ନବୀନ ସରକାରଙ୍କ ଆଳୁଦୋଷ!

ନବୀନ ସରକାରଙ୍କ ଆଳୁଦୋଷ!

Share :

ଓଡ଼ିଶାରେ ଚାଷୀ କ୍ଷେତରେ ଫଳୁଥିବା ଆଳୁ ଓ କୃଷିମନ୍ତ୍ରୀଙ୍କ ଖାତାରେ ଫଳୁଥିବା ଆଳୁ ପରିମାଣ ମଧ୍ୟରେ ଆକାଶ ପାତାଳ ଫରକ। କେବଳ ସେତିକି ନୁହେଁ ଓଡ଼ିଶା ସରକାରଙ୍କ ପ୍ରାମାଣିକ ତଥ୍ୟ ଅପେକ୍ଷା କୃଷିମନ୍ତ୍ରୀଙ୍କ ବାର୍ଷିକ ଆଳୁ ଉତ୍ପାଦନ ହିସାବ ୨-୩ ଗୁଣ ଅଧିକ। ରାଜ୍ୟ ବିଧାନସଭାରେ ମେ ୧୧ ତାରିଖ ଗୋଟିଏ ଦିନରେ ବିଜେପି ବିଧାୟକ ଦିଲିପ ରାୟଙ୍କୁ ଦୁଇ ଜଣ ମନ୍ତ୍ରୀ ଦେଇଥିବା ପୃଥକ ପୃଥକ ଉତ୍ତରରୁ ଏଭଳି ଚମକପ୍ରଦ ତଥ୍ୟ ପଦାକୁ ଆସିଛି।   ଯୋଜନା ଓ ସଂଯୋଜନ ମନ୍ତ୍ରୀ ଶ୍ରୀମତୀ ଊଷା ଦେବୀ ଶ୍ରୀ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଦର୍ଶାଇଛନ୍ତି ଯେ ବିଧାନସଭାର ବଜେଟ ଅଧିବେଶନରେ ଉପସ୍ଥାପିତ ଓଡ଼ିଶା ଆର୍ଥିକ ସର୍ଭେ ରିପୋର୍ଟ ଅନୁଯାୟୀ ୨୦୧୦-୧୧ ବର୍ଷରେ ୭୬ ହଜାର ମେଟ୍ରିକ ଟନ ଓ ୨୦୧୧-୧୨ ବର୍ଷରେ ୬୩ ହଜାର ମେଟ୍ରିକ ଟନ ଆଳୁ ଆମ ରାଜ୍ୟରେ ଉତ୍ପାଦିତ ହୋଇଥିବା ବେଳେ ୨୦୧୨-୧୩ ବର୍ଷରେ ୬୫ ହଜାର ମେଟ୍ରିକ ଟନ, ୨୦୧୩-୧୪ ବର୍ଷରେ ୭୧ ହଜାର ମେଟ୍ରିକ ଟନ ଆଳୁ ଫଳିଥିଲା। ପ୍ରଥମ ଥର ପାଇଁ ୨୦୧୪-୧୫ ବର୍ଷରେ ଓଡ଼ିଶାରେ ଆଳୁ ଉତ୍ପାଦନ ୧ ଲକ୍ଷ ୪ ହଜାର ମେଟ୍ରିକ ଟନରେ ପହଞ୍ଚିଛି। ଉଦ୍ୟାନ କୃଷି, କୃଷି ଓ ଖାଦ୍ୟ ଉତ୍ପାଦନ ଏବଂ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ସୌଜନ୍ୟରୁ ପ୍ରାପ୍ତ ତଥ୍ୟ ଆଧାରରେ ୨୦୧୫-୧୬ ବର୍ଷ ଓଡ଼ିଶା ଆର୍ଥିକ ସର୍ଭେରେ ଆଳୁ ଉତ୍ପାଦନ ସଂକ୍ରାନ୍ତ ଏହି ତଥ୍ୟ ଦିଆଯାଇଛି। ଏଠାରେ ଉଲ୍ଲେଖନୀୟ ଯେ ପ୍ରଚଳିତ ପରମ୍ପରା ଅନୁଯାୟୀ ବିଧାନସଭାରେ ବଜେଟ ଉପରେ ଆଲୋଚନା ପୂର୍ବରୁ ଆର୍ଥିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯାଇଥାଏ ଏବଂ ଏଥିରେ ଥିବା ବିଶ୍ୱାସନୀୟ ସରକାରୀ ତଥ୍ୟକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ଅନ୍ୟମାନେ ଗ୍ରହଣ କରିଥାନ୍ତି।   ଅନ୍ୟପକ୍ଷରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ପ୍ରଦୀପ ମହାରଥୀ ଶ୍ରୀ ରାୟଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ୨୦୧୦-୧୧ ବର୍ଷରେ ଓଡ଼ିଶାରେ ୧.୯୧ ଲକ୍ଷ ମେଟ୍ରିକ ଟନ ଆଳୁ ଉତ୍ପାଦିତ ହୋଇଥିବା ବେଳେ ୨୦୧୧-୧୨ରେ ୨.୦୧ ଲକ୍ଷ, ୨୦୧୨-୧୩ରେ ୨.୦୧ ଲକ୍ଷ, ୨୦୧୩-୧୪ରେ ୨.୪୯ ଲକ୍ଷ ଓ ୨୦୧୪-୧୫ରେ ୨.୬୮ ଲକ୍ଷ ମେଟ୍ରିକ ଟନ ଆଳୁ ଉତ୍ପାଦିତ ହୋଇଥିବା ବେଳେ ୨୦୧୫-୧୬ରେ ଉତ୍ପାଦିତ ହୋଇଛି ୨.୭୮ ଲକ୍ଷ ମେଟ୍ରିକ ଟନ ଆଳୁ। କୃଷି ବିଭାଗର ତଥ୍ୟକୁ ଆଧାର କରି ଆର୍ଥିକ ସର୍ଭେରେ ପ୍ରକାଶିତ ବିବରଣୀ ଆଧାରରେ ଓଡ଼ିଶାର ବାର୍ଷିକ ଆଳୁ ଉତ୍ପାଦନ ସଂକ୍ରାନ୍ତରେ ଯୋଜନା ଓ ସଂଯୋଜନ ବିଭାଗ ମନ୍ତ୍ରୀ ଯେଉଁ ତଥ୍ୟ ଦେଇଛନ୍ତି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଦେଇଥିବା ତଥ୍ୟ ତାହାର ୨-୩ ଗୁଣରୁ ଅଧିକ। ଗୋଟିଏ ସରକାରର ଦୁଇଟି ବିଭାଗ ଏବଂ ଦୁଇ ଜଣ ମନ୍ତ୍ରୀ ଗୋଟିଏ ବିଭାଗର ତଥ୍ୟକୁ ଆଧାର କରି ଗୋଟିଏ ଦିନରେ ଜଣେ ବିଧାୟକଙ୍କୁ ଦୁଇଟି ପୃଥକ ପୃଥକ ପ୍ରଶ୍ନର ଉତ୍ତରରେ ରାଜ୍ୟରେ ଆଳୁ ଉତ୍ପାଦନ ସଂକ୍ରାନ୍ତରେ ବିଧାନସଭାରେ ଦେଇଥିବା ପରସ୍ପର ବିରୋଧୀ ଉତ୍ତର ବାସ୍ତବରେ ରାଜ୍ୟରେ ଆଳୁ ଉତ୍ପାଦନର ବିକଳ ସ୍ଥିତି ପ୍ରତିପାଦିତ କରୁଛି ବୋଲି ପ୍ରଶ୍ନକର୍ତ୍ତା ବିଧାୟକ ଶ୍ରୀ ରାୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।   କେବଳ ସେତିକି ନୁହେଁ ରାଜ୍ୟରେ ଏ ବର୍ଷ ଯେତେ ପରିମାଣର ଆଳୁ ଫଳିଥିଲା ସେଥିରୁ କେତେ କେଉଁ କେଉଁ ଶୀତଳ ଭଣ୍ଡାରରେ ସଂରକ୍ଷିତ ହୋଇ ରହିଛି ବୋଲି ବିଧାୟକ ଶ୍ରୀ ରାୟ ପଚାରିଥିବା ଏକ ସିଧାସଳଖ ପ୍ରଶ୍ନକୁ ଏଡ଼ାଇଯାଇ କୃଷିମନ୍ତ୍ରୀ ରାଜ୍ୟରେ ୧.୬୩ ଲକ୍ଷ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ୩୩ଟି ଶୀତଳ ଭଣ୍ଡାରରେ ଆଳୁ ସଂରକ୍ଷଣ କରାଯିବା ବ୍ୟବସ୍ଥା ଅଛି ବୋଲି ଉଲ୍ଲେଖ କରିଛନ୍ତି। ଏହି ୩୩ଟି ଶୀତଳ ଭଣ୍ଡାରରୁ ୫ଟି ସମବାୟ ସଂସ୍ଥା ଦ୍ୱାରା ପରିଚାଳିତ ହେଉଥିବା ବେଳେ ଅବଶିଷ୍ଟ ଘରୋଇ ଉଦ୍ୟମରେ ଚାଲୁଛି ଏବଂ ଏଗୁଡ଼ିକରେ ଅନ୍ୟାନ୍ୟ ଫଳ ଓ ପନିପରିବା ମଧ୍ୟ ମହଜୁଦ ରହୁଛି ବୋଲି ସେ କହିଛନ୍ତି। ତେବେ ବାସ୍ତବରେ କେତେ ଆଳୁ ଏ ବର୍ଷ ଶୀତଳ ଭଣ୍ଡାରରେ ରଖାଯାଇଛି ତାହାର ଠିକଣା ହିସାବ କୃଷିମନ୍ତ୍ରୀ ଦେଇନାହାନ୍ତି।   ସେହିପରି ରାଜ୍ୟରେ ସମୁଦାୟ ଉତ୍ପାଦିତ ହେଉଥିବା ଧାନର ୩୩.୨ ପ୍ରତିଶତ ଜଳସେଚିତ ଜମିରେ ଫଳୁଛି ବୋଲି ଶ୍ରୀମତୀ ଊଷା ଦେବୀ ସରକାରୀ ଦସ୍ତାବିଜ ଆଧାରରେ ଉଲ୍ଲେଖ କରିଥିବା ବେଳେ କୃଷିମନ୍ତ୍ରୀ କିନ୍ତୁ ଶ୍ରୀ ରାୟଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟରେ ସମୁଦାୟ ଉତ୍ପାଦିତ ହେଉଥିବା ଧାନର ପ୍ରାୟ ୫୪.୪ ପ୍ରତିଶତ ଜଳସେଚିତ ଜମିରୁ ଆସୁଛି ବୋଲି ଦର୍ଶାଇଛନ୍ତି। ଏ କ୍ଷେତ୍ରରେ ବି କୃଷିମନ୍ତ୍ରୀ ପରିସଂଖ୍ୟାନକୁ ୨୦ ପ୍ରତିଶତରୁ ଅଧିକ ବଢ଼ାଇ ଉତ୍ତର ରଖିଛନ୍ତି। କୃଷିମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଓଡ଼ିଶାରେ ମୋଟ ଚାଷ ଉପଯୋଗୀ ଜମିର ପରିମାଣ ୬୧.୮୦ ଲକ୍ଷ ହେକ୍ଟର ଥିବା ବେଳେ ଏଥିରୁ ଉଚ୍ଚ, ମଧ୍ୟମ ଓ ଖାଲୁଆ ଜମିର ପରିମାଣ ଯଥାକ୍ରମେ ୨୯.୧୪, ୧୭.୫୫ ଓ ୧୫.୧୧ ଲକ୍ଷ ହେକ୍ଟର। ଉପରୋକ୍ତ ଜମିରୁ ୨୦୧୪-୧୫ ଖରିଫ ଋତୁରେ ୩୪.୬୭ ଲକ୍ଷ ହେକ୍ଟର ଓ ରବିରେ ୧୭.୦୨ ଲକ୍ଷ ହେକ୍ଟର ଜମିରେ ଜଳସେଚନ କ୍ଷମତା ସୃଷ୍ଟି କରାଯାଇଥିଲା। ରାଜ୍ୟରେ ପ୍ରମୁଖ ଉତ୍ପାଦିତ ଖାଦ୍ୟଶସ୍ୟର ପ୍ରାୟ ୩୭.୧୨ ଭାଗ ଜଳସେଚିତ ଜମିରେ ଉତ୍ପାଦିତ ହୋଇଥାଏ ବୋଲି ଶ୍ରୀ ମହାରଥୀ ଶ୍ରୀ ରାୟଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଉଲ୍ଲେଖ କରିଛନ୍ତି।   ସେ ପୁଣି ଦର୍ଶାଇଛନ୍ତି ଯେ ୨୦୧୫ ଖରିଫ ଋତୁରେ ମୋଟ ୩୭,୦୮,୧୦୮ ହେକ୍ଟର ଜମିରେ ଧାନ ଚାଷ ହୋଇଥିବା ବେଳେ ସେଥିରୁ ୧୪,୮୧,୯୫୩ ହେକ୍ଟର ଚାଷ ଜମି ମରୁଡ଼ି ଯୋଗୁ କ୍ଷତିଗ୍ରସ୍ତ ହୋଇଥିଲା। ୨୦୧୫ ଖରିଫ ଋତୁରେ ରାଜ୍ୟରେ ୧୨୪.୮୯ ଲକ୍ଷ ମେଟ୍ରିକ ଟନ ଧାନ ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ମରୁଡ଼ି ସତ୍ତ୍ବେ ୨୦୧୫-୧୬ର ତୃତୀୟ ଆଗୁଆ ଆକଳନ ଅନୁଯାୟୀ ୬୬.୯୬ ମେଟ୍ରିକ ଟନ ଧାନ ଉତ୍ପାଦନ ଆକଳନ କରାଯାଇଛି। କେବଳ ଆଳୁ ଉତ୍ପାଦନ ନୁହେଁ ଜଳସେଚନ, ଧାନ ସମେତ ଅନ୍ୟାନ୍ୟ ଖାଦ୍ୟଶସ୍ୟ ଉତ୍ପାଦନ ସଂକ୍ରାନ୍ତରେ କୃଷିମନ୍ତ୍ରୀ ବିଧାନସଭାରେ ବଢ଼େଇ ଚଢ଼େଇ ପରସ୍ପର ବିରୋଧୀ ତଥ୍ୟ ରଖିଥିବା ଅତ୍ୟନ୍ତ ବିପଦଜ୍ଜନକ ବୋଲି ବିଧାୟକ ଶ୍ରୀ ରାୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଏଥିରୁ କୃଷି ସଂକ୍ରାନ୍ତରେ କୃଷି ବିଭାଗ ସଠିକ ତଥ୍ୟ ଲୁଚାଉଥିବା ଧରାପଡ଼ିଛି ବୋଲି ସେ କହିଛନ୍ତି। 

Share :