ବଢ଼ୁଛନ୍ତି ନକଲି ମାଓବାଦୀ!

ବଢ଼ୁଛନ୍ତି ନକଲି ମାଓବାଦୀ!

Share :

ମାଓବାଦୀଙ୍କ ନାଁ ନେଇ ଗୁଡେ ନକଲି ମାଓବାଦୀ ବି ବୁଲୁଛନ୍ତି। ସେମାନେ ମାଓବାଦୀଙ୍କ ନାଁରେ ବେଆଇନ ଚାନ୍ଦା ଆଦାୟ କରୁଛନ୍ତି। ଚାନ୍ଦା ନମିଳିଲେ ଧମକଚମକ ଦେଉଛନ୍ତି। ବ୍ୟାକ୍ତିଗତ ପ୍ରତିଶୋଧ ନେଉଛନ୍ତି। ହତ୍ୟା ଓ ଲୁଟ୍ ମଧ୍ୟ କରୁଛନ୍ତି। ଏଭଳି ତିନି ଜଣ ନକଲି ମାଓବାଦୀ ଏବେ ଧରା ପଡ଼ିଛନ୍ତି କଳାହାଣ୍ଡିରେ।   ସଦର ଥାନା ପୁଲିସ ତିନି ଜଣ ନକଲି ମାଓବାଦୀଙ୍କୁ ଗିରଫ କରିଛି। ମାଓବାଦୀ ନାଁରେ ୩ ଜଣ ଯୁବକ ସଦର ଥାନା ଅନ୍ତର୍ଗତ ଗୋବର ଗାଁର ଜଣେ ବ୍ୟବସାୟୀ ଅର୍ଜୁନ ସାହୁଙ୍କଠାରୁ ୫ ଲକ୍ଷ ଟଙ୍କା ଆଦାୟ କାରିବା ଅଭିଯୋଗରେ ରଙ୍ଖିଗୁଡା ଗାଁର ପ୍ରେମଲାଲ ଚଣ୍ଡି(୨୮), ସେହି ଗାଁର ପରୀକ୍ଷିତ ବେହେରା(୩୬) ଏବଂ ଗୁଞିଗୁଡା ଗାଁର ଭବାନୀ ଜାନିଙ୍କୁ ଗିରଫ କରିଛି। ଏହି ତିନି ଜଣ ଯୁବକ ମାଓବାଦୀ ସଂଗଠନ ନାଁର ୫ ଲକ୍ଷ ଟଙ୍କା ନ ଦେଲେ ବୋମା ପକାଇ ଉଡ଼ାଇ ଦେବା ପାଇଁ ଉକ୍ତ ବ୍ୟବସାୟୀଙ୍କୁ ଧମକ ଦେଇଥିଲେ।   ସଂପୃକ୍ତ ବ୍ୟବସାୟୀ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ୩ ଜଣ ଯୁବକଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଚାରିଟି ମୋବାଇଲ ଫୋନ, ଚାରିଟି ସିମ କାର୍ଡ଼ ଏବଂ ଦଶ ହଜାର ଟଙ୍କା ମଧ୍ୟ ଜବତ ହୋଇଛି। କେସ ନଂ୯୮/୧୬ ଦଫା ୩୮୬, ୫୦୭, ୩୦୭, ୩୪ ଆଇ.ପି.ସିରେ ମାମାଲା ଦାୟର କରି ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଭବାନୀପାଟଣା ଏସଡିପିଓ ବିରଞ୍ଚି ନାରାୟଣ ଦେଉରି ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।   ସୂଚନାଯୋଗ୍ୟ ଯେ ରାଜ୍ୟର କେତେକ ଅଂଚଳରେ ଏହିପରି ଅନେକ ନକଲୀ ମାଓବାଦୀ ଅଛନ୍ତି। ସେମାନେ ମାଓବାଦୀଙ୍କ ନାଁ ନେଇ ବିଭିନ୍ନ ଧନୀ ବ୍ୟବସାୟୀ, ଠିକାଦାର, ସରକାରୀ ଅଧିକାରୀ ପ୍ରମୁଖଙ୍କଠାରୁ ଚାନ୍ଦା ଆଦାୟ କରିଥାନ୍ତି। କେତେକ ଅପରାଧ ପ୍ରବଣ ବ୍ୟକ୍ତି ମଧ୍ୟ ମାଓବାଦୀଙ୍କ ନାଁ ନେଇ ନିଜର ବ୍ୟକ୍ତିଗତ ଶତ୍ରୁ ସାଧନ କରନ୍ତି। ସେମାନେ ନିଜ ଶତ୍ରୁକୁ ହତ୍ୟା କରି ମାଓବାଦୀଙ୍କ ନାଁରେ ଗଡ଼ାଇ ଦିଅନ୍ତି।   ଅନ୍ୟ କେତେକ କ୍ଷେତ୍ରରେ ଦୁର୍ନୀତି ଧରାପଡ଼ିବା ଆଶଙ୍କାରେ ଆଦିବାସୀ ଅଧ୍ୟୁସିତ ଅଂଚଳର ବ୍ଲକ, ପଂଚାୟତ ଓ ଅନ୍ୟ ସରକାରୀ ଅଫିସର ଅଧିକାରୀମାନେ ସଂପୃକ୍ତ ରେକର୍ଡ଼ପତ୍ର ପୋଡ଼ି ଦେଇ ମାଓବାଦୀଙ୍କ ନାଁ ନେଉଛନ୍ତି। ଅନ୍ୟ କେତେକ କ୍ଷେତ୍ରରେ ନିମ୍ନ ମାନର କାମ କରିଥିବା ଠିକାଦାର ଡନାମାଇଟ୍ ଲଗାଇ ପୋଲ, ସଡ଼କ ଓ କୋଠା ଉଡ଼ାଇ ଦେଇ ମାଓବାଦୀ ନାଁ ନେଉଛନ୍ତି। ତିଆରି ଜିନିଷ ଧ୍ବଂସ ହେଲେ ଆଉ ଥରେ ତିଆରି କରିବା ପାଇଁ ଟଙ୍କା ମିଳିବା ଆଶାରେ ଅଫିସର ଓ ଠିକାଦାରମାନେ ଉପଦ୍ରୁତ ଅଂଚଳରେ ଏପରି କରିଥାନ୍ତି। ନାଲି କାଳି ବା ଅଳତାରେ ସାଦା କାଗଜରେ ଧମକପୂର୍ଣ୍ଣ ବାର୍ତ୍ତା ଲେଖିଦେଲେ ଯଦି ସମସ୍ତେ ମାଓବାଦୀ ହୋଇଯାଆନ୍ତେ ତେବେ ଏଭଳି ରାଜ୍ୟରେ ଲକ୍ଷଲକ୍ଷ ମାଓବାଦୀ ଅଛନ୍ତି ବୋଲି ଧରିବାକୁ ପଡ଼ିବ।    ଆଉ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଲା ମାଓବାଦୀ ଦମନ ଆଳରେ କେନ୍ଦ୍ରରୁ କୋଟିକୋଟି ଟଙ୍କାର ଆର୍ଥିକ ସହାୟତା ଆଣି ତାହାକୁ ଆଜେବାଜେ ବାବଦରେ ଖର୍ଚ୍ଚ ଦର୍ଶାଇ ହଡ଼ପ କରିବା ଉଦ୍ଦେଶ୍ୟରେ ଅନେକ ସମୟରେ ପୁଲିସ ପ୍ରଶାସନ ମଧ୍ୟ ମାଓବାଦୀ ମାତିବା କଥା ଉଠାଇଥାନ୍ତି। ସାଧାରଣ ଗୁଣ୍ଡା ବଦମାସ କିମ୍ବା ନିରୀହ ଲୋକଙ୍କୁ ହତ୍ୟା କରି, ସେମାନଙ୍କ ଶବକୁ ମାଓବାଦୀ ପୋଷାକ ପିନ୍ଧାଇ ଓ ପୂର୍ବରୁ ଜବତ ହୋଇଥିବା ବନ୍ଧୁକ ଓ ଗୁଳି ପକାଇ ପୁଲିସ ମିଥ୍ୟା ମାଓବାଦୀ ଆତଙ୍କ ସୃଷ୍ଟି କରେ। ମାଓବାଦୀ ମାତିଲେଣି ବୋଲି ପ୍ରମାଣ କଲେ ମାଓବାଦୀ ଦମନ ପାଇଁ କେନ୍ଦ୍ରରୁ ଅଧିକ ପାଣ୍ଠି ମିଳେ ଓ ତାହା ଖର୍ଚ୍ଚ କରିବା ବାହାନାରେ ସଂପୃକ୍ତ ସମସ୍ତଙ୍କର ବେଶ୍ ହାତ ଚିକ୍କଣ ହୋଇଥାଏ। ମାଓବାଦୀ ବିରୋଧୀ କମ୍ବିଂ ଅପରେସନ ଚଳାଇ ନିରୀହ ଲୋକଙ୍କୁ ବନ୍ଦୀ କରି କିମ୍ବା ଏନକାଉଣ୍ଟରରେ ହତ୍ୟା କରି କେତେକ ପୁଲିସ ଅଧିକାରୀ ମଧ୍ୟ ରାଷ୍ଟ୍ରପତି ପଦକ ପାଇଥାନ୍ତି। ଏହି ପ୍ରକ୍ରିୟାରେ ରାଜ୍ୟରେ ଅନେକ ନକଲି ମାଓବାଦୀ ସୃଷ୍ଟି ହୋଇଥାନ୍ତି।

Share :