କୋଣାର୍କରେ ଜୟଦେବ ସଂକୀର୍ତ୍ତନ

କୋଣାର୍କରେ ଜୟଦେବ ସଂକୀର୍ତ୍ତନ

Share :

ପବିତ୍ର ଅକ୍ଷୟ ତୃତୀୟାରେ ଗୀତିକାବ୍ୟ ଗୀତଗୋବିନ୍ଦର ରଚୟିତା ମହାକବି ଜୟଦେବଙ୍କ ଜୟନ୍ତୀ ଅବସରରେ କେନ୍ଦୁଲିଗ୍ରାମରୁ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଥିବା ସଂକୀର୍ତ୍ତନ ପଦଯାତ୍ରା ଦଳକୁ ମେ ୧୧ ତାରିଖ ବୁଧବାର ପୂର୍ବାହ୍ନ ୧୦ଟା ସମୟରେ ଅର୍କକ୍ଷେତ୍ର କୋଣାର୍କଠାରେ କୋଣାର୍କ ଜୟଦେବ ଜୟନ୍ତୀ କମିଟି ଓ କୋଣାର୍କ ଏନଏସି ପକ୍ଷରୁ  ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ଅବସରରେ ପ୍ରଥମେ ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ପଦଯାତ୍ରୀ ଦଳକୁ ପଣାପାଣି ପ୍ରଦାନ କରାଯାଇଥିଲା। ସରକାରୀ ଉଚ୍ଚ ବିଦ୍ୟାଳୟଠାରୁ ମେଡ଼ିକାଲ ଛକସ୍ଥିତ ଅର୍କେଶ୍ୱର ମଣ୍ଡପ ପର୍ଯ୍ୟନ୍ତ ପଦଯାତ୍ରୀ ଦଳକୁ କୋଣାର୍କର ଜୟଦେବ ଜୟନ୍ତୀ କମିଟି ଓ କୋଣାର୍କ ଏନଏସି ପକ୍ଷରୁ ପାଛୋଟି ଅଣାଯିବା ସହ ସୁମିଷ୍ଠ ପଣାପାଣି ପ୍ରଦାନ କରାଯାଇ ଆପ୍ୟାୟିତ କରାଯାଇଥିଲା।   କୋଣାର୍କ ଜୟଦେବ ଜୟନ୍ତୀ କମିଟିର ସଦସ୍ୟ ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅର୍କେଶ୍ୱର ମଣ୍ଡପଠାରେ ଆୟୋଜିତ ହୋଇଥିଲା ଏକ ସମ୍ୱର୍ଦ୍ଧନା ସଭା। ଏହି ସଭାରେ ରାଜ୍ୟ ଜୟଦେବ ଜୟନ୍ତୀ କମିଟିର ମୁଖ୍ୟ ଟ୍ରଷ୍ଟି ପ୍ରଫୁଲ୍ଲ ତ୍ରିପାଠୀ, ଅବସରପ୍ରାପ୍ତ ପ୍ରଶାସକ ଦିଗମ୍ୱର ମହାନ୍ତି, କୋଣାର୍କ ଏନଏସି ଅଧ୍ୟକ୍ଷା ଭାନୁମତୀ ରାଉତରାୟ ଓ ଶୋଭନୀୟ ଶିକ୍ଷାଶ୍ରମର ଅଧ୍ୟକ୍ଷା ରୁକ୍ମିଣୀ ଦେବୀ ପ୍ରମୁଖ ମଞ୍ଚାସୀନ ହୋଇ ଜୟଦେବଙ୍କ ସଂପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମକୁ  ଶିକ୍ଷାବିତ ପ୍ରତାପ ରାଉତ ସଂଯୋଜନା କରିଥିବା ବେଳେ ସଭାକାର୍ଯ୍ୟ ଶେଷରେ ସମାଜସେବୀ ରାମକୃଷ୍ଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।    ଏହି ଅବସରରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସିଥିବା ସଂକୀର୍ତ୍ତନ ମଣ୍ଡଳୀ ଅର୍କେଶ୍ୱରଙ୍କ ମଣ୍ଡପରେ ସଂକୀର୍ତ୍ତନ ପରିବେଷଣ କରିଥିଲେ। ଏହାପରେ ସଂକୀର୍ତ୍ତନ ପଦଯାତ୍ରାରେ ଆସିଥିବା ଦଳ ସୂର୍ଯ୍ୟମନ୍ଦିର ପରିକ୍ରମା କରିଥିଲେ। ସ୍ଥାନୀୟ ପୂର୍ତ୍ତ ବିଭାଗର ଡ଼ାକ ବଙ୍ଗଳାଠାରେ ପଦଯାତ୍ରାରେ ଆସିଥିବା ସଂକୀର୍ତ୍ତିନ ମଣ୍ଡଳି ଦଳଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରାଯାଇଥିଲା।   ଅପରାହ୍ନ ୪ଟାରେ ସଂକୀର୍ତ୍ତନ ପଦଯାତ୍ରିଦଳ ପୁରୀ ଅଭିମୁଖେ ଯିବା ବାଟରେ ଚନ୍ଦ୍ରଭାଗା ଓ ରାମଚଣ୍ଡୀଠାରେ ମଧ୍ୟ ଉଭୟ ବଜାର କମିଟି ପକ୍ଷରୁ ସଂକୀର୍ତ୍ତନ ପଦଯାତ୍ରା ଦଳଙ୍କୁ ପଣାପାଣିରେ ଆପ୍ୟାୟିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କୋଣାର୍କ ଜୟଦେବ ଜୟନ୍ତୀ କମିଟିର ସମସ୍ତ ସଭ୍ୟ ଓ କୋଣାର୍କ ଏନଏସିର ସମସ୍ତ କର୍ମଚାରୀଙ୍କ ସମେତ ବିଭିନ୍ନ ସଂଗଠନର େସ୍ୱଚ୍ଛାସେବୀ ଓ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନେ ସକ୍ରିୟ ସହଯୋଗ କରିଥିଲେ।

Share :