ଆଶ୍ରମ ହେଲା ଗେଷ୍ଟହାଉସ, ଲୋକେ ମାତିଲେ

ଆଶ୍ରମ ହେଲା ଗେଷ୍ଟହାଉସ, ଲୋକେ ମାତିଲେ

Share :

କୋଣାର୍କ ଥାନାନ୍ତର୍ଗତ ବାଲିଦୋକାନ ନିକଟସ୍ଥ ବିବାଦୀୟ ଦର୍ଶନୀବନ୍ତର ଆଶ୍ରମର କୋଠାକୁ ମେ ୧୩ ତାରିଖ ଶୁକ୍ରବାର ଅପରାହ୍ନରେ ଦର୍ଶନୀବନ୍ତ ଶାନ୍ତି ସୁରକ୍ଷା ମଞ୍ଚର ଶତାଧିକ ମହିଳା ତାରବାଡ ଓପାଡି ଧସେଇ ପଶିବା ସହ ଆଶ୍ରମର କୋଠାବାଡିକୁ ପୁନର୍ଦଖଲ କରିଛନ୍ତି। ଏଠାରେ ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିବା ପଞ୍ଚ ଦିବସୀୟ ବିଶ୍ୱ ଶାନ୍ତି ମହାଯଜ୍ଞରେ ଯୋଗ ଦେବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ବିଶ୍ୱ ଶାନ୍ତି ମହାୟଜ୍ଞର ଉଦଯାପନୀ ଦିବସ ଅବସରରେ ସାମିଲ ହୋଇଥିବା ମହିଳାମାନେ ବନବିଭାଗ ଘେରାଇଥିବା ତାର ବାଡକୁ ଓପାଡି ନାଲିପତାକା ପୋତି ଆଶ୍ରମ ସମ୍ମୁଖରେ ଜଗି ରହିଥିଲେ। ଆଶ୍ରମରେ ଥିବା ବନବିଭାଗର କର୍ମଚାରୀମାନେ ଭୟରେ ସ୍ଥାନଛାଡି ପଳାଇଛନ୍ତି। ଏ ନେଇ ବନବିଭାଗ ପକ୍ଷରୁ କୋଣାର୍କ ଥାନାରେ ଲିଖିତ ଅଭିଯୋଗ ହୋଇଛି।   ଏଠାରେ ସୂଚନା ଥାଉକି  କୋଣାର୍କ ନିକଟସ୍ଥ ପୌରାଣିକ ଦର୍ଶନୀବନ୍ତରେ ୧୯୯୨ ମସିହାରେ ବାନାବାବାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା ଓଁ ଶ୍ରୀ ଶ୍ରୀ ଜଗନ୍ନାଥ କଳକୀ ଯୋଗାଶ୍ରମ। ଜଙ୍ଗଲ ଜମିକୁ ଜବର ଦଖଲ କରି ଆଶ୍ରମ ପ୍ରତିଷ୍ଠା କରିଥିବା ଅଭିଯୋଗରେ ୨୦୧୫ ମସିହା ଅଗଷ୍ଟ ମାସ ୩୧ ତାରିଖରେ ରାଜସ୍ୱ ବିଭାଗ ଓ ବନବିଭାଗ ପକ୍ଷରୁ ଆଶ୍ରମ ଦଖଲରେ ଥିବା ସରକାରୀ ଓ ଜଙ୍ଗଲ ଜମିକୁ ମାପଚୁପ କରାଯାଇ ସେହି ବର୍ଷ ସେପ୍ଟେମ୍ବର ୪ ତାରିଖ ସୁଦ୍ଧା ସରକାରୀ ଜମିରୁ ହଟିଯିବା ପାଇଁ ବାନାବାବଙ୍କୁ ନୋଟିସ ଦିଆଯାଇଥିଲା। ପ୍ରଶାସନର ଚାପରେ ନିର୍ଦ୍ଧାରିତ ସମୟ ପୂର୍ବରୁ ବାନାବାବା ଆଶ୍ରମ ତ୍ୟାଗ କରି ଦର୍ଶନୀବନ୍ତ ନିକଟସ୍ଥ ଗୁହାଳପୁର ମୌଜାରେ ଥିବା ନିଜସ୍ୱ ସ୍ଥିତିବାନ ଜାଗାରେ ନୂଆ ଆଶ୍ରମ ପ୍ରତିଷ୍ଠା କରିଥିଲେ।   ବାନାବାବା ଆଶ୍ରମ ଛାଡିବା ପରେ ୨୦୧୫ ମସିହା ସେପ୍ଟେମ୍ବର ୫ ତାରିଖରେ ବନବିଭାଗ ଆଶ୍ରମର କୋଠା, ମନ୍ଦିର, ଫୁଲଫଳ ବଗିଚାକୁ ତାରବାଡ ଘେରାଇ ନିଜ ଅକ୍ତିଆରକୁ ନେଇଥିଲା। କାକଟପୁର ତହସିଲ ଆନ୍ତର୍ଗତ ଚିତ୍ରେଶ୍ୱରୀ ଆର.ଆଇ ସର୍କଲର ଗୋଧନପଡା ମୌଜାରେ ଥିବା ବିବାଦୀୟ ଦର୍ଶନୀବନ୍ତକୁ ବନବିଭାଗ କୋଣାର୍କ-ବାଲୁଖଣ୍ଡ ଅଭୟାରଣ୍ୟର ସଂରକ୍ଷିତ ଜଙ୍ଗଲ କହୁଥିବା ବେଳେ ରାଜସ୍ୱ ବିଭାଗ ବାନାବାବାଙ୍କୁ ଦେଇଥିବା କାଗଜପତ୍ର କହୁଛି ଏହା ରାଜସ୍ୱ ବିଭାଗର। ପୌରାଣିକ ତଥା ଐତିହାସିକ ଦର୍ଶନୀବନ୍ତର ଐତିହ୍ୟ ଉପରେ ନଜର ପକାଇଲେ ଜଣା ପଡେ କାହିଁ କେଉଁ କାଳରୁ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଆଷାଢ ଶୁକ୍ଳ ଦ୍ୱିତୀୟା ତିଥିରେ ଏହି ବନ୍ତରେ ଏକତ୍ରିତ ହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା କରିଥାନ୍ତି। ଏତଦ ବ୍ୟତିତ ବିଭିନ୍ନ ପର୍ବପର୍ବାଣୀ ସମେତ ବର୍ଷତମାମ ଶ୍ରଦ୍ଧାଳୁମାନେ ଦର୍ଶନୀବନ୍ତକୁ ଆସି ଅନେକ ଦେବାଦେବୀ ଓ ଶ୍ରୀଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରିଥାନ୍ତି।   ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଦର୍ଶନୀବନ୍ତକୁ ବନିବିଭାଗ ତାରବାଡ ଘେରାଇ ନିଜ ଅକ୍ତିଆରରେ ରଖିଥିବାରୁ ଏଠାକୁ ପୂଜାର୍ଚ୍ଚନା କରିବାକୁ ଅସୁଥିବା ଶ୍ରଦ୍ଧାଳୁମାନେ ଘୋର ଅଷନ୍ତୋଷ ବ୍ୟକ୍ତ କରୁଥିଲେ। ଆଶ୍ରମ କରିଥିବା ବାନାବାବା ଦୀର୍ଘ ୨୦ ବର୍ଷ ଧରୀ ବାଲିବନ୍ତକୁ ସୁରକ୍ଷା ଦେବା ସହ ଫୁଲ ଫଳ ଗଛ ଲଗାଇ ସବୁଜ ବନାନୀ ସୃଷ୍ଟି କରି ଆଧ୍ୟାମିକ ପରିବେଶ ସୃଷ୍ଟି କରିଥିଲେ। ନିୟମିତ ଭାବେ ଆଶ୍ରମର ସମର୍ଥକମାନେ ଏହି ଫଳପୁଷ୍ପ ଉଦ୍ୟାନରେ ପାଣିଦେଇ ବିଭିନ୍ନ ଗଛ ବଞ୍ଚାଇ ରଖୁଥିବା ବେଳେ ବନବିଭାଗ କର୍ମଚାରୀମାନେ ଫୁଲ ଓ ଫଳ ଉଦ୍ୟାନରେ ପାଣି ନ ଦେବାରୁ ଗଛଗୁଡିକ ମରିଯାଇଥିବା ଦେଖିବାକୁ ମିଳୁଛି।   ୨୦୧୫ ମସିହା ସେପ୍ଟେମ୍ବର ୫ ତାରିଖଠାରୁ ଏଯାବତ ୯ ମାସ ଧରି ବନବିଭାଗ ଆଶ୍ରମର କୋଠା, ମନ୍ଦିର, ଫୁଲ ଫଳ ବଗିଚାକୁ ନିଜ ଅକ୍ତିଆରରେ ରଖିଥିଲେ ମଧ୍ୟ କୌଣସି ଆଖିଦୃଶିଆ କାର୍ଯ୍ୟ କରିପାରି ନାହିଁ। ବାନାବାବାଙ୍କ ଅକ୍ତିଆରରେ ଏହି ଐତିହ୍ୟ ପୀଠ ଦର୍ଶନୀବନ୍ତ ଥିବାବେଳେ ଆଶ୍ରମ ପରିସରକୁ ମଦମାଂସ ପ୍ରବେଶ କରୁ ନ ଥିବା ବେଳେ ବନବିଭାଗର କର୍ମଚାରୀମାନେ ଏହାକୁ ଗେଷ୍ଟ ହାଉସରେ ପରିଣତ କରି ଏହି ଧର୍ମୀୟ ପୀଠରେ ମଦମାଂସର ଭୋଜି କରୁଥିବା ଦର୍ଶନୀବନ୍ତ ଶାନ୍ତି ସୁରକ୍ଷା କମିଟି ପକ୍ଷରୁ ଅଭିଯୋଗ କରାଯାଇଛି।   ଗୋଧନପଡା ମୌଜାର ଖାତା ନଂ ୨୭ ପ୍ଲଟ ନମ୍ୱର ୧୩୩/୨୦ରେ ୬ ଏକର ୪୮ ଡିସିମିଲ ସରକାରୀ ଜମି ଦର୍ଶନୀବନ୍ତରେ ଗଡି ଉଠିଥିଲା ଓଁ ଶ୍ରୀ ଶ୍ରୀ ଜଗନ୍ନାଥ କଳକୀ ଯୋଗାଶ୍ରମ। ଏଠାରେ ବାନାବାବା ଆଶ୍ରମ ପ୍ରତିଷ୍ଠା କରିବାପରେ ରାଜସ୍ୱ ବିଭାଗ ପକ୍ଷରୁ ଜବରଦଖଲ ମାମଲା ରୁଜୁ କରାଯାଇ ଗତ ୨୩.୦୫.୨୦୧୨ରେ ଫରମ ସଂ-ଏକ୍ସ.ଆଇ.ଆଇ. ରସିଦ ପୁସ୍ତକ ନଂ ୮୮୭୯୭୮ରେ ନିୟମ ୬୬ ବଳରେ ୧ ହଜାର ୭୦୦ ୯୫ ଟଙ୍କା ଖଜଣା ପାଉତି ଆଦାୟ କରାଯାଇଛି। ଏ ନେଇ ବାନାବାବାଙ୍କ ପକ୍ଷରୁ ନିମାପଡା ସିଭିଲ ଜଜ କୋର୍ଟରେ ୧୩/୧୬ରେ ଦାଏର ଏକ ମାମଲା ବିଚାରାଧୀନ ରହିଛି।   ତେବେ କଥା ହେଉଛି ରାଜସ୍ୱ ବିଭାଗର ଜମିକୁ ଜଙ୍ଗଲ ବିଭାଗ କିଭଳି ନିଜ ଅକ୍ତିଆରକୁ ନେଇ ତାରବାଡ ଘେରାଇଲା? କାହା ସ୍ୱାର୍ଥ ସାଧନ ପାଇଁ ଜଣେ ସାଧୁଙ୍କୁ ତାଙ୍କ ଉପାସନା ପୀଠରୁ ବିଚ୍ୟୁତ କରାଗଲା? ଏଥି ପାଇଁ ଦାୟୀ କିଏ? ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି। ବାନାବାବାଙ୍କ ନାମରେ ଆସିଥିବା ବିଭିନ୍ନ ଅଭିଯୋଗର କୌଣସି ସତ୍ୟତା ପ୍ରମାଣିତ ହୋଇପାରି ନଥିବାବେଳେ ତାଙ୍କୁ ଏହି ଧର୍ମପୀଠରୁ ଉଚ୍ଛେଦ କରାଯିବା ସ୍ଥାନୀୟ ଅଂଚଳରେ ଅସନ୍ତୋଷର କାରଣ ହୋଇଛି।

Share :