ରୋଗ ପାଇଁ ପିଲାଙ୍କୁ ପୋତିଲେ ମାଟିରେ!

ରୋଗ ପାଇଁ ପିଲାଙ୍କୁ ପୋତିଲେ ମାଟିରେ!

Share :

  ବର୍ଷବର୍ଷର ବିଶ୍ବାସ ଅନୁସାରେ ଶାରୀରିକ ଅକ୍ଷମତା, ମାନସିକ ବିକୃତି ସ ଦୁରାରୋଗ୍ୟ ବ୍ୟାଧୀରୁ ମୁକ୍ତି ନିମନ୍ତେ ବୈଶାଖ ଶେଷ ଶନିବାର କୋଣାର୍କ ସୂର୍ଯ୍ୟମନ୍ଦିର ସନ୍ନିକଟ ନବଗ୍ରହ ମନ୍ଦିରରେ ହୋମଯଜ୍ଞାଦି ଅନୁଷ୍ଠିତ ହେବା ସହିତ ପିଲାମାନଙ୍କୁ ପୋତାଯାଇଥିଲା। ଏଥିପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଥିଲା।   ବିଶ୍ୱ ଐତିହ୍ୟ କେଣାର୍କ ସୂର୍ଯ୍ୟମନ୍ଦିର ବେଢ଼ା ନିକଟରେ ଥିବା ନବଗ୍ରହ ମନ୍ଦିର ପରିସରରେ ମେ ୧୪ ତାରିଖ ଶନିବାର ଲକ୍ଷାଧିକ ଶ୍ରଦ୍ଧାଳୁ ନବଗ୍ରହଙ୍କୁ ଦର୍ଶନ କରିବା ସହିତ ଗ୍ରହପୀଡ଼ାରୁ ମୁକ୍ତି ପାଇଁ ହୋମଯଜ୍ଞ କରିଥିଲେ। ବୃଷ ସଂକ୍ରନ୍ତି ଏବଂ ବୈଶାଖ ମାସର ଶେଷ ଶନିବାର ହୋଇଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ମାନସିକଧାରୀ ଶ୍ରଦ୍ଧାଳୁମାନେ ନବଗ୍ରହଙ୍କ ପୀଡ଼ାରୁ ମୁକ୍ତି ପାଇଁ ପ୍ରତ୍ୟୁଷରୁ ପରଂପରାନୁଯାୟୀ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀ ଓ ମହୋଦଧିର ସଙ୍ଗମସ୍ଥଳରେ ସ୍ନାନସୌଚ ହୋଇ ସଂକଳ୍ପ କରିବା ସହିତ ସୂର୍ଯ୍ୟୋଦୟ ଦର୍ଶନ କରିଥିଲେ। ପରେ କୋଣାର୍କ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରି  ସୂର୍ଯ୍ୟମନ୍ଦିର ପରିକ୍ରମା କରିବା ସହିତ ନବଗ୍ରହଙ୍କୁ ପୂଜାର୍ଚ୍ଚନା ଓ ଗ୍ରହଶାନ୍ତି ନିମନ୍ତେ ହୋମଯଜ୍ଞ କରିଥିଲେ।   ବିଶେଷ କରି ବୈଶାଖ ମାସର ଶନିବାରଗୁଡ଼ିକରେ ନବଗ୍ରହଙ୍କୁ ଦର୍ଶନ କଲେ ଗ୍ରହପୀଡ଼ାରୁ ମୁକ୍ତି ମିଳିଥାଏ ବୋଲି ଶ୍ରଦ୍ଧାଳୁମାନେ ବିଶ୍ୱାସ କରନ୍ତି। ମାନସିକ ବିକାରଗ୍ରସ୍ତ, ଶାରୀରିକ ଅକ୍ଷମ ଓ ଦୁରାରୋଗ୍ୟ ବ୍ୟାଧିରୁ ମୁକ୍ତି ପାଇଁ ଶ୍ରଦ୍ଧାଳୁମାନେ ବିଶ୍ବାସ ଅନୁଯାୟୀ ନିଜ ପିଲାମାନଙ୍କୁ ନବଗ୍ରହଙ୍କ ପୀଠ ପରିସରରେ ବାଲିରେ ଗାତ ଖୋଳି ପୋତି ଥ‍ଲେ। ନବଗ୍ରହଙ୍କ ପୀଠ ପରିସରରେ ୯ଟି ଶନିବାର ମାନସିକ ବିକାରଗ୍ରସ୍ତ, ଶାରୀରିକ ଅକ୍ଷମ ଓ ଦୁରାରୋଗ୍ୟ ବ୍ୟାଧୀରେ ପୀଡ଼ିତଥିବା ପିଲାମାନଙ୍କୁ ଯଦି ପୋତାଯାଏ  ତେବେ ସେମାନଙ୍କର ଏହି ଦୁରାରୋଗ୍ୟ ରୋଗରୁ ନିଶ୍ଚିତ ମୁକ୍ତି ମିଳିଥାଏ ବୋଲି ସ୍ଥାନୀୟ ଅଂଚଳରେ ବିଶ୍ୱାସ ରହିଛି।   ନବଗ୍ରହଙ୍କୁ ଦର୍ଶନ ନିମନ୍ତେ ସଂକୁଚିତ ଗର୍ଭଗୃହ ଭିତରକୁ ଆବଶ୍ୟକତାଠାରୁ ଯଥେଷ୍ଟ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁ ଏକକାଳୀନ ପ୍ରବେଶ ଶ୍ରଦ୍ଧାଳୁମାନଙ୍କୁ ବ୍ୟଥିତ କରିଥିଲା। ପ୍ରଖର ରୌଦ୍ର ତାପ ହେଉଥିଲେ ମଧ୍ୟ ଶ୍ରଦ୍ଧାଳୁମାନେ ଶାନ୍ତି ଶୃଙ୍ଖଳାର ସହିତ ନବଗ୍ରହଙ୍କୁ ଧାଡିଦର୍ଶନ କରିଥିଲେ। କୋଣାର୍କ ସୁରକ୍ଷା ସମିତି ଓ ବିଭିନ୍ନ ସଂଗଠନଙ୍କ ପକ୍ଷରୁ ଜଳଛତ୍ର ଖୋଲାଯାଇ ଅଭଡା ତୋରାଣୀ, ଦହିପଣା ଓ ସୁମିଷ୍ଠ ପଣାପାଣିର ବ୍ୟବସ୍ଥା କରାଯାଇଥିଲା।   ଏହି ଅବସରରେ ମନ୍ଦିର ସମ୍ମୁଖରେ ବିଭିନ୍ନ ସାମଗ୍ରୀର ଦୋକାନମାନ ଖୋଲିଥିଲା। ଗାଁଗହଳିରୁ ଆସିଥିବା ଶ୍ରଦ୍ଧାଳୁ ମହିଳାମାନେ ନବଗ୍ରହଙ୍କ ଦର୍ଶନ ପରେ ଘରକରଣା ସାମଗ୍ରୀ କିଣୁଥିବା ଦେଖିବାକୁ ମିଳିଥିଲା। କୋଣାର୍କ ପୁଲିସ ପକ୍ଷରୁ ନବଗ୍ରହପୀଠରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସୁବ୍ୟବସ୍ଥା କରାଯାଇଥିଲା। 

Share :