ସ୍କୁଲ ପୋଷାକରେ ବି ଦୁର୍ନୀତି!

ସ୍କୁଲ ପୋଷାକରେ ବି ଦୁର୍ନୀତି!

Share :

ଛାତ୍ରଛାତ୍ରୀଙ୍କୁ ମାଗଣାରେ ବଣ୍ଟନ ଉଦ୍ଦେଶ୍ୟରେ ବିଦ୍ୟାଳୟଗୁଡ଼ିକୁ ଯୋଗାଣ ହେଉଥିବା ପୋଷାକ କାରବାରରେ ମଧ୍ୟ ବ୍ୟାପକ ଦୁର୍ନୀତି ହେଉଛି। ସରକାରଙ୍କ ଜାଣତରେ ଗୋଟେ ଗୋଟେ ପୋଷାକ ବାବଦକୁ ଶତାଧିକ ଟଙ୍କା ଦୁର୍ନୀତିମୂଳକ ଭାବେ ବାଟମାରଣା ହେଉଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏପରି ଦୁର୍ନୀତି ଅଭିଯୋଗ ରହିଛି। ସଂପ୍ରତି କଳାହାଣ୍ଡି ଜିଲ୍ଲାରେ ହୋଇଥିବା ଏପରି ଅଭିଯୋଗ ଉପରେ ଭିଜିଲାନ୍ସ ତରଫରୁ ଖୋଳତାଡ଼ ଆରମ୍ଭ ହୋଇଛି। ଏଭଳି ଏକ ଅଭିଯୋଗ ପାଇଲା ପରେ ଭବାନୀପାଟଣା ଭିଜିଲାନ୍ସ ଅଧିକାରୀ ମେ ୨ ତାରିଖ ଦିନ କଲମପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଆବଶ୍ୟକ କାଗଜପତ୍ର ଯୋଗାଇଦେବାକୁ କହି ଫୋରିଯାଇଛନ୍ତି। କଲମପୁର ବ୍ଲକ ଶିକ୍ଷା ଅଧିକାରୀ ମୋହନ ସୁନ୍ଦର ପଣ୍ଡାଙ୍କ ସୁଚନା ଅନୁସାରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମର ଭିଜିଲାନ୍ସ ତଦନ୍ତ ପାଇଁ ପ୍ରଥମ ପର୍ଯ୍ୟାୟରେ କଲମପୁର ବ୍ଲକର ପନ୍ଦରଟି ସ୍କୁଲକୁ ନିଆଯାଇଛି। ଏଥିପାଇଁ କଳାହାଣ୍ଡି ଡିପିସିଙ୍କ ଆଦେଶ ଅନୁସାରେ ପନ୍ଦରଟି ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ପତ୍ର ପ୍ରେରଣ କରାଯାଇଛି। ସେମାନେ ସମସ୍ତ ତଥ୍ୟ ନେଇ ମେ ୫ ତାରିଖରେ ଭିଜିଲାନ୍ସ କାର୍ଯ୍ୟାଳୟକୁ ଯିବାକୁ ଏଥିରେ ଦର୍ଶାଯାଇଛି। ଏଥି ସହ ଦୁଇ ଜଣ ପୋଷାକ ବ୍ୟବସାୟୀଙ୍କୁ ମଧ୍ୟ ଡକା ଯାଇଛି। ଜଣେ ବ୍ୟବସାୟୀ ଜୁନାଗଡର ହୋଇଥିବା ବେଳେ ଅନ୍ୟ ଜଣେ ସଦର ମହକୁମାର ରାଜେଶ କୁମାର ଶର୍ମା ବୋଲି ଜଣାପଡ଼ିଛି। ଅଭିଯୋଗ ଅନୁସାରେ ୨୦୧୩-୧୪ ଓ ୨୦୧୪-୧୫ ଆର୍ଥିକ ବର୍ଷରେ ହୋଇଥିବା ପୋଷାକ ଯୋଗାଣର ତଦନ୍ତ ହେବ। ଏହି ତଦନ୍ତ ଯେପରି ଧର୍ମକୁ ଆଖିଠାର ସଦୃଶ ନହେବ ସେଥିପାଇଁ ଲୋକେ ସଜାଗ ନଜର ରଖିଛନ୍ତି। ୨୦୦୯-୧୦ ଆର୍ଥିକ ବର୍ଷରୁ ଅର୍ଥାତ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହେବା ପରଠାରୁ ଏହି ଦୁର୍ନୀତି ହୋଇ ଆସୁଥିବା ସାଧାରଣରେ ଆଲୋଚନା ହେଉଥିଲା। ସରକାରୀ ଗାଇଡ ଲାଇନକୁ ଉଲ୍ଲଙ୍ଘନ କରି କିଛି ବ୍ୟବସାୟୀ ଗୋଷ୍ଠୀ କର୍ମଚାରୀମାନଙ୍କୁ ପ୍ରଭାବିତ କରି ଅଳ୍ପ ଦରର କମ ପୋଷାକ ଦେଇ ଅଧିକ ପୋଷାକ ବାବଦରେ ଅଧିକ ଦର ଉଠାଇଛନ୍ତି। ଏହି କାରବାରରେ ନେତା ଓ ବାବୁଙ୍କ ସ୍ତରେର ବ୍ୟାପକ ଲାଞ୍ଚ କାରବାର ହୋଇଥିବା ସନ୍ଦେହ କରାଯାଉଛି।

Share :