୫୦୦ ଲୋକଙ୍କୁ ୧ ନଳକୂଅ

୫୦୦ ଲୋକଙ୍କୁ ୧ ନଳକୂଅ

Share :

ଧର୍ମଗଡ ବ୍ଲକ ଅଧୀନରେ ଥିବା ଛଂଚାଣବାହାଲି ପଂଚାୟତ ଚନାମୁଣ୍ଡା ଗ୍ରାମରେ ଜଳ ସଙ୍କଟ ଦେଖା ଦେଇଛି। ଏହି ଗାଁରେ ଥିବା ୫ଟି ନଳକୂପ ମଧ୍ୟରୁ ଗୋଟିଏ ନଳକୂପରେ ପାଣି ବାହାରୁ ଥିବାରୁ  ଏଠାକାର ଲୋକେ ପାଣି ପାଇଁ ନାହି ନଥିବା ସମସ୍ୟା ଭୋଗୁଛନ୍ତି। ଗୋଟିଏ ନଳକୂପ ଭରସାରେ ଗ୍ରାମବାସୀ ରହୁଥିବାରି ପାଣି ସଂଗ୍ରହରେ ପ୍ରତି ଯୋଗିତା ଦେଖା ଦେଇଛି। ଚନାମୁଣ୍ଡା ଗ୍ରାମର ଶହ ଶହ ମହିଳା ନିଜ ନିଜର ଗରିଆ, ବାଳି ଓ ମାଟିହାଣ୍ଡି ଧରି ନଳକୂପ ଚାରିପଟେ ଜଗି ରହୁଛନ୍ତି। ଆଗକୁ ଖରାର ପ୍ରକୋପ ବଢିବା ସମ୍ଭାବନା ରହିଥିବାରୁ ପାଣି ସମସ୍ୟା ବର୍ତ୍ତମାନ ଠାରୁ ଗ୍ରାମବାସୀଙ୍କ ନିଦ ହଜେଇ ଦେଉଛି ବୋଲି ପାଣି ନେଉଥିବା ମହିଳାମାନେ ପ୍ରକାଶ କରିଛନ୍ତି। ଚନାମୁଣ୍ଡା ଗାଁରେ ଦେଖା ଦେଉଥିବା ପାଣି ସମସ୍ୟା ଦୂର କରିବା ପାଇଁ ପଂଚାୟତର ସରପଂଚ, ଧର୍ମଗଡ ବିଡିଓଙ୍କୁ କହିଥିଲେ ବି କାହାରି ଚେତା ପଶୁ ନାହି ବୋଲି ଭୂବନି ନାଏକ, ଗୁଣମଣି ମାଝି, ଧନମତି ରଣା ପ୍ରମୁଖ ପ୍ରକାଶ କରିଛନ୍ତି। ତୁରନ୍ତ ପାଣି ସମସ୍ୟା ଦୂର ନକଲେ ଆସନ୍ତା ଦିନରେ ଚନାମୁଣ୍ଡାବାସୀ ଓ ମହିଳାମାନେ ମାଟିହାଣ୍ଡି, ଗରିଆ ଧରି ପଂଚାୟତରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।   ଗ୍ରାମବାସୀଙ୍କଠାରୁ ମିଳିଥିବା ସୂଚନା ଅନୁଶାରେ ଚନାମୁଣ୍ଡା ଗ୍ରାମରେ ୫୦୦ ଜନସଂଖ୍ୟାର ଲୋକ ବସବାସ କରୁଛନ୍ତି। ଏମାନଙ୍କର ପିଇବା ପାଣି ସମସ୍ୟା ଦୂର କରିବା ପାଇଁ ଜଳ ଓ ପରିମଳ ବିଭାଗ ତରଫରୁ ୨ଟି ନଳକୂପ ଖନନ କରିଥିବା ବେଳେ ଗୋଟିଏ ନଳକୂପରୁ କମ ପାଣି ବାହାରୁଛି। ସେହିପରି ସେଠାରେ ଥିବା ପ୍ରାଥମିକ ବିଦ୍ୟାଳୟରେ ୩ଟି ନଳକୂପ ଖୋଲାଯାଇଛି ହେଲେ କୌଣସି ନଳକୂପରୁ ପାଣି ବାହାରୁନାହୋ ବୋଲି ଚନାମୁଣ୍ଡା ବାସୀ କହିଛନ୍ତି। ଅନ୍ୟପଟେ ଗାଁରେ ୩ଟି ପୋଖରୀ ରହିଛି। ସେ ସବୁ ପୋଖରୀର ପାଣି ଗତ ୧ ମାସ ତଳେ ଶୁଖଯାଇ ମାଟି ଆଁ କରିଛି। ଫଳରେ ପୋଖରୀ ପାଣି ବର୍ତ୍ତମାନ ସ୍ୱପ୍ନ ପାଲଟିଛି। ଖରା ଦିନ ଆସିଲେ ଏହି ଗ୍ରାମରେ ପାଣି ସମସ୍ୟା  ଉତ୍କଟ ହେଉଥିବା  ଓ ପିଇବା ପାଣି ଯୋଗାଣ ଦାବିର ସମାଧାନ ପାଇଁ ଚଳିତ ବର୍ଷ  ଗାଁର ଅଧା କିଲୋ ମିଟର ଦୂରରେ ଏକ ନଳକୂପ ଖୋଲାଯାଇଛି। ସେହି ନଳକୂପ ଭରସାରେ ଚନାମୁଣ୍ଡାବାସୀ ରହୁଛନ୍ତି ବୋଲି ପାଣି ସଂଗ୍ରହ ପାଇଁ ଅପେକ୍ଷାରତ ମହିଳା କ୍ଷୀର ମାଝି, ମାଳତି ନାଏକ, ବାସମତି ରଣା, ଲୋଚନ କାଣ୍ଡ ପ୍ରମୁଖ ପ୍ରକାଶ କରିଛନ୍ତି। ଶନିବାର ମଧ୍ୟାହ୍ନ ସମୟରେ ଚନାମୁଣ୍ଡା ଗ୍ରାମର ଶତାଧିକ ମହିଳା ନିଜ ନିଜର ମାଟିହାଣ୍ଡି, ଗରିଆ, ବାଳଟି ଧରି ଗାଁଠାରୁ ଅଧ କିଲୋମିଟର ଦୂରରେ ଥିବା ନଳକୂପରେ ଭିଡ ଜମାଇ ପାଣି ସଂଗ୍ରହ କରୁଥିବା ଦେଖିବାକୁ ମିଳିଥିଲା।    ଏନେଇ ଗ୍ରାମବାସୀମାନେ ପିଇବା ଓ ବ୍ୟବହାର ପାଣି ସଂଗ୍ରହ ପାଇଁ ଏଠାରେ ପ୍ରତିଯୋଗିତା ହେବା ସହ ରାତି ରାତିରେ ପାଣି ସଂଗ୍ରହ କରାଯାଇଛି ବୋଲି ଗ୍ରାମବାସୀମାନେ କୋହଭରା କଣ୍ଠରେ କହିଛନ୍ତି। ତୁରନ୍ତ ଜିଲାପାଳ ଦୃଷ୍ଟି ଦେଇ ଏହି ସମସ୍ୟାକୁ ଦୂର କରିବା ପାଇ ଧ୍ୟାନ ଦିଆନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ଅନ୍ୟପଟେ ଚନାମୁଣ୍ଡା ଗ୍ରାମରେ ଦେଖା ଦେଉଥିବା ପାଣି ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହୁଥିଲେ ବି କାହାରି ଚେତାପଶୁ ନଥିବା ଘଟଣା ଗ୍ରାମବାସୀଙ୍କୁ ବ୍ୟଥିତ କରେିଛି ବୋଲି ଗ୍ରାମର ଶତାଧିକ ମହିଳା କ୍ଷୋଭ ପ୍ରକାଶ କରିଛନ୍ତି।

Share :