ଥଇଥାନ ଚିନ୍ତାରେ ଶୁଖିଗଲେଣି ଭୂପିନ୍ଦର

ଥଇଥାନ ଚିନ୍ତାରେ ଶୁଖିଗଲେଣି ଭୂପିନ୍ଦର

Share :

ଭୂପିନ୍ଦର ସିଂହ। ଦିନ ଥିଲା କଂଗ୍ରେସର ଜଣେ ଟାଣୁଆନେତା ଥିଲେ। ଛାତ୍ର ଜୀବନରୁ ଇନ୍ଦିରା ଗାନ୍ଧୀଙ୍କ ଗୁଣଗାନ କରି କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସରୁ ନିଜ କ୍ୟାରିଅର ଆରମ୍ଭ କରି କଂଗ୍ରେସ ସରକାରରେ ମନ୍ତ୍ରୀ ହୋଇଥିଲେ। ପରେ କଂଗ୍ରେସ ବିଧାୟକ ଦଳର ନେତା ଭାବେ ବିରୋଧୀ ଦଳ ନେତା ହେବାର ସୁଯୋଗ ମଧ୍ୟ ପାଇଲେ। କିନ୍ତୁ କ୍ଷମତା ଲାଳସା ଏବଂ ବ୍ୟକ୍ତିଗତ ସ୍ୱାର୍ଥ ଯୋଗୁଁ ବାଡିଡିଆଁ ନେତା ଭଳି ୨୦୧୪ ନିର୍ବାଚନର ଠିକ ପୂର୍ବରୁ ଅଚାନକ କଂଗ୍ରେସ ଛାଡି ଶାସକ ବିଜେଡି ଦଳ ସହ ହାତ ମିଳାଇବା ସମସ୍ତଙ୍କୁ ଚକିତ କରିଥିଲା।   ଦୁଇବର୍ଷ ପାଇଁ ରାଜ୍ୟ ସଭାକୁ ପଠାଇ ବିଜେଡି ଭୂପିନ୍ଦରଙ୍କୁ ସାମୟିକ ଥଇଥାନ କଲା। ଆସନ୍ତା ଜୁନ ମାସରେ ତାଙ୍କର କାର୍ଯ୍ୟକାଳ ଶେଷ ହେବ। ସେହି ଜୁନ ମାସରେ ସାଂସଦ ପ୍ୟାରୀମୋହନ ମହାପାତ୍ର ଏବଂ ବୈଷ୍ଣବ ପରିଡାଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହେବ। ଜୁନ ମାସରେ ଖାଲି ପଡିବାକୁ ଥିବା ଏହି ୩ଟି ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ହେବ ବୋଲି ଆଲୋଚନା ଚାଲିଛି। ବିଜେଡି ରାଜ୍ୟସଭା ରେସରେ ଦଳର କେତେକ ବରିଷ୍ଠ ନେତା, କେତେକ ବଶମ୍ବଦ ସାମ୍ୱାଦିକ ଓ ସମାଜସେବୀ ରହିଥିବା ଶୁଣିବାକୁ ମିଳୁଛି। କିନ୍ତୁ କାହାକୁ ପ୍ରାର୍ଥୀ କରାଯିବ ସେ ନେଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥିର କରି ନାହାନ୍ତି।   ନବୀନ ପଟ୍ଟନାୟକଙ୍କ ୧୬ ବର୍ଷ କାଳ ଶାସନକାଳର ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କୁ ଛାଡିଦେଲେ ଆଉ କୌଣସି ନେତା ଦୁଇ ଥର ରାଜ୍ୟ ସଭାକୁ ମନୋନୀତ ହୋଇ ପାରିନାହାନ୍ତି। ଏଭଳି ପରିସ୍ଥିତିରେ ତାଙ୍କୁ ପୁଣିଥରେ ନବୀନ ରାଜ୍ୟସଭା ପଠାଇବେ କି ନାହିଁ ସେନେଇ ଚିନ୍ତାରେ ଅଛନ୍ତି ଭୂପିନ୍ଦର। ଚାରି ବର୍ଷ ଆଠ ମାସ ନବୀନ ଓ ତାଙ୍କ ସରକାରକୁ ତୀବ୍ର ସମାଲୋଚନା କରି ଶେଷ ମୁହୁର୍ତ୍ତରେ କଂଗ୍ରେସ ନୀତିଆଦର୍ଶକୁ ଜଳାଞ୍ଜଳି ଦେଇ ରାତାରାତି ବିଜେଡିରେ ଯୋଗଦେଇ ରାଜ୍ୟସଭା ଲଡୁ ଖାଇଥିବା ଭୂପିନ୍ଦର ଏବେ ଡାଇବେଟିସ ରୋଗରେ ଆକ୍ରାନ୍ତ। କଂଗ୍ରେସ ଦଳର ଛାତ୍ରାବସ୍ଥାରୁ ରାଜନୀତିରେ ପାଦ ଥାପିଥିବା ଭୂପିନ୍ଦର କଂଗ୍ରେସରୁ ବହୁ କିଛି ପାଇଛନ୍ତି। କିନ୍ତୁ କ୍ଷମତା ଓ ବ୍ୟକ୍ତିଗତ ସ୍ୱାର୍ଥପାଇଁ କଂଗ୍ରେସକୁ ଲାତରେ ଆଡେଇ ଥିବା ଭୂପିନ୍ଦରଙ୍କୁ ନବୀନ ଓ ବିଜେଡିର ବରିଷ୍ଠ ନେତାମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଯଦି ଭୂପିନ୍ଦରଙ୍କୁ ପୁଣିଥରେ ବିଜେଡି ରାଜ୍ୟସଭାକୁ ନ ପଠାଏ କିମ୍ୱା ଥଇଥାନ ନ କରେ ତେବେ ସେ ଗୋଷ୍ଠୀ କନ୍ଦଳ ଜରିଆରେ ବିଦ୍ରୋହ କରିବା ନିଶ୍ଚିତ ବୋଲି ବିଜେଡି କର୍ମୀ ମହଲରେ ଚର୍ଚ୍ଚା ହେଉଛି।   ଅନ୍ୟପଟେ ଭୂପିନ୍ଦର ନିଜ ପୁଅ ପାଇଁ ନର୍ଲା ଟିକେଟ ପାଇଁ ମଧ୍ୟ ଜିଦ ଧରିଥିବା ଜଣା ପଡିଛି। ଯଦି ନିଜ ପୁଅ ପାଇଁ ଆଗାମୀ ୨୦୧୯ ସାଧାରଣ ନିବାର୍ଚନରେ ଟିକେଟ ଆଣନ୍ତି ତେବେ ଭୂପିନ୍ଦର ନିଜେ କରିବେ କ’ଣ? କାରଣ କଳାହାଣ୍ଡି ରାଜ ପରିବାର ହାତରେ ଲୋକସଭା ସାଂସଦ ପଦ ଥିବାରୁ ଭୂପିନ୍ଦରଙ୍କୁ ଲୋକସଭା ଟିକେଟ ମିଳିବାର ପ୍ରଶ୍ନ ଉଠୁ ନାହିଁ। ଏଭଳି ପରିସ୍ଥିତିରେ ନଛୋଡ଼ବନ୍ଧା ଭୂପିନ୍ଦରଙ୍କୁ କିପରି ଥଇଥାନ କରିବେ ସେନେଇ ବେଶି ଆଶଙ୍କାରେ ଅଛନ୍ତି ନବୀନ। ସେହିପରି ନିଜ ଥଇଥାନ ନେଇ ଚିନ୍ତା କରିକରି ଭୂପିନ୍ଦର ଦିନକୁ ଶୁଖି ଯାଉଥିବା ବିଜେଡି କର୍ମୀ ମହଲରେ ଚର୍ଚ୍ଚା ଜୋର ଧରିଛି।

Share :