ଦୁର୍ଗା- ଏକ ମନୋରଂଜନ କାର୍ଯ୍ୟକ୍ରମ !

ଦୁର୍ଗା- ଏକ ମନୋରଂଜନ କାର୍ଯ୍ୟକ୍ରମ !

Share :

ଦେବେନ୍ଦ୍ର ପୃଷ୍ଟି

 

ଏପଟେ ଚାଲିଛି ଦୁର୍ଗାପୂଜା | କୋଟିକୋଟି ଟଙ୍କାର ଆୟୋଜନ | ସୁନା ଓ ଚାନ୍ଦିର ମେଢ଼ | ଆଖି ଝଲ୍ସା ଜରି କାମ | ଆଲୋକ ସଜ୍ଜା | ମେଲୋଡ଼ି ପାର୍ଟି | ମିନା ବଜାର | ମଦ ଓ ମାଂସର ଆସର | ଲୋକ ଭିଡ଼ | ପକେଟ୍ମାର୍ | ଗାଡ଼ିମୋଟର୍ ଘୁଁ ଘୁଁ | ସାଉଣ୍ଡ ସିଷ୍ଟମ କେଁ କାଁ | ବାଣ, ବାଜା, ରୋଷଣୀ | ପ୍ରେମ ଓ ପ୍ରଣୟ | ବିରହ ଓ ବିଚ୍ଛେଦ | ନୂଆ ପୋଷାକ | ନୂଆ ମସ୍ତି | ଏମିତି ଅନେକ ମଉଜ ଭିତରେ ପୂଜା ହୋଇଯାଇଛି ପର୍ବ | ପ୍ରାର୍ଥନା ରୂପ ନେଇଛି ପାର୍ବଣ | ଉପବାସ ହୋଇଛି ଉତ୍ସବ | ତ୍ୟାଗ ହୋଇି ବଳି | ମନ୍ତ୍ର ହୋଇଛି ମେଲୋଡ଼ି | ପବିତ୍ରତାର ସ୍ଥାନ ନେଇଛି ତାମସିକ ମାନସିକତା |

ସେପଟର ଦୃଶ୍ୟ କିନ୍ତୁ ଅତ୍ୟନ୍ତ କରୁଣ | କେଉଁଠି କାନ୍ଦବୋବାଳି | କେଉଁଠି ମୃତ୍ୟୁର ଯନ୍ତ୍ରଣା | କେଉଁଠି ହତାଶାବୋଧ | ପିଲାଙ୍କ ଅଳିଅର୍ଦ୍ଦଳି | ନୈରାଶ୍ୟ | ଅବସାଦ ଓ ଅବସୋସ | ଋଣଯନ୍ତା ଓ ଫସଲହାନୀ | ପୁଲିସର ପ୍ରଶ୍ନ | ମହାଜନର ତାଗିଦ୍ | ରାଜନୀତିକ କୁମ୍ଭୀର କାନ୍ଦଣା |

କଟକରେ 56 କିଲୋ ସୁନା ଓ 63 କୁଇଣ୍ଟାଲ୍ ଚାନ୍ଦିର ଚମକ୍ ଭିତରେ ଦୁର୍ଗାମୂର୍ତ୍ତି ସବୁ ଝଟକି ଉଠୁଥିବାବେଳେ ପିଲାଛୁଆଙ୍କ ଭବିଷ୍ୟତ ଅନ୍ଧାର ଦେଖି ବିଷ ପିଇଛି ଧର୍ମଶାଳାର ଚାଷୀ | ସମଗ୍ର ରାଜ୍ୟରେ ପାର୍ବଣର ମଉଜମଜଲିସ୍ ଚାଲିଥିବା ଭିତରେ ପ୍ରାଣ ହରାଇଛନ୍ତି 9 ଜଣ କୃଷକ | ମାସକ ମଧ୍ୟରେ ପ୍ରାୟ 50 ଚାଷୀ ଆତ୍ମହତ୍ୟା କରିଥିବାର ଅଭିଯୋଗ |

ମା’ର ପୂଜାପାଠ ଭିତରେ ପୁଅର ଅପମୃତ୍ୟୁ !

କିଏ କହିବ କାହା କଥା ?

କୁମ୍ଭୀର ଆଖିରେ ଅନେକ ଲୁହ | ବେଗୁନିଆ ବୋଲଗଡ଼ରେ ଟିଭିରେ ଦେଖାଗଲା ଆଖିରୁ କେମିତି ଲୁହ ନଗଡ଼ି କଣ୍ଠରୁ ବୋହିଯାଏ ଧାରଧାର |

ବିରୋଧୀଙ୍କ ଚାପ ପରେ ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ବୁଝିସାରିଲେଣି ଯେ ଅର୍ଦ୍ଧେକ ଓଡ଼ିଶାରେ ଏବେ ମରୁଡ଼ିର କରାଳ ଛାୟା | ପ୍ରାଥମିକ ସରକାରୀ ରିପୋର୍ଟରେ 16 ଜିଲ୍ଲା ମରୁଡ଼ିଗ୍ରସ୍ତ | ବିରୋଧୀଙ୍କ ଦାବି ମରୁଡ଼ି କବଳରେ ସମଗ୍ର ଓଡ଼ିଶା | ମୁକାବିଲା ଯୋଜନା ଏଯାଏଁ ଅସ୍ପଷ୍ଟ |

ଆମେ ସବୁ କରିବୁର ବାହାସ୍ପୋଟ ମାରୁଥିବା ମନ୍ତ୍ରୀଙ୍କ ପାଇଁ କେନ୍ଦ୍ରରେ ଗୁହାରି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ | କିନ୍ତୁ କେଉଁ ହିସାବ ଆଧାରରେ କେତେ ଦେବ କେନ୍ଦ୍ର ? ସରକାର କ’ଣ କ୍ଷୟକ୍ଷତିର ଆକଳନ କରିଛନ୍ତି ? କେତେ ବ୍ଲକର କେତେ ପଂଚାୟତରେ ପଡ଼ିଛି ମରୁଡ଼ି ?

କୃଷକର କ୍ଷତି ହେଲେ ସରକାରୀ ଲୋକଙ୍କୁ ବାଧିବା ସ୍ବାଭାବିକ ନୁହେଁ | ଚାଷୀ ମରିଗଲେ କ’ଣ ସରକାରର ରାଜସ୍ବ କମେ ନା ନେତାଙ୍କ ଚାନ୍ଦା ?

ବୀମା କମ୍ପାନୀର କ୍ଷତି ହେଲେ କିନ୍ତୁ ଅନେକ ଲୋକଙ୍କୁ ବାଧେ |

ଶସ୍ୟ ବୀମା ଏକ ବ୍ୟବସାୟ | ଭାଗଚାଷୀର ହିସାବ ନାହିଁ | କିନ୍ତୁ ବୀମା ବ୍ୟବସାୟରେ ଭାଗିଦାରୀ | ସେଥିପାଇଁ ମରୁଡ଼ି ତାଲିକାରୁ ବାଦ ପଡ଼ିଥାଇ ପାରେ ଅନେକ ବ୍ଲକ | ବୀମା ଟଙ୍କା ମିଳିଲେ ବି ଚାଷୀର କୋଉ ଲାଭ ? ବୀମା ଟଙ୍କାରେ କ’ଣ ବର୍ଷକ ସାରା ପରିବାର ପୋଷି ହେବ ?

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ | କାଳକାଳ ଧରି 80 ପ୍ରତିଶତ ଓଡ଼ିଆଙ୍କର ମୁଖ୍ୟ ଅର୍ଥନୀତି ହେଉଛି କୃଷି | ଓଡ଼ିଶା ସ୍ବତନ୍ତ୍ର ହେଲାଣି 1936 ମସିହାରୁ | ସ୍ବାଧୀନତା ମିଳିଲାଣି 68 ବର୍ଷ ହେଲା | ହେଲେ ଏଯାଏଁ ସବୁ ଚାଷଜମିକୁ ପାଣି ସୁବିଧା ନାହିଁ | ଯେତିକି ଜମିରୁ ଜଳକର ଆଦାୟ ହେଉଛି ସେତିକି ଜମିକୁ ବି ପାଣି ମାଡ଼ୁନି | କେଉଁଠି କେନାଲ୍ ନାହିଁ | କେଉଁଠି ଉଠା ଜଳସେଚନ ପଏଣ୍ଟ ଚାଲୁନି | କେଉଁଠି ବିଜୁଳି ନଥିବାରୁ ପାଣିପମ୍ପ ଅଚଳ | କେଉଁ ନଦୀରୁ ଖଣି ଓ ଶିଳ୍ପ କମ୍ପାନୀ ପାଣି ଶୋଷି ନେଲା ବୋଲି ଚାଷୀ ଜମିକୁ ନଅଣ୍ଟ | ପ୍ରତି ବ୍ଲକର 35 ପ୍ରତିଶତ ଜମିକୁ ସେଚସୁବିଧା ଦେବାକୁ ଇସ୍ତାହାର କିନ୍ତୁ କୃପଣ ନୁହେଁ | ଗଲା ପାଞ୍ଚଟା ନିର୍ବାଚନରେ ବିଭିନ୍ନ ଦଳ ପକ୍ଷରୁ ଦିଆଯାଉଛି ଏହି ପ୍ରତିଶ୍ରୁତି |

ହେଲେ ବର୍ଷା ନହେଲେ ମରୁଡ଼ି | ଇନ୍ଦ୍ରର ଦୋଷ ନହେଲେ କେନ୍ଦ୍ରର |

୨୦୧୫ ମୌସୁମୀରେ କମ୍ ବର୍ଷା ହେବ ବୋଲି ଅନେକ ଆଗରୁ ଜଣାଥିଲା | ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରାୟ 6 ମାସ ତଳୁ ଏଭଳି ଭବିଷ୍ୟବାଣୀ କରାଯାଇଥିଲା | ଏଲ୍ ନିନୋ ପ୍ରଭାବରେ ଓଡ଼ିଶାରେ ବୃଷ୍ଟିପାତ କମିବ ଓ ମରୁଡ଼ି ଆଶଙ୍କା ରହିଛି ବୋଲି ସବୁ ବିଶେଷଜ୍ଞ କହିଥିଲେ |

ସେତେବେଳେ ବିକଳ୍ପ ଯୋଜନା ହେଲାନି କାହିଁକି ? ଶିଳ୍ପ ଲୁଟୁଥିବା ପାଣି ଅଟକାଇ କେନାଲରେ ଛଡ଼ାଗଲାନି କାହିଁକି ? ପୂଜାପର୍ବରେ ଖର୍ଚ୍ଚ ହେଉଥିବା ବିଜୁଳି ଚାଷୀ ପମ୍ପକୁ ଦିଆଗଲାନି କାହିଁକି ? ପୂଜାର ଠିକ୍ ଆଗରୁ ସରକାରୀ କର୍ମଚାରୀଙ୍କ ପାଇଁ 6 ପ୍ରତିଶତ ମହଙ୍ଗା ଭତ୍ତା ଘୋଷଣା ହୋଇପାରିଲା  ଚାଷୀଙ୍କ ପାଇଁ ବୋନସ୍ କି ସହାୟତାର ପ୍ଯାକେଜ୍ ଘୋଷଣା କରିବାକୁ କିଏ ମନା କରିଥିଲା କି ? ଚାଷୀ କ’ଣ କାହା ତଣ୍ଟିରେ କଣ୍ଟା ?

ମଉଜ ମଜଲିସର ପାର୍ବଣ ଭିତରେ ଢେର ହେଲା ମନୋରଂଜନ କାର୍ଯ୍ୟକ୍ରମ | ନୂଆ ସିନେମା | ନୂଆ ନାଟକ | ନୂଆ ଯାତରା | ନୂଆ ଅପେରା | ରଙ୍ଗ, ରୂପ ଓ ରସର ଆସର | ଖର୍ଚ୍ଚ ହେଲା 500 କୋଟି ଟଙ୍କା | କେତେଟା ମଣ୍ଡପ ବା ଆସରର ବଜେଟ୍ ଥିଲା 50 ଲକ୍ଷରୁ 1 କୋଟି | କିନ୍ତୁ ବିଷ ପିଇଥିବା ଚାଷୀର ଋଣ ଥିଲା 50 ହଜାର |

ଏହା ଥିଲା ଏକ ବିୟୋଗାନ୍ତକ ଦୁର୍ଗାପୂଜା | ଠିକ୍ ବିୟୋଗାନ୍ତକ ନାଟକ ପରି  ମନୋରଂଜନରେ ଭରପୂର ଅପେରା | ଶେଷ ଅଙ୍କର ଶେଷ ଦୃଶ୍ୟରେ ନାୟକ ବା ନାୟିକାଙ୍କ ମୃତ୍ୟୁ | ଏଠି କିନ୍ତୁ ଦୁଇଟି ଯାକ ସମାନ୍ତରାଳ | କିଛି ଲୋକ ସବୁବେଳେ ମନୋରଂଜନରେ ବ୍ୟସ୍ତ | କଥାକଥାରେ ନାଟକୀୟ ସଂଳାପ | କାମରେ ଅବୋଧ୍ୟ କବିତାର ପଙ୍କ୍ତି ! କୃଷକମାନେ ଯେମିତି ମହିଷାସୁର ! ସେମାନେ ବଧ୍ୟ ! ତେଣିକି ଡାଲି କିଲୋ 200 ଟପୁ ତ’ ପିଆଜ କିଲୋ 100 ! ଦୁର୍ଗାପୂଜାର ଭୋଜି ପାଇଁ ଚାନ୍ଦାର ଅଭାବ ନାହିଁ | ଚାଷୀ କ୍ଷେତକୁ ପାଣି ପାଇଁ ସବୁ ଅଭାବ |

Share :