ପୋଡ଼ୁଛି ଜଙ୍ଗଲ, ବଢ଼ୁଛି କେମିତି?

ପୋଡ଼ୁଛି ଜଙ୍ଗଲ, ବଢ଼ୁଛି କେମିତି?

Share :

ଜଙ୍ଗଲ ହେଉଛି ଖାଦ୍ୟ ଓ ଔଷଧର ଭଣ୍ଡାର। ପଶୁପକ୍ଷୀ ଓ ମଣିଷଙ୍କ ପାଇଁ ଜଙ୍ଗଲରେ ବିବିଧ ପ୍ରକାର ଖାଦ୍ୟ ଓ ଔଷଧୀୟ ଗୁଳ୍ମ, ଘାସ ଓ ବୃକ୍ଷଲତା ରହିଛି। ଏହା ବ୍ୟତିତ ଜଙ୍ଗଲ ହେଉଛି ହଜାର ହଜାର ପଶୁପକ୍ଷୀଙ୍କ ବାସଘର। ଅମ୍ଳଯାନର ମାଗଣା ଫ୍ୟାକ୍ଟ୍ରି। ଶୀତଳ ପବନର ଅନ୍ୟତମ ମୁଖ୍ୟ ସୂତ୍ର। ଭୂତଳ ଜଳ ଉପରକୁ ଉଠାଇବାର ସବୁଠୁ ବଡ଼ ପମ୍ପ ଏବଂ ଭୂପୃଷ୍ଠ ଜଳକୁ ଅଯଥା ନିମ୍ନଗାମୀ ହେବାରୁ ରୋକିବାର ପ୍ରାକୃତିକ ବନ୍ଧ। ଆକାଶରେ ଉଡ଼ିଯାଉଥିବା ବାଦଲକୁ ଟାଣି ଆଣେ ଜଙ୍ଗଲ, ବାଦଲକୁ ବର୍ଷାବିନ୍ଦୁରେ ପରିଣତ କରେ ଜଙ୍ଗଲ। ଜାଳେଣୀ ଓ ଅଣଜାଳେଣୀ କାଠର ଗନ୍ତାଘର ହେଉଛି ଜଙ୍ଗଲ।   ଆମ ଜଙ୍ଗଲ କିନ୍ତୁ ପୋଡ଼ି ଯାଉଛି। ଓଡ଼ିଶା ସରକାରଙ୍କର ଧ୍ୟାନ ସେଥିରେ ନାହିଁ। ବିକାଶ ନାଁରେ ଜଙ୍ଗଲ ପଦା କରିବା ଯାହାର ମୁଖ୍ୟ କାମ ସିଏ ଜଙ୍ଗଲ ସୁରକ୍ଷା ଉପରେ ଜୋର ଦେବ କାହିଁକି? ଜଙ୍ଗଲ ଜଳିଗଲେ ବରଂ ସରକାରୀ ନେତା ଓ ବାବୁମାନଙ୍କର ଲାଭ। ଜଙ୍ଗଲ ପଦା ହେଲେ ସେମାନେ ସେହି ଜମିକୁ କୋଉ ଶିଳ୍ପପତି ବା ବ୍ୟବସାୟୀଙ୍କୁ ଅର୍ପଣ କରିପାରିବେ, ପ୍ରତିବଦଳରେ କୋଟିକୋଟି ଟଙ୍କାର ଲାଞ୍ଚ ଖାଇପାରିବେ। ନହେଲେ ବନ୍ଧୁବାନ୍ଧବ କୁଟୁମ୍ବ ସହକାରେ ସେହି ଜମିକୁ ହଡ଼ପ କରିନଇ ପାରିବେ। ଜଙ୍ଗଲ ସୁରକ୍ଷା ଆଳରେ ସୃଷ୍ଟି ହୋଇଥିବା ବନ ବିଭାଗର ମୁଖ୍ୟ କାମ ଯେତେବେଳେ ଜଙ୍ଗଲ ଠିକା ଦେବା ଓ ପୁରୁଣା ଗଛ କାଟି ଚାରା ରୋପଣ କରିବା ସେତେବେଳେ ଜଙ୍ଗଲ ପୋଡ଼ିଗଲେ ସେମାନେ ଖୁସି ମନାଇବା କଥା। ଦୋଷ ତ’ ଆଦିବାସୀଙ୍କ ପୋଡ଼ୁଚାଷ ଉପରେ ଲଦି ଦିଆଯାଇ ପାରେ ନା!   ଗତ ୭ ବର୍ଷ ମଧ୍ୟରେ ରାଜ୍ୟର ପ୍ରାୟ ୭,୮୧୯ ହେକ୍ଟର ଜଙ୍ଗଲ ନିଆଁରେ ଜଳି ପାଉଁଶ ହୋଇଯାଇଛି। ଚଳିତ ବର୍ଷ ସବୁଠୁ ଅଧିକ ଜଙ୍ଗଲ ନିଆଁରେ ପୋଡ଼ି ପାଉଁଶ ହୋଇଗଲାଣି। ୨୦୧୬ ଅପ୍ରେଲ ମାସ ଶେଷ ସୁଦ୍ଧା ପାଖାପାଖି ୧୫୭୮.୧୦ ହେକ୍ଟର ଜଙ୍ଗଲ ନିଆଁରେ ଜଳିଯାଇଛି। ଏବେ ବି ଅନେକ ଜଙ୍ଗଲରେ ନିଆଁ ଲାଗି ରହିଥିବାରୁ ଏହି ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି। ଖୋଦ ରାଜ୍ୟ ସରକାର ରାଜ୍ୟ ବିଧାନସଭାରେ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି। ଏଥିରୁ ଜଙ୍ଗଲ ସୁରକ୍ଷା ଦିଗରେ ଏ ସରକାର କେତେ ଆଗ୍ରହୀ ଓ ଦକ୍ଷ ତାହା ପ୍ରମାଣିତ ହୋଇଯାଇଛି।   ତଥାପି ନିଆଁ ଲିଭାଇବା ପାଇଁ ରାଜ୍ୟର ୩୭ଟି ବନଖଣ୍ଡରେ ୨୧୬ଟି ନିଆଁ ଲିଭାଳି ସ୍କ୍ୱାଡକୁ ନିୟୋଜିତ କରାଯାଇଛି ବୋଲି ସରକାର କହୁଛନ୍ତି। ଏ ସ୍କ୍ବାଡ଼ ଜଙ୍ଗଲ ନିଆଁ ଲିଭାଉଛନ୍ତି କି ନିଜ ଅର୍ଥଲାଳସା ଚରିତାର୍ଥ କରୁଛନ୍ତି ତାହା ସରକାରଙ୍କୁ ଜଣା। ନିଆଁ ଜଙ୍ଗଲର କେଉଁଠି ଲାଗିଛି ଦେଖିବା ପାଇଁ ୨୧୬୦ ଜଣ ଫାୟାର ୱାଚରଙ୍କୁ ନିୟୋଜିତ କରାଯାଇଛି। ଏମାନେ ଜଙ୍ଗଲର ଅନ୍ଦିକନ୍ଦି ବୁଲି କି ନିଆଁ ଖୋଜୁଥିବେ ପରା!   ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରଦାନ କରିଥିବା ତଥ୍ୟ ଅନୁଯାୟୀ, ପ୍ରାୟ ପ୍ରତି ବର୍ଷ ବାଲିଗୁଡ଼ା ଓ ପାରଳାଖେମୁଣ୍ଡି ବନଖଣ୍ଡରେ ନିଆଁ ଲାଗୁଛି। ୨୦୧୦ରୁ ୧୬ ମଧ୍ୟରେ ପାରଳାଖେମୁଣ୍ଡି ବନଖଣ୍ଡରେ ପାଖାପାଖି ୩୧୧ ହେକ୍ଟର ଜଙ୍ଗଲ ନିଆଁରେ ପୋଡ଼ି ନଷ୍ଟ ହୋଇଗଲାଣି। ପାରଳାଖେମୁଣ୍ଡି ବନଖଣ୍ଡରେ ନିଆଁଲାଗି ୨୦୧୦ରେ ୪.୨୨, ୨୦୧୧ରେ ୧୨୪.୬୮, ୨୦୧୩ରେ ୧୭, ୨୦୧୪ରେ ୮୩, ୨୦୧୫ରେ ୧୪ ଓ ୨୦୧୬ରେ ୮୨ ହେକ୍ଟର ଜଙ୍ଗଲ ଭସ୍ମ ହୋଇଯାଇଛି। ଅନୁରୂପ ଭାବେ ଏହି ୭ ବର୍ଷ ମଧ୍ୟରେ ବାଲିଗୁଡ଼ା ବନଖଣ୍ଡର ପାଖାପାଖି ୫୯୧ ହେକ୍ଟର ଜଙ୍ଗଲ ପୋଡ଼ିଯାଇଛି। ୨୦୧୦ରେ ବାଲିଗୁଡ଼ା ବନାଞ୍ଚଳର ୧୦୦ ହେକ୍ଟର ଜଙ୍ଗଲ ପୋଡ଼ି ଯାଇଥିବାବେଳେ ୨୦୧୧ରେ, ୧୨୨.୧, ୨୦୧୨ରେ ୩୧୪, ୨୦୧୩ରେ ୪.୬, ୨୦୧୪ରେ ୪୨.୫, ୨୦୧୫ରେ ୭.୫୫ ଓ ୨୦୧୬ରେ ୨.୨୪ ହେକ୍ଟର ଜଙ୍ଗଲ ଜଳିଯାଇଛି।   ୨୦୧୦ ମସିହାରେ ରାଜ୍ୟର ସମସ୍ତ ୩୭ ବନଖଣ୍ଡରୁ ନିଆଁରେ ୨୨୫୧.୭୧ ହେକ୍ଟର ଜଙ୍ଗଲ ପୋଡ଼ିଯାଇଥିବାବେଳେ ୨୦୧୧ରେ ୧୧୩୫.୫୮ ହେକ୍ଟର ଜଙ୍ଗଲ ପୋଡ଼ି ନଷ୍ଟ ହୋଇଥିଲା। ସେହିପରି ୨୦୧୨ରେ ୯୬୦ ହେକ୍ଟର, ୨୦୧୩ରେ ୧୬୨ ହେକ୍ଟର, ୨୦୧୪ରେ ୮୮୧ ହେକ୍ଟର, ୨୦୧୫ରେ ୮୪୯ ହେକ୍ଟର ଜଙ୍ଗଲ ନିଆଁରେ ଜଳିଯାଇଛି। ଅନୁଗୁଳ ବନଖଣ୍ଡରେ ମାତ୍ର ୨ ବର୍ଷ ନିଆଁ ଲାଗିଛି। ୨୦୧୨ରେ ନିଆଁଲାଗି ୩୮ ହେକ୍ଟର ଓ ୨୦୧୬ରେ ୧୮ ହେକ୍ଟର ପୋଡ଼ି ଯାଇଛି। ଆଠମଲ୍ଲିକ ବନଖଣ୍ଡରେ ଚଳିତ ବର୍ଷ ନିଆଁ ଲାଗି ୫୪୧ ହେକ୍ଟର ଜଙ୍ଗଲ ଜଳିଯାଇଛି। ଆଠଗଡ଼ ବନଖଣ୍ଡରେ ନିଆଁ ପ୍ରକୋପରେ ଯଥାକ୍ରମେ ୨୦୧୦ରେ ୧୪.୮ ହେକ୍ଟର, ୨୦୧୨ରେ ୫୧ ହେକ୍ଟର, ୨୦୧୫ରେ ୦.୨ ଓ ୨୦୧୬ରେ ୩୪ ହେକ୍ଟର ଜଙ୍ଗଲ ଜଳିଯାଇଛି। ବାଲେଶ୍ୱର ସଂରକ୍ଷିତ ଜଙ୍ଗଲରେ ୨୦୧୦ରେ ନିଆଁ ଲାଗି ୪୯୧, ୨୦୧୨ରେ ୦.୨, ୨୦୧୩ରେ ୨.୪ ହେକ୍ଟର ଜଙ୍ଗଲ ପୋଡ଼ିଯାଇଛି। ତେବେ ୨୦୧୨ ପରଠାରୁ ବାଲେଶ୍ୱର ସଂରକ୍ଷିତ ଜଙ୍ଗଲ ଆଉ ନିଆଁ ଦ୍ୱାରା ପ୍ରଭାବିତ ହୋଇନାହିଁ।   ରାଇରଂଗପୁର ବନଖଣ୍ଡରେ ମାତ୍ର ଥରେ ୨୦୧୧ରେ ନିଆଁ ଲାଗି ୦.୫ ହେକ୍ଟର ଜଙ୍ଗଲ ଧ୍ୱଂସ ହୋଇଛି। ୨୦୧୧ ପରଠାରୁ ଉକ୍ତ ବନଖଣ୍ଡରେ ଆଉ ନିଆଁ ଲାଗିନାହିଁ। ବାରିପଦା ବନଖଣ୍ଡରେ ୨୦୧୨ରେ ନିଆଁ ଲାଗି ୧୫୪ ହେକ୍ଟର ଓ ଚଳିତ ବର୍ଷ ୨୦୧୬ରେ ୭୩.୭୦ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଛି। କଂରଜିଆ ବନାଞ୍ଚଳରେ ୨୦୧୨ ଓ ୨୦୧୬ରେ ନିଆଁ ଲାଗି ୦.୫୨ ହେକ୍ଟର ଓ ୩.୭୪ ହେକ୍ଟର ଜଙ୍ଗଲ ଭସ୍ମୀଭୂତ ହୋଇଛି। ଏସ‌ଟିଆର ବାରିପଦାରେ ୨ ଥର ନିଆଁ ଲାଗିଛି। ଥରେ ୨୦୧୨ରେ ନିଆଁ ଲାଗି ୦.୮୫ ଓ ଚଳିତ ବର୍ଷ ୩୨.୬୩ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଛି। ବ୍ରହ୍ମପୁର ବନଖଣ୍ଡରେ ୨ ଥର ୨୦୧୧ରେ ନିଆଁଲାଗି ୧ ହେକ୍ଟର ଓ ୨୦୧୨ରେ ୧୬ ହେକ୍ଟର ଜଙ୍ଗଲ ପୋଡ଼ିଯାଇଥିଲା। ବରଗଡ଼ ବନଖଣ୍ଡରେ ୨୦୧୦ରେ ନିଆଁଲାଗି ୫ ହେକ୍ଟର, ୨୦୧୨ରେ ୨.୩, ୨୦୧୪ରେ ୮.୫, ୨୦୧୫ରେ ୨୯.୫ ହେକ୍ଟର ଜଙ୍ଗଲ ପାଉଁଶ ହୋଇଯାଇଥିଲା। ଏହି ସମୟ ମଧ୍ୟରେ ବଲାଙ୍ଗିର ବନଖଣ୍ଡରେ ୪ ଥର ନିଆଁ ଲାଗିଛି। ୨୦୧୦ରେ ୯ ହେକ୍ଟର, ୨୦୧୪ରେ ୧୨୭, ୨୦୧୫ରେ ୦.୬ ଓ ୨୦୧୬ ଅପ୍ରେଲ ମାସ ମଧ୍ୟରେ ୩୭.୪୫ ହେକ୍ଟର ଜଙ୍ଗଲ ପୋଡ଼ି ନଷ୍ଟ ହୋଇଯାଇଛି। ସୁବର୍ଣ୍ଣପୁର ବନଖଣ୍ଡରେ ୨୦୧୦ରେ ୫.୪ ହେକ୍ଟର, ୨୦୧୨ରେ ୦.୫, ଓ ୨୦୧୬ରେ ୩.୫୦ ଜଙ୍ଗଲ ନିଆଁ ପ୍ରକୋପରେ ଭସ୍ମ ହୋଇଛି।   ବୌଦ୍ଧ ବନଖଣ୍ଡରେ ନିଆଁଲାଗି ୨୦୧୧ରେ ୩.୫, ୨୦୧୩ରେ ୦,୨, ୨୦୧୫ରେ ୧ ଓ ୨୦୧୬ରେ ୧୯ ହେକ୍ଟର ଜଙ୍ଗଲ ଜଳିଯାଇଛି। ଚନ୍ଦକା ସଂରକ୍ଷିତ ଜଙ୍ଗଲରେ ୨୦୧୩ ମସିହାରୁ ନିଆଁ ଲାଗୁଛି। ୨୦୧୩ରେ ଚନ୍ଦକା ସଂରକ୍ଷିତ ବନଖଣ୍ଡରେ ନିଆଁ ଲାଗି ୯.୫, ୨୦୧୪ରେ ୦.୭୪ ଓ କେବଳ ୨୦୧୬ରେ ୪୩ ହେକ୍ଟର ଜଙ୍ଗଲ ଜଳି ପାଉଁଶ ହୋଇଯାଇଛି। କଟକ ବନଖଣ୍ଡ ଓ ପୁରୀ ସଂରକ୍ଷିତ ବନଖଖଣ୍ଡ ନିଆଁ ପ୍ରକୋପରେ ସବୁଠୁ କମ କ୍ଷତିଗ୍ରସ୍ତ ହୋଇଛ। କଟକ ବନଖଣ୍ଡରେ ୨୦୧୪ରେ ନିଆଁ ଲାଗି ୧ ହେକ୍ଟର ଓ ୨୦୧୫ରେ ୨ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଥିଲା ବେଳେ ପୁରୀ ସଂରକ୍ଷିତ ବନଖଣ୍ଡରେ କେବେଳ ୨୦୧୬ରେ ମାତ୍ର ଥରେ ଅଗ୍ନିକାଣ୍ଡ ଘଟି ୧.୩୦ ହେକ୍ଟର ଜଙ୍ଗଲ ପୋଡ଼ିଯାଇଛି। କଟକ ଓ ପୁରୀ ଜିଲ୍ଲାରେ ବାସ୍ତବରେ ଜଙ୍ଗଲ ଥିଲା ପରି ଲାଗେ ନାହିଁ। କେଜାଣି ରେକର୍ଡ଼ପତ୍ରରେ କିଛି ଜଙ୍ଗଲ ଥାଇପାରେ!   ମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ ଢେଙ୍ଗାନାଳ ବନଖଣ୍ଡରେ ନିଆଁ ଲାଗି ୨୦୧୦ରେ ୦.୫, ୨୦୧୧ରେ ୦.୫, ୨୦୧୨ରେ ୨୩, ୨୦୧୪ରେ ୧.୩୫, ୨୦୧୫ରେ ୪.୯ ଓ ୨୦୧୬ରେ ୧୪.୭୦ ହେକ୍ଟର ଜଙ୍ଗଲ ଜଳି ନଷ୍ଟ ହୋଇଛି। ଘୁମସୁର (ଉତ୍ତର) ବନଖଣ୍ଡରେ ନିଆଁଲାଗି ୨୦୧୧ରେ ୧୦, ୨୦୧୨ରେ ୩୩, ୨୦୧୪ରେ ୧୫୭, ୨୦୧୫ରେ ୧୨ ଓ ୨୦୧୬ରେ ୫ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଛି। ଘୁମସୁର (ଦକ୍ଷିଣ) ବନଖଣ୍ଡରେ ୨୦୧୨ରେ ଅଗ୍ନିକାଣ୍ଡ ଘଟି ୫୦ ହେକ୍ଟର, ୨୦୧୪ରେ ୬, ୨୦୧୫ରେ ୧୫୪ ଓ ୨୦୧୬ରେ ୭ ହେକ୍ଟର ଜଙ୍ଗଲ ଭସ୍ମ ହୋଇଯାଇଛି। କେନ୍ଦୁଝର ବନଖଣ୍ଡରେ ନିଆଁଲାଗି ୨୦୧୦ରେ ୭୧, ୨୦୧୧ରେ ୨୩, ୨୦୧୩ରେ ୬୪ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଛି। ଏହାସହ କେନ୍ଦୁଝର ସଂରକ୍ଷିତ ବନାଞ୍ଚଳରେ ୨୦୧୦ରେ ନିଆଁଲାଗି ୨୫, ୨୦୧୧ରେ ୧ ହେକ୍ଟର, ୨୦୧୨, ୨୪ ଓ ୨୦୧୩ରେ ୨୫ ହେକ୍ଟର ଜଙ୍ଗଲ କ୍ଷତିଗ୍ରସ୍ତ ହୋଇଥିଲା। ଜୟପୁର ବନଖଣ୍ଡରେ ୪ ଥର ନିଆଁ ଲାଗିଛି। ଜୟପୁର ବନଖଣ୍ଡରେ ୨୦୧୦ରେ ନିଆଁଲାଗି ୬.୫, ୨୦୧୩ରେ ୧୦, ୨୦୧୪ରେ ୫୯ ଓ ୨୦୧୫ରେ ୪ ହେକ୍ଟର ଜଙ୍ଗଲ ପୋଡ଼ି ନଷ୍ଟ ହୋଇଯାଇଥିଲା।   କଳାହାଣ୍ଡି (ଉତ୍ତର) ବନଖଣ୍ଡରେ ଅଗ୍ନିକାଣ୍ଡରେ ୨୦୧୦ରେ ୪୯ ହେକ୍ଟର, ୨୦୧୧ରେ ୭୨, ୨୦୧୪ରେ ୫୯ ଓ ୨୦୧୬ରେ ୩୯ ହେକ୍ଟର ଜଙ୍ଗଳ ଜଳିଯାଇଛି। କଳାହାଣ୍ଡି (ଦକ୍ଷିଣ) ବନଖଣ୍ଡରେ ଅଗ୍ନିକାଣ୍ଡରେ ୨୦୧୦ରେ ୪୦, ୨୦୧୧ରେ ୮୪, ୨୦୧୨ରେ ୧୪୦, ୨୦୧୪ରେ ୩୬ ହେକ୍ଟର ଜଳି ନଷ୍ଟ ହୋଇଯାଇଥିଲା। ଖୋର୍ଦ୍ଧା ବନଖଣ୍ଡରେ ମାତ୍ର ୨ ଥର ଅଗ୍ନିକାଣ୍ଡ ଘଟିଛି। ଖୋର୍ଦ୍ଧା ବନଖଣ୍ଡରେ ୨୦୧୦ରେ ନିଆଁଲାଗି ୧୩୩ ଓ ୨୦୧୧ରେ ୬ ହେକ୍ଟର ଜଙ୍ଗଲ ପୋଡ଼ି ନଷ୍ଟ ହୋଇଥିଲା। ନୟାଗଡ଼ ବନଖଣ୍ଡରେ ୩ ଥର ନିଆଁ ଲାଗି ୨୦୧୦ରେ ୫୮୮, ୨୦୧୧ରେ ୧ ହେକ୍ଟର ଓ ୨୦୧୬ରେ ୨୨୫ ହେକ୍ଟର ଜଙ୍ଗଲ ଜଳିଯାଇଛି।      ଜଙ୍ଗଲ ନିଆଁ ରୋକିବା ପାଇଁ ସାଟେଲାଇଟ‌ ବ୍ୟବହାର କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ସାଟେଲାଇଟ ଦ୍ବାରା ନିଆଁ ଲାଗିଥିବା ସ୍ଥାନ ନିରୂପଣ କରାଯାଇ ଲିଭାଇବା ପାଇଁ ବ୍ୟବସ୍ଥା କରାଯାଉଛି। ଯଦି ଏହା ତେବେ ନିଆଁ ଲାଗିଛି କି ନାହିଁ ଜାଣିବା ପାଇଁ ପୁଣି ଲୋକ କାହିଁକି ମୁତୟବନ ହୋଇଛନ୍ତି ବୁଝାପଡ଼ୁ ନାହିଁ। ମୁତୟନ ହୋଇଥିବା ଲୋକମାନେ କ’ଣ ଉପ୍ରଗହଠାରୁ ଅଧିକ ଅପହଂଚ ଅଂଚଳର ଚିତ୍ର ଉତ୍ତୋଳନ କରିପାରିବେ?   ମନ୍ତ୍ରୀ ପ୍ରଦାନ କରିଥିବା ଏହି ତଥ୍ୟ ରେକର୍ଡ଼ପତ୍ର ଆଧାରିତ କି ସତ୍ୟ ଆଧାରିତ ତାହା ବିଚାରଯୋଗ୍ୟ। ଏହି ମନ୍ତ୍ରୀ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ନବୀନ ସରକାର ଅମଳରେ ରାଜ୍ୟରେ ଜଙ୍ଗଲ ଆଚ୍ଛାଦନ ବୃଦ୍ଧି ପାଇଛି। ଅର୍ଥାତ ଏହି ସମୟ ମଧ୍ୟରେ ଜଙ୍ଗଲ ଅଂଚଳ ବଢ଼ିଛି। ବର୍ଷକୁ ବର୍ଷ ଏତ ଜଙ୍ଗଲ ପୋଡ଼ି ପାଉଁଶ ହେଉଥିବାବେଳେ ଜଙ୍ଗଲ ଆଚ୍ଛାଦନ ବଢ଼ିଲା କେମିତି? କଥାଟା ରହସ୍ୟଜନକ ବୋଧ ହେଉଛି। ଅଧିକ ଜଙ୍ଗଲ ପୋଡ଼ିଲେ ନିଆଁ ଲିଭାଇବାକୁ ଅଧିକ ଟଙ୍କା ଖର୍ଚ୍ଚ ହେବନି କି? ଆଜିକାଲି କଳା ହେଉ ବା ଧଳା- ଟଙ୍କା କିଏ ଚାହେଁନି ଯେ? ଜଙ୍ଗଲ ପୋଡ଼ିଲେ ସିନା ନିଆଁ ଲିଭାଯିବ, ଚାରା ଲଗାଯିବ, ସଚେତନତା ସୃଷ୍ଟି କରାଯିବ- ଏମିତି ଖର୍ଚ୍ଚର ବିଭିନ୍ନ ଆଳ ବାହାରିବ?   ତେବେ, ଏହା ମଧ୍ୟ ସତ ଯେ ଓଡ଼ିଶାର ଅନେକ ଜଙ୍ଗଲ ପ୍ରତିବର୍ଷ ଜଳେ। ତା’ ପଛରେ ଜଙ୍ଗଲ ମାଫିଆଙ୍କ ହାତ ଥାଏ କି ଜଙ୍ଗଲ ବିଭାଗ ଅଧିକାରୀଙ୍କର ତାହା ଅନୁସନ୍ଧାନ ସାପେକ୍ଷ।

Share :