ନବୀନ ରେକର୍ଡ଼-ଦିନକୁ ୪ ହତ୍ୟା, ୬ ଧର୍ଷଣ

ନବୀନ ରେକର୍ଡ଼-ଦିନକୁ ୪ ହତ୍ୟା, ୬ ଧର୍ଷଣ

Share :

  ରାଜ୍ୟରେ ଅପରାଧ ବଢ଼ିଛି। ପ୍ରତିଦିନ ରାଜ୍ୟର ବିଭିନ୍ନ ଥାନାରେ ହାରାହାରି ୨୭୧ଟି ଧର୍ତ୍ତବ୍ୟ ମାମଲା ରୁଜୁ ହୋଇଥିବାବେଳେ ଦିନକୁ ୪ ହତ୍ୟା, ୬ ଧର୍ଷଣ, ୪୩ ଡକାୟତି, ଲୁଣ୍ଠନ, ଚୋରି ଓ ସିନ୍ଧି ଚୋରି ମାମଲା ରୁଜୁ ହେଉଛି। ସେହିପରି ଦିନକୁ ହାରାହାରି ୫ ଦଙ୍ଗା ମଧ୍ୟ ହେଉଛି। ପ୍ରତିଦିନ ହାରାହାରି ୧୬ ଯୌତୁକ ଜନିତ ମାମଲା ରୁଜୁ ହେଉଥିବାବେଳେ ସେଥିମଧ୍ୟରେ ଦୈନିକ ହାରାହାରି ୩ ଯୌତୁକ ଜନିତ ହତ୍ୟା/ଆତ୍ମହତ୍ୟା ଓ ୧୦ ନିର୍ଯ୍ୟାତନା ମାମଲା ଅନ୍ତର୍ଭୁକ୍ତ।   ମେ ୧୦ ତାରିଖ ବିଧାନସଭାରେ ଉପସ୍ଥାପିତ ହୋଇଥିଲା ଗୃହ ବିଭାଗର ଶ୍ୱେତପତ୍ର ୨୦୧୫। ଶ୍ୱେତପତ୍ରରେ ଉଲ୍ଲେଖ ରହିଛି ଯେ, ୨୦୧୫ ବର୍ଷ ଓଡ଼ିଶାରେ ୧,୦୩,୨୦୦ ଅପରାଧ ପଞ୍ଜିକୃତ ହୋଇଥିଲା। ଏଥିମଧ୍ୟରୁ ୯୯,୧୨୯ଟି ମାମଲା ସତ୍ୟ ହୋଇଥିବାବେଳେ ୬୯,୯୫୫ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି। ୨୦୧୪ରେ ୯୦୧୮୪ ମାମଲା ରୁଜୁ ହୋଇଥିଲା। ପଞ୍ଜିକୃତ ୧,୪୭୩ ହତ୍ୟା ଘଟଣା ମଧ୍ୟରୁ ୧,୪୧୧ ସତ୍ୟ ମାମଲା। ସେଥିମଧ୍ୟରୁ ୭୭୫ଟି ମାମଲାରେ ଅଭିଯୋଗ ଫର୍ଦ୍ଦ ଦାଖଲ କରାଯାଇଅଛି। ସେହିପରି  ୪୮୬ଟି ଡକାୟତି ମାମଲା ରୁଜୁ ହୋଇଥିଲା। ବିଭିନ୍ନ ଡକାୟତି ଘଟଣାରେ ପୋଲିସ ଦ୍ୱାରା ୬ ଆନ୍ତଃରାଜ୍ୟ ଡକାୟତ ସମେତ ମୋଟ ୧୫୯୮ ଜଣ ଡକାୟତଙ୍କୁ ଗିରଫ କରାଯାଇଛି।   ୨୦୧୫ରେ ୧,୭୮୭ଟି ଲୁଣ୍ଠନ ମାମଲା ରୁଜୁ ହୋଇଥିଲା। ସେଥିରୁ ୧୭୪୭ଟି ସତ ବୋଲି ଶ୍ବେତପତ୍ରରେ ଉଲ୍ଲେଖ ରହିଛି। ଉକ୍ତ ଲୁଣ୍ଠନ ମାମଲାରେ ୧,୮୯୭ ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି। ସେହିପରି ୪,୦୪୬ଟି ସିନ୍ଧିଚୋରି ମାମଲା ରୁଜୁ ହୋଇଥିଲା ଓ ସେଥିରୁ ୩,୯୭୯ ମାମଲା ସତ୍ୟ। ସେହି ବର୍ଷ ୧୦,୦୫୫ଟି ଚୋରି ମାମଲା ପଞ୍ଜିକୃତ ହୋଇଥବାବେଳେ ୯,୮୧୬ଟି ମାମଲା ସତ୍ୟ ଉପରେ ଆଧାରିତ ଥିଲା। ସେହିପରି ୨୦୧୫ ମସିହାରେ ୧,୯୭୭ଟି ଦଙ୍ଗା ମାମଲା ପଞ୍ଜିକୃତ ହୋଇଥିଲା। ଏଥିମଧ୍ୟରୁ ୧,୯୧୯ଟି ସତ୍ୟ ବୋଲି ପ୍ରମାଣ ମିଳିଥିଲା।   ସବୁଠାରୁ ଉଦ‌ବେଗଜନକ କଥା ହେଉଛି ୨୦୧୫ରେ ୨,୨୮୬ଟି ଧର୍ଷଣ ମାମଲା ପଞ୍ଜିକୃତ ହୋଇଥିଲା। ଏଥିମଧ୍ୟରୁ ୨,୨୪୮ଟି ମାମଲା ସତ୍ୟ ବୋଲି ପ୍ରମାଣିତ ହୋଇଥିଲା। ତନ୍ମଧ୍ୟରୁ ୧,୪୮୧ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି। ୨୦୧୪ରେ ରାଜ୍ୟରେ ମୋଟ ୧୮୩୨ ଧର୍ଷଣ ମାମଲା ପଞ୍ଜୀକୃତ ହୋଇଥିଲା। ୨୦୧୫ରେ ୬୦୧୬ ଯୌତୁକ ଜନିତ ମାମଲା ରୁଜୁ ହୋଇଥିବାବେଳେ ୩୪୬୬ରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି। ଏଥିମଧ୍ୟରୁ ୬୦୮ ମାମଲା ଯୌତୁକ ଜନିତ ହତ୍ୟା ମାମଲା ହୋଇଥିବାବେଳେ ୭୬ଟି ଆତ୍ମହତ୍ୟା ମାମଲା ରହିଛି। ସେହିପରି ୩୬୩୪ ଯୌତୁକ ନିର୍ଯ୍ୟାତନା ମାମଲା ବି ରୁଜୁ ହୋଇଥିଲା।   ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତିଙ୍କ ଉପରେ ୨୦୧୫ ମସିହାରେ ରୁଜୁ ହୋଇଥିବା ମୋଟ ୨୫୦୪ଟି ମୋକଦ୍ଦମା ମଧ୍ୟରୁ ୮୭୭ଟି ମୋକଦ୍ଦମାରେ ଦୋଷାରୋପ ଫର୍ଦ୍ଦ ଦାଖଲ ହୋଇଛି। ଏତଦବ୍ୟତୀତ ୨୦୧୫ରେ ୨୦ଥର ହିନ୍ଦୁ-ମୁସଲିମ‌ ବିଦ୍ୱେଷ ଦେଖାଦେଇଥିଲା ବେଳେ ୪ ଥର ହିନ୍ଦୁ-ଖ୍ରୀଷ୍ଟିୟାନ ବିଦ୍ୱେଷ ଦେଖାଦେଇଥିଲା। ଆଦିବାସୀମାନଙ୍କ ଅଧିକାରର ସୁରକ୍ଷା, ଜମି ଅଧିଗ୍ରହଣ ଓ ଶିଳ୍ପାୟନ ବିରୁଦ୍ଧରେ ଆନ୍ଦୋଳନାତ୍ମକ ପରିସ୍ଥିତି ଉପୁଜିଥିବା ଶ୍ୱେତପତ୍ରରେ ଉଲ୍ଲେଖ କରାଯାଇଛି। ସେହିପରି କେନ୍ଦ୍ରାପଡ଼ାର ସାରଥି ବାବା ଓରଫ ସନ୍ତୋଷ ରାଉଳ, ଖୋର୍ଦ୍ଧା ଝିଇଣ୍ଟି ଶାସନ ଅଚ୍ୟୁତ ଆଶ୍ରମର ସୁରବାବା ଓରଫ ସୁର ମିଶ୍ର ତଥା ଅନ୍ୟମାନଙ୍କର ଗୁପ୍ତ ଓ ଅନୈତିକ କାରବାରର ପ୍ରତିବାଦ ଆଦିକୁ ନେଇ ସାରା ରାଜ୍ୟରେ ଜନ ଆନ୍ଦୋଳନମାନ ଦେଖାଦେଇଥିଲେ ମଧ୍ୟ ତାହାକୁ ନିୟନ୍ତ୍ରଣ କରାଯାଇପାରିଥିଲା ବୋଲି ସରକାର ଶ୍ବେତପତ୍ରରେ କହିଛନ୍ତି।   ଏହି ସମୟ ମଧ୍ୟରେ ରାଜ୍ୟରେ ୬୪ ବନ୍ଦ, ୩୩୭ ଥର ରାସ୍ତାରୋକ ଓ ୨୯ ଥର ରେଳ ରୋକ ହୋଇଛି। ଗୁଇନ୍ଦା ସୂଚନାକୁ ଆଧାର କରି ପୁଲିସ ଗୁପ୍ତଚର ବୃତ୍ତି କରିବା ଅଭିଯୋଗରେ ଆଇଟିଆର ଚାନ୍ଦିପୁରର ଚୁକ୍ତିଭିତ୍ତିକ ଫଟୋଗ୍ରାଫର ଇଶ୍ୱର ଚନ୍ଦ୍ର ବେହେରା, ପୁରୀ ରେଳଷ୍ଟେସନ‌ରେ ଟ୍ରେନ‌ ପୋଡ଼ି ଘଟଣାରେ ସମ୍ପୃକ୍ତ ଆର.ରାମଚନ୍ଦ୍ରନ‌ ସୁବାସ ଓ ଅଲ୍ ‌କାଇଦା ପରି ଆତଙ୍କବାଦୀ ସଙ୍ଗଠନରେ ଜଡ଼ିତ ଥିବା ସନ୍ଦେହରେ ଅବଦୁର ରେହମାନକୁ ଗିରଫ କରାଯାଇଛି।   ଶ୍ବେତପତ୍ର ଅନୁସାରେ ୨୦୧୫ ମସିହାରେ ଯାଜପୁର, ଢେଙ୍କାନାଳ, ଗଜପତି, ଗଞ୍ଜାମ, ନବରଙ୍ଗପୁର, କେନ୍ଦୁଝର, ମୟୂରଭଞ୍ଜ, ସମ୍ୱଲପୁର, ଦେବଗଡ଼, ସୁନ୍ଦରଗଡ଼ ଏବଂ ନୟାଗଡ଼ ଜିଲାରେ ମାଓବାଦୀ ପରିସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଥିବା ବେଳେ ମାଲକାନାଗିରି, କୋରାପୁଟ, ନୂଆପଡ଼ା, ବଲାଙ୍ଗିର, ରାୟଗଡ଼ା, କନ୍ଧମାଳ, ବରଗଡ଼ ଏବଂ କଳାହାଣ୍ଡି ଜିଲାର କେତେକାଞ୍ଚଳରେ ମାଓବାଦୀ ପରିସ୍ଥିତି ଆହ୍ୱାନ ସୃଷ୍ଟି କରିଥିଲା।   ୨୦୧୫ରେ ରାଜ୍ୟରେ ୭୨ଟି ମାଓବାଦୀ ହିଂସାଜନିତ ଘଟଣା ସଂଘଟିତ ହୋଇଥିବାବେଳେ ଏଥିରେ ୨୬ ସାଧାରଣ ନାଗରିକ, ୪ ସୁରକ୍ଷାକର୍ମୀ ଏବଂ ୯ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ପୁଲିସ ଓ ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନ ଫଳରେ ୫୩ ମାଓବାଦୀଙ୍କୁ ଗିରଫ କରାଯାଇଥିବାବେଳେ ୬୪ ମାଓବାଦୀ/ମିଲିସିଆ ଆତ୍ମସମର୍ପଣ କରିଥିଲେ। ସେହିପରି ସବ୍ୟସାଚୀ ପଣ୍ଡାଙ୍କ ନେତୃତ୍ୱାଧୀନ ଓଡ଼ିଶା ମାଓବାଦୀ ପାର୍ଟି ଏବଂ କୋରାପୁଟ ଜିଲା ନାରାୟଣପାଟଣା-ବନ୍ଧୁଗାଁ ଅଞ୍ଚଳରେ ସକ୍ରିୟ ଚାଷୀ ମୂଲିଆ ଆଦିବାସୀ ସଂଘର କାର୍ଯ୍ୟକଳାପକୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରଛି। ସେହିପରି ଏକ ଉଲ୍ଲେଖନୀୟ ଘଟଣାକ୍ରମରେ ମାଲକାନଗିରି ଜିଲାର କାଲିମେଳା ଏବଂ ପଡ଼ିଆ ଅଞ୍ଚଳର ବହୁ ସକ୍ରିୟ ମିଲିସିଆ, ରିଭୋଲ୍ୟୁସନାରୀ ପିପୁଲ‌ସ କମିଟିର ସଦସ୍ୟ ଏବଂ ଗ୍ରାମ କମିଟିର ସଦସ୍ୟଙ୍କ ସମେତ ପ୍ରାୟ ୧୦୩୯ ଜଣ ବ୍ୟକ୍ତି ମାଓବାଦୀଙ୍କଠାରୁ ସେମାନଙ୍କ ସମର୍ଥନ ପ୍ରତ୍ୟାହାର କରିଥିବା ଶ୍ୱେତପତ୍ରରେ ଉଲ୍ଳେଖ କରାଯାଇଛି।

Share :