ଜମି ଦୁର୍ନୀତି ତଦନ୍ତ ଆଗଉନି କାହିଁକି?

ଜମି ଦୁର୍ନୀତି ତଦନ୍ତ ଆଗଉନି କାହିଁକି?

Share :

ପ୍ରଦୀପ ପ୍ରଧାନ   ୨୦୧୪ ମସିହାରେ ରାଜ୍ୟର ସହରାଞ୍ଚଳ ଯଥା ଭୁବନେଶ୍ୱର ଏବଂ କଟକରେ ୨୦୦୦ରୁ ୨୦୧୨ ମଧ୍ୟରେ ସାଧାରଣ ପ୍ରଶାସନ ବିଭାଗ, ବିଡ଼ିଏ ଏବଂ ଇଡ଼କୋ ଦ୍ୱାରା ଜମି/ପ୍ଲଟ ଆବଣ୍ଟନରେ ହୋଇଥିବା ବ୍ୟାପକ ଅନିୟମିତତା, ଜାଲିଆତି ଏବଂ ବେଆଇନ କାର୍ଯ୍ୟ ହୋଇଥିବାର ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇବା ସହ ଏହା ଦ୍ୱାରା  ହଜାର ହଜାର କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଛି ବୋଲି ଉଲ୍ଲେଖ କରିଥିଲେ।   ବିଭିନ୍ନ ବ୍ୟକ୍ତି ବିଶେଷ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକୁ ଅହେତୁକ ଅନୁକମ୍ପା ଦେଖାଇ ରାଜ୍ୟ ସରକାର ନାମମାତ୍ର ଦରରେ ଅନାବଶ୍ୟକ ଭାବେ ଏକର ଏକର ଜମି ଦେଇଛନ୍ତି। ଉଦହାରଣ ସ୍ୱରୂପ ପଟିଆ ଅଞ୍ଚଳରେ ୨୦୦୬ ମସିହାରେ ଯେତେବେଳେ ଜମିର ବଜାର ଦର ଏକର ପିଛା ଦେଢ କୋଟି ଟଙ୍କା ଥିଲା, ସେତେବେଳେ ସାଧାରଣ ପ୍ରଶାସନ ବିଭାଗ ଗୋଟିଏ ଅନୁଷ୍ଠାନକୁ ଏକର ପିଛା ମାତ୍ର ୬.୬୭ ଲକ୍ଷ ଟଙ୍କାରେ ଦେଇଥିଲେ। ସେହି ସମୟରେ ଏହି ସଂସ୍ଥାକୁ ସମୁଦାୟ ୨୭ ଏକର ଜମି ମାତ୍ର ୬.୭୬ କୋଟି ଟଙ୍କାରେ ଦିଆଯାଇଥିଲା ଯାହାର ବଜାର ଦର ଥିଲା ୪୦.୪୬ କୋଟି ଟଙ୍କା।   ସିଏଜି ରିପୋର୍ଟ ପ୍ରକାଶ ପାଇଲା ପରେ ଗଣମାଧ୍ୟମରେ ଏବଂ ସର୍ବସାଧାରଣରେ ଏହି ଜମି ହରିଲୁଟ ବିରୁଦ୍ଧରେ ତୀବ୍ର ପ୍ରତିକିୟା ପ୍ରକାଶ ପାଇଥିଲା। ପ୍ରାୟ ସମସ୍ତ ବିରୋଧୀ ରାଜନୈତିକ ଦଳ ଏବଂ ସିଭିଲ ସୋସାଇଟି ତରଫରୁ ଜମି ମହାଦୁର୍ନୀତିର ସିବିଆଇ ତଦନ୍ତ ଦାବୀ କରାଯାଇ ଆନ୍ଦୋଳନ, ଧାରଣା, ବିକ୍ଷୋଭ ଆୟୋଜନ କରାଯାଇଥିଲା। ଆନ୍ଦୋଳନ ଚାପର ବଶବର୍ତ୍ତୀ ହୋଇ ରାଜ୍ୟ ସରକାର ଅଗଷ୍ଟ ୨୦୧୪ରେ ବରିଷ୍ଠ ପ୍ରଶାସକ ଡ଼କ୍ଟର ତାରାଦତ୍ତଙ୍କ ଅଧ୍ୟକ୍ଷତାରେ ଏକ ଟ୍ୟାକ୍ସଫୋର୍ସ ଗଠନ କରିଥିଲେ ଏବଂ ଉକ୍ତ କମିଟିକୁ ସାଧାରଣ ପ୍ରଶାସନ, ବିଡ଼ିଏ, ସିଡ଼ିଏ ଏବଂ ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ଼ ଦ୍ୱାରା ୧୯୯୫ ମସିହା ପରବର୍ତ୍ତୀ ସମୟରେ ହୋଇଥିବା ଜମି ଆବଣ୍ଟନର ଆଇନଗତ ଦିଗ, ଅନିୟମିତତା, ଇଚ୍ଛାଧୀନ କୋଟାରେ ଜମି ଆବଣ୍ଟନ ସମ୍ପର୍କରେ ଅନୁଧ୍ୟାନ କରି ୪ ମାସ ମଧ୍ୟରେ ରିପୋର୍ଟ ଦେବାକୁ କହିଥିଲେ। ଟ୍ୟାକ୍ସଫୋର୍ସ ନଭେମ୍ୱର ୩ ତାରିଖରେ ରିପୋର୍ଟ ଦେଇଥିଲେ ମଧ୍ୟ ରାଜ୍ୟ ସରକାର ଏହି ରିପୋର୍ଟର ଅନୁଧ୍ୟାନ କରୁଛନ୍ତି ଦର୍ଶାଇ ଏହାକୁ ସର୍ବସାଧାରଣରେ ପ୍ରକାଶ ନ କରି ପକାଇ ରଖିଥିଲେ। ଗଣମାଧ୍ୟମ ଏବଂ ବିଭିନ୍ନ ସାମାଜିକ ସଂଗଠନମାନଙ୍କ ତରଫରୁ ଲଗାତର ଦାବୀ ଏବଂ ଆନ୍ଦୋଳନ ଫଳରେ ରାଜ୍ୟ ସରକାର ବାଧ୍ୟ ହୋଇ ହଠାତ ଡ଼ିସେମ୍ୱର ୧୮, ୨୦୧୪ରେ କ୍ୟାବିନେଟ ବୈଠକ ଡ଼ାକି ଟ୍ୟାକ୍ସଫୋର୍ସ ରିପୋର୍ଟ ଗ୍ରହଣ କରାଇ ନେବା ସହ ଏକ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ପ୍ରକାଶ କରିଥିଲେ।   ଟ୍ୟାକ୍ସଫୋର୍ସ ଇଚ୍ଛାଧୀନ କୋଟାରେ ଜମି/ପ୍ଲଟ ଆବଣ୍ଟନରେ ହୋଇଥିବା ଅନିୟମିତତା, ତତ୍କାଳୀନ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଦ୍ୱାରା ମନଇଚ୍ଛା ଇଚ୍ଛାଧୀନ କୋଟାରେ ବଣ୍ଟା ହୋଇଥିବା ପ୍ଲଟ, ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା େସ୍ୱଚ୍ଛାଚାରୀ ବା ଇଚ୍ଛାଧୀନ କୋଟା ଆବଣ୍ଟନ, ମିଥ୍ୟା ଶପଥ ପାଠ ବା ମିଥ୍ୟା ତଥ୍ୟ ଦେଇ ଏକ ଏବଂ ଏକାଧିକ ପ୍ଲଟ ନେଇଥିବା ବ୍ୟକ୍ତିବିଶେଷ, ଏକାଧିକ ସରକାରୀ ପ୍ଲଟ ନେଇ ବେପାର କରୁଥିବା ବ୍ୟକ୍ତି ଇତ୍ୟାଦିର ପୁଙ୍ଖାନୁପୁଙ୍ଖ ବିଶ୍ଲେଷଣ କରି ଉକ୍ତ ସମସ୍ତ ଜମିକୁ ସରକାରୀ ଅଧୀନକୁ ଆଣିବା ସହ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସୁପାରିଶ କରିଥିଲେ। ଏଥି ସହିତ ଟ୍ୟାକ୍ସଫୋର୍ସ ମଧ୍ୟ ବିଡ଼ିଏ, ସିଡ଼ିଏ ଏବଂ ହାଉସିଂ ବୋର୍ଡ଼ ତରଫରୁ ଯୋଗାଇ ଦିଆଯାଇଥିବା ତଥ୍ୟ ପର୍ଯ୍ୟାପ୍ତ ନୁହେଁ ଏବଂ ୧୯୯୫ ମସିହା ପୂର୍ବବର୍ତ୍ତୀ ଜମି ଆବଣ୍ଟନର ତାଲିକା ପ୍ରସ୍ତୁତ ନ ହେଲେ ବେଆଇନ ଜମି ହଡ଼ପକାରୀଙ୍କୁ ଠାବ କରିବା ସମ୍ଭବ ନୁହେଁ ଦର୍ଶାଇବା ସହ ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ୧୯୯୫ ମସିହା ପୂର୍ବବର୍ତ୍ତୀ ସମୟରେ କିପରି ବିଭିନ୍ନ ତ୍ରୁଟିପୂର୍ଣ୍ଣ ଆଇନ ବିରୋଧୀ ସ୍କିମ କରି କିଛି ମୁଷ୍ଟିମେୟ ଲୋକ ମନଇଚ୍ଛା ଏକାଧିକ ପ୍ଲଟ ନେଇଛନ୍ତି, ତାହାର ବିସ୍ତୃତ ତଥ୍ୟ ପ୍ରଦାନ କରି ଏହାର ତଦନ୍ତ ପାଇଁ ସୁପାରିଶ କରିଥିଲେ।   ରାଜ୍ୟ ସରକାର ତାଙ୍କ କାର୍ଯ୍ୟାନୁଷ୍ଠାନ ରିପୋର୍ଟରେ ଟ୍ୟାକ୍ସଫୋର୍ସର ସମସ୍ତ ସୁପାରିଶକୁ ମାନି ନେଇଥିବା ଦର୍ଶାଇ ଏକ ପ୍ରେସ ବିଜ୍ଞପ୍ତି ସର୍ବସାଧାରଣରେ ବିତରଣ କରିଥିଲେ। ସରକାର ଦର୍ଶାଇଥିଲେ ଯେ, ୧୯୯୫ ମସିହା ପରଠାରୁ ବିଡ଼ିଏ, ସିଡ଼ିଏ ଏବଂ ହାଉସିଂ ବୋର୍ଡ଼ ଦ୍ୱାରା ଇଚ୍ଛାଧୀନ କୋଟାରେ ଦିଆଯାଇଥିବା ସମସ୍ତ ପ୍ଳଟକୁ ବାଜ୍ୟାପ୍ତ କରାଯିବ ଏବଂ ସରକାରୀ ଅଧୀନକୁ ଅଣାଯିବ। ମିଥ୍ୟା ସତ୍ୟପାଠ ଏବଂ ମିଥ୍ୟା ତଥ୍ୟ ଦେଇ ଜମି ନେଇଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ସାଧାରଣ ପ୍ରଶାସନ (ଭିଜିଲାନ୍ସ) ବିଭାଗ ଫୌଜଦାରୀ ମକଦ୍ଦମା ରୁଜୁ କରି ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଟ୍ୟାକ୍ସଫୋର୍ସକୁ ଯେତିକି ତଥ୍ୟ ଯୋଗାଇ ଦିଆଯାଇଥିଲା, ସେହି ଆଧାରରେ ଏକାଧିକ ପ୍ଲଟ ନେଇଥିବା ବ୍ୟକ୍ତି ବିଶେଷଙ୍କ ଟ୍ୟାକ୍ସଫୋର୍ସ ତାଲିକା ପ୍ରସ୍ତୁତ କରିଥିଲେ। କିନ୍ତୁ ଏହା ଯଥେଷ୍ଟ ନଥିଲା। ପୁଣି ଟ୍ୟାକ୍ସଫୋର୍ସ ୧୯୯୫ ମସିହା ପୂର୍ବବର୍ତ୍ତୀ ଜମି/ପ୍ଲଟ ଆବଣ୍ଟନରେ ତାଲିକା ପ୍ରସ୍ତୁତ ପାଇଁ ସୁପାରିଶ କରିଥିଲେ।   ତେଣୁ ସାଧାରଣ ପ୍ରଶାସନ ବିଭାଗ, ବିଡ଼ିଏ ଏବଂ  ହାଉସିଂ ବୋର୍ଡ଼ ୧୯୯୫ ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ସମୟରେ ଜମି ନେଇଥିବା ସମସ୍ତ ବ୍ୟକ୍ତିଙ୍କର ତାଲିକା ୬ ମାସ ମଧ୍ୟରେ ଶେଷ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଏହା ସହିତ ଅର୍ଥ ବିଭାଗ ସମସ୍ତ ଏକାଧିକ ପ୍ଲଟ ଆବଣ୍ଟନରେ ସ୍ୱତନ୍ତ୍ର ଅଡ଼ିଟ‌୍‍ କରିବ ଏବଂ ରାଜ୍ୟ ସରକାର ତିନି ମାସ ମଧ୍ୟରେ ଆଇନ ବିଭାଗ ଏବଂ ଆଡ଼ଭୋକେଟ ଜେନେରାଲ ସହ ପରାମର୍ଶ କରି ଏହି ରିପୋର୍ଟକୁ କାର୍ଯ୍ୟକାରୀ କରିବା ପାଇଁ ପଦ୍ଧତି ନିର୍ଦ୍ଧାରଣ କରିବେ। କିନ୍ତୁ ଦୀର୍ଘ ୬ ମାସ ବିତି ଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି। କେବଳ ଲୋକଙ୍କୁ ବିଭ୍ରାନ୍ତି କରିବା ପାଇଁ ଗଣମାଧ୍ୟମରେ ବେଳେବେଳେ ଜମି ଦୁର୍ନୀତି ତଦନ୍ତ ଉପରେ ଖବର ପରିବେଶଣ କରି ଚାଲିଛନ୍ତି।   ବହୁ ବିଳମ୍ୱରେ ଗତ କିଛିଦିନ ତଳେ ରାଜ୍ୟ ସରକାର ଜମି ଦୁର୍ନୀତିର କିପରି ତଦନ୍ତ କରିବେ, ତାର ଏକ ପଦ୍ଧତି ପ୍ରକାଶ କରିଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ମିଥ୍ୟା ସତ୍ୟପାଠ ବା ମିଥ୍ୟା ତଥ୍ୟ ଦେଇ ସରକାରୀ ଜମି ହଡ଼ପ କରିଥିବା ବ୍ୟକ୍ତିବିଶେଷଙ୍କ ଉପରେ ସାଙ୍ଘାତିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ବିଡ଼ିଏ, ସିଡ଼ିଏ ଏବଂ ହାଉସିଂ ବୋର୍ଡ଼ ବେଆଇନ ପ୍ଳଟଗୁଡ଼ିକୁ ବାତିଲ ପାଇଁ ପଦକ୍ଷେପ ନେବେ। କିନ୍ତୁ ଏହା ପୂର୍ବରୁ ଉକ୍ତ ବ୍ୟକ୍ତିମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ଏବଂ ସେମାନଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଉତ୍ତର ଦେବା ପାଇଁ କୁହାଯିବ। ସେମାନଙ୍କୁ ସେମାନଙ୍କର ପକ୍ଷ ରଖିବା ପାଇଁ ସୁଯୋଗ ଦେବା ପରେ ଜମି/ପ୍ଲଟ ବାତିଲ କରାଯିବ। ସେହିପରି ଜିଏ (ଭିଜିଲାନ୍ସ) ବିଭାଗ ମଧ୍ୟ ଅନୁରୂପ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।   କିନ୍ତୁ ସରକାର ଘୋଷଣା କରୁଥିବା ତଦନ୍ତ ପଦ୍ଧତି ଏବଂ ନେଉଥିବା ପଦକ୍ଷେପକୁ ଅନୁଧ୍ୟାନ କଲେ ଜଣାପଡେ଼ ଯେ, ଏହି ସମସ୍ତ ପ୍ରକ୍ରିୟା କେବଳ ଠକିବା ପାଇଁ ଉଦ୍ଦିଷ୍ଟ। ରାଜ୍ୟ ସରକାର ଘୋଷଣା କରିଥିବା ତଦନ୍ତ ପଦ୍ଧତିରେ ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ହୋଇଥିବା େସ୍ୱଚ୍ଛାଚାରୀ ଆବଣ୍ଟନ ଜମିର ତଦନ୍ତ ସମ୍ପର୍କରେ ଉଲ୍ଲେଖ ନାହିଁ। ଟ୍ୟାକ୍ସଫୋର୍ସ ଦର୍ଶାଇଥିଲେ ଯେ, ସେମାନଙ୍କୁ ଜମି/ପ୍ଲଟ ଆବଣ୍ଟନ ସମ୍ପର୍କୀତ ତଥ୍ୟ ସମ୍ପୂର୍ଣ୍ଣ ଦିଆଯାଇନଥିଲା। ଫଳରେ ଜମି ଆବଣ୍ଟନର ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତିରେ ଟ୍ୟାକ୍ସଫୋର୍ସ ବିଫଳ ହୋଇଥିଲା। ପୁଣି ଟ୍ୟାକ୍ସଫୋର୍ସ ୧୯୯୫ ମସିହା ପୂର୍ବବର୍ତ୍ତୀ ସମୟରେ ବିଡ଼ିଏ ଏବଂ ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ହୋଇଥିବା ଜମି ଆବଣ୍ଟନର ତଥ୍ୟ ପ୍ରସ୍ତୁତି ନ ହେଲା ପର୍ଯ୍ୟନ୍ତ କିଏ ବେଆଇନ ଭାବେ ଏକକ ଜମି ବା ଏକାଧିକ ଜମି ନେଇଛନ୍ତି, ତାହା ଜାଣିବା ସମ୍ଭବପର ନୁହେଁ। ଏହି ଆଧାରରେ ରାଜ୍ୟ ସରକାର ତାଙ୍କର କାର୍ଯ୍ୟାନୁଷ୍ଠାନ ରିପୋର୍ଟରେ ୬ ମାସ ମଧ୍ୟରେ ୧୯୯୫ ମସିହା ପରବର୍ତ୍ତୀ ଏବଂ ପୂର୍ବବର୍ତ୍ତୀ ଇଚ୍ଛଧୀନ କୋଟା ଏବଂ େସ୍ୱଚ୍ଛାସ୍ଖରୀ ଆବଣ୍ଟନର ସମସ୍ତ ଜମି/ପ୍ଲଟ ତାଲିକା ପ୍ରସ୍ତୁତ ପାଇଁ ଜିଏ, ବିଡ଼ିଏ ଏବଂ ହାଉସିଂ ବୋର୍ଡ଼କୁ ଦାୟିତ୍ୱ ଦିଆଯିବ ବୋଲି ଉଲ୍ଲେଖ କରିଥିଲେ।   କିନ୍ତୁ ଦୁଃଖର ବିଷୟ, ଏ ଦିଗରେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ସାମାନ୍ୟ ପଦକ୍ଷେପ ଗ୍ରହଣ କରିନାହାଁନ୍ତି। ଟ୍ୟାକ୍ସଫୋର୍ସ ତାଙ୍କ ରିପୋର୍ଟରେ ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ୧୯୮୯ ମସିହା ଆଇଗିଣିଆ, ଭରତପୁର, ସାମନ୍ତରାପୁର ପ୍ଲଟ ସ୍କିମ ବେଆଇନ ଏବଂ ଏହି ସ୍କିମ ପ୍ରାୟ ୩୦୦୦ ପ୍ଲଟ ଆବଣ୍ଟନ ହୋଇଛି ଯାହାର ତାଲିକା ପ୍ରକାଶ ପାଇବା ଜରୁରୀ। ଲେଖକ ସୂଚନା ଅଧିକାର ଆଇନ ବଳରେ ଉକ୍ତ ତଥ୍ୟ ପାଇଁ ସାଧାରଣ ପ୍ରଶାସନ ବିଭାଗକୁ ମାଗିବାର ତିନିମାସ ବିତିଯାଇଥିଲେ ସୁଦ୍ଧା ଜନସୂଚନା ଅଧିକାରୀ ଏହି ତଥ୍ୟ ଦେଇ ନାହାଁନ୍ତି। ସେହିପରି ସାଧାରଣ ପ୍ରଶାସନ (ଭିଜିଲାନ୍ସ) ଦ୍ୱାରା ତଦନ୍ତ କେବଳ ଏକ ପ୍ରହତ୍ସନ ମାତ୍ର ହେବା କାରଣ ବହୁ ମନ୍ତ୍ରୀ, ଉଚ୍ଚପଦସ୍ଥ ସରକାରୀ ଅଧିକାରୀ ଏହି ଜମି ହଡ଼ପରେ ସମ୍ପୃକ୍ତ। ଉକ୍ତ ଭିଜିଲାନ୍ସ ତଦନ୍ତ କେବେବି ସ୍ୱାଧୀନ ଏବଂ ନିରପେକ୍ଷ ହେବ ନାହିଁ।   ଅପରପକ୍ଷରେ ଇଚ୍ଛାଧୀନ କୋଟାରେ ଆବଣ୍ଟନ ସମସ୍ତ ଜମି ବେଆଇନ ଏବଂ ଏହାକୁ ବାତିଲ କରିବା ପାଇଁ ଟ୍ୟାକ୍ସଫୋର୍ସ ସୁପାରିଶ କରିଥିଲେ ଏବଂ ରାଜ୍ୟ ସରକାର ମଧ୍ୟ କାର୍ଯ୍ୟାନୁଷ୍ଠାନ ରିପୋର୍ଟରେ ଏହି ସୁପାରିଶକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ ଗୋଟିଏ ବି ଇଚ୍ଛାଧୀନ କୋଟାରେ ଆବଣ୍ଟନ ପ୍ଲଟ ବାତିଲ ହୋଇନାହିଁ କି ଇଚ୍ଛାଧୀନ କୋଟାରେ ମନଇଚ୍ଛା ପ୍ଲଟ ବାଣ୍ଟିଥିବା ତତ୍କାଳୀନ ମନ୍ତ୍ରୀ ଏବଂ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ତେଣୁ ବାସ୍ତବରେ ରାଜ୍ୟ ସରକାର ଜମି ଦୁର୍ନୀତିର ତଦନ୍ତ ନାମରେ କେବଳ ସମୟ ଗଡ଼ାଇ ଚାଲିଛନ୍ତି। ଯେହେତୁ ଜମି ଦୁର୍ନୀତିର ସିବିଆଇ ତଦନ୍ତ ପ୍ରାର୍ଥନା କରି ଅନେକ କେସ ଉଚ୍ଚ ନ୍ୟାୟାଳୟରେ ଦାଖଲ ହୋଇଛି, ତେଣୁ କୋର୍ଟ ଭୟରେ ରାଜ୍ୟ ସରକାର କେବଳ ତଦନ୍ତର ପ୍ରହସନ କରି ଚାଲିଛନ୍ତି। ଯଦି ସରକାର ପ୍ରକୃତରେ ବେଆଇନ ଜମିକୁ ନିଜ ଅଧୀନକୁ ଆଣିବାକୁ ଚାହାଁନ୍ତି ଏବଂ ଜମି ହଡ଼ପକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ  ଚାହାଁନ୍ତି, ତେବେ ଏହି ଦୁର୍ନୀତିର ତଦନ୍ତ ପାଇଁ ସିବିଆଇକୁ ଦାୟିତ୍ୱ ଦେଇଦେବା ଉଚିତ। ମୁଖ୍ୟମନ୍ତ୍ରୀ ଏହା କଦାପି କରିବେ ନାହିଁ, କାରଣ ନବୀନ ନିବାସ ଜମି ମଧ୍ୟ ବେଆଇନ ଭାବେ ଦଖଲ ହୋଇଛି।   ଓଡ଼ିଶା ସୂଚନା ଅଧିକାର ଅଭିଯାନ, ମୋ : ୯୯୩୭୮୪୩୪୮୨

Share :