ବିଧାନସଭା କାହାର? ଲୋକ ନା ନେତାଙ୍କର?

ବିଧାନସଭା କାହାର? ଲୋକ ନା ନେତାଙ୍କର?

Share :

ରାମଚନ୍ଦ୍ର ପଣ୍ଡା   ରାଜ୍ୟରେ ପାନୀୟ ଜଳ ସ୍ଥିତି ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ଏତେ ସାଙ୍ଘାତିକ ଯେ ଗତ ୩୦ ବର୍ଷ ଭିତରେ ଏମିତି କେବେ ଦେଖାଯାଇ ନଥିଲା। ଗାଁ ଗଣ୍ଡାରେ ପାଣି ପାଇଁ ହା-ହା-କାର ସ୍ଥିତି।   ଦୁଇ ହଜାରରୁ ଉର୍ଦ୍ଧ୍ୱ ବିଦ୍ୟାଳୟରେ ଏକାଧିକ ଶ୍ରେଣୀରେ ପାଠ ପଢ଼ାଉଛନ୍ତି ଜଣେ ଲେଖାଏଁ ଶିକ୍ଷକ।   ମରୁଡି ଦାଉରେ ପ୍ରାଣ ହରାଇଥିବା ଦୁଇଶହ ଚାଷୀଙ୍କ ପରିବାର ସ୍ଥିତି ବେହାଲ।   ପଂଚାୟତ ଦୁର୍ନୀତି ଦାଣ୍ଡରେ ପଡି ହାଟରେ ଗଡୁଛି। ଇନ୍ଦିରା ଆବାସରେ ୧୫ ରୁ ୨୦ ହଜାର ଟଙ୍କା ନହେଲେ ବିଲ ପାସ୍ ହେଉନି।   ଏବେ ମଧ୍ୟ ଏପରି ଅଂଚଳ ଅଛି ଯେଉଁଠାକୁ ୧୦୮ ଆମ୍ୱୁଲାନ୍ସ ଯିବା ପାଇଁ ରାସ୍ତାଟିଏ ନାହିଁ, ଗର୍ଭବତୀ ମହିଳା କେଉଁଠି ରାସ୍ତାରେ ତ ଆଉ କେଉଁଠି ଅଟୋ ରିକ୍ସାରେ ପ୍ରସବ କଲେଣି। ଡାକ୍ତରଙ୍କ ଅଭାବରୁ ବେହେରାଙ୍କ ଦ୍ୱାରା ଚିକିସିିତ ହୋଇ ପ୍ରସୂତି ପ୍ରାଣ ହରାଇବା ଘଟଣା ବି ରାଜ୍ୟରେ ନିୟମିତ ହୋଇଗଲାଣି। ଚେଙ୍କ ଖାଇ ଗୋଟିଏ ପରେ ଗୋଟିଏ ଶିଶୁର ପ୍ରାଣହାନି ଘଟୁଛି।   ବିଦ୍ୟୁତ କଥା ନକହିଲେ ଭଲ। ଏ କ୍ଷେତ୍ରରେ ବଳକା ବୋଲି ଦାବି କରୁଥିବା ରାଜ୍ୟର ଅନେକ ଅଂଚଳରେ ଲୋକମାନେ ଅଧା ସମୟ ଅନ୍ଧାରରେ କଟାଉଛନ୍ତି।   ରାଜ୍ୟବାସୀ ଅପେକ୍ଷା କରୁଛନ୍ତି ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ଏହି ବଜେଟ ଅଧିବେଶନ ସମୟରେ ଏସବୁ ପ୍ରଶାସନିକ ପ୍ରସଙ୍ଗ ତାଙ୍କ ଲୋକ ପ୍ରତିନିଧିମାନେ ସରକାରଙ୍କ ଦୃଷ୍ଟିକୁ ଅଣିବେ ଓ ତା’ର ପ୍ରତିକାର ହେବ।   ବିଧାନସଭାରେ ଚିଟଫଣ୍ଡ ତାତି ବି ଦିନକୁ ଦିନ ଜୋରଦାର ହେବାରେ ଲାଗିଛି। ଇସ୍ତଫା ଓ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ଦାବି କରି ଶାସକ ଦଳର ସଭ୍ୟମାନେ ହଟଗୋଳ ସୃଷ୍ଟି କରିବାରୁ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇପାରୁ ନାହିଁ। ହଟଗୋଳ ଯୋଗୁ ଗୃହ ଅଚଳ। ଶାସକ ଦଳ ତରଫରୁ ଗୃହକାର୍ଯ୍ୟରେ ବାଧା ସୃଷ୍ଟା କରାଯିବା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଅସୌଜନ୍ୟତା। ସାଂବିଧାନିକ ବିଧି ବ୍ୟବସ୍ଥାରେ ଏହା ସରକାରଙ୍କର ଫ୍ଲୋର ମ୍ୟାନେଜମେଣ୍ଟ କ୍ଷେତ୍ରରେ ଚରମ ବିଫଳତାର ପ୍ରଦର୍ଶନ।   ବିଧାନସଭାର ବଜେଟ ଅଧିବେସନରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ସଦସ୍ୟମାନେ ହଟଗୋଳ ଓ ହୋ-ହାଲ୍ଲା କରିଥିଲେ। ଦୋହରାଇଥିଲେ ଚିଟ ଫଣ୍ଡ କମିଶନ ଅଧ୍ୟକ୍ଷ ଜଷ୍ଟିସ ଏମଏମ ଦାସ ଓ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ବହିଷ୍କାର ଦାବି। ବିଜେଡି ଆକାଉଣ୍ଟରେ ୮ କୋଟି ଟଙ୍କା ଜମାନେଇ ବିରୋଧିଦଳ ନେତା ନରସିଂହ ମିଶ୍ର  କରିଥିବା ଅଭିଯୋଗର ପ୍ରତିବାଦରେ ଶାସକଦଳ ସଭ୍ୟମାନେ ହୋ ହାଲ୍ଲା କଲେ। ମୁଖ୍ୟତଃ ବିରୋଧୀ କଂଗ୍ରେସ ୮ କୋଟି ଟଙ୍କା ବିଜେଡି ଆକାଣ୍ଟରେ ଜମା ହୋଇଥିବା ନେଇ ରାଜ୍ୟାପାଳଙ୍କୁ ଭେଟି ରାଜ୍ୟରେ ସାମ୍ୱିଧାନିକ ଅଚଳାବସ୍ଥା ପାଇଁ ୩୫୬ ଧାରା ଅନୁଯାୟୀ ରାଷ୍ଟ୍ରପତି ଶାସନ ଜାରି କରିବାକୁ ଦାବି କଲା।   ବିଧାନସଭାରେ ଦଳୀୟ ବିଧାୟକମାନଙ୍କର ଏପରି ଆଚରଣ ରାଜ୍ୟର ସାଢେ ଚାରି କୋଟି ଲୋକଙ୍କ ବିଶ୍ୱାସକୁ ଦୋହଲାଇ ଦେଇଛି। ଯେଉଁଥିରେ କି ଲୋକଙ୍କ ସମସ୍ୟା ଚର୍ଚ୍ଚା ହେଉନି, ଓଲଟା ଲୋକଙ୍କ ଟିକସ ଅର୍ଥରେ ଶାସକ ବିରୋଧୀଙ୍କ ମଧ୍ୟରେ ବଳ କଷାକଷି ଚାଲୁଛି। ଲୋକଙ୍କ ସମସ୍ୟା ସମାଧାନ ଉତ୍ତରଦାୟିତ୍ୱ ବୋଝ ସରକାରଙ୍କ ହୋଇଥିବାରୁ ଯେମିତି ହେଉ ବିରୋଧୀଙ୍କୁ କୌଶଳ କରି ବିଧାନସଭାରେ କୁହାଇ ନଦେଇ କୌଣସି ପ୍ରକାରେ ବିଧାନସଭା ସମୟକୁ ଗଡ଼ାଇ ଦେବାକୁ ଚାହୁଛନ୍ତି। ଫଳରେ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କା ଉଡିଯାଉଛି ଶୂନ୍ୟରେ। ବିଧାୟକମାନେ ସେମାନଙ୍କ ପ୍ରାପ୍ୟ ନେଉଛନ୍ତି। ସମୁଦାୟ ସରକାରୀ କଳ ଝାଳନାଳ ହୋଇସାରିଲେଣି। ପ୍ରଚଣ୍ଡ ଖରାରେ ପୋଲିସି ବାହିନୀକୁ ବିଧାନସଭାର ସୁରକ୍ଷା ଦୃଷ୍ଟିରୁ କାଳେ ବାଧା ସୃଷ୍ଟି ହେବ ବୋଲି ଭିତରେ ଓ ବାହାରେ ନଜର ରଖିଛନ୍ତି। କିନ୍ତୁ ବିଧାନସଭା ନିଜ କାମ ନକରି ବାଦୀ ପାଲା ଆରମ୍ଭ କରିଛି।   ଓଡିଶା ସୋସିଆଲ ୱାଚ ରିପୋର୍ଟ ୨୦୧୩ର ପରିସଂଖ୍ୟାନକୁ ବିଶ୍ୱାସ କରାଗଲେ କେବଳ ଗୋଟିଏ ଘଣ୍ଟା ପ୍ରଶ୍ନକାଳ ପାଇଁ ବିଧାନସଭା ସଚିବାଳୟର ପ୍ରତ୍ୟକ୍ଷ ଭାବେ ଖର୍ଚ୍ଚ ହୋଇଥାଏ ୪୭ ହଜାର ୪୬୩ ଟଙ୍କା ୪୩ ପଇସା, ୨୦୧୨ ମସିହାରେ କରାଯାଇଥିବା ସର୍ଭେ ରିପୋର୍ଟ ଅନୁସାରେ ୨୯ ଦିନିଆ ବଜେଟ ଅଧିବେଶନ ପାଇଁ ଖର୍ଚ୍ଚ ପରିମାଣ ଥିଲା ୧ କୋଟି ୧୧ ଲକ୍ଷ ୫୨ ୯୦୯ ଟଙ୍କା। ଜଣେ ଜଣେ ବିଧାୟକଙ୍କ ପିଛା ଖର୍ଚ୍ଚ ହୋଇଥିଲା ୭୫ ହାଜାର ୮୭୬ ଟଙ୍କା। ସେହି ଆଧାରରେ ଜଣେ ବିଧାୟକଙ୍କ ପାଇଁ ଦିନ ପିଛା ସିଧାସଳଖ ହାରାହାରି ଖର୍ଚ୍ଚ ହେଉଛି ୨ ହଜାର ୬୧୬ ଟଙ୍କା ୫୪ ପଇସା। ଏସବୁକୁ ବାଦ ଦେଲେ ନିୟୋଜିତ ହେଉଥିବା ପୋଲିସ, ବିଦ୍ୟୁତ ବିଲଠାରୁ ଆରମ୍ଭ କରି ଗାଡି ଭଡା ଆଦି ସବୁକୁ ହିସାବକୁ ନେଲେ ଏହା ଯେ ବହୁଗୁଣିତ ହେବ, ଏଥିରେ ସନ୍ଦେହ ନାହିଁ। ତେଣୁ ୨୦୧୬ ମସିହା ମୁଦ୍ରା ସ୍ଫୀତିକୁ ବିଚାରକୁ ନେଲେ ତାହା ୪୦ ପ୍ରତିଶତ ହେବ।   ରାଜ୍ୟରେ ବସବାସ କରୁଥିବା ୫୦ ପ୍ରତିଶତ ଲୋକ ଦିନକୁ ୨୦ ଟଙ୍କା ଖର୍ଚ୍ଚ କରିବା ମୁସ୍କିଲ ହୋଇପଡୁଥିବା ବେଳେ ବିଧାନସଭା ଅଚଳ ଆଳରେ ଏଭଳି ଲକ୍ଷ ଲକ୍ଷ ଟଙ୍କା ବରବାଦ ହେବା କେତେ ଯୁକ୍ତିଯୁକ୍ତ ତାହା ବିଚାର୍ଯ୍ୟ। ରାଜ୍ୟର ଶାସନ ଡୋରି ଲୋକେ ବିଜୁ ଜନତା ଦଳ ହାତରେ ନ୍ୟସ୍ତ କରିଛନ୍ତି। ଏହାର ଅର୍ଥ ନୁହେଁ ଯେ, ସାଢେ ଚାରିକୋଟି ରାଜ୍ୟବାସୀଙ୍କର କ୍ଷମତାନ୍ଧ ହୋଇ ଆଳରେ ସେମାନେ ଗୃହକୁ ବନ୍ଦ କରିବେ, ୧୪୭ରୁ ୧୧୭ ଆସୁରିକ ସଂଖ୍ୟାବଳର ପ୍ରଭାବରେ ରାଜ୍ୟବାସୀଙ୍କ ସ୍ୱାର୍ଥ ନାଁରେ ଗୃହକୁ ଚଳାଇ ଦେବେନି। ବିଧାୟକମାନଙ୍କର ଏପରି ଆଚରଣ ଜାରୀ ରହିଲେ କ’ଣ ରାଜ୍ୟବାସୀଙ୍କ ସ୍ୱାର୍ଥ ପୂରଣ ହୋଇପାରିବ ? ଅଗଲା ପାଲି, ବଲାଙ୍ଗିର-୭୬୭୦୨୦, ମୋ-୯୪୩୯୯୨୯୦୩୩

Share :