ଏଇ ତାଙ୍କ ପାରିବା ପଣିଆ!

ଏଇ ତାଙ୍କ ପାରିବା ପଣିଆ!

Share :

ରାଜ୍ୟ ହରାଇଛି ୨୨୨୯ କୋଟି ଖର୍ଚ୍ଚ ହୋଇପାରିନି ୧୮୭୭୫ କୋଟି ଦିଆଯାଇ ନାହିଁ ୨୦୯୪୦ କୋଟିର ୟୁସି   ନବୀନ ପଟ୍ଟନାୟକ ସରକାର ୧୬ ବର୍ଷ ହେଲାଣି କେନ୍ଦ୍ର ଅବହେଳାର କେନ୍ଦେରା ବଜାଉଥିବାବେଳେ ପ୍ରାଶାସନିକ ଅପାରଗତା ପାଇଁ ରାଜ୍ୟ ୨୦୧୦ରୁ ୨୦୧୫ ମଧ୍ୟରେ ପ୍ରାୟ ୨୨୨୯ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ହରାଇଛି। ତ୍ରୟୋଦଶ ଅର୍ଥ କମିଶନଙ୍କ କେତେକ ସୁପାରିଶ‌ କାର୍ଯ୍ୟକାରୀ ନକରିବା ଓ ସର୍ତ୍ତ ପୂରଣ ନକରିବାରୁ ମଂଜୁରୀ ସତ୍ତ୍ବେ ରାଜ୍ୟ ସରକାର ଏତେ ବଡ଼ ରକମର ଅର୍ଥ ହରାଇଥିବା କଂପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ମେ ୨ ତାରିଖରେ ବିଧାନସଭାରେ ଅର୍ଥମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହି ରିପୋର୍ଟ ଉପସ୍ଥାପିତ କରିଛନ୍ତି।   ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ, ୨୦୧୦-୧୫ ବର୍ଷ ମଧ୍ୟରେ ତ୍ରୟୋଦଶ ଅର୍ଥ କମିଶନ ରାଜ୍ୟକୁ ୧୬ଟି ବିଭାଗ ଅଧୀନରେ ଥିବା ୧୯ ପ୍ରକଳ୍ପକୁ ୪୮୩୨ କୋଟି ୩୬ ଲକ୍ଷ ଟଙ୍କା ଅନୁମୋଦନ କରିଥିଲେ। ତେବେ ରାଜ୍ୟ ସରକାର ସର୍ତ୍ତ ପୂରଣ କରି ନପାରିବାରୁ ଅନୁମୋଦନ ରାଶିରୁ ମାତ୍ର ୨୬୦୩ କୋଟି ୪୫ ଲକ୍ଷ ଟଙ୍କା ମିଳିଥିବାବେଳେ ୨୨୨୮ କୋଟି ୯୧ ଲକ୍ଷ ଟଙ୍କାର କ୍ଷତି ହୋଇଥିଲା। ଜଳ ନିୟନ୍ତ୍ରକ କର୍ତ୍ତୃପକ୍ଷ ଗଠନ ନହେବା ଯୋଗୁଁ ରାଜ୍ୟ ୧୩୮ କୋଟି ହରାଇଥିବାବେଳେ କର୍ମଚାରୀ ଓ ପେନସନ‌ ଡାଟାବେସ‌ କରାଯାଇ ନପାରିବାରୁ ସାଢ଼େ ୭ କୋଟି ଟଙ୍କା ଅନୁଦାନ କ୍ଷତି ହୋଇଥିଲା। ସେହିପରି ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ସର୍ତ୍ତପୂରଣ ନହେବାରୁ ୪୩୬ କୋଟିର ଅନୁଦାନ ମିଳି ନଥିବାବେଳେ ବିପିଏଲ‌ ପଞ୍ଜୀକରଣ ନହେବା ଯୋଗୁଁ ୧୬୦ କୋଟି ୬୫ ଲକ୍ଷ ଟଙ୍କା କ୍ଷତି ହୋଇଥିଲା। ଅପରପକ୍ଷରେ ପଞ୍ଚାୟତିରାଜ ଅନୁଷ୍ଠାନ ପାଇଁ ଅର୍ଥ କମିଶନ ଧାର୍ଯ୍ୟ କରିଥିବା ସର୍ତ୍ତାବଳୀ ପୂରଣ ନହେବା ଯୋଗୁଁ ୮୩୩ କୋଟି ଟଙ୍କା କମ‌ ଅନୁଦାନ ମିଳିଥିବାବେଳ ପୌରାଞ୍ଚଳର ସ୍ବାୟତ୍ତ ସଂସ୍ଥା ସଂକ୍ରାନ୍ତ ସର୍ତ୍ତ ପୂରଣ ନହେବାରୁ ୧୫୦ କୋଟି କମ‌ ଅନୁଦାନ ମିଳିଥିଲା। ଏହାଛଡ଼ା ସ୍ବତନ୍ତ୍ର କ୍ଷେତ୍ରରେ ସର୍ତ୍ତାବଳୀ ପୂରଣ ନହେବାରୁ ପ୍ରାୟ ୬୫ କୋଟି ୬୬ ଲକ୍ଷ ଟଙ୍କା କମ‌ ମିଳିଥିବା କମିଶନ ତାଙ୍କ ରିପୋର୍ଟରେ ଉଲ୍ଳେଖ କରିଛନ୍ତି।   ସେହିପରି ପ୍ରାକ ଯୋଜନା ବିନା ସରକାର ନୀତି ଘୋଷଣା କରିବା ଫଳରେ ଯୋଜନାର ଫଳପ୍ରଦ ରୂପାୟନ ହୋଇପାରୁ ନାହିଁ ବୋଲି ୨୦୧୪-୧୫ ଆର୍ଥିକ ବର୍ଷର ଆର୍ଥିକ ସମୀକ୍ଷା କରି ଉଲ୍ଳେଖ କରିଛନ୍ତି ସିଏଜି। ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ, ୨୦୧୪-୧୫ ଆର୍ଥିକ ବର୍ଷରେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ନାମକ ନୂତନ ଯୋଜନା ଘୋଷଣା କଲେ। ଏଥିପାଇଁ ୧୫୦ କୋଟି ଟଙ୍କାର ବ୍ୟବସ୍ଥା ମଧ୍ୟ ହୋଇଥିଲା। ହେଲେ ଏହାର ଗାଇଡ଼ ଲାଇନ‌ ଫେବୃଆରୀ ୨୦୧୫ରେ ଜାରି କରାଯିବାରୁ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ସେହିପରି ରାଜଧାନୀରେ ବିଦ୍ୟୁତ ବ୍ୟବସ୍ଥାର ବିକାଶ ପାଇଁ ୧୦୦ କୋଟିର ଯୋଜନା ଘୋଷଣା କରାଯାଇଥିଲେ ବି ଆର୍ଥିକ ବର୍ଷ ଶେଷ ସୁଦ୍ଧା ଇ-ନିଲାମ ପ୍ରକ୍ରିୟା ଆରମ୍ଭ କରାଗଲା ନାହିଁ। ଏହାଛଡ଼ା ସମବାୟ ବିଭାଗ ପକ୍ଷରୁ କୃଷି ସମବାୟ ସମିତିଗୁଡ଼ିକୁ କୃଷି କ୍ଲିନିକ ଖୋଲିବା ପାଇଁ ଆର୍ଥିକ ସହାୟତାର ବ୍ୟବସ୍ଥା ବଜେଟରେ ହୋଇଥିଲେ ବି ତାହା କାର୍ଯ୍ୟକାରୀ କରାଯାଇ ନାହିଁ। ମିଶନ ଯୁବଶକ୍ତି ପାଇଁ ୧୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିଲେ ବି ସେ ସଂକ୍ରାନ୍ତ ନୀତି ପ୍ରଣୟନ କରାଯାଇ ନଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।   ରିପାର୍ଟ ଅନୁସାର ରାଜ୍ୟର ରାଜସ୍ବ ଆୟ ୨୦୧୦-୧୧ରେ ୩୩୨୭୬ କୋଟିରୁ ୨୦୧୪-୧୫ରେ ୫୬୯୯୮ କୋଟି ଟଙ୍କା ବୃଦ୍ଧି ପାଇଥିବାବେଳେ ରାଜସ୍ବ ବ୍ୟୟ ୨୦୧୪-୧୫ରେ ୫୫୧୮ କୋଟି ଟଙ୍କା ବଢ଼ିଥିଲା। ସେହିପରି ଋଣ ପରିମାଣ ୨୨୯୦ କୋଟିରୁ ୭୬୪୬ କୋଟିକୁ ବୃଦ୍ଧି ପାଇଥିବାବେଳେ ୨୦୧୪-୧୫ରେ ୧୮୭୭୪ କୋଟି ୮୪ ଲକ୍ଷ ଟଙ୍କା ସଂଚୟ ହୋଇଥିଲା। ଯୋଜନା କାର୍ଯ୍ୟାନ୍ବୟନ ନହେବା ଓ ନଗଦ ରାଶିର ଆବଶ୍ୟକତା କମ‌ ଯୋଗୁଁ ଏହି ଅର୍ଥ ସଂଚିତ ହୋଇଥିଲା। ମାର୍ଚ୍ଚ ୨୦୧୫ ସୁଦ୍ଧା ୨୦୯୪୦ କୋଟି ଟଙ୍କାର ବିନିଯୋଗ ପ୍ରମାଣ ପତ୍ର ଦିଆଯାଇନଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଳେଖ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିନିଯୋଗ ପ୍ରମାଣପତ୍ର ଠିକ ସମୟରେ ଦାଖଲ ହେଉ ନଥିବାରୁ ନିୟମ ଅନୁଯାୟୀ ଅନେକ ସମୟରେ ରାଜ୍ୟକୁ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଉଛି।

Share :