ଦେବାଳୟରୁ ଶୌଚାଳୟ

ଦେବାଳୟରୁ ଶୌଚାଳୟ

Share :

ରୁଦ୍ର ପ୍ରସନ୍ନ ରଥ   ଆମେ ପ୍ରତିଦିନ ଶୌଚାଳୟ ଯାଉ। ଏହା ଆମ ସମସ୍ତଙ୍କ ପାଇଁ ଏକ ନିତ୍ୟ ନୈମିତ୍ତିକ କାର୍ଯ୍ୟ। ଆମ ଭିତରୁ ଅନେକ ପ୍ରତିଦିନ ଦେବାଳୟ ବି ଯାଆନ୍ତି। ଶୌଚାଳୟ ଯାଇ ମଣିଷ ଶାରୀରିକ ଅଶ୍ବସ୍ତି ଲାଭ କରେ ଆଉ ଦେବାଳୟ ଯାଇ ମାନସିକ ଶାନ୍ତି ଲାଭ କରେ। ଅନ୍ତତଃ ନିଜେ କିଛି ପୂଣ୍ୟ ଅର୍ଜନ କଲା ବୋଲି ବିଶ୍ୱାସ କରେ। ଶୌଚାଳୟ ମର୍ଯ୍ୟାଦାର ପ୍ରତୀକ ଆଉ ଦେବାଳୟ ଆସ୍ଥା ଏବଂ ବିଶ୍ୱାସର ପ୍ରତୀକ। ଆସ୍ଥା ଆଉ ବିଶ୍ୱାସକୁ ପୁଞ୍ଜିକରି ମଣିଷ ଠିଆ ହୁଏ ଆଉ ମର୍ଯ୍ୟାଦାକୁ ଆଶ୍ରାକରି ମଣିଷ ସମାଜର ପ୍ରତିପତ୍ତି ଜାହିର କରେ। ଶୌଚାଳୟକୁ ନେଇ ହୁଏତ ବେଶୀ କାହାଣୀ ନଥାଇ ପରେ ମାତ୍ର ଦେବାଳୟକୁ ନେଇ କିମ୍ୱଦନ୍ତୀ ଭରପୂର ହୋଇ ରହିଛି।   ଦେବାଳୟ ଆଉ ଶୌଚାଳୟକୁ ନେଇ ବୋଧହୁଏ ସିଧାସଳଖ କୌଣସି ସମ୍ପର୍କର ସେତୁ ବନ୍ଧାଯାଇ ପାରିବ ନାହିଁ। କିନ୍ତୁ କାହିଁକି କେଜାଣି ଶୌଚାଳୟ ଏବଂ ଦେବାଳୟର ସଂଖ୍ୟାକୁ ନେଇ ରାଜନୀତି ହୁଏ। ଶୌଚାଳୟ ଠାରୁ ଦେବାଳୟ ସଂଖ୍ୟା ଅଧିକ ବୋଲି କେହି କହିଦେଲେ ଦେଶରେ ଅନ୍ତତଃ ବଡ ବଡ ବୁଦ୍ଧିଜୀବୀଙ୍କ ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଯାଏ। ଶୌଚାଳୟ ସପକ୍ଷରେ ମତଦେବାକୁ ଯାଇ ଦେବାଳୟକୁ ଚର୍ଚ୍ଚାର ପରିସରକୁ ଆଣିଥିବା ଲୋକଟିକୁ ‘ନାସ୍ତିକ’ ଏବଂ ‘ଧର୍ମଛଡା’ର ଅପବାଦ ମୁଣ୍ଡାଇବାକୁ ହୁଏ।   ଗଛ ମୂଳରେ ପଥରଟିଏ ଉପରେ ସକାଳେ ସିନ୍ଦୂର ଲାଗିଥିଲେ ସନ୍ଧ୍ୟାରେ ସଂକୀର୍ତ୍ତନ ଆରମ୍ଭ ହୁଏ। ସିନ୍ଦୁରା ଫାଟିଲା ବେଳକୁ ହୁଳହୁଳି ଶୁଭେ ଆଉ ଦିନ କେତେଟା ପରେ ମନ୍ଦିରଟିଏ ଠିଆ ହୁଏ। ଭକ୍ତିର ଆଦରେ ଭକ୍ତ ଏକାଠି ହୁଅନ୍ତି। ପୁଣି ମହିମାକୁ ନେଇ ଭକ୍ତର ସଂଖ୍ୟା ଆଉ ସାଧ୍ୟମତେ ଦାନ ବଢ଼ି ବଢ଼ି ଯାଏ। ପଥର ଦେବତା ହୋଇଥିଲେ ଦେବାଳୟ ଆଉ ମାତା ହୋଇଥିଲେ ଶକ୍ତିପୀଠ ସହଜରେ ତିଆରି ହୋଇଯାଏ। ଭକ୍ତଙ୍କୁ ଡକିବାକୁ ପଡେ଼ନା। ତୁଣ୍ଡବାଇଦ ଡାକରେ ଭକ୍ତମାନେ ଏକାଠି ହୁଅନ୍ତି। ସିନ୍ଦୂର, କପୁର୍ର, ଚନ୍ଦନ, ଚୂଆରେ ଦେବାଳୟ ଉଠୁଥାଏ ପଡୁଥାଏ। ଆଉ ପୂଜାପର୍ବ ହେଲେ ଝଲସି ଉଠେ।   ଦେବାଳୟ ପରି ଭାଗ୍ୟ ଶୌଚାଳୟର ନାହିଁ। ଏ ଦେଶରେ ବୋଧହୁଏ ୫୦ ଲକ୍ଷ ଟଙ୍କାର ଦେବାଳୟ ତିଆରି କରିବା ସହଜ ମାତ୍ର ୫ ହଜାର ଟଙ୍କାର ଶୌଚାଳୟ କରିବା ଭାରି କଷ୍ଟ!   ଶୌଚାଳୟଟିଏ ନିର୍ମାଣ କରିବା ପାଇଁ ପୂରା ପରିଶ୍ରମ କରିବାକୁ ପଡେ। ବାଲି, ସିମେଣ୍ଟ, ଇଟା ଆଉ ମଜୁରୀର ବ୍ୟବସ୍ଥା ଏବଂ ସରକାରୀ ପ୍ରୋତ୍ସାହନ ଥାଇ ବି ଆମେ ଶୌଚାଳୟଟିଏ ତିଆରି କରିବାକୁ କୁନ୍ଥୁ କୁନ୍ଥୁ ହେଉ। ପୁଣି ଶୌଚାଳୟ ତିଆରି ହୋଇସାରିଲା ପରେ ବି ଯେ ତାହା ବ୍ୟବହାର ଉପଯୋଗୀ ହେବ ସେ ଉତ୍ତର ମଧ୍ୟ ନଥାଏ। ପ୍ରଚଳିତ ଅନ୍ଧବିଶ୍ୱାସ, କୁସଂସ୍କାର ସବୁ ଶୌଚାଳୟରେ ତାଲା ପକାଇ ଦିଏ। ପୁଣି କେଉଁଠି ଶୌଚାଳୟ ଥାଇ ବି ଲାଇଟ ଏବଂ ପାଣି ବ୍ୟବସ୍ଥା ନଥାଏ। ଦେବାଳୟ ତିଆରି ପାଇଁ ମାସିକ ପଇସା ଦେବାକୁ ରାଜି ଥିବା ଲୋକଟିଏ ଶୌଚାଳୟ ପାଇଁ କାହିଁକି ନିଜର ଅଂଶ ସ୍ୱରୂପ ଅର୍ଥ ଦେବ ବୋଲି ଯୁକ୍ତି ବାଢ଼େ।   ଦେଶରେ ଦେବାଳୟ ସଂଖ୍ୟା ପ୍ରତିବର୍ଷ ବଢ଼ୁଛି। ସ୍ୱଚ୍ଛ ଭାରତ ଅଭିଯାନ ଯୋଗୁଁ ଶୌଚାଳୟ ସଂଖ୍ୟା ଯେ ବଢ଼ିବ ତାହା ନିଶ୍ଚିତ। କିନ୍ତୁ ଦେବାଳୟ ଓ ଶୌଚାଳୟକୁ ନେଇ ଭାରତୀୟଙ୍କ ମାନସିକତା ହିଁ ଦୁଃଖର କାରଣ। ଏମିତି ନୁହଁ ଯେ ଶୌଚାଳୟ ନଥିବା ସଂଖ୍ୟାଧିକ ବ୍ୟକ୍ତି ଗରୀବ ବା ଶୌଚାଳୟ କରିବାକୁ ଅକ୍ଷମ ବରଂ ଶୌଚାଳୟ ତିଆରି ନକରିବା ପାଇଁ ଥିବା ରୁଗ୍ଣ ମାନସିକତା ହିଁ ଏହାର ପ୍ରଥମ ଆଉ ପ୍ରଧାନ ପ୍ରତିବନ୍ଧକ।   ଶୌଚାଳୟ କିମ୍ୱା ଦେବାଳୟ ମଧ୍ୟରେ ଏକ ଉଦ୍ଧତ କିମ୍ୱା ଉଦ୍ଭଟ ପରିକଳ୍ପନା କରାଯାଇ ନପାରେ ବରଂ ଦେବାଳୟ ହିଁ ଶୌଚାଳୟ ପ୍ରତିଷ୍ଠାର ରାସ୍ତା ଦେଖାଇପାରେ। ଗାନ୍ଧିଜୀ କହିଥିଲେ ସ୍ୱଚ୍ଛ ଏବଂ ପରିଷ୍କାର ସ୍ଥାନରେ ହିଁ ଭଗବାନ ବାସ କରନ୍ତି। ଏଣୁ ଦେବାଳୟ ଦ୍ୱାରା ହିଁ ଶୌଚାଳୟ ପ୍ରତିଷ୍ଠା ଏବଂ ବ୍ୟବହାରକୁ ତ୍ୱରାନ୍ୱିତ କରାଯାଇ ପାରିବ।   ଗଣ୍ଡା ଗଣ୍ଡା ଯୋଜନା, ଧାର୍ଯ୍ୟ ମାନବ ସମ୍ୱଳ ଏବଂ ବିପୁଳ ବଜେଟ ବ୍ୟୟବରାଦ ଏବଂ ସରକାରୀ ଓ ବେସରକାରୀ ସହଭାଗୀତା ସତ୍ତ୍ୱେ ଏବେ ବି ସବୁ ଘରେ ଶୌଚାଳୟ ନିର୍ମାଣ ହୋଇପାରିଲା ନାହିଁ। କ୍ଷୁଧା, ରୋଗ ଏବଂ ଭୟଯୁକ୍ତ ଭାରତ କେବଳ ଶୌଚାଳୟ ପ୍ରତିଷ୍ଠା ଦ୍ୱାରା ହିଁ ସମ୍ଭବ। ଆଉ ଏଥିପାଇଁ ଦେବାଳୟମାନେ ନିଜ ତରଫରୁ ପ୍ରୟାସ ଆରମ୍ଭ କରିବା ଆବଶ୍ୟକ। ଦେବାଳୟମାନେ ନିଜ ମନ୍ଦିର କିମ୍ୱା ଆଶ୍ରମ ପରିସରରେ ଦେୟମୁକ୍ତ ବା ଦେୟଯୁକ୍ତ ଶୌଚାଳୟର ବ୍ୟବସ୍ଥା କରିବା, ନିଜେ ଚଳାଉଥିବା ସ୍କୁଲ, ଡାକ୍ତରଖାନା ଏବଂ କଲେଜ ଗୁଡିକରେ ଶୌଚାଳୟ ପ୍ରତିଷ୍ଠା କରିବା ସହ ଏହାର ବ୍ୟବହାର ରକ୍ଷଣାବେକ୍ଷଣ ନିମନ୍ତେ ଶିକ୍ଷା ଦେବା, ଭାରତର ଅନୁନ୍ନତ ଗାଁ ଗୁଡିକୁ ପୋଷ୍ୟ ଗ୍ରାମ ରୂପେ ଗ୍ରହଣ କରି ସେଥିରେ ଶୌଚାଳୟ ବ୍ୟବସ୍ଥା କରିବା, ସହରାଞ୍ଚଳରେ ଭ୍ରାମ୍ୟମାଣ ଶୌଚାଳୟର ବ୍ୟବସ୍ଥା କରିବା ଦରକାର। ନିଜ ଭକ୍ତ ଏବଂ ସମ୍ପ୍ରଦାୟ ମଧ୍ୟରେ ଶୌଚାଳୟ ପ୍ରତିଷ୍ଠା କରିବାକୁ ପ୍ରୋତ୍ସାହିତ କରିବା ଆଦି କାମ ଭାରତର ଦେବାଳୟ ସହ ଜଡିତ ଥିବା ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷ ଅଚିରେ କରିପାରିବେ। ଆଉ ଏଥିପାଇଁ ବେଶୀ କିଛି ଶ୍ରମ ବା ସମ୍ୱଳ ଖର୍ଚ୍ଚ କରିବାର ଆବଶ୍ୟକତା ନାହିଁ।   ବୋଧହୁଏ ଏବେ ସମୟ ଆସିଛି, ଶୌଚାଳୟ ନିର୍ମାଣ, ରକ୍ଷଣାବେକ୍ଷଣ ଓ ବ୍ୟବହାରର ନୂଆ ଅଭିଯାନ ଦେବାଳୟରୁ ଆରମ୍ଭ ହେଉ। ଅନ୍ତତଃ ଦେବାଳୟରୁ ନିୟମିତ ଯାଉଥିବା ଲୋକଟି ମୋକ୍ଷ ପ୍ରାପ୍ତି ପାଇଁ କେବଳ ଈଶ୍ୱର ଦର୍ଶନ ନୁହେଁ ବରଂ ପରିଷ୍କାର ରହିବା ଏବଂ ଶୌଚାଳୟ ବ୍ୟବହାର କରିବା ଉପରେ ମଧ୍ୟ ଜୋର ଦେଉ। ଧବଳଗିରି, ଯାଜପୁର ରୋଡ, ମୋ-୯୮୫୩୨୦୬୧୬୮

Share :