ନ୍ୟାୟିକ ବ୍ୟବସ୍ଥାର ପୁନର୍ଗଠନ ଜରୁରୀ

ନ୍ୟାୟିକ ବ୍ୟବସ୍ଥାର ପୁନର୍ଗଠନ ଜରୁରୀ

Share :

ରାମଚନ୍ଦ୍ର ପଣ୍ଡା   ଏକ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ମୌଳିକ ଅଧିକାର ଓ ଗଣତନ୍ତ୍ରର ସର୍ବୋଚ୍ଚ ସୁରକ୍ଷା କବଚ ହେଉଛି ବିଚାର ବିଭାଗ। ଗଣତନ୍ତ୍ରର ବିଭିନ୍ନ ଅଙ୍ଗ ଯଥା, ବିଧାନସଭା, କାର୍ଯ୍ୟପାଳିକା ଭଳି ନ୍ୟାୟପାଳିକା ମଧ୍ୟ ସାଧାରଣ ଅର୍ଥରେ ପରିଚାଳିତ। ଅନ୍ୟ ଦୁଇ ଅଙ୍ଗର ଅଧିକାରୀମାନେ ଯେଭଳି ସାଧାରଣ ସେବକ, ନ୍ୟାୟପାଳିକାର ଅଂଶୀଦାରମାନେ ମଧ୍ୟ ସମାନ ଧରଣର ସାଧାରଣ ସେବକ ରୂପେ ବିବେଚିତ। ନିକଟରେ ଭାରତର ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଯେ କି ରାଷ୍ଟ୍ର ଓ ରାଷ୍ଟ୍ରର ଶାସନମୁଖ୍ୟ ଏବଂ ଯାହାଙ୍କର ଆଦେଶପତ୍ରରେ ବିଚାରପତି ନିଯୁକ୍ତି ପାଇଥାନ୍ତି, ଗଣତନ୍ତ୍ରର ତିନି ସ୍ତମ୍ଭ ଯଥା ବିଧାନପାଳିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ମଧ୍ୟରେ ଥିବା ସାମ୍ବିଧାନିକ ସନ୍ତୁଳନ ଅକ୍ଷୁର୍ଣ୍ଣ ରହିବା ସପକ୍ଷରେ ମତ ଦେବା ସଙ୍ଗେ ସଙ୍ଗେ ନ୍ୟାୟପାଳିକାର ସକ୍ରିୟତା ସମ୍ବିଧାନର ଅନ୍ୟ ଦୁଇ ସ୍ତମ୍ଭ ଉପରେ ଯେପରି ପ୍ରତିକୂଳ ପ୍ରଭାବ ନପକାଏ ସେଦିଗରେ ସତର୍କ ବାଣୀ ଶୁଣାଇଛନ୍ତି (ଇଂରେଜି ଖବରକାଗଜ ଦି ହିନ୍ଦୁ: ୧୭/୦୪/୨୦୧୬)।   ଆଲୋଚନା, ପର୍ଯ୍ୟାଲୋଚନା ଓ ସମାଲୋଚନା ଗଣତନ୍ତ୍ରର ମୂଳ ଭିତ୍ତି, ଯାହା ଦ୍ବାରା ପ୍ରତ୍ୟେକ ସଂସ୍ଥା ସ୍ବଚ୍ଛ ଓ ଉତ୍ତରଦାୟୀ ହୋଇଥାଏ। ବିଖ୍ୟାତ ନ୍ୟାୟ ବିଚାରକ ଲର୍ଡ ଡେନିଙ୍ଗଙ୍କ ମତରେ, ଅନ୍ୟାନ୍ୟ ସାଧାରଣ କର୍ତ୍ତୃପକ୍ଷଙ୍କ ଭଳି ବିଚାରବ୍ୟବସ୍ଥା ମଧ୍ୟ ଗଠନମୂଳକ ସମାଲୋଚନାକୁ ସ୍ବାଗତ କରିବା ଉଚିତ। ଡେଭିଡ ପାନିକଙ୍କ ମତରେ “like other public servants judges should accept criticism as an occupational hazard…” । ଏହି ଉକ୍ତିକୁ ଉଦ୍ଧାର କରି ବିଶିଷ୍ଟ ଆଇନ ବିଶାରଦ ଭି. ସୁଧୀଶ ପାଇ ଏହାର ଆବଶ୍ୟକତା ଦର୍ଶାଇ ଏକ ଅଗ୍ରଲେଖା ଇଂରେଜି ଦୈନିକୀ ଇଣ୍ଡିଆନ ଏକ୍ସପ୍ରେସ ଖବରକାଗଜ(୨୬/୦୩/୨୦୧୬) ସଂସ୍କରଣରେ ପ୍ରକାଶ କରିଛନ୍ତି। ଦିନକୁ ଦିନ ବିଚାର ବିଭାଗର କାର୍ଯ୍ୟଧାରା ଓ ଉତ୍ତରଦାୟିତ୍ବ ଉପରେ ବିଚାର କରିବା ପାଇଁ ବିଭିନ୍ନ ସ୍ତରରୁ ମତପ୍ରକାଶ ପାଇଛି। ଏଭଳି ଉତ୍ତରଦାୟିତ୍ବର ସମୀକ୍ଷା ଆନୁଷ୍ଠାନିକ ଦୟା କିମ୍ବା ବ୍ୟକ୍ତିଗତ ବିଚାର ଉପରେ ଛାଡିଦିଆନଯାଇ, ଏହାର ନିର୍ଣ୍ଣୟ ପାଇଁ ପାର୍ଲ୍ୟାମେଣ୍ଟ ସ୍ପଷ୍ଟ ଆଇନ କରିବା ଉଚିତ।   ଗଣତାନ୍ତ୍ରିକ ବ୍ୟବସ୍ଥାରେ ନାଗରିକମାନେ ହେଉଛନ୍ତି ସର୍ବୋଚ୍ଚ କର୍ତ୍ତା ଓ ସେମାନଙ୍କ ଦୈନନ୍ଦିନ ଜୀବନ ଉପରେ ପ୍ରଭାବକାରୀ ବ୍ୟବସ୍ଥାପିକା, କାର୍ଯ୍ୟବାହିକା ଓ ନ୍ୟାୟିକ ବ୍ୟବସ୍ଥାର ଜନସମୀକ୍ଷା ଅନିବାର୍ଯ୍ୟ। ଇଂରେଜୀରେ ଏକ ପ୍ରବାଦ ଅଛି- “To err is human”। ଜଣେ ମଣିଷ ଯେଉଁ ଆସନରେ ଅଳଙ୍କୃତ ହେଉ ନା କାହିଁକି, ତା’ ପକ୍ଷେ ଭୁଲ କରିବା ଏକ ସ୍ବାଭାବିକ ଓ ପ୍ରାକୃତିକ ପ୍ରକ୍ରିୟା।   ଦେଶର ନାଗରିକ ସମସ୍ତ ବ୍ୟବସ୍ଥାର ଅସଲ ପରିଚାଳକ ଓ ରକ୍ଷକ। ତେଣୁ ଯୁଗୋପଯୋଗୀ ଆଇନ ପ୍ରଣୟନ କରିବା ଦାୟିତ୍ବ କେବଳ ପାର୍ଲ୍ୟାମେଣ୍ଟର। ଜରୁରୀ ପରିସ୍ଥିତିବେଳେ, ବିଚାର ବିଭାଗ ନିଜ ସ୍ବାଧୀନତା ହରାଇଥିଲା। ନାଗରିକମାନଙ୍କ ମୌଳିକ ଅଧିକାରର ସୁରକ୍ଷା ପାଇଁ ଅକ୍ଷମ ହେଲା, ଅଥଚ ଜନସାଧାରଣ ଶାସନକର୍ତ୍ତାଙ୍କୁ ପରିବର୍ତ୍ତନ କରି ବିଚାରାଳୟ ଓ ନାଗରିକ ସ୍ବାଧୀନତାକୁ ସୁରକ୍ଷିତ କରିଥିଲେ। ଜରୁରୀକାଳିନ ପରିସ୍ଥିତିରେ କୋର୍ଟଗୁଡିକର ଅକ୍ଷମତା ନେଇ ପରବର୍ତ୍ତୀ କାଳରେ ବହୁ ବିଚାରପତି ଅନୁଚିନ୍ତା ପ୍ରକାଶ କରିଛନ୍ତି। ଏ ଦିଗରେ ବିଶେଷକରି ବିଚାରପତି ଭି. ଆର. କ୍ରିଷ୍ଣା ଆୟାର, ବିଚାରପତି ୱାଇଭି ଚନ୍ଦ୍ରଚୂଡ, ଓ ବିଚାରପତି ପିଏନ ଭଗବତୀଙ୍କ ନାମ ଉଲ୍ଲେଖଯୋଗ୍ୟ (ରାଜେଶ ସିଂ ପାୟନିର ପତ୍ରିକା ୩୧/୧୨/୨୦୧୪)। ଗଣତାନ୍ତ୍ରିକ ପ୍ରକ୍ରିୟାରେ ଯେକୌଣସି ବ୍ୟବସ୍ଥାର ଢାଞ୍ଚାଗତ ସଂସ୍କାର ଆଣିବାର ଏକ ମାତ୍ର ଅଧିକାରୀ ନାଗରିକ ଯେଉଁମାନଙ୍କର ମତାମତ ଆଇନ ମାଧ୍ୟମରେ ପ୍ରତିଫଳିତ ହୋଇଥାଏ। ସାଧାରଣଭାବେ ନ୍ୟାୟପାଳିକାର କୌଣସି ସିଦ୍ଧାନ୍ତର ତର୍ଜମା ଓ ସମାଲୋଚନା ପ୍ରତି ଆମ ବିଚାରାଳୟ ଅସହିଷ୍ଣୁ ନୁହେଁ। ନିକଟ ଅତୀତରେ ଏନ.ଜେ.ସି. ଆଇନକୁ ଅବୈଧ ଘୋଷଣାକରି ମାନ୍ୟବର ସୁପ୍ରିମ କୋର୍ଟ ବିଚାରପତି ନିଯୁକ୍ତି ପ୍ରକ୍ରିୟାରେ ସଂସ୍କାର ପାଇଁ ଓକିଲ ସଂଘ ଓ ଜନସାଧାରଣଙ୍କ ମତାମତ ଲୋଡିବା ପାଇଁ ସରକାରଙ୍କୁ ପରାମର୍ଶ ଦେଇଥିବା ଘଟଣାରୁ ଏହା ସ୍ପଷ୍ଟ।   ସାମ୍ବିଧାନିକ ତର୍ଜମା ବା ନ୍ୟାୟିକ ସମୀକ୍ଷା ଜରିଆରେ ନ୍ୟାୟପାଳିକା, ଜନସ୍ବାର୍ଥ ମାମଲା ଜରିଆରେ ବିଧାନପାଳିକାର ମୂଳପିଣ୍ଡ ରାଜନୈତିକ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ନେଇଥିବା ବିଭିନ୍ନ ସିଦ୍ଧାନ୍ତ ଯଥା ନିର୍ବାଚନ ପୂର୍ବରୁ ପ୍ରାର୍ଥୀମାନଙ୍କ ସଂପତ୍ତି ଘୋଷଣା, ଅପରାଧ ପୃଷ୍ଠଭୂମି ସମ୍ପର୍କରେ ତଥ୍ୟପ୍ରଦାନ ସ୍ବାଗତଯୋଗ୍ୟ। କିନ୍ତୁ ରାଜନୀତି କ୍ଷେତ୍ରଠାରୁ ଜନଜୀବନ କ୍ଷେତ୍ରରେ ସମାନ ବା ଅଧିକ ପ୍ରଭାବ ବିସ୍ତାରକାରୀ ନ୍ୟାୟପାଳିକାରେ ସଂସ୍କାର ପାଇଁ ବିଚାରାଳୟ ସେହି ମାତ୍ରାରେ ଆଗ୍ରହ ଦେଖାଇବା ଦରକାର। ବିଧାନପାଳିକାର କୌଣସି ନିଷ୍ପତ୍ତିକୁ ବିଚାରାଳୟର ନ୍ୟାୟିକ ସମୀକ୍ଷା ଅଧିକାର ଦ୍ବାରା ଗଣତାନ୍ତ୍ରିକ ବ୍ୟବସ୍ଥା ମାର୍ଜିତ ହୁଏ ଓ ରାଷ୍ଟ୍ର ଆଇନଗତ ନକରାତ୍ମକ ପ୍ରଭାବରୁ ସୁରକ୍ଷିତ ହୋଇଥାଏ। କିନ୍ତୁ ନ୍ୟାୟାଳୟର ଏକ ଭୁଲ ତର୍ଜମା ଓ ରାୟର ପ୍ରଭାବରୁ ସମାଜ ମୁକ୍ତି ପାଇବାର ବାଟ କ’ଣ ? ନ୍ୟାୟପାଳିକା ଜୁଡିସାଆଲ ରିଭ୍ୟୁ ମାଧ୍ୟମରେ କାର୍ଯ୍ୟପାଳିକା ଓ ବିଧାନପାଳିକାରେ ଗୃହୀତ ନିଷ୍ପତ୍ତି ଓ ଆଇନକୁକୁ ବଦଳାଇ ଦେଇପାରେ ବା ଅଗ୍ରହଣୀୟ କରିଦେଇପାରେ, କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟର ଏକ ନିଷ୍ପତ୍ତିକୁ କିଭଳି ବଦଳାଯାଇ ପାରିବ?   ଜଣେ ଲୋକ ପ୍ରତିନିଧି ତା’ର ଭୁଲ ପାଇଁ ପାଞ୍ଚ ବର୍ଷରେ ପ୍ରତ୍ୟାଖାତ ହୁଏ କିମ୍ବା ଜଣେ ସରକାରୀ କର୍ମଚାରୀ ନିଜର ଭୁଲ ପାଇଁ ବରଖାସ୍ତ ହୋଇପାରେ, କିନ୍ତୁ କୋର୍ଟର  ଗୋଟିଏ ଭୁଲ ନିଷ୍ପତ୍ତି ପାଇଁ ପ୍ରତିକାର କ’ଣ? ଜଣେ ସାଧାରଣ ନାଗରିକ ପାଇଁ ରାୟର ପୁନଃ ସମୀକ୍ଷା ଏକ କଠିନ ବ୍ୟବସ୍ଥା। ମେଡିକାଲ କଲେଜରେ ଛାତ୍ରଭର୍ତ୍ତି ସଂକ୍ରାନ୍ତରେ ନିଟ୍ ବା ଜାତୀୟ ଯାଗ୍ୟତା ପ୍ରବେଶିକା ପରୀକ୍ଷା ସଂକ୍ରାନ୍ତରେ ଜୁଲାଇ ୨୦୧୩ର ୩ ଜଣିଆ ଖଣ୍ଡପୀଠଙ୍କ ରାୟକୁ ଚଳିତ ମାସରେ ସୁପ୍ରିମ କୋର୍ଟଙ୍କ ୫ ଜଣିଆ ସଂବିଧାନିକ ବେଞ୍ଚ ଅଗ୍ରାହ୍ୟ କରିଅଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ ମାନ୍ୟବର କୋର୍ଟ କାରଣ ଦର୍ଶାଇଛନ୍ତି ଯେ, ପୂର୍ବ ନିଷ୍ପତ୍ତି ତରବରିଆ ଭାବେ ହୋଇଥିଲା ବା କେତେକ ବାଧ୍ୟତାମୂଳକ ପରମ୍ପରାକୁ ଏଡାଇ ଦିଆଯାଇଥିଲା। ଏହା ଏକ ସ୍ବାଗତଯୋଗ୍ୟ ନିଷ୍ପତ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଏଭଳି ସ୍ବସମୀକ୍ଷା କରିବା ଦ୍ବାରା ଏକ ଉତ୍ତମ ପରମ୍ପରା ସୃଷ୍ଟି ହୋଇଛି। ବହୁ ବିଚାରାଳୟରେ ଓକିଲମାନେ ଦାଖଲ କରୁଥିବା ବିଭିନ୍ନ ପରମ୍ପରା ବା ଆଇନର ନଜିରର ଅଣଦେଖା କ୍ଷେତ୍ରରେ ପ୍ରତିକାର ଲୋଡିବାପାଇଁ ଏହି ରାୟ ସହାୟକ ହେବ ଓ ଏହା ଦ୍ବାରା ନ୍ୟାୟ ବ୍ୟବସ୍ଥା ଆହୁରି ସ୍ବଚ୍ଛ, ନିର୍ଭରଯୋଗ୍ୟ ଓ ବିଶ୍ବାସନୀୟ ହୋଇପାରିବ ବୋଲି ଆଶା କରାଯାଇପାରେ।   ବିଶିଷ୍ଟ ଶିକ୍ଷାବିତ ଫଇଜାନ ମୁସ୍ତଫା ୧୬ ଫେବ୍ରୁୟାରୀ ୨୦୧୬ରେ ଇଣ୍ଡିଆନ ଏକ୍ସପ୍ରେସରେ ଏକ ସନ୍ଦର୍ଭରେ ବିଚାର ବ୍ୟବସ୍ଥାରେ କିଛି ଅଧୋଗତି ନେଇ ଯେଉଁସବୁ ଆଲୋଚନା କରିଛନ୍ତି ତାହା ପ୍ରଣିଧାନଯୋଗ୍ୟ। ସେ ଦର୍ଶାଇଛନ୍ତି ଯେ ମାନ୍ୟବର ସୁପ୍ରିମ କୋର୍ଟ ୨୦୧୦ ମସିହାରେ ଆହ୍ଲାବାଦ ଖଣ୍ଡପୀଠ ଏକ ଘରୋଇ ସଂସ୍ଥା ବିରୁଦ୍ଧରେ ରିଟ ଗ୍ରହଣ କରିଥିବା ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ଅହ୍ଲାବାଦ ହାଇକୋର୍ଟ ଏକ ରାୟରେ ପ୍ରତ୍ୟେକ ସରକାରୀ କର୍ମଚାରୀଙ୍କୁ ତାଙ୍କ ସନ୍ତାନସନ୍ତତିମାନଙ୍କୁ କେବଳ ସରକାରୀ ପ୍ରାଥମିକ ସ୍କୁଲରେ ପଢାଇବାକୁ ଦେଇଥିବା ରାୟ ସମାନ ପ୍ରତିକ୍ରିୟା ସୃଷ୍ଟି କରିଥିଲା। ମାନ୍ୟବର ବିଚାରାଳାୟଗୁଡିକରେ ମୋକଦ୍ଦମା ସଂଖ୍ୟା ବଢିଚାଲିଥିବାବେଳେ କୋର୍ଟର ଅମୂଲ୍ୟ ସମୟଗୁଡିକୁ ଛୋଟ ଛୋଟ ବିଷୟରେ ବିନିଯୋଗ ହେବା ନେଇ ଏଭଳି ଚର୍ଚ୍ଚା ହେବା ସ୍ବଭାବିକ। ଖୋଦ ମାନ୍ୟବର ସୁପ୍ରିମ କୋର୍ଟ ଏଭଳି ପରିସ୍ଥିତି ନେଇ ଉଦବେଗ ପ୍ରକାଶ କରିଛନ୍ତି। ଗୋଏଲ ଗ୍ୟାସ ଲିମିଟେଡ଼ ଭଳି କେତେକ କମ୍ପାନୀଙ୍କର ଏକ ମୋକଦ୍ଦମା ଖାରଜକରି ବିଚାରପତି ଚେଲମେଶ୍ବର ଓ ସାପ୍ରେଙ୍କ ମାନ୍ୟବର ଖଣ୍ଡପୀଠ ଧନୀ ଓ କ୍ଷମତାଶାଳୀମାନେ ନ୍ୟାୟପାଳିକା ସମୟ ନଷ୍ଟ କରୁଛନ୍ତି ବୋଲି ମନ୍ତବ୍ୟ ଦେଇଛନ୍ତି (ସମାଜ ୨୨/୪/୨୦୧୬), ଯାହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।   ବିଚାର ବିଭାଗର ଅଧିକ ସମୟ ମାନବିକ ଅଧିକାର, ପୋଲିସ କ୍ଷମତାର ଅପବ୍ୟବହାର, ପ୍ରଶାସନିକ ଦୁର୍ନୀତି ଓ ରାଜନୈତିକ ଆକ୍ରୋଶରେ ମିଥ୍ୟା ମୋକଦ୍ଦମାଗୁଡିକର କରାଳ କବଳରୁ ନାଗରିକମାନଙ୍କୁ ସୁରକ୍ଷା ଦେବା ଦିଗରେ ଖର୍ଚ୍ଚ ହେବା ଉଚିତ। କାରଣ ନାଗରିକଙ୍କ ମୌଳିକ ଅଧିକାରର ସୁରକ୍ଷା ଓ ଆଇନର ଶାସନ ପାଇଁ ବିଚାରାଳୟ ହିଁ ଏକମାତ୍ର ବିକଳ୍ପ। ବିଭିନ୍ନ ରାଜ୍ୟ ବିଶେଷକରି ପଶ୍ଚିମବଙ୍ଗର କେତେକ ସାମ୍ପ୍ରତିକ ଘଟଣାରୁ ସ୍ପଷ୍ଟ ଯେ ପୋଲିସ ଆଉ ଏକ ନିରପେକ୍ଷ ଆଇନ ଅନୁଷ୍ଠାନ ନହୋଇ ଶାସକ ଦଳର ହାତବାରିସୀ ରୂପେ କାମକରୁଛି, ଯାହା ଆଇନର ଶାସନ ଓ ନାଗରିକ ଅଧିକାର ପ୍ରତି ଚରମ ବିପଦ କହିଲେ ଅତ୍ୟୁକ୍ତି ହେବନାହିଁ। ଏଠି ଉଲ୍ଲେଖଯୋଗ୍ୟ ଯେ, ଇସରାତ ଜାହାଁ ମୋକଦ୍ଦମାରେ ମୂଳ ସତ୍ୟପାଠରେ ଏପଟିସେପଟ କରାଯାଇ ଜଣେ ଭବିଷ୍ୟତର ପ୍ରଧାନମନ୍ତ୍ରୀଙ୍କୁ କେସ ପରିସରକୁ ଟାଣିବା ପାଇଁ ଅସଫଳ ଉଦ୍ଦ୍ୟମ ହୋଇଥିଲା ବୋଲି କୁହାଯାଇଛି। ଏ ନେଇ ବର୍ତ୍ତମାନ ରାଜନୈତିକ ବାଦ ବିସମ୍ବାଦ ପ୍ରତିଦିନ ଖବରକାଗଜର ପୃଷ୍ଠା ମଣ୍ଡନ କରୁଛି। ମାଲେଗାଓଁ କାଣ୍ଡରେ ତଦନ୍ତ ପ୍ରକ୍ରିୟାର ନିରପେକ୍ଷତାକୁ ନେଇ ଗଣମାଧ୍ୟମରେ ଆଲୋଚନା ହୋଇଛି।   ଇଂରେଜି ପାୟନର ୨୬/୪/୧୬ ସଂସ୍କରଣରେ ଏକ ଅଗ୍ରଲେଖାରେ ଏହି ଦୁଇ ଘଟଣାରେ ରାଜନୈତିକ ଉଦ୍ଦେଶ୍ୟ ରଖି ସାକ୍ଷ୍ୟ ପ୍ରମାଣରେ ଏପଟସେପଟ ହୋଇଥିବା ନେଇ ଲେଖକ ଦୀପକ ସିଂହ ଦର୍ଶାଇଛନ୍ତି। ମାଲେଗାଓଁ କେସରେ ନିର୍ଦ୍ଦୋଷ ଦର୍ଶାଇ କୋର୍ଟ କିଛି ଲୋକଙ୍କୁ ଖଲାସ କରିଛି। କିନ୍ତୁ ଏହି ନ୍ୟାୟ ପାଇବା ପାଇଁ ସେମାନଙ୍କୁ ୫/୬ ବର୍ଷ ଜେଲରେ ଷଢି କଠିନ ମୂଲ୍ୟ ଦେବାକୁ ପଡିଛି। ଏହାର ପ୍ରତିକାର କ’ଣ? ଯଦି ବିଶିଷ୍ଟ ବ୍ୟକ୍ତିମନଙ୍କ ଦଶା ଏଇଆ, ତା’ହେଲେ ଭାରତବର୍ଷର ଶହ ଶହ ନିରୀହ ବ୍ୟକ୍ତି କେତେ ଯେ ମିଥ୍ୟା ମୋକଦ୍ଦମାର ଛନ୍ଦି ହୋଇ ନିର୍ଯ୍ୟାତିତ ହେଉ ନଥିବେ ଏହାର ଗ୍ୟାରେଣ୍ଟି କିଏ ଦେବ? ସରକାର ବଦଳି ନଥିଲେ ତଦନ୍ତର ଏଭଳି କାରସାଦି ଧରାପଡିନଥାନ୍ତା? ଏହି ପ୍ରସଙ୍ଗରେ ଏହି ଆଶଙ୍କା ହେବା ସ୍ବାଭାବିକ ଯେ ପୋଲିସ ଦ୍ବାରା ମିଥ୍ୟା ମୋକଦ୍ଦମା, ମନଗଢା ସାକ୍ଷ୍ୟ ଓ ତଦନ୍ତରେ ଯଦି କେହି ଛଟପଟ ହେଉଥିବ ତେବେ ଗୋଟିଏ ଶାସନ ପରିବର୍ତ୍ତନ ପର୍ଯ୍ୟନ୍ତ କ’ଣ ଅପେକ୍ଷା କରିବାକୁ ପଡିବ? ଏଭଳି କଳୁଷିତ ପୋଲିସ୍ ତଦନ୍ତ ବ୍ୟବସ୍ଥାରୁ ନିରୀହ ଲୋକମାନଙ୍କୁ ମୁକ୍ତି ପାଇଁ  ଆମ ବିଚାର ବ୍ୟବସ୍ଥା ସଚେତନ ହୋଇ ପ୍ରକାଶ ସିଂହ କେସ୍ ରେ ମାନ୍ୟବର ସୁପ୍ରିମ୍ କୋର୍ଟ୍ ପୋଲିସ୍ ଅଭିଯୋଗ କର୍ତ୍ତୃପକ୍ଷ ପ୍ରତିଷ୍ଠା ପାଇଁ ଦେଇଥିବା ନିର୍ଦ୍ଦେଶ ଲାଗୁ କରିବାରେ ରାଜ୍ୟ ସରକାର ଗୁଡିକ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଲୋକସଂଖ୍ୟା ବନାମ ସଂକୁଚିତ ବିଚାର କ୍ଷେତ୍ର   ୧୨୦ କୋଟି ଭାରତବାସୀଙ୍କ ପାଇଁ ଯେତିକି ବିଚାରାଳୟ ଓ ବିଚାରପତି ରହିବା କଥା ତାହା ନାହିଁ। ଏହା ଦ୍ବାରା ଏକ ପକ୍ଷରେ ନାଗରିକମାନଙ୍କ ଦୈନନ୍ଦିନ ଜୀବନ ସଂଶ୍ଳିଷ୍ଟ ମୋକଦ୍ଦମା ବଢୁଥିବାବେଳେ ବିଚାରପତି ଅଭାବରୁ ସେ ସବୁର ତୁରନ୍ତ ଫଇସଲା ହୋଇ ନପାରି ମୋକଦ୍ଦମାର ସଂଖ୍ୟା ବଢିଚାଲିଛି। କାରଣ ଆମଦେଶରେ ଆବଶ୍ୟକ ତୁଳନାରେ ବିଚାରପତିଙ୍କ ସଂଖ୍ୟା କମ ଯୋଗୁଁ ପରିସ୍ଥିତି ବିଷମ ଆଡକୁ ଗତିକଲାଣି । ପ୍ରତି ୧୦ ଲକ୍ଷ ଲୋକସଂଖ୍ୟାପାଇଁ ୫୦ ଜଣ ବିଚାରପତି ଆବଶ୍ୟକ ଥିବାବେଳେ ଆମ ଦେଶରେ ଏହା ୧୦ରେ ସୀମିତ । ନିକଟରେ ପ୍ରକାଶିତ ଏକ ସମୀକ୍ଷାରେ ଦର୍ଶାଯାଇଛି ଯେ ଦୈନନ୍ଦିନ ଜଣେ ବିଚାରପତିଙ୍କ ଶୁଣାଣି ପାଇଁ କଲିକତା ଉଚ୍ଚ ବିଚାରାଳୟରେ ପାଖାପାଖି ୧୬୦ଟି ମୋକଦ୍ଦମା ତାଲିକାଭୁକ୍ତ ହେଉଥିବାବେଳେ ଅନ୍ୟକେଉଁଠି ଏହାର ସଂଖ୍ୟା ୫୦ ରୁ ୫୫ ପର୍ଯ୍ୟନ୍ତ ରହିଥାଏ । ଏଭଳି ପରିସ୍ଥିତିରେ ଗୋଟିଏ ଗୋଟିଏ ମୋକଦ୍ଦମା ଶୁଣାଣିପାଇଁ ୧୦ ରୁ ୫ ମିନିଟ ସମୟ ମିଳିଥାଏ। ଏତେ ଅଳ୍ପ ସମୟ ମଧ୍ୟରେ ଉଭୟ ପକ୍ଷରୁ ଯୁକ୍ତି ଶୁଣିବା, ଆବେଦନ ଓ ପ୍ରତି ଆବେଦନକୁ ତର୍ଜମା କରି ରାୟ ଲେଖିବା ପାଇଁ ସମୟ ବାହାର କରିବା ଏକ ଅସାଧାରଣ ଦାୟିତ୍ବ ଓ କଠିନ ସମସ୍ୟା। ଅସଂଖ୍ୟ ଦଲିଲ ତର୍ଜମା କରି ଗୋଟିଏ ରାୟ ପ୍ରସ୍ତୁତି କରିବା ଏକ ଗୁରୁ ଦାୟୀତ୍ବ । ବିଚାରପତିମାନଙ୍କ କ୍ଷେତ୍ରରେ ଅତ୍ୟଧିକ ମାନସିକ ଚାପ ଏକ ସୁସ୍ଥ ନ୍ୟାୟ ବ୍ୟବସ୍ଥାପ୍ରତି ଆହ୍ବାନ ସାଙ୍ଗକୁ ସାଧାରଣ ନାଗରିକଙ୍କ ପ୍ରତି ଅନ୍ୟାୟ। ତେଣୁ ତ୍ବରିତ ନ୍ୟାୟ ପାଇଁ ଆବଶ୍ୟକ ସଂଖ୍ୟାରେ ବିଚାରପତି ନିଯୁକ୍ତ ହେବା ଅନିବାର୍ଯ୍ୟ। ବିଚାରପତି ନିଯୁକ୍ତି ବ୍ୟବସ୍ଥାକୁ ତ୍ବରାନିତ କରିବାପାଇଁ ମାନ୍ୟବର ପ୍ରଧାନ ବିଚାରପତି ନିକଟରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତିଙ୍କ ବୈଠକର ଗୁରୁତ୍ବ ଆରୋପ କରିଥିଲେ।   ଗଣମାଧ୍ୟମ ବନାମ ନ୍ୟାୟ ବିଚାର   ବିଚାରପତି ଆମ ପରମ୍ପରାରେ ଧର୍ମଅବତାର। ସାରା ବିଶ୍ବ ଜଣକୁ ଦୋଷୀ କହିଦେଇପାରେ କିନ୍ତୁ ଆଇନ୍ ଆଗରେ ଯଦି ଜଣେ ଦୋଷୀ ହୋଇପାରୁନାହିଁ ସମଗ୍ର ବିଶ୍ବର ମତାମତକୁ ଖାତିର ନକରି ରାୟ ଦେବାର ଅଧିକାରୀ ଅଟନ୍ତି ବିଚାରପତି। ଶହ ଶହ ନିରୀହ, ମିଥ୍ୟା ମୋକଦ୍ଦମାରେ ଷଢୁଥାଇପାରନ୍ତି କିନ୍ତୁ ରାଜନୈତିକ ଗୁରୁତ୍ବ ବହନ କରୁଥିବା ମୋକଦ୍ଦମା ଗୁଡିକ ଯେଭଳି ଭାବେ ଆଜିକାଲି ଗଣମାଧ୍ୟମରେ ପ୍ରଚାର ହେଉଛି, ତାଗ୍ଦର ପ୍ରଭାବରୁ ବିଚାରାଳୟ ମୁକ୍ତ ରହିବା କଠିନ। ବ୍ରିଟିଶ ମୁଖ୍ୟ ବିଚାରପତି ୱିଡ଼ ଗେରିଙ୍କ ମତରେ ସେ ହେଉଛନ୍ତି ଶ୍ରେଷ୍ଠ ବିଚାରପତି ଯେ ଦି ଡେଇଲି ମେଲର ପାଠକମାନଙ୍କ ପାଖରେ କମ ପରିଚିତ। ତେଣୁ ନ୍ୟାୟ ବିଚାର ବ୍ୟବସ୍ଥାର ବିକେନ୍ଦ୍ରୀକରଣ ପାଇଁ ସୁପ୍ରିମ କୋର୍ଟର ମଧ୍ୟ ବିକେନ୍ଦ୍ରିକରଣ ହେବା ଉଚିତ। ଭୁବନେଶ୍ବର, ମାଡ୍ରାସ, ନାଗପୁର ଭଳି ସ୍ଥାନରେ ସୁପ୍ରିମକୋର୍ଟର ସର୍କିଟ ବେଞ୍ଚ ପ୍ରତିଷ୍ଠା ହେବା ଉଚିତ। ସେହିଭଳି ହାଇକୋର୍ଟଗୁଡିକର ଏକାଧିକ ସର୍କିଟ ବେଞ୍ଚ ସ୍ଥାପନ କରି ନ୍ୟାୟ ବ୍ୟବସ୍ଥାକୁ ଲୋକଙ୍କ ନିକଟବର୍ତ୍ତୀ କରାଇବା ଏକ ମଙ୍ଗଳକାରୀ ରାଷ୍ଟ୍ରର ପରମ କର୍ତ୍ତବ୍ୟ। ଅଧିକ ବିଚାରପତି ନିଯୁକ୍ତି ସାଙ୍ଗକୁ ଅଭିଜ୍ଞତା ଓ ଦକ୍ଷତାକୁ ପ୍ରାଧାନ୍ୟ ମିଳିବା ଉଚିତ। ଉଚ୍ଚ ନ୍ୟାୟାଳୟ ଗୁଡିକର ବିକେନ୍ଦ୍ରୀକରଣରେ ବିଚାରବିଭାଗର ଏକାଗ୍ରତା ଓ ସ୍ବଚ୍ଛତା ନଷ୍ଟ ହେବ ନାହିଁ ବରଂ ଏହା ସୁଦୃଢ ଓ ଲୋକଙ୍କ ନିକଟବର୍ତ୍ତୀ ହେବ। ଦ୍ବାର ମୁହଁରେ ନ୍ୟାୟ ଓ ତ୍ବରିତ ନ୍ୟାୟ ପ୍ରଦାନ ଏକ ସମ୍ବିଧାନିକ ନିର୍ଦ୍ଦେଶ, ଯେଉଁଥିପାଇଁ ପାର୍ଲ୍ୟାମେଣ୍ଟ ଆଇନ ଜରିଆରେ ନ୍ୟାୟବ୍ୟବସ୍ଥାର ବିକେନ୍ଦ୍ରୀକରଣ ସ୍ଥିର ହେବା ଉତିତ। ଏ ଦିଗରେ ବିଚାରାଲୟର ସୁବିଧା ଅପେକ୍ଷା ନାଗରିକମାନଙ୍କ ସୁରକ୍ଷା ଓ ସୁବିଧା ପ୍ରାଥମିକତା ଲାଭ କରିବା ଉଚିତ। ପୂର୍ବତନ ଉପ-ବାଚସ୍ପତି, ଫୋନ :୯୪୩୭୪୧୨୮୭୭

Share :