୩ ଗୁଣ ହେବ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ

୩ ଗୁଣ ହେବ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ

Share :

ଅଜିତ କୁମାର ମଲ୍ଳିକ   ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ସ୍ଥଗିତ ରହିଥିବା କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ପାଇଁ ବର୍ଦ୍ଧିତ ଶୁଳ୍କ ମେ ୬ ତାରିଖ ଶୁକ୍ରବାରଠାରୁ ଆଦାୟ ହେବ। ଏହା ଜଣାପଡ଼ିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପୁଣି ଅସନ୍ତୋଷ ଦାନା ବାନ୍ଧିଲାଣି।   ଭାରତୀୟ ପ୍ରତ୍ନତାତ୍ତତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସଆଇ) ଅଧୀନରେ ଥିବା ଭାରତର ସବୁ ଐତିହ୍ୟ ପୀଠରୁ ପୂର୍ବ ନିର୍ଦ୍ଧାରିତ ଶୁଳ୍କ ଆଦାୟ ପରିବର୍ତ୍ତେ ଅପ୍ରେଲ ମାସ ୧ ତାରିଖରୁ ତିନିଗୁଣା ବର୍ଦ୍ଧିତ ହାରରେ ଶୁଳ୍କ ଆଦାୟ ପାଇଁ  କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ନିଷ୍ପତ୍ତି ଅନୁଯାୟୀ ଅପ୍ରେଲ ମାସ ୨ ତାରିଖରୁ ବିଶ୍ୱ ଐତିହ୍ୟ କୋଣାର୍କର ସୂର୍ଯ୍ୟ ମନ୍ଦିରର ସୁକ୍ଷ୍ମ କାରୁକାର୍ଯ୍ୟକୁ ବୁଲି ଦେଖିବା ପାଇଁ ବିଦେଶୀ ପର୍ଯ୍ୟଟକଙ୍କଠାରୁ ପୂର୍ବ ନିର୍ଦ୍ଧାରିତ ୨୫୦ ଟଙ୍କା ପରିବର୍ତ୍ତେ ୫୦୦ ଟଙ୍କା ଓ ଘରୋଇ ପର୍ଯ୍ୟଟକଙ୍କଠାରୁ ୧୦ ଟଙ୍କା ପରିବର୍ତ୍ତେ ୩୦ ଟଙ୍କା ଶୁଳ୍କ ଆଦାୟ କରା ଯାଇଥିଲା। ଏହି ବର୍ଦ୍ଧିତ ଶୁଳ୍କ ଆଦାୟକୁ ବିରୋଧ କରି ନାଗରିକ ସଂଗଠନ, କୋଣାର୍କ ସୁରକ୍ଷା ସମିତି, ହସ୍ତଶିଳ୍ପ ବ୍ୟବସାୟୀ ମହାସଂଘ ଓ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସଂଗଠନ ଓ ବୁଦ୍ଧିଜୀବୀ ଟିକଟ କାଉଣ୍ଟର ଓ ସୂର୍ଯ୍ୟମନ୍ଦିର ପ୍ରବେଶ ପଥରେ ପ୍ରତିବାଦ ବିକ୍ଷ୍ଭ ପ୍ରଦର୍ଶନ କରିଥିଲେ। ବିରୋଧକୁ ଦୃଷ୍ଟିରେ ରଖି ଉକ୍ତ ଦିନ ସ୍ଥାନୀୟ ଏଏସଆଇ କର୍ତ୍ତୃପକ୍ଷ ବର୍ଦ୍ଧିତ ଟିକଟ ବିକ୍ରୟକୁ ବନ୍ଦ ରଖିଥିଲେ।   ଏ ସଂପର୍କରେ ପୁରୀ ଜିଲ୍ଲାପାଳଙ୍କୁ ଅବଗତ କରାଇବା ପରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଦେଶୀ ପର୍ଯ୍ୟଟକଙ୍କଠାରୁ ୫୦୦ ଟାଙ୍କା ଶୁଳ୍କ ଆଦାୟକୁ ଅପରିବର୍ତ୍ତିତ ରଖି ସାମୟିକ ଭାବେ ଘରୋଇ ପର୍ଯ୍ୟଟକଙ୍କଠାରୁ ୧୦ ଟଙ୍କା ଶୁଳ୍କ ଆଦାୟ କରିବା ନିମନ୍ତେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ସ୍ଥାନୀୟ ଏଏସଆଇର ସଂରକ୍ଷଣ ସହାୟକ ନିର୍ମଳ ମହାପାତ୍ରଙ୍କୁ ଏପ୍ରିଲ ୫ ତାରିଖରେ ଏକ ନୋଟିସ ମାଧ୍ୟମରେ ଅବଗତ କରାଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶାନୁଯାୟୀ ଏଏସଆଇ ପକ୍ଷରୁ ଏପ୍ରିଲ ୬ ତାରିଖ (ବୁଧବାର) ପ୍ରତ୍ୟୁଷରୁ ଟିକଟ କାଉଣ୍ଟରରେ ବର୍ଦ୍ଧିତ ଶୁଳ୍କ ୩୦ ଟଙ୍କା ପରିବର୍ତ୍ତେ ୧୦ ଟଙ୍କିଆ ଟିକଟ ବିକ୍ରୀ କରାଯାଇଥିଲା। ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶନାମାର ସମୟ ସୀମା ମେ ୫ ତାରିଖ ସୁଧା ଶେଷ ହେଉଥିବାରୁ ମେ ୬ ତାରିଖରୁ ବର୍ଦ୍ଧିତ ଶୁଳ୍କ ୩୦ ଟଙ୍କା ଆଦାୟ କରାଯିବ ବୋଲି ଏଏସଆଇ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି।   ଏହାକୁ ଦୃଷ୍ଟିରେ ରଖି  କୋଣାର୍କ ସୁରକ୍ଷା ସମିତି ଓ ହସ୍ତଶିଳ୍ପ ବ୍ୟବସାୟୀ ମହାସଂଘର ମିଳିତ ଆହ୍ୱାନ କ୍ରମେ ମେ ୩ ତାରିଖ ସନ୍ଧ୍ୟାରେ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ପ୍ରଭାବିତ ହେଉଥିବା ଜନସାଧାରଣଙ୍କୁ ନେଇ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକର ହୋଇଥିବା ନିଷ୍ପତ୍ତି ଅନୁଯାୟ ମେ ୬ ତାରିଖରେ ସୂର୍ଯ୍ୟମନ୍ଦିର ପ୍ରବେଶ ପାଇଁ ବର୍ଦ୍ଧିତ ହାରରେ ଶୁଳ୍କ ଆଦାୟ କରାଗଲେ ଜନ ଆନ୍ଦୋଳନ ସଂଗଠିତ କରାଯିବ।   ଏଠାରେ ସୂଚନା ଥାଉକି ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ କୋଣାର୍କର ସୂର୍ଯ୍ୟମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱ ପ୍ରଥମେ ରାଜାମାନଙ୍କ ଦ୍ୱାରା ପରିଚାଳିତ ହେଉଥିବା ବେଳେ ପରବର୍ତ୍ତୀ ସମୟରେ ନାବିକମାନଙ୍କ ସୁବିଧା ପାଇଁ ବନ୍ଦର ବିଭାଗ ମଧ୍ୟ ଦାୟିତ୍ୱ ନେଇଥିଲା। ଏହାପରେ ଇଂଗ୍ରେଜମାନଙ୍କ ଶାସନ ସମୟରେ ୧୯୩୮ ମସିହା ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ମନ୍ଦିରର ସଂରକ୍ଷଣ ଦାୟିତ୍ୱ ତୁଲାଇଥିଲା। ୧୯୩୯ ମସିହାରେ ମନ୍ଦିରର ସଂପୂର୍ଣ୍ଣ ସୁରକ୍ଷା ଦାୟିତ୍ୱ ଭାରତୀୟ ପ୍ରତ୍ନତାତ୍ତିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ନିଜ ହାତକୁ ନେଇ ଥିବା ବେଳେ ୧୯୮୪ ମସିହାରେ ବିଶ୍ୱ ଐତିହ୍ୟ ତାଲିକାଭୁକ୍ତ ହେଲା। ଏଏସଆଇ ପକ୍ଷରୁ ୧୯୯୬ ମସିହାରୁ ୧୯୯୯ ମସିହା ପର୍ଯ୍ୟନ୍ତ ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ବାବଦରେ ୫ ଟଙ୍କା ଆଦାୟ କରାଯାଉଥିଲା। ତେବେ ଏହି ନିଷ୍ପତ୍ତିକୁ ପରିବର୍ତ୍ତନ କରାଯାଇ ୨୦୦୦ ମସିହାଠାରୁ ୦୧.୦୪.୨୦୧୬ ପର୍ଯ୍ୟନ୍ତ ବିଦେଶୀ ପର୍ଯ୍ୟଟକଙ୍କଠାରୁ ୨୫୦ ଟଙ୍କା ଓ ଘରୋଇ ପର୍ଯ୍ୟଟକଙ୍କଠାରୁ ୧୦ ଟଙ୍କା ପ୍ରବେଶ ଶୁଳ୍କ ଆଦାୟ କରାଯାଉଥିଲା।   କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ନିୟମାନୁଯାୟୀ ପ୍ରତି ୧୫ ବର୍ଷ ଅନ୍ତରରେ ଭାରତର ଐତିହ୍ୟ ପୀଠମାନଙ୍କରୁ ୩ ଗୁଣା ବର୍ଦ୍ଧିତ ହାରରେ ଶୁଳ୍କ ଆଦାୟ କରିବା ପାଇଁ ଏଏସଆଇକୁ ଦାୟିତ୍ୱ ଦିଆଯାଇଛି। ସୂର୍ଯ୍ୟମନ୍ଦିର ପ୍ରବେଶ ନିମନ୍ତେ ଏଏସଆଇ ପକ୍ଷରୁ ୧୯୯୬ ମସିହାରେ ପ୍ରଥମ ଥର ପାଇଁ ଶୁଳ୍କ ଲାଗୁ ହୋଇଥିଲା। ସେହି ଦିନଠାରୁ ପ୍ରତ୍ୟେକ ଶନିବାର ସୂର୍ଯ୍ୟମନ୍ଦିର ମଧ୍ୟକୁ ପ୍ରବେଶ ଶୁଳ୍କ ଛାଡ ପାଇଁ ଦାବି କରି ଦୀର୍ଘ ୨୦ ବର୍ଷ ଧରି ଅହରହ ସଂଗ୍ରାମ କରି ଆସୁଛି କୋଣାର୍କ ସୁରକ୍ଷା ସମିତି। ସୂର୍ଯ୍ୟମନ୍ଦିର ପ୍ରବେଶ ନିମନ୍ତେ ବର୍ଦ୍ଧିତ କରାଯାଇଥିବା ଶୁଳ୍କ ସଂପର୍କରେ ପୁନଃବିଚାର କରିବା ପାଇଁ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା କେନ୍ଦ୍ର ସଂସ୍କୃତି ବିଭାଗକୁ ପତ୍ର ଲେଖିଛନ୍ତି। ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ବୃଦ୍ଧିକୁ ନେଇ ଦେଖାଦେଇଥିବା ଜନ ଅସନ୍ତୋଷ ସଂପର୍କରେ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ ଓ ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

Share :