ମଲେ ମାଓବାଦୀ, ଗାଁରେ ଆତଙ୍କ

ମଲେ ମାଓବାଦୀ, ଗାଁରେ ଆତଙ୍କ

Share :

ଆମପାଣି ଏନକାଉଣ୍ଟର ନକ୍ସଲ ଦମନ କ୍ଷେତ୍ରରେ କଳାହାଣ୍ଡି ପୁଲିସ ପାଇଁ ଏକ ବଡ ସଫଳତା ହୋଇଥିଲେ ହେଁ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଏହା କିନ୍ତୁ ଆତଙ୍କର କାରଣ ସାଜିଛି। ଏନକାଉଣ୍ଟର ପରେ ସାହାଜଖୋଲ ଜଙ୍ଗଲ ଭିତରେ ଥିବା ଆନେକ ଗାଁ ପୁରୁଷଶୂନ୍ୟ ହୋଇଥିବାବେଳେ ପାହାଡତଳି ଗାଁର ଲୋକମାନ ଏବେ ଆତଙ୍କର ବାତାବରଣ ମଧ୍ୟରେ ଗତି କରୁଛନ୍ତି। ପୁଣି କେତେବେଳେ ଗୁଳିଗୋଳା ଫୁଟିବ ଓ ସେ ଗୁଳିରେ କିଏ ମରିବ ସେ ନେଇ ଲୋକେ ଆଶଙ୍କାରେ ଅଛନ୍ତି।   ଏନକାଉଣ୍ଟରର ଇତି ମଧ୍ୟରେ ଏକ ସପ୍ତାହ ବିତିଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ମୃତ ମହିଳା ନକ୍ସଲଙ୍କ ପରିଚୟ ମିଳିନାହିଁ କିମ୍ୱା କୌଣସି ସଂଗଠନ ତରଫରୁ ଏହି ଏନକାଉଣ୍ଟରକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ନକ୍ସଲ ଇତିହାସ କହୁଛି ସଂଗଠନର କୌଣସି କ୍ଷତି ହେଲେ ନକ୍ସଲମାନେ ଖୁବ ପ୍ରତିକ୍ରିୟାଶୀଳ ହୋଇ ଏକ ବଡ ଧରଣର ହିଂସା ଘଟାଇଥାନ୍ତି ଏବଂ ସେମାନେ ପୁଲିସ ଇନଫର୍ମର ନାଁରେ ପ୍ରଥମେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିଥାନ୍ତି। ଅଥଚ ଏହି ଏନକାଉଣ୍ଟରର ସପ୍ତାହ ପରେ ବି କୌଣସି ନକ୍ସଲ ସଂଗଠନ କୌଣସି ପ୍ରତିକ୍ରିୟା ନଦେବା ଝଡ ପୂର୍ବର ନୀରବତା ବୋଲି ଚର୍ଚ୍ଚା ହେଉଛି।   ଗତ ଏକ ଦଶନ୍ଧିରୁ ଅଧିକ କାଳ ହେବ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମାଓବାଦୀଙ୍କ ପାଇଁ ଅଭୟାରଣ୍ୟ ପାଲଟିଥିଲା। ୧୨୦୦ ହେକ୍ଟର ପରିମିତ ଏହି ଜଙ୍ଗଲର ଗୋଟିଏ ମୁଣ୍ଡ ରାୟଗଡାକୁ ସଂଯୋଗ କରୁଥିବାବେଳେ ଆର ମୁଣ୍ଡଟି ଛତିଶଗଡ-ରାଇଘର ସହ ସଯୁକ୍ତ ଅଛି। ନକ୍ସଲମାନେ ରାୟଗଡା, ଆନ୍ଧ୍ରା, ଛତିଶଗଡ, ରାଇଘର ଅଂଚଳରେ କୌଣସି ଅଘଟଣ ଘଟାଇ ସାହାଜଖୋଲ ଜଙ୍ଗଲକୁ ଆତ୍ମଗୋପନ ପାଇଁ ଚାଲି ଆସୁଥିଲେ। କହିବାକୁ ଗଲେ ନକ୍ସଲମାନେ ଏହାକୁ ଏକ ନିରାପଦ ଆଶ୍ରୟସ୍ଥଳୀ ରୂପେ ବ୍ୟବହାର କରୁଥିଲେ। ଏହାକୁ ଆଶ୍ରୟସ୍ଥଳୀ ରୂପେ ବ୍ୟବହାର କରୁଥିବା ହେତୁ ହେଉ କିମ୍ୱା ସ୍ଥାନୀୟ ଲୋକଙ୍କ ସହଯୋଗ ସମର୍ଥନ ନମିଳିବା କାରଣରୁ ହେଉ ମାଓବାଦୀମାନେ ଏଠାରେ କୌଣସି ହିଂସାତ୍ମକ କାଣ୍ଡ ଭିଆଉ ନଥିଲେ। ଯାହା ଏ ଅଂଚଳ ପାଇଁ ଏକ ବଡ ଆଶ୍ୱସ୍ତିର କାରଣ ଥିଲା।   ଏଠାରେ ରହଣି କାଳରେ ନକ୍ସଲମାନେ ତାଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ଆମପାଣି ଆସୁଥିଲେ। ଏନେଇ ସ୍ଥାନୀୟ ପୁଲିସ ପ୍ରଶାସନ ପାଖରେ ଖବର ଥିଲେ ବି ସମସ୍ତେ ନୀରବତା ଅବଲମ୍ୱନ କରୁଥିଲେ। ତେବେ ପୁଲିସ ହଠାତ କୌଣସି କାରଣରୁ ପ୍ରତିକ୍ରିୟାଶୀଳ ହୋଇ ୨୦୧୬ ଏପ୍ରିଲ ୩୦ ତାରିଖ ଦିନ ତିନି ଜଣଙ୍କୁ ଏନକାଉଣ୍ଟରରେ ହତ୍ୟା କରିଥିଲା। ଯାହା ସାଧାରଣରେ ଆଶ୍ଚର୍ଯ୍ୟ ଓ ଆଲୋଚନାର ବିଷୟ ହୋଇଥିବାବେଳେ ମାଓବାଦୀ ସଂଗଠନ ପ୍ରତି ଏହା ଏକ ଶକ୍ତ ଧକ୍କା ହୋଇଛି। ଏହି ଏନକାଉଣ୍ଟର ପରେ ସ୍ଥାନୀୟ ଲୋକେ ନା ପୁଲିସକୁ ଭରସି ପାରୁଛନ୍ତି ନା କୌଣସି ଅଚିହ୍ନା ଲୋକକୁ। ଅଂଚଳରେ ଏକ ଅବିଶ୍ୱାସର ବାତାବରଣ ଖେଳି ଯାଇଛି। ଗତ କିଛି ବର୍ଷ ହେବ ଯଦିଓ କଳାହାଣ୍ଡିରେ ମାଓବାଦୀଙ୍କ ଗତିବିଧି ଧୀରେ ଧୀରେ ବ୍ୟାପକ ହେବାରେ ଲାଗିଛି ସେଇ ଅନୁପାତରେ କଳାହାଣ୍ଡି ପୁଲିସକୁ ଖୁବ ସଫଳତା ମଧ୍ୟ ମିଳିଛି। ତେବେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏହି ଯୁଦ୍ଧରେ କିନ୍ତୁ ସାଧାରଣନାଗରିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି।

Share :