ଛେଳିମେଣ୍ଢାଙ୍କ ପାଇଁ ବି ଜଳ ନାହିଁ

ଛେଳିମେଣ୍ଢାଙ୍କ ପାଇଁ ବି ଜଳ ନାହିଁ

Share :

କଳାହାଣ୍ଡି କଲମପୁର ଅଂଚଳରେ ଗ୍ରୀଷ୍ମତାପ ୪୨ ଡିଗ୍ରୀର ଉପରେ ଥିବା ବେଳେ ପାନୀୟ ଜଳ ସମସ୍ୟା ଉତ୍କଟ ରୁପ ଧାରଣ କରିଛି। ଲୋକେ ବିଶୁଦ୍ଧ ପିଇବା ପାଣି ମୁନ୍ଦେ ପାଇଁ ଘଣ୍ଟା ଘଣ୍ଟା ଧରି କୂଅ ଓ ନଳ କୂଅ ନିକଟରେ ଧାଡି ବାନ୍ଧି ଠିଆ ହେଉଥିବା ଦେଖାଯାଉଛି। ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ଅଚଳ ନଳକୂଅକୁ ସଚଳ କରିବା ପାଇଁ ପ୍ରଶାସନକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ହେଲେ ସରକାରଙ୍କ ନିର୍ଦ୍ଦେଶ କଲମପୁର ବ୍ଲକରେ ପହଂଚି ନଥିବା ପରି ବୋଧ ହେଉଛି।   ଚତୁର୍ଥ ଓ ଚତୁର୍ଦ୍ଦଶ ଅର୍ଥ କମିଶନ ଅନୁଦାନ ଜଳ ଯୋଗାଣ ବ୍ୟବସ୍ଥାରେ ଖର୍ଚ୍ଚ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ଜଳ ସମସ୍ୟା ନେଇ ଆୟୋଜିତ ସ୍ୱତନ୍ତ୍ର ବୈଠକରେ ଗୁରୁତ୍ୱ ଆରୋପ କରିଛନ୍ତି। ଅଚଳ ନଳକୂପ ୨୪ ଘଣ୍ଟା ମଧ୍ୟରେ ମରାମତି କରିବା ସହ ପଂଚାୟତର ୩୦ ପ୍ରତିଶତ ଅର୍ଥ ଜଳଯୋଗାଣ ଉପରେ ଖର୍ଚ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ପଂଚାୟତରେ ପାନୀୟ ଜଣ ସମସ୍ୟା ଉପୁଜେ ସେଥିପାଇଁ ସେଠାକାର ସ୍ଥାନୀୟ ସରପଂଚ ଦାୟୀ ରହିବେ ଏବଂ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି। ହେଲେ କଲମପୁର ବ୍ଲକର ସମସ୍ତ ପଂଚାୟତକୁ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଅସିଛି ଏବଂ ସେଥିରୁ ପାନୀୟ ଜଳ ଯୋଗାଣ ଉପରେ ପ୍ରାଥମିକତା ଦେଇ ଖର୍ଚ୍ଚ କରିବା ବ୍ୟବସ୍ଥା ଥିଲେ ମଧ୍ୟ ତାହା ହୋଇପାରୁ ନାହିଁ। ଯଦ୍ୱାରା ଅନୁଦାନ ରାଶି ପଡି ରହିବା ସହ ଅଚଳ ନଳକୂପ ମରାମତି ହୋଇପାରୁ ନାହିଁ ବୋଲି ଅଭିଯୋଗ ହେଉଛି।   ସାଧାରଣ ଲୋକଙ୍କୁ ପିଇବା ପାଇଁ ପାଣି ମିଳୁ ନଥିବା ବେଳେ ଗାଈଗୋରୁ ଛେଳି ମେଣ୍ଢାାଙ୍କ ଅବସ୍ଥା ଆହୁରି ଦୟନୀୟ ହୋଇ ପଡିଛି। ଏଭଳି ସ୍ଥିତିରେ ମଣ୍ଡଳ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଥିବା ଏକ ନଳ କୂଅ ସପ୍ତାହ ବ୍ୟାପି ଅଚଳ ହେଇ ପଡିଥିବାରୁ ଏହି ନଳ କୂଅ ଉପରେ ଭରସା କରୁଥିବା ପ୍ରାୟ ୩୦ଟି ଆଦିବାସୀ ପରିବାର ଏବେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ଏନେଇ ବାରମ୍ୱାର ବ୍ଲକ ପ୍ରଶାସନକୁ ଯୋଗାଯୋଗ କରିଥିଲେ ମଧ୍ୟ ଏହାର ସମାଧାନ ଦିଗରେ କୌଣସି ପଦକ୍ଷେପ ନିଆ ନଯିବା ପରିତାପର ବିଷୟ। ସେହିଭଳି ଇଛାପୁର, ବାବୁକେନ୍ଦୁଗୁଡା, ଧନପୁର, ଭାଲୁବୁଟୁରା, ବଙ୍କାପଲା ଓ କଲମପୁର  ଗ୍ରାମରେ ଥିବା ପ୍ରାୟ ସମସ୍ତ ନଳକୂଅର ଜଳସ୍ତର ନିମ୍ନଗାମୀ ହେଉଥିବାରୁ ଅନେକ ସମୟରେ ପାଣି ପାଇବା ପାଇଁ ଲୋକେ ନିଜ ନିଜ ମଧ୍ୟରେ ପ୍ରତିଯୋଗିତା ସହ କଳିଗୋଳ କରୁଥିବାର ଦେଖାଯାଉଛି। ଏପରିକି ଗାଧେଇବା ପାଇଁ ଥିବା ସମସ୍ତ ପୋଖରୀ ଶୁଖିଯାଇ ଥିବାରୁ ଲୋକେ ପ୍ରାୟ ୩ କି.ମି ଦୁରରେ ଥିବା ହାତୀ ନଦୀ ଉପରେ ନିର୍ଭର କରୁଥିବା ଦେଖାଯାଉଛି।   ପୂର୍ବ ବର୍ଷଗୁଡ଼ିକରେ ଇନ୍ଦ୍ରାବତୀ କେନାଲ ଜଳ ସେଚନ ଜାରି ରହୁଥିବାରୁ କୂଅ ପୋଖରୀ ପ୍ରଭାବିତ ହେଉ ନଥିଲା। କିନ୍ତୁ ଚଳିତ ବର୍ଷ ଇନ୍ଦ୍ରାବତୀ ଜଳ ପ୍ରକଳ୍ପରୁ ଏହି ଅଂଚଳରେ ଜଳସେଚନ ବନ୍ଦ ରହିଥିବାରୁ ଲୋକେ ତାର ପ୍ରଭାବରେ ପ୍ରଭାବିତ ହେଉଛନ୍ତି। ଏହାସହ ଗତ ବର୍ଷ ବର୍ଷା ଅଭାବରୁ ପାହାଡରୁ ସୃଷ୍ଟି ହୋଇଥିବା ଝରଣା ସବୁ ଶୁଖିଲା ପଡିଥିବାରୁ କୁଲେଇ ଜୋର, ଲିଟି ଜୋର ଆଦିରେ ପାଣି ପ୍ରବାହିତ ହେଉନଥିବାରୁ ଲୋକଙ୍କ ସମେତ ଜୀବଜନ୍ତୁ ପାଣି ଅଭାବରୁ ପ୍ରଭାବିତ ହେଉଛନ୍ତି। ବାଟୋଇ ପାଇଁ ପାଣିର ବ୍ୟବସ୍ଥା କରିବା ପାଇଁ ପ୍ରଶାସନ ତଥା େସ୍ୱଚ୍ଛାସେବୀ ଅନୁଷ୍ଠାନଙ୍କ ତରଫରୁ ଜଳଛତ୍ର ଖୋଲିବା ପାଇଁ ଜିଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କଲମପୁର ପଂଚାୟତ ତରଫରୁ କଲମପୁର ମୁଖ୍ୟ ବଜାର ନିକଟରେ କୌଣସି ଜଳଛତ୍ର ଖୋଲିନଥିବାରୁ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି।

Share :