କୋଣାର୍କ ଜବରଦଖଲ!

କୋଣାର୍କ ଜବରଦଖଲ!

Share :

ଆନ୍ତାର୍ଜାତିକ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ଥାଇ ମଧ୍ୟ ବିଶ୍ବସ୍ତରୀୟ ପର୍ଯ୍ୟଟନ କ୍ଷତ୍ରରେ ପରିଣତ ହୋଇ ପାରିନାହିଁ। କାରଣ ୧୯୮୨ ମସିହାଠାରୁ କୋଣାର୍କ ସମେତ ନିକଟସ୍ଥ ୧୦ଟି ରାଜସ୍ବ ଗ୍ରାମର ଜମି ବନ୍ଦୋବସ୍ତ କାର୍ଯ୍ୟ ଉପରେ ସରକାରଙ୍କ ପକ୍ଷରୁ ଅଙ୍କୁଶ ଲାଗିଛି। ସରକାରଙ୍କ ଏହି କଟକଣାକୁ ବେଖାତିର କରି ଜମି ମାଫିଆମାନେ ସକ୍ରୀୟ ହୋଇ ଉଠିଛନ୍ତି। ଗୋପ-କୋଣାର୍କ ତହସିଲ ଅଧୀନରେ ଥିବା ଅଣବନ୍ଦୋବସ୍ତ, ଅନାବାଦି, ଗୋଚର ଓ ଶ୍ମଶାନ ଜମିକୁ ଜବର ଦଖଲ କରିବା ପରେ ଚୁକ୍ତି ଆକାରରେ ବିକ୍ରୀ କରି ଜମି ମାଫିଆମାନେ ମାଲାମାଲ ହେଉଥିଲାବେଳେ କୋଣାର୍କ ବିକାଶ ପାଇଁ ସରକାରୀ ଜମି ସଂକୁଚିତ ହେବାରେ ଲାଗିଛି।   ରାଜ୍ୟ ସରକାର ଜବର ଦଖଲକାରୀଙ୍କଠାରୁ ସରକାରୀ ଜମିରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିବା ଯୋଜନା କରୁଥିଲେ ମଧ୍ୟ ବିଭିନ୍ନ ସମସ୍ୟା ପାଇଁ ଅଦ୍ୟାବଧି ସେଥିରେ ସଫଳ ହୋଇପାରି ନାହାନ୍ତି। ଏହାର ସୁଯୋଗ ନେଇ ଜମି ମାଫିଆମାନେ ଅର୍କକ୍ଷେତ୍ର କୋଣାର୍କର ବିପୁଳ ପରିମାଣର ଜମି ହଡ଼ପ କରିକଲେଣି। ବେଳାମାର୍ଗର ଉଭୟ ପାର୍ଶ୍ବ, କୋଣାର୍କ, ମାଧୀପୁର, ବେରୁହଁ, ସୁତନ, ଖାଲକଟାପାଟଣା, ବାଙ୍ଗୋର, ଭୂଆଁ, ଗଡବାଙ୍ଗୋର, କୁଞ୍ଜ ଓ ଅବଦାନ ରାଜସ୍ବ ମୌଜାରେ ଥିବା ଅଣ ବନ୍ଦୋବସ୍ତ, ଅନାବାଦି, ଗୋଚର ଓ ଶ୍ମଶାନ ଜମିକୁ ନିଜ ଅକ୍ତିଆରକୁ ନେଇଥିବା ଜମି ମାଫିଆମାନେ ଧନୀ ଓ ପ୍ରଭାବଶାଳୀଙ୍କୁ ବିକ୍ରୀ କରିଦଉଛନ୍ତି। କୋଣାର୍କରେ ବିଭିନ୍ନ ବ୍ୟାବସାୟିକ ଉଦ୍ଦେଶ୍ୟରେ ଜମି ପାଇଁ ବ୍ୟାକୁଳ ଥିବା ବ୍ୟକ୍ତିମାନେ ଏଭଳି ଅଣ ବନ୍ଦୋବସ୍ତ, ଅନାବାଦି, ଗୋଚର ଓ ଶ୍ମଶାନ ଜମି ପାଇଁ ମଧ୍ୟ ଲକ୍ଷଲକ୍ଷ ଟଙ୍କା ଦେବାକୁ ପଛାଉ ନାହାନ୍ତି। ମାପିଆମାନେ ଏହିପରି ଲୋକଙ୍କୁ ଜମି ବିକ୍ରି କରି ହାତ ଚିକ୍କଣ କରୁଥିବାବେଳେ ସ୍ଥାନୀୟ ରାଜସ୍ବ ପ୍ରଶାସନ ନୀରବ ଦର୍ଶକ ସାଜିଛି।   କୋଣାର୍କ ଏକ ପର୍ଯ୍ୟଟନ କ୍ଷେତ୍ର ହୋଇଥିବାରୁ ପେଟ ପୋଷିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାର ବିଭିନ୍ନ ଅଞ୍ଚଳରୁ ଲୋକମାନେ ଏଠାକୁ ଆସିଥାନ୍ତି। ପରିବାର ଭରଣପୋଷଣ ଉଦ୍ଦେଶ୍ୟରେ ଆସିଥିବା ଏହି ବ୍ୟକ୍ତିମାନେ ପ୍ରଥମେ ଭଡାସୂତ୍ରରେ ରହିବା ପରେ ଦଲାଲଙ୍କ ପ୍ରଲୋଭନରେ ପଡି ରେଜିଷ୍ଟ୍ରୀ ହୋଇପାରୁ ନଥିବା ଜମିକୁ ଏଗ୍ରୀମେଣ୍ଟ ସୂତ୍ରରେ କିଣିଥାନ୍ତି। ପରବର୍ତ୍ତୀ ସମୟରେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଓ ରାଜସ୍ୱ  ଅଧିକାରୀମାନଙ୍କୁ ହାତଗୁଞ୍ଜା ଦେଇ ଦଲାଲଙ୍କଠାରୁ କିଣିଥିବା ଅଣ ବନ୍ଦୋବସ୍ତ, ଅନାବାଦି, ଗୋଚର ଓ ଶ୍ମଶାନ ଜମିରେ ଗୃହ ନିର୍ମାଣ କରିବା ସହିତ ଜବରଦଖଲ ମକଦ୍ଦମା ରୁଜୁ କରି ଜମିର ମାଲିକ ହୋଇଯାଉଛନ୍ତି।   ଏ ସଂପର୍କରେ ସ୍ଥାନୀୟ ଅଧିବାସୀମାନେ ରାଜସ୍ୱ ବିଭାଗର ଅଧିକାରୀ, ତହସିଲଦାର, ଜିଲ୍ଲାପାଳ, ଆରଡିସି, ବିଭାଗୀୟ ମନ୍ତ୍ରୀ,  ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବରେ ଅବଗତ କରାଯାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ବିଭିନ୍ନ ସମୟରେ ଜବର ଦଖଲକାରୀଙ୍କ ପାଇଁ ଏଠାରେ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ଉପୁଜୁଥିବା ବେଳେ କୋଣାର୍କ ସୌନ୍ଦର୍ଯ୍ୟକରଣ ଯୋଜନାର ଅଗ୍ରଗତିରେ ବିଳମ୍ୱ ହୋଇଛି। ଏଥିପାଇଁ ପ୍ରଶାସନ ପକ୍ଷରୁ କୋଣାର୍କ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ତେବେ ସେଥିରୁ ବିଶେଷ ସଫଳତା ମିଳି ନାହିଁ। କୋଣାର୍କ ଏନଏସିର ଚତୁପାର୍ଶ୍ବରେ ଥିବା ବହୁ ସରକାରୀ ଜମିକୁ ଜବର ଦଖଲ କରି ଦିନ ଦ୍ବିପ୍ରହରେ ଗୃହ ନିର୍ମାଣ କରାଯାଉଥିଲେ ମଧ୍ୟ ରାଜସ୍ବ ଅଧିକାରୀ ଓ ରାଜସ୍ବ ନିରୀକ୍ଷକ ହାତ ଗୁଞ୍ଜାନେଇ ନିରବ ରହିବା ସେମାନଙ୍କ ସାଧୁତା ଓ ଦକ୍ଷତା ଉପରେ ସନ୍ଦେହ ସୃଷ୍ଟି ହୋଇଛି।   ଅଣ ବନ୍ଦୋବସ୍ତ, ଅନାବାଦି, ଗୋଚର ଓ ଶ୍ମଶାନ ଜମିକୁ  ସରକାର ନିଜ ଅକ୍ତିଆରକୁ ଆଣି ସରକାରୀ ଜମି ଦଖଲ କରୁଥିବା ବ୍ୟକ୍ତି ଓ ମାଫିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ କୋଣାର୍କରେ ଆଉ ସରକାରୀ ଜମି ରହିବ ନାହିଁ। ଏହି ଜମି ସବୁ  ଦଲାଲ ଓ ଜବରଦଖଲକାରୀଙ୍କ କବ୍ଜାକୁ ଚାଲିଯିବ।

Share :