ଚିଟ ଫଣ୍ଡର ପେଣ୍ଠସ୍ଥଳ ନବୀନ ନିବାସ?

ଚିଟ ଫଣ୍ଡର ପେଣ୍ଠସ୍ଥଳ ନବୀନ ନିବାସ?

Share :

ଚିଟ ଫଣ୍ଡ ଦୁର୍ନୀତିରେ ବିଜୁ ଜନତା ଦଳ ଓ ଏହାର ଜଣକ ପରେ ନେତାଙ୍କ ନାମ ଅଭିଯୋଗ ତାଲିକାରେ ଚଢ଼ିବା ବାସ୍ତବରେ ଏହି ଦଳର ନିଷ୍ଠା ଓ ନିୟତ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି କରିବା ସ୍ବାଭାବିକ। ଏହି ଦୁର୍ନୀତିର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ବା ସିବିଆଇ ଇତିମଧ୍ୟରେ କେତେ ଜଣ ନେତାଙ୍କୁ ଗିରଫ କରି ବିଚାରାଧୀନ ବନ୍ଦୀ ଭାବେ କାରାଗାରରେ ରଖିଛନ୍ତି। ସଂଂସଦରେ ଉପସ୍ଥାପିତ ତଥ୍ୟ ଅନୁସାରେ ସାରା ଦେଶରେ ମୋଟ ୯ ଜଣ ଜନ ପ୍ରତିନିଧି ଏହି ଦୁର୍ନୀତିର ସଂପୃକ୍ତ ଥିବା ଅଭିଯୋଗରେ ଜେଲରେ ଅଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ୪ ଜଣ ନେତା। ସେମାନେ ହେଲେ ବିଜୁ ଜନତା ଦଳର ମୟୂରଭଂଜ ଲୋକସଭା ସଦସ୍ୟ ରାମଚନ୍ଦ୍ର ହାଁସଦା, ଦଳର ପୂର୍ବତନ କେନ୍ଦୁଝର ବିଧାୟକ ସୁବର୍ଣ୍ଣ ନାୟକ ଏବଂ ପୂର୍ବତନ ବିଜେପି ବିଧାୟକ ହିତେଶ ବଗର୍ତ୍ତି। ବଗର୍ତ୍ତି ପୂର୍ବରୁ ବିଜୁ ଜନତା ଦଳରେ ଥିଲେ।   ଏମାନଙ୍କ ବ୍ୟତିତ ବିଜୁ ଜନତା ଦଳର ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀ ମଧ୍ୟ ଗିରଫ ହୋଇ ଜେଲ୍ ଯାଇଥିଲେ। କିନ୍ତୁ ସୌଭାଗ୍ୟ ବଶତଃ ତାଙ୍କୁ ଜାମିନ ମିଳିଯାଇଛି। ସେହିପରି ତାଙ୍କ ସହଯୋଗୀ ତଥା ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଂଜନ ଦାସ ଦୁଇ ଦୁଇ ଥର ଗିରଫ ହୋଇ ଜେଲ୍ ଯାଇଥିବାବେଳେ ଆଶିଷ ସାହୁ ସିବିଆଇ ଜେରାର ସମ୍ମୁଖୀନ ହୋଇଛନ୍ତି। ସବୁଠୁ ବଡ଼ କଥା ହେଉଛି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଘରୋଇ କର୍ମଚାରୀରୁ ଦଳୀୟ କାର୍ଯ୍ୟରେ ତାଙ୍କର ପ୍ରାଧିକୃତ ସ୍ବାକ୍ଷରକାରୀ ହୋଇଥିବା ସରୋଜ ସାହୁଙ୍କୁ ମଧ୍ୟ ସିବିଆଇ ଜେରା କରିଛି। ସରୋଜଙ୍କ ମାର୍ଫତରେ ସିସୋର ଚିଟ ଫଣ୍ଡ ସଂସ୍ଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ କେଇ କୋଟି ଟଙ୍କାର ଲାଞ୍ଚ ଦେଇଥିବା ଅଭିଯୋଗ ରହିଛି।   ଏବକୁ ପୁଣି ଏହି ଦୁର୍ନୀତିରେ ମନ୍ତ୍ରୀ ସଂଜୟ ଦାସବର୍ମା ଓ ଅରୁଣ ସାହୁଙ୍କ ନାଁ ଉଠିଲାଣି। ଏମାନେ ବିଭିନ୍ନ ଚିଟ ଫଣ୍ଡ ସଂସ୍ଥା ସହିତ ସିଧାସଳଖ କିମ୍ବା ପରୋକ୍ଷ ଭାବେ ଜଡ଼ିତ ଥିବା ଅଭିଯୋଗ ରହିଛି। ଅବଶ୍ୟ, ଓଡ଼ିଶା ଚିଟ୍ ଫଣ୍ଡ ଦୁର୍ନୀତିର କଂଗ୍ରେସ ଯୁବନେତା ରଜତ ଚୌଧୁରୀ ଓ ବିଜେପିର କେତେକ ନେତାଙ୍କ ନାଁ ମଧ୍ୟ ସନ୍ଦେହ ପରିସରକୁ ଆସିଛି। ଅର୍ଥତତ୍ତ୍ବ ଓ ଏସଏଲବି ଚିଟ ଫଣ୍ଡ ସଂସ୍ଥା ଏବଂ ଏମାନଙ୍କ ସହଯୋଗ ହାସଲ କରିଥିବା କେତେକ ଗଣମାଧ୍ୟମ ସହିତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ବିଜେପିର ପୂର୍ବତନ ସଭାପତି କନକ ବର୍ଦ୍ଧନ ସିଂହଦେଓ ଜଡ଼ିତ ଥିବା ନେଇ ବିଜେଡି ପକ୍ଷରୁ ପାଲଟା ଅଭିଯୋଗ ହୋଇଛି।   ସରୋଜ ସାହୁ ଜେରାର ସମ୍ମୁଖୀନ ହେବା ପରେ ଏହି ଦୁର୍ନୀତିର ତଦନ୍ତ ପ୍ରକ୍ରିୟା ମନ୍ଥର ହୋଇଯାଇଛି। ତେଣୁ ଏହାକୁ ନେଇ ରାଜ୍ୟ କଂଗ୍ରେସ ଉଭୟ ବିଜେଡି ଓ ବିଜେପିକୁ ଦୋଷ ଦେଉଛି। ବିଜେଡିକୁ ସହାୟତା କରିବା ପାଇଁ କେନ୍ଦ୍ରର ମୋଦି ସରକାର ଚିଟ ଫଣ୍ଡ ଦୁର୍ନୀତିର ତଦନ୍ତ ଧିମେଇବାକୁ କିମ୍ବା ବିଜେଡି ନେତାଙ୍କ ପ୍ରତି କୋହଳ ଆଭିମୁଖ୍ୟ ଗ୍ରହଣ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସିବିଆଇ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରେ।   ଏକଥା ଉଠାଇ ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ ବିଜୁ ଜନତା ଦଳଠାରୁ କେତେକ ପ୍ରଶ୍ନର ଉତ୍ତର ମାଗିଛନ୍ତି। ଏନେଇ ବିଜେଡି ଚୋରି କରି ଚୌକିଦାରୀ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଶାସକ ବିଜୁ ଜନତା ଦଳ ତାଳୁରୁ ତଳିପା ସଂପୃକ୍ତ ଅଛି। ବିଧାୟକଙ୍କଠାରୁ ମନ୍ତ୍ରୀ ଏପରିକି ମୁଖ୍ୟମନ୍ତ୍ରୀଙ୍କ ସଂପୃକ୍ତିକୁ ନେଇ ଅଭିଯୋଗ ଆସିଲାଣି। କିଛି ଦିନ ତଳେ ବିଜେଡ଼ି ଲୟର୍ସ ଫୋରମ ବୈଠକରେ ଯୋଗଦେଇ ଚିଟ ଫଣ୍ଡ କେଳେଙ୍କାରୀର ତଦନ୍ତ କରୁଥିବା କମିଶନର ଅଧ୍ୟକ୍ଷ ଜଷ୍ଟିସ ଏମଏମ ଦାସ ଯେଉଁଭଳି ଭାବରେ ନିରୀହ ଜମାକାରୀଙ୍କୁ ଉପହାସ ଓ ବିରୋଧୀ ଦଳଙ୍କୁ ଆକ୍ଷେପ କଲେ ତାହା ଅତ୍ୟନ୍ତ ନିନ୍ଦନୀୟ। ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଏଯାଏଁ ମୁହଁ ନଖୋଲିବା ସରମର କଥା।   ପ୍ରସାଦ କହିଛନ୍ତି ଯେ ସାଂସଦ ପ୍ୟାରୀମୋହନ ମହାପାତ୍ର ନିକଟରେ ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସିସୋର ମାଲିକ ପ୍ରଶାନ୍ତ ଦାସ ନବୀନ ନିବାସ ଯାଇ ସାକ୍ଷାତ କରିବା ସହ ସରୋଜଙ୍କୁ ଟଙ୍କା ଦେବା ପାଇଁ ତାଙ୍କୁ ପରାମର୍ଶ ଦିଆଯାଇଥିଲା ବୋଲି ଯାହା ଉଲ୍ଲେଖ କରିଛନ୍ତି ସେହି ପରିପ୍ରେକ୍ଷୀରେ ଏହି ନବୀନ ନିବାସ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସ କି ବୋଲି ପ୍ରଶ୍ନ କରିଛନ୍ତି। ଯେଉଁ ସରୋଜଙ୍କୁ ଟଙ୍କା ଦେବାପାଇଁ କୁହାଗଲା ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରାଧିକୃତ ସ୍ବାକ୍ଷରକାରୀ ସରୋଜ ସାହୁ କି ନା ନାହିଁ? ଯେହେତୁ ମୁଖ୍ୟମନ୍ତ୍ରୀ, ତାଙ୍କ ବାସଭବନ ଓ ସରୋଜଙ୍କ ନାଁ ସିଧାସଳଖ ଭାବେ ନିଆଯାଇଛି ତେଣୁ ଉପରୋକ୍ତ  ପ୍ରଶ୍ନଗୁଡ଼ିକର ଉତ୍ତର ଅନ୍ୟ କେହି ନୁହେଁ ମୌନୀ ଅବତାର ଧରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି।

Share :