ନିୟମଗିରି ମାଡ଼ କୁଳଉ ନାହିଁ!

ନିୟମଗିରି ମାଡ଼ କୁଳଉ ନାହିଁ!

Share :

ନିୟମଗିରି ନେଇ ରାଜ୍ୟ ସରକାରଙ୍କ ଗାଲରେ ପୁଣି ଏକ ଶକ୍ତ ଚାପଡ଼ ମାରିଛନ୍ତି ସୁପ୍ରିମ କୋର୍ଟ। ବେଦାନ୍ତ କମ୍ପାନୀ ପାଇଁ ନିୟମଗିରିରେ ବକ୍ସାଇଟ‌ ଖଣି ପ୍ରକଳ୍ପ ଚଳାଇବା ଉଦ୍ଦେଶ୍ୟରେ ସାନି ଗ୍ରାମ ସଭା କରାଇବାକୁ ରାଜ୍ୟ ସରକାର ଯେଉଁ ଆବେଦନ କରିଥିଲେ ତାହାକୁ କୋର୍ଟ ଖାରଜ କରିଦେଇଛନ୍ତି। ଏହାର ପ୍ରତିକ୍ରିୟାରେ ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ଯେ ରାୟର ନକଲ ଅନୁଧ୍ୟାନ କଲା ପରେ ପରବର୍ତ୍ତୀ ପଦକ୍ଷେପ ସ୍ଥିର ହେବ। ତାଙ୍କ ପ୍ରତିକ୍ରିୟାରୁ ସ୍ପଷ୍ଟ ହୋଇଯାଇଛି ଯେ ବେଆଇନ ଓ ଜନ ବିରୋଧୀ ଉପାୟରେ ନିୟମଗିରି ଦଖଲ କରିବା ସହିତ ପରିବେଶ ଧ୍ବଂସ କରିବାକୁ ବାରମ୍ବାର ଚେଷ୍ଟା କରି ସୁପ୍ରିମ କୋର୍ଟରୁ ବାରମ୍ବାର କାନୁନୀ ଚାପୁଡ଼ା ଖାଇଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସହଯୋଗୀମାନଙ୍କର ଗାଲ ବଥା ହୋଇନାହିଁ।   ବିଚାରପତି ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ ଓଡ଼ିଶା ସରକାରଙ୍କ ପରିଚାଳନାଧୀନ ଓଡ଼ିଶା ଖଣି ନିଗମର ଆବେଦନକୁ ୨୦୧୬ ମେ ୫ ତାରିଖରେ ସଂପୂର୍ଣ୍ଣ ଭାବେ ଖାରଜ କରିଦେଇଛନ୍ତି। ପୂର୍ବ ଗ୍ରାମ ସଭାରେ ଯଦି କିଛି ଆଇନଗତ ତ୍ରୁଟି ଥିଲା ତେବେ ସରକାର ଆଉ ଥରେ ଉପଯୁକ୍ତ ବିଚାର ପ୍ରକ୍ରିୟାରେ ଆବେଦନ କରିପାରିବେ ବୋଲି କୋର୍ଟ ମନ୍ତବ୍ୟ ଦେଇଛନ୍ତି। ପରିବର୍ତ୍ତିତ ପରିସ୍ଥିତିରେ ନିୟମଗିରିରେ ବକ୍ସାଇଟ‌ ଖଣି ପ୍ରକଳ୍ପ ଆରମ୍ଭ କରିବା ପାଇଁ ଆଉ ଥରେ ଗ୍ରାମ ସଭା କରାଇବାକୁ ସୁପ୍ରିମ କୋର୍ଟଙ୍କ ଅନୁମତି ଲୋଡ଼ିଥିଲା ଖଣି ନିଗମ।   ସପ୍ରିମ କୋର୍ଟଙ୍କର ଏହି ରାୟ ପରେ ନିୟମଗିରି ଅଂଚଳରେ ଡଙ୍ଗରିଆ ଓ ଧରଣିଆ କନ୍ଧମାନ ପୁନର୍ବାର ଖୁସିର ନାଚ ନାଚିଛନ୍ତି। ସେମାନେ ଏହାକୁ ଧର୍ମ ଓ ପ୍ରକୃତିର ଜୟ ବୋଲି କହିବା ସହିତ ସରକାରଙ୍କ ଜନ ବିରୋଧୀ ନୀତିକୁ ସମାଲୋଚନା କରିଛନ୍ତି। ସରକାର ପୁଣି ଯଦି ନିୟମଗିରି ଦଖଲ ପାଇଁ ଅନ୍ୟ କୌଣସି ପ୍ରକାର ଉପାୟ ଅବଲମ୍ବନ କରିବେ ତେବେ ତାହାର ମଧ୍ୟ ନ୍ୟାୟିକ ଓ ଧାର୍ମିକ ଜବାବ ଦିଆଯିବ ବୋଲି ନିରୀହ କନ୍ଧମାନେ ଘୋଷଣା କରିଛନ୍ତି।   ସୁପ୍ରିମ କୋର୍ଟଙ୍କର ଏହି ରାୟକୁ ସର୍ବାନ୍ତକରଣରେ ସ୍ବାଗତ କରିଛନ୍ତି ପରିବେଶ କର୍ମୀ ପ୍ରଫୁଲ୍ଲ ସାମନ୍ତରା, ଜନବାଦୀ ଆନ୍ଦୋଳନର କର୍ମୀ ଲିଙ୍ଗରାଜ ଆଜାଦ, ଧୀରେନ୍ଦ୍ର ପଣ୍ଡା, ନିୟମଗିରି ସୁରକ୍ଷା ସମିତିର ଲଦୋ ସିକାକା ଏବଂ ଅନ୍ୟ ବହୁ ପରିବେଶ ଓ ପ୍ରକୃତି ପ୍ରେମୀ।   ଏଠାରେ ଉଲ୍ଲେଖଯୋଗ୍ୟ ଯେ ତିନି ବର୍ଷ ତଳେ ୨୦୧୩ ମସିହାରେ ସୁପ୍ରିମ କୋର୍ଟଙ୍କ ନିଦ୍ଦେର୍ଶରେ ଅନୁଷ୍ଠିତ ଗ୍ରାମସଭା ବୈଠକରେ ନିୟମଗିରି ଖଣି ପ୍ରକଳ୍ପ ପ୍ରସ୍ତାବ ଖାରଜ ହୋଇଯାଇଥିଲା। ସେତେବେଳେ ବେଦାନ୍ତ କମ୍ପାନୀ ପାଇଁ ବକ୍ସାଇଟ‌ ଯୋଗାଣର ଉଦ୍ଦେଶ୍ୟ ନେଇ ଏହି ଖଣିର ବିକାଶ କରିବା ନିମନ୍ତେ ବେଦାନ୍ତ ଓ ଓଡ଼ିଶା ଖଣି ନିଗମ ମିଶି ଏକ ଯୌଥ ଉଦ୍ୟୋଗ ଗଠନ କରିଥିଲେ। ଏବେ ଖଣି ନିଗମ ସାନି ଆବେଦନରେ ଯୁକ୍ତି କରିଥିଲା ଯେ ସେତେବେଳେ ଯୌଥ ଉଦ୍ୟୋଗ ଥିଲା। ଏବେ ଖଣି ନିଗମ ଏକାକୀ ଖଣି ଖୋଳିବାକୁ ଚାହୁଁଛି। ସେତେବେଳେ ଅନୁଷ୍ଠିତ ଗ୍ରାମସଭାରେ ମତ ଦେଇଥିବା ଅନେକ ଲୋକ ଆଜି ଆଉ ନାହାନ୍ତି। ଇତିମଧ୍ୟରେ ସେହି ଅଂଚଳର ଅନେକ ଲୋକ ସାବାଳକ ହୋଇଗଲେଣି। ସେମାନେ ଏବେ ଗ୍ରାମ ସଭାର ସଦସ୍ୟ। ତେଣୁ ଆଉ ଥରେ ଗ୍ରାମସଭା କରି ଖଣି ପ୍ରକଳ୍ପ ସଂପର୍କରେ ସେମାନଙ୍କ ମତାମତ ନେବା ଜରୁରୀ। ରାଜ୍ୟ ସରକାରଙ୍କର ଏହି ଆବେଦନକୁ ସୁପ୍ରିମ କୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ଖାରଜ କରିଦେଇଛନ୍ତି।   ସୂଚନାଯୋଗ୍ୟ, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତରେ ଥିବା ନିୟମଗିରି ପାହାଡ଼ରେ ପ୍ରଚୁର ପରିମାଣର ବକ୍ସାଇଟ ଗଚ୍ଛିତ ଥିବାରୁ ସେଠାରେ ଏକ ଖଣି ପ୍ରକଳ୍ପ ଆରମ୍ଭ କରିବାକୁ ଖଣି ନିଗମ ନିଷ୍ପତ୍ତି ନେଇଥିଲା। ଏହି ଖଣିର ବକ୍ସାଇଟ ଲାଞ୍ଜିଗଡ଼ରେ ଥିବା ବେଦାନ୍ତ ଆଲୁମିନା ପ୍ଲାଣ୍ଟକୁ ଯୋଗାଣ ହୋଇଥାନ୍ତା। କିନ୍ତୁ ଖଣି ପ୍ରକଳ୍ପକୁ ସେଠାରେ ଥିବା ଡଙ୍ଗରିଆ ଓ ଧରଣିଆ କନ୍ଧମାନେ ତୀବ୍ର ବିରୋଧ କରୁଥିଲେ। ରାଜ୍ୟ ସରକାର ଓ ଖଣି ନିଗମ ବକ୍ସାଇଟ‌ ଖଣି ପ୍ରକଳ୍ପ ଆରମ୍ଭ କରିବା ପୂର୍ବରୁ ସାମ୍ୱିଧାନିକ ବ୍ୟବସ୍ଥା ଅନୁଯାୟୀ ସେମାନଙ୍କର ମତାମତ ଗ୍ରହଣ କରିନଥିଲେ। ତେଣୁ ସେମାନେ ଏ ନେଇ ସୁପ୍ରିମ କୋର୍ଟରେ ମକଦ୍ଦମା ଦାଏର କରିଥିଲେ। ଜଙ୍ଗଲ ଜମି ଅଧିକାର ଆଇନ ଓ ପଂଚାୟତିରାଜ ଏକ୍ସଟେନ୍ସନ ଇନ‌ ସିଡିଲ ଏରିଆ ବା ପେସା ଆଇନ ଅନୁସାରେ ନିୟମଗିରି ଅଂଚଳରେ ଯେକୌଣସି ଖଣି, ଶିଳ୍ପ ଆଦି ପ୍ରକଳ୍ପ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାର ଅଧିକାର କେବଳ ଗ୍ରାମ ସଭାର। ଏହା ସମ୍ୱିଧାନର ପଞ୍ଚମ ପରିଚ୍ଛଦ ଅନ୍ତର୍ଗତ ତଫସିଲଭୁକ୍ତ ଅଂଚଳ ହୋଇଥିବାରୁ ଗ୍ରାମ ସଭା ଅନୁମୋଦନ ବିନା ସେଠା ଜମି ବ୍ୟବହାର କରାଯାଇ ପାରିବ ନାହିଁ। ସେହିପରି ନିୟମଗିରିକୁ କନ୍ଧମାନେ ଈଶ୍ୱର ଭାବି ପୂଜା କରୁଥିବାରୁ ସେଠାରେ ଖଣି ପ୍ରକଳ୍ପ ଚାଲିଲେ ତାହା ଦ୍ୱାରା ସେମାନଙ୍କର ଧାର୍ମିକ ଅଧିକାର କ୍ଷୁର୍ଣ୍ଣ ହେବ ବୋଲି କନ୍ଧମାନେ ଅଭିଯୋଗ କରିଥିଲେ।   କନ୍ଧଙ୍କ ଆବେଦନକୁ ବିରୋଧ କରିବା ପାଇଁ ରାଜ୍ୟ ସରକାର ଓ ଅନ୍ୟ ପ୍ରତିପକ୍ଷମାନେ ଦେଶର ବହୁ ବଡ଼ ବଡ଼ ଆଇନଜୀବୀଙ୍କୁ କୋଟିକୋଟି ଟଙ୍କା ଖର୍ଚ୍ଚ କରି ନିୟୋଜିତ କରିଥିଲେ। କିନ୍ତୁ ଶେଷରେ ସବୁ ପ୍ରକାର ଆଇନର ତର୍ଜମା କରି ସୁପ୍ରିମ କୋର୍ଟ କନ୍ଧଙ୍କ ସପକ୍ଷରେ ରାୟ ଦେଇଥିଲେ। ସରକାର ଯଦି ଖଣି ପ୍ରକଳ୍ପ ଚାହୁଁଛନ୍ତି ତେବେ ସମ୍ୱିଧାନ ଓ ଜଙ୍ଗଲ ଜମି ଅଧିକାର ଆଇନ ଅନୁସାରେ ଗ୍ରାମସଭାର ମତାମତ ନେବାକୁ ରାଜ୍ୟ ସରକାରଙ୍କୁ ନିଦ୍ଦେର୍ଶ ଦେଇଥିଲେ। ଏହା ଥିଲା ୨୦୧୩ ଏପ୍ରିଲ ୧୮ ତାରିଖର ଘଟଣା।   ଏହି ରାୟ ପରେ ରାଜ୍ୟ ସରକାର ନିୟମଗିରିର ସବୁ ଗାଁରେ ଗ୍ରାମସଭା ନକରାଇ ବାଛିବାଛି ମାତ୍ର ୧୨ଟି ଗାଁରେ ଗ୍ରାମସଭା କରାଇଥିଲେ। ଏହି ଗାଁ ଗୁଡ଼ିକ ହେଲା ରାୟଗଡ଼ାର ସରକାପାଡ଼ି, କାଶେରପାଡ଼ି, ଖମ୍ୱେସି, ଜରପା ବାଥୁଡ଼ି ଓ ଲଖପଦର ଏବଂ କଳାହାଣ୍ଡି ଜିଲ୍ଲାର ତାଡ଼ିଝୋଲା, ପଲବେରି,ଫୁଲଡୁମର, ଇଜୁରପା ଏବଂ କୁନାଗୁଡ଼ା। ଏସବୁ ଗାଁର ଲୋକସଂଖ୍ୟା ଯଥେଷ୍ଟ କମ‌ ଥିଲା। ସରକାର ବୋଧହୁଏ ଭାବିଥିଲେ କମ‌ ଲୋକଙ୍କୁ ଶିଖେଇ ବୁଝେଇ ବା ଧମକଚମକ ଦେଇ ଖଣି ସପକ୍ଷରେ ମତ ହାସଲ କରିହେବ। କିନ୍ତୁ ତାହା ହେଲା ନାହିଁ। ସରକାର ନିଜେ ବାଛିଥିବା ସବୁ ଗାଁର ଲୋକମାନେ ଗ୍ରାମସଭାରେ ଖଣି ପ୍ରକଳ୍ପ ବିରୋଧରେ ମତ ଦେଇଥିଲେ। ତେଣୁ କୋର୍ଟଙ୍କ ରାୟ ଅନୁସାରେ ପ୍ରକଳ୍ପ ବାତିଲ ହୋଇଥିଲା।    ତଥାପି ସରକାର ନିୟମଗିରି ଲୋଭ ତୁଟାଇ ନଥିଲେ। ସରକାରଙ୍କର ଏପରି ଆଭିମୁଖ୍ୟରୁ ବିରୋଧୀ ଦଳ ଓ ପରିବେଶ କର୍ମୀମାନେ ସନ୍ଦେହ କରୁଛନ୍ତି ଯେ ହୁଏତ ଓଡ଼ିଶାର ଶାସକ ବିଜୁ ଜନତା ଦଳର ସର୍ବୋଚ୍ଚ ନେତା ନବୀନ ପଟ୍ଟନାୟକ କିମ୍ବା ତାଙ୍କୁ ଦିଲ୍ଲୀରେ ବସି ନିୟନ୍ତ୍ରଣ କରୁଥିବା କୌଣସି ରିମୋଟ କଣ୍ଟ୍ରୋଲ ଲଣ୍ଡନସ୍ଥିତ ଅନୀଲ ଅଗ୍ରବାଲଙ୍କ ବେଦାନ୍ତ କମ୍ପାନୀ ପାଖରେ ମୁଣ୍ଡ ବିକି ଦେଇଛନ୍ତି। ସେମାନେ ସମ୍ଭବତଃ ନିର୍ବାଚନ ଲଢ଼ିବା ପାଇଁ ବେଦାନ୍ତଠାରୁ ପ୍ରଚୁର ପରିମାଣରେ ଚାନ୍ଦା ଆଣିଛନ୍ତି ଯେଉଁଥିପାଇଁ କୋର୍ଟକଚେରୀରେ ବାରମ୍ବାର ମାଡ଼ ଖାଇଲେ ମଧ୍ୟ ଆଦିବାସୀଙ୍କ ଅଧିକାର ଓ କ୍ଷମତା ଆଡ଼େଇ ରାଜ୍ୟର ଏହି ମୂଲ୍ୟବାଦ ସଂପତ୍ତି ଅଗ୍ରବାଲଙ୍କ ହାତରେ ଟେକି ଦେବାକୁ ଚଳାଇଥିବା ଜନବିରୋଧି ଉଦ୍ୟମରୁ କ୍ଷାନ୍ତ ହେଉ ନାହାନ୍ତି।

Share :