ଫେରିଲେ ହିମାଂଶୁ, ଚିନ୍ତାରେ ପ୍ରଦୀପ

ଫେରିଲେ ହିମାଂଶୁ, ଚିନ୍ତାରେ ପ୍ରଦୀପ

Share :

ସ୍ନେହଲତା ମିଶ୍ର                 କଳାହାଣ୍ଡି ଜିଲ୍ଲା ବିଜେପି ଗୋଷ୍ଠୀ କନ୍ଦଳ ଯୋଗୁଁ ଜିଲ୍ଲା ସଭାପତି ଆଡୁଆ ପରିସ୍ଥିତିରେ ଥିବା ବେଳେ ଏବେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେରଙ୍କ ନିଳମ୍ୱନ ପ୍ରତ୍ୟାହାର ଜିଲ୍ଲା ସଭାପତି ପ୍ରଦୀପ ନାୟକଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଅନ୍ୟପଟେ ଜୁନାଗଡ ବିଧାନସଭା ଆସନ ପାଇଁ ଦାବିଦାର ଥିବା ବିଜେପି ପ୍ରାର୍ଥୀ ଅନୀଲ ସିଂହଦେଓ ଓ ମନୋଜ ମେହେରଙ୍କ ପାଇଁ ମଧ୍ୟ ଅଡୁଆ ପରିସ୍ଥିତ ସୃଷ୍ଟି ହେବା ନେଇ କର୍ମୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।   କଳାହାଣ୍ଡି ଜିଲ୍ଲାର ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେରଙ୍କୁ ଗତ ବିଧାନସଭା ନିର୍ବାଚନ ବେଳେ ଜୁନାଗଡ ବିଧାନସଭା ଆସନରୁ ବିଜେପି ଟିକେଟ ମିଳି ନଥିଲା। ତାଭ୍କ ସ୍ଥାନରେ ନୂତନ ପ୍ରାର୍ଥୀ ଅନୀଲ ସିଂହଦେଓଙ୍କୁ ପ୍ରାର୍ଥୀ କରାଯାଇଥିଲା। ଏନେଇ ରୋଷ ପ୍ରକଟ କରିବାରୁ ରାଜ୍ୟ ବିଜେପି ପକ୍ଷରୁ ହିମାଂଶୁ ମେହେରଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ୱିତ କରିଥିଲେ। ବର୍ତ୍ତମାନର ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ନାୟକ ଓ ହିମାଂଶୁ ମେହେର ଉଭୟ ଜୁନାଗଡ ବ୍ଲକର ଚିଚୈଗୁଡା ପଞ୍ଚାୟତର ଅଧିବାସୀ ଅଟନ୍ତି। କିନ୍ତୁ କ୍ଷମତାର ଲଢେଇରେ ଏବେ ଦୁହେଁ ପରସ୍ପର ପ୍ରତିଦ୍ୱନ୍ଦ୍ବୀ ହୋଇଯାଇଛନ୍ତି।   ଗତ ନିର୍ବାଚନ ବେଳେ ଲୋକସଭା ସାଂସଦ ପ୍ରାର୍ଥୀ ଭାବେ ପ୍ରଦୀପ ନାଏକ ନିର୍ବାଚନ ରଣାଙ୍ଗନରେ ପ୍ରତିଦ୍ବନ୍ଦ୍ବିତା କରିଥିବା ଯୋଗୁଁ ତାଙ୍କ ପରାମର୍ଶ କ୍ରମେ ଏହି ଲୋକସଭା ଆସନ ଅନ୍ତର୍ଗତ ସମସ୍ତ ବିଧାନସଭା ଆସନରେ ପ୍ରାର୍ଥୀ ଚୟନ ହୋଇଥିଲା। ଏହି ପ୍ରକ୍ରିୟାରେ ହିମାଂଶୁ ମେହେର ଦଳୀୟ ଟିକେଟ ପାଇବାରୁ ବଞ୍ଚିତ ହୋଇଥିଲେ। ତାଙ୍କ ସ୍ଥାନରେ ହିମାଂଶୁଙ୍କ ଭାଇ ତଥା ଜୁନାଗଡ ବ୍ଲକର ପୂର୍ବତନ ଅଧ୍ୟକ୍ଷ ମନୋଜ ମେହେର ଦାବିଦାର ଥିଲେ ମଧ୍ୟ ରାଜନୈତିକ ଷଡ଼ଯନ୍ତ୍ର ଯୋଗୁଁ ତାଙ୍କୁ ଅଣଦେଖା କରି ନୂତନ ଭାବେ ଦଳରେ ଯୋଗ ଦେଇଥିବା ଅନୀଲ ସିଂହଦେଓଙ୍କୁ ଶେଷ ମୁହୁର୍ତ୍ତରେ ନାଟକୀୟ ଢଙ୍ଗରେ ବିଜେପି ଟିକଟ ଦିଆଯାଇଥିଲା।   ଫଳରେ ବିଜେଡି ପ୍ରାର୍ଥୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ବିଜେପି ଗୋଷ୍ଠୀ କନ୍ଦଳର ଫାଇଦା ଉଠାଇ ନିର୍ବାର୍ଚନରେ ବାଜିମତ କରିଥିଲେ। ବର୍ତ୍ତମାନ ଜିଲ୍ଲା ସଭାପତି ଭାବେ ପ୍ରଦୀପ ନାୟକ ଆସୀନ ହେବା ପରେ ହିମଂାଶୁଙ୍କ ନିଳମ୍ୱନ ପ୍ରତ୍ୟାହାର ଆଶା ମଉଳି ଯାଇଥିଲା। କିନ୍ତୁ ରାଜ୍ୟ ସଭାପତି ଭାବେ ବସନ୍ତ ପଣ୍ଡା ଦାୟିତ୍ୱ ନେବା ପରେ ଏହି ଆଶା କ୍ରମେ ଉଜ୍ଜୀବୀତ ହୋଇଥିଲା। ବର୍ତ୍ତମାନ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନଜର ଆଗାମୀ ୨୦୧୯ ନିର୍ବାଚନରେର କଳାହାଣ୍ଡି ଲୋକସଭା ଆସନ ଉପରେ ଥିବାରୁ କଳାହାଣ୍ଡି ଜିଲ୍ଲାର ନିଜର ଅନୁଗତଙ୍କୁ ପରୋକ୍ଷରେ ଏକଜୁଟ କରିବା ଆରମ୍ଭ କରିଛନ୍ତି।   ଗତ ଲୋକସଭା ନିର୍ବାଚନ ବେଳେ ବିଜେପି ନୂଆପଡା ଜିଲ୍ଲାରେ ଭଲ ପ୍ରଦର୍ଶନ କରିଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ଏହା ନୈରାଶ୍ୟଜନକ ଥିଲା। ଏହି ନୂଆପଡା ଜିଲ୍ଲାର ଫଳାଫଳକୁ ନେଇ ଏବେ ରାଜ୍ୟ ସଭାପତି ବେଶ ଉତ୍ସାହିତ ଅଛନ୍ତି। ଫଳରେ ପରୋକ୍ଷରେ ବସନ୍ତ ପଣ୍ଡା ଜିଲ୍ଲା ସଭାପତିଙ୍କ ବିରୋଧରେ ଏକରକମ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି। ତେଣୁ ସୁଯୋଗ ଦେଖି ପ୍ରଦୀପଙ୍କ ବିରୋଧରେ ଗୋଟି ଚାଳନା କରି ହିମାଂଶୁଙ୍କ ନିଳମ୍ୱନ ପ୍ରତ୍ୟାହର କରାଯାଇଛି ବୋଲି କର୍ମୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।   ଦୀର୍ଘ ଦିନ ଧରି ହିମାଂଶୁଙ୍କ ପରାମର୍ଶଦାତା ତଥା ଆରଏସଏସର ଆଗଧାଡିର ପ୍ରଚାରକ ବେଦପ୍ରକାଶ ଗୋଏଲଙ୍କ ସହିତ ସମ୍ପର୍କରେ ଫାଟ ଯୋଗୁଁ ବିଜେପିର ମୁଣ୍ଡିଆଳମାନଙ୍କ ଆଶୀର୍ବାଦର ହାତ ଦୂରେଇ ଯାଇଥିଲା। ବର୍ତ୍ତମାନ ବେଦୁଙ୍କୁ ନେଇ ହିମାଂାଶୁ ରାଜଧାନୀର ବିଜେପି ନେତା ଓ ବସନ୍ତ ପଣ୍ଡାଙ୍କୁ ପ୍ରଭାବିତ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ ଓ ଶେଷରେ ନିଲମ୍ୱନ ପ୍ରତ୍ୟାହାର ଉଦ୍ୟମରେ ସଫଳ ହୋଇଥିଲେ।   ନିଲମ୍ୱନ ପ୍ରତ୍ୟାହର ପରେ ହିମାଂଶୁଙ୍କ ସାନ ଭାଇ ମନୋଜ ମେହେରଙ୍କ ବିଧାୟକ ସ୍ୱପ୍ନ ଏବେ ମଉଳିବାରେ ଲାଗିଛି। ହିମାଂଶୁ ନିଲମ୍ୱିତ ଥିବା ବେଳେ ଦଳୀୟ ଟିକେଟ ପାଇଁ ଗତ ନିବାର୍ଚନ ବେଳେ ମନୋଜ ପ୍ରାଣମୂର୍ଚ୍ଛା ଉଦ୍ୟମ କରି ବିଫଳ ହୋଇଥିଲେ। ବର୍ତ୍ତମାନ ତାଙ୍କ ବଡ ଭାଇ ଆସିବା ପରେ ତାଙ୍କ ସ୍ୱପ୍ନରେ ଏବେ ବିରାମ ଲାଗିଛି। ଅନ୍ୟପଟେ ଗତ ନିବାର୍ଚନ ବେଳେ ବିଧାୟକ ପ୍ରାର୍ଥୀ ହୋଇ ଦ୍ୱିତୀୟ ସ୍ଥାନରେ ଥିବା ଅନୀଲ ସିଂହଦେଓ ଶିବିର ପାଇଁ ହିମାଂଶୁଙ୍କ ଆଗମନ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଜୁନାଗଡ ନିର୍ବାଚନ ମଣ୍ଡଳିର ବିଭିନ୍ନ କମିଟିରେ ଅନୀଲ ନିଜ ଲୋକମାନଙ୍କୁ ଦଳୀୟ ସଂଗଠନରେ ଥଇଥାନ କରୁଥିବା ବେଳେ ହିମାଂଶୁଙ୍କ ନିଲମ୍ୱନ ପ୍ରତ୍ୟାହାର ତାଙ୍କ ପାଇଁ ରାଜନୈତିକ ଝଟକା ପାଲଟିଛି।   ଆଶା ଆଶଙ୍କାରେ ଏବେ ଅନୀଲ ସିଂହଦେଓଙ୍କ ପ୍ରାର୍ଥିତ୍ୱ ଥିବା ବେଳେ ହିମାଂଶୁ ମେହେର ଆଗାମୀ ନିର୍ବାଚନ ପାଇଁ ଅଣ୍ଟା ଭିଡିବା ଆରମ୍ଭ କରିଛନ୍ତି। ଫଳରେ ଆଗାମୀ ରାଜନୈତିକ କସରତ ନେଇ କର୍ମୀ ମହଲରେ ଉତ୍ସୁକତା ପ୍ରକାଶ ପାଇଛି। ଆଗାମୀ ନିର୍ବାଚନରେ ଜୁନାଗଡ ବିଧାନସଭା ପାଇଁ କିଏ ହେବ ବିଜେପିର ବିଧାୟକ ପ୍ରାର୍ଥୀ ବୋଲି ବିଭିନ୍ନ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି।

Share :