବାଧିକ | ଅନେକ ଏଜେଣ୍ଟ ଜମା ଉପରେ 40 ପ୍ରତିଶତ ଅର୍ଥ କମିଶନ ଆକାରରେ ପାଇବା ପରେ ତାହାକୁ ନେଇ ବିଭିନ୍ନ ସଂପତ୍ତି କିଣିଛନ୍ତି ବା ବ୍ୟବସାୟରେ ଲଗାଇଛନ୍ତି | ତେଣୁ ସେମାନଙ୍କଠାରୁ ତାହା ଉଦ୍ଧାର କରାଗଲେ ଜମାକାରୀଙ୍କର 40 ପ୍ରତିଶତ ପ୍ରାପ୍ୟ ଫେରାଇ ହେବ | ସିବିଆଇ ଅଧିକାରୀମାନେ ଏ ଦିଗ ଉପରେ ମଧ୍ୟ ଗଭୀର ଭାବେ ବିଚାର କରିବା ଉଚିତ | କୋର୍ଟ ମଧ୍ୟ ଏ ଦିଗରେ ସିବିଆଇକୁ ସ୍ପଷ୍ଟ ନର୍ଦ୍ଦେଶ ଦେବା ଉଚିତ |

Share :