ପତର ତାତେନି, ପଥର ତାତେ

ପତର ତାତେନି, ପଥର ତାତେ

Share :

ଦେବେନ୍ଦ୍ର ପୃଷ୍ଟି   ପଚାଶ ଡିଗ୍ରୀ ତାପମାତ୍ରାରେ ଶିଝୁଥିବା ଗଛର ପତ୍ରକୁ ଛୁଇଁଲେ ହାତ କ’ଣ ତାତିଯାଏ? କିନ୍ତୁ ଚାଳିଶ ଡିଗ୍ରୀ ତାପମାତ୍ରାରେ କଂକ୍ରିଟ, ପଥର ବା ଲୁହା ପ୍ଲେଟକୁ ଛୁଇଁଲେ ହାତରେ ଚିଇଁକା ଲାଗିଯାଏନି କି?   ଚାଳିଶ ଡିଗ୍ରୀ ତାପମାତ୍ରାରେ ଖାଲି ପାଦରେ ପିଚୁ ବା କଂକ୍ରିଟ ରାସ୍ତା ଉପରେ ଚାଲିଲେ ତଳିପା ଫୁଟୁକା ହୋଇଯିବ ନା ନାହିଁ! କିନ୍ତୁ ପଚାଶ ଡିଗ୍ରୀ ତାପମାତ୍ରାରେ ଘାସର ଗାଲିଚା ଉପରେ ଖାଲି ପାଦରେ ଚାଲିଲେ ପାଦ ତାତିଯାଏ କି?   ଉତ୍ତପ୍ତ ଖରାବେଳେ କଂକ୍ରିଟର କୋଠା କାହିଁକି ତାତି ଯାଏ? ଗଛମୂଳ କାହିଁକି ଥଣ୍ଡା ରହେ?   ଏସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ବିଜ୍ଞାନ ପଢ଼ିବା ନିହାତି ଦରକାର ନାହିଁ। ସାଧାରଣ ଜ୍ଞାନର କଥା ଇଏ। ସମସ୍ତେ ଜାଣିଛନ୍ତି, ଅନୁଭବ କରିଛନ୍ତି। କିନ୍ତୁ ସେହି ଅନୁସାର ଚଳିବାକୁ ଇଚ୍ଛା ନାହିଁ। ସାଧାରଣ ଲୋକଙ୍କ କଥା ତୁଚ୍ଛ, ସେମାନେ ସବୁବେଳେ ପଛରେ ଚାଲିବାକୁ ପସନ୍ଦ କରନ୍ତି, ଆଗରେ ଚାଲିଲେ କାଳ ବାଘ ଖାଇଯିବ! ଭୂତ ମାଡ଼ି ବସିବ! ଯୋଉ ଲୋକମାନେ ଆଗରେ ଚାଲୁଛନ୍ତି ସେମାନେ ସାର୍ଟିଫିକେଟଧାରୀ ଅଧାମୁର୍ଖ। ଚେତନାର ପେଡ଼ି ତାଙ୍କର ଫାଙ୍କା।   ତେଣୁ ଆମର ରାସ୍ତା ତିଆରି ହେଲେ ଗଛ କଟା ଯାଏ, ଯଦିଓ ଗଛ ଥାଇ ବି ରାସ୍ତା ବୁଲେଇ ତିଆରି ହୋଇପାରେ। ବଡ଼ବଡ଼ିଆଙ୍କ ଘରବାଡ଼ି ବା ଜମି ପଡ଼ିଲେ ରାସ୍ତା କ’ଣ ସଳଖ ଭାବେ ଯାଇପାରେ? ଇଂଜିନିଅରମାନେ କେତେ ବୁଲେଇ ବଙ୍କେଇ ରାସ୍ତା ତିଆରି କରନ୍ତି- କାହା ଜମି ନେବା ପାଇଁ, କାହା ଜମି ଛାଡ଼ିବା ପାଇଁ। କିନ୍ତୁ ଗଛ ପଡ଼ିଲେ ରାସ୍ତାର ନକ୍ସା ବୁଲେ ନାହିଁ, ବୁଲି ପାରେନା! ଅଗତ୍ୟା ଗଛ କାଟିବାକୁ ପଡ଼େ। ସେ ଗଛ ନିଲାମ ହୁଏ, ବିକ୍ରି ହୁଏ, ଚୋରି ହୁଏ, ହଡ଼ପ ହୁଏ। ତା’ ବଦଳରେ ଆଉ ଗଛ ଲାଗିବାର ପଣ ହୁଏ, ଟଙ୍କା ଖରଚ ହୁଏ, ଗଛ ବଂଚେନା। ଚାରା ରୋପଣ, ପାଣି ଦେବା ଓ ଘେରଟ ବାବଦରେ ପ୍ରତିବର୍ଷ ପାଣିର ପଡ଼େ କୋଟିକୋଟି ଟଙ୍କା। ମୂଳ ଗଛ ଥିଲେ ଏସବୁ ଖର୍ଚ୍ଚର ଦରକାର ହୁଏନି, ତେଣୁ ଦୁର୍ନୀତିର ବାଟ ମଧ୍ୟ ବନ୍ଦ ଥାଏ।   କେବଳ ସଡ଼କ ନୁହେଁ, ଅନ୍ୟ ସବୁ ତଥାକଥିତ ବିକାଶମୂଳକ ପ୍ରକଳ୍ପ ନିର୍ମାଣ କ୍ଷେତ୍ରରେ ମନ୍ତ୍ରୀ, ଯନ୍ତ୍ରୀ ଓ ତନ୍ତ୍ରୀଙ୍କର ଏଇ ସ୍ବଭାବ। ଏହାକୁ ବୁଦ୍ଧି କହିବା ଠିକ ନୁହେଁ। ଯାହାଙ୍କ ସ୍ବଭାବ ଭାଙ୍ଗିବା, ଲୁଟିବା, ହଡ଼ପିବା ସେମାନେ ଗଢ଼ିବା କାହୁଁ ଶିଖିବେ? ସର୍ଜନା ଓ ପାଳନର ମହତ୍ବ କ’ଣ ବୁଝେ ଠିକାଦାର? କୋଠା, କାରଖାନା, ପାଚେରୀ, ପୋଖରୀ-ଯାହା କିଛି ତିଆରି ହେବ, ଆଗ କଟାଯିବ ଗଛ, ତା’ପରେ ଯୋଉ କଥା।   ପୁଣି ସରକାର, ଶିଳ୍ପ ଓ ବ୍ୟବସାୟରେ ଥିବା ଚାଲାକ ଚତୁର ଲୋକମାନଙ୍କର ଏତେ ବୁଦ୍ଧି ଯେ ସେମାନେ ପତିତ ଜମିରେ କଳକାରଖାନା, ସହରବଜାର ନବସାଇ ଜଙ୍ଗଲ, ପ୍ରାନ୍ତର ଓ କ୍ଷେତ ଜମିକୁ ବାଛନ୍ତି।   ଏବେ ତ’ ଗାଁ ଦାଣ୍ଡ କଂକ୍ରିଟ। ଘର ଅଗଣା କଂକ୍ରିଟ। କଲୋନି ରାସ୍ତା କଂକ୍ରିଟ। ପିଲାଙ୍କ ଖେଳିବା ଜାଗା କଂକ୍ରିଟ। ସଡ଼କ ସବୁ ପିଚୁ ନହେଲେ ପଥର। ମାଙ୍କଡ଼ା ପଥର, ବଜୁରି, ଚିପ୍ସ ଓ ପିଚୁ ତାତିବେଳେ ପାଚିଯାଏ। ଦେହମୁହଁ ଜାଳି ଦିଏ। ଏଇ ଆମର ବିକାଶ!   ୨୦୧୬ ବର୍ଷର ଏପ୍ରିଲ ମାସରେ ସାରା ଭାରତରେ ତିନି ତିନି ଥର ରେକର୍ଡ କଲା ଭୁବନେଶ୍ବର ତାପମାତ୍ରା। ସର୍ବୋଚ୍ଚ ରେକର୍ଡ ୪୬ ଡିଗ୍ରୀ ଟପିଲା। ବହୁ ବର୍ଷ ଧରି ତତଲାଗଡ଼ ଭାବରେ ଖ୍ୟାତ ଟିଟିଲାଗଡ଼ର ତାପମାତ୍ରା ମେ ମାସ ଆରମ୍ଭରେ ୪୮ ଟପିଲା। ଏପ୍ରିଲ-ମେ ମଝି ମାସକରେ ଓଡ଼ିଶାର ପ୍ରାୟ ସବୁ ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଲା। ଅଂଶୁଘାତରେ ୧୫୬ ଜଣଙ୍କ ମୃତ୍ୟୁ ଅଭିଯୋଗ, ସରକାର ଯଦିଓ ମାନୁଛନ୍ତି ମାତ୍ର ୧୬।   ଏହିପରି ସାମଗ୍ରିକ ଅଜ୍ଞାନତା ଓ ଚେତନାହୀନତା ପାଇଁ ଓଡ଼ିଶାରେ ଗତ ୩ ବର୍ଷ ଭିତରେ କଟା ହୋଇଯାଇଛି ୪ ଲକ୍ଷ ଗଛ। ଏକଥା ଖୋଦ ସରକାର ସ୍ବୀକାର କରିଛନ୍ତି। ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ ରାଜ୍ୟ ବିଧାନସଭାର ଉପସ୍ଥାପନ କରିଥିବା ତଥ୍ୟ ଅନୁଯାୟୀ ଓଡ଼ିଶାର ୩୦ ଜିଲ୍ଲାରୁ ୧୧ ଜିଲ୍ଲାରେ ଜଙ୍ଗଲ ଆଚ୍ଛାଦନ ଦ୍ରୁତ ଗତିରେ ହ୍ରାସ ପାଉଛି। ତଥାକଥିତ ସହରାୟନ ଓ ଶିଳ୍ପାୟନ ଯେ ଏହାର କାରଣ ତାହା କାହାକୁ ବୁଝାଇବା ଦରକାର ହୁଏନି।   ଓଡ଼ିଶାର ୨୦୧୩-୧୪ ବର୍ଷରେ ବିଭିନ୍ନ ବିକାଶମୂଳକ କାମ ପାଇଁ ୧.୧୫ ଲକ୍ଷ ଗଛ କଟାଯାଇଥିବାବେଳେ ୨୦୧୪-୧୫ ବର୍ଷରେ ୧.୩୭ ଲକ୍ଷ ଓ ୨୦୧୫-୧୬ ବର୍ଷରେ ୧.୫୩ ଲକ୍ଷ ଗଛ କଟା ହୋଇଯାଇଛି। ରାସ୍ତା ତିଆରି ପାଇଁ କଟା ହୋଇଛି ଅଧିକ ଗଛ। ଏହାର କ୍ଷତିପୂରଣ ବାବଦକୁ ବନୀକରଣ ବ୍ୟବସ୍ଥା ଅଛି। ଏ ବାବଦରେ ସରକାର ଏଇ ତିନି ବର୍ଷରେ ୧୦୧୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏଇ ସମୟ ମଧ୍ୟରେ ରାଜ୍ୟ ସରକାର ରାଜ୍ୟର ୫୧୬୮ ହେକ୍ଟର ଲଣ୍ଡା ପାହାଡ଼ରେ ୮୨.୬୯ ଲକ୍ଷ ଚାରା ଲଗାଇଛନ୍ତି। ଏବର୍ଷ ଆଉ ୨୦୦୦ ହେକ୍ଟର ଜମିରେ ୨.୯୬ ଲକ୍ଷ ଗଛ ଲାଗିବ। ଏ ବାବଦରେ ନିଶ୍ଚୟ କେଇ ହଜାର କୋଟି ଖର୍ଚ୍ଚ ହେବ।   ଗଛ କାଟିବ କାହିଁକି? ଚାରା ଲଗେଇବ କାହିଁକି?   ଗଛମୂଳେ ଘର କରିବା ମନା ନା ବାସ୍ତୁଦୋଷ? ଗଛ କଡ଼ରେ ରାସ୍ତା ହେଲ ଗାଡ଼ି କ’ଣ ଚାଲିବ ନାହିଁ?

Share :