ସାମ୍ୱାଦିକ ତୋଷାମୋଦି ଛାଡ଼ନ୍ତୁ

ସାମ୍ୱାଦିକ ତୋଷାମୋଦି ଛାଡ଼ନ୍ତୁ

Share :

ଅର୍ଗାନାଇଜେସନ ଅଫ ୟୁନାଇଟେଡ ୱାର୍କିଂ ଜର୍ଣ୍ଣାଲିଷ୍ଟସ (ଓୟୁଡବ୍ଲୁଜେ) ରାଜ୍ୟ ଶାଖା ପକ୍ଷରୁ ମେ ୭ ତାରିଖ ଶନିବାର ପୂର୍ବାହ୍ନ ୧୧ ଘଟିକା ସମୟରେ କୋଣାର୍କ ସ୍ଥିତ ଯାତ୍ରୀନିବାସର ବ୍ୟାଙ୍କ୍ବେ ହଲରେ ଦୁଇ ଦିନିଆ ସର୍ବ ଭାରତୀୟ ମହାଧିବେସନ ଉଦଘାଟିତ ହୋଇ ଯାଇଛି। ଓୟୁଡବ୍ଲୁଜେର ରାଜ୍ୟ ସଭାପତି ପୀତବାସ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମହାଧିବେସନକୁ ସମାଜର ସଂପାଦକ ନିରଞ୍ଜନ ରଥ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ସାମ୍ୱାଦିକ ସଂଘର ସଭାପତି କିଶନବାଲା ପଣ୍ଡିତ, ପୂର୍ବତନ ସଭାପତି ସୁରେଶ ଅଖାରି, ବିନୋଦ କୋହଲି, ବରିଷ୍ଠ ସାମ୍ୱାଦିକ ମଦନ ସିଂ, ଲେଫଟାଣ୍ଟ ଜେନେରାଲ ମହାନ୍ତି, ସାମ୍ୱାଦିକ ଅର୍ଦ୍ଧେନ୍ଦୁ ଦାସ, କାକଟପୁର ବିଧାୟକ ସୁରେନ୍ଦ୍ରନାଥ ସେଠୀ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ଭାରତୀୟ ଜନାତା ପାର୍ଟିର ରାଜ୍ୟ ସଭାପତି ବସନ୍ତ ପଣ୍ଡା, କୋଣାର୍କ ଏନଏସି ଅଧ୍ୟକ୍ଷା ଭାନୁମତୀ ରାଉତରାୟ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ।   କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିବା ପରେ ପରେ ରାଜ୍ୟ ସଭାପତି ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ। ଓୟୁଡବ୍ଲୁଜେର ସାଧାରଣ ସଂପାଦକ ରଜନୀକାନ୍ତ ସାମନ୍ତରାୟ ୟୁନିୟନର ବାର୍ଷିକ ବିବରଣୀ ପଠନ କରିଥିଲେ। ମଞ୍ଚାସୀନ ଅତିଥିମାନେ ସାମ୍ୱାଦିକମାନଙ୍କର ବହୁବିଧ ସମସ୍ୟା ସଂପର୍କରେ ବିଷଦ ଆଲୋଚନା କରିଥିଲେ। ସାମ୍ୱାଦିକମାନେ କୌଣସି ଚାପର ବଶବର୍ତ୍ତୀ ନ ହୋଇ ନିରପେକ୍ଷ ତଥା ପ୍ରାମାଣିକ ଓ ତଥ୍ୟଭିତ୍ତିକ ସତ୍ୟ ସମ୍ୱାଦ ପ୍ରକାଶନ ଦିଗରେ ନିର୍ଭିକ ଭାବରେ କାର୍ଯ୍ୟ ସଂପାଦନ କରିବା ସହ ତୋଷାମଦି ପ୍ରବୃତ୍ତିରୁ ଦୂରରେ ରହିବାକୁ ଆହ୍ବାନ ଦେଇଥିଲେ।   ଏହି ବୈଠକରେ ବିଗତ ଦିନମାନଙ୍କରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ହେଉଥିବା ଆକ୍ରମଣ, ସରକାରଙ୍କ ଉଦାସିନତା ଯୋଗୁଁ ସାମ୍ୱାଦିକମାନଙ୍କର ଗଣନା ଏଯାବତ ହୋଇ ପାରି ନ ଥିବା ବେଳେ ବିଭିନ୍ନ ଯୋଜନାରୁ ବଞ୍ଚିତ ହେବା ଓ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ସଂପର୍କରେ ଅତିଥିମାନଙ୍କ ଦ୍ୱାରା ସରକାରଙ୍କର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଗ୍ରାମାଞ୍ଚଳରେ କାର୍ଯ୍ୟରତ ସାମ୍ୱାଦିକମାନଙ୍କୁ  ଚିହ୍ନଟ କରି ସେମାନଙ୍କୁ  ପରିଚୟ ପତ୍ର, ବସ୍ ପାସ୍ ଓ ଭତ୍ତା ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯିବ ବୋଲି ରାଜ୍ୟ ସଭାପତି ମିଶ୍ର ପ୍ରକାଶ କରିଥିଲେ। ଦ୍ୱିତୀୟ ସେପାନରେ ଅତିଥି, ସାମ୍ୱାଦିକ, ଗବେଷକ ଓ ପର୍ଯ୍ୟଟନ ଶିଳ୍ପ ସହିତ ଜଡିତ ବ୍ୟକ୍ତିମାନଙ୍କୁ ନେଇ ପର୍ଯ୍ୟଟନ ଶିଳ୍ପରେ ଗଣମାଧ୍ୟମର ଭୂମିକା ସଂପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସାମ୍ୱାଦିକମାନଙ୍କ ଦ୍ୱାରା ଲିଖିତ ପୁସ୍ତକ ଚନ୍ଦ୍ରଭାଗାକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ସାମ୍ୱାଦିକତା, ସମାଜସେବା, କ୍ରୀଡ଼ା, ସାହସିକତା, କୃଷି ଓ ପ୍ରାଶାସନିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିଭା ସମ୍ପନ୍ନ ବ୍ୟକ୍ତିମାନଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା। ମହାଧିବେସନରେ ରାଜ୍ୟ ତଥା ରାଜ୍ୟ ବାହାରର ୩୦୦ରୁ ଅଧିକ ସାମ୍ୱାଦିକ ଯୋଗ ଦେଇଥିଲେ।

Share :