ଏମକେସିଜି- ଡାକ୍ତର ଦଲାଲ, ରୋଗୀ ଜଳକା

ଏମକେସିଜି- ଡାକ୍ତର ଦଲାଲ, ରୋଗୀ ଜଳକା

Share :

ହେମାଙ୍ଗ ରାଉଳ   ଏମକେସିଜି ମେଡ଼ିକାଲର ପିଛା ଛାଡ଼ୁନି ସମସ୍ୟା ଓ ବିବାଦ। ଦକ୍ଷିଣ ଓଡ଼ିଶାର ପ୍ରମୁଖ ତଥା ଏକମାତ୍ର ସରକାରୀ ବଡ଼ ମେଡ଼ିକାଲ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ବା ଏମକେସିଜି ବହୁବିଧ ସମସ୍ୟା ଦେଇ ଗତି କରୁଛି। ଡାକ୍ତରମାନେ ଏଠାରେ ଦଲାଲ ସାଜିଥିବା ବେଳେ ରୋଗୀ ଚିକିତ୍ସାରେ ଲାଗିଥିବା ପିଜି ଛାତ୍ରମାନେ ରୋଗୀମାନଙ୍କୁ ଅବହେଳା ପ୍ରଦର୍ଶନ ଓ ସେମାନଙ୍କ ସଂପର୍କୀୟମାନଙ୍କୁ ଦୁର୍ବ୍ୟବହାର ଏବଂ ମାଡ଼ ମାରିବା ନଜିର ରହିଛି।   ବ୍ରହ୍ମପୁର ବଡ଼ ମେଡ଼ିକାଲ ଉପରେ କେବଳ ବ୍ରହ୍ମପୁର ସହର ନୁହେଁ ସମଗ୍ର ଦକ୍ଷିଣ ଓଡ଼ିଶାର ଲୋକେ ନିର୍ଭର କରନ୍ତି। ଏହି ମେଡ଼ିକାଲରେ ବିଭିନ୍ନ ଅବ୍ୟବସ୍ଥା ଦେଖିବାକୁ ମିଳୁଛି ମେଡ଼ିକାଲ ମଧ୍ୟରେ ସମସ୍ତ କାର୍ଯ୍ୟରେ ଟଙ୍କା କାରବାର ହେଉଥିବା ଦେଖିବାକୁ ମିଳୁଛି। ସେହିଭଳି ଜଣେ ଗୁରୁତର ରୋଗୀ ଅାଶୁ ଚିକିତ୍ସା ପାଇଁ ଏମର୍ଜେନ୍ସି କେନ୍ଦ୍ରକୁ ଗଲେ ସେଠାରେ ପିଜି ଛାତ୍ରମାନେ ରୋଗୀଙ୍କ ରୋଗ ସଂପର୍କରେ ଜାଣିବା ପାଇଁ ବହୁ ସମୟ ନେଉଥିବା ଦେଖିବାକୁ ମିଳୁଛି। ଜଣେ ପିଜି ଛାତ୍ର ଜାଣି ନପାରିଲେ ଅନ୍ୟ ସାଥୀମାନଙ୍କୁ ଡ଼ାକୁଛନ୍ତି। ଏହିଭଳି ପିଜି ଛାତ୍ରମାନେ ରୋଗୀ ଉପରେ କେବଳ ପରୀକ୍ଷା ନିରୀକ୍ଷା କରିବାରେ ଲାଗୁଛନ୍ତି, କିନ୍ତୁ ସଠିକ ଚିକିତ୍ସା ଯୋଗାଇ ପାରୁନାହାନ୍ତି।   ଏଣେ ବରିଷ୍ଠ ଡ଼ାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ଛାତ୍ରମାନେ ଡ଼ାକ୍ତରଙ୍କୁ ଫୋନ ମାଧ୍ୟମରେ ପରାମର୍ଶ ନେଉଥିବା ପରିଲକ୍ଷିତ ହେଉଛି। ଏହାଫଳରେ ବିଭିନ୍ନ ସମୟରେ ରୋଗୀମାନଙ୍କ ପ୍ରାଣ ଯାଉଥିବା ବେଳେ ରୋଗୀଙ୍କ ସଂପର୍କୀୟମାନେ ଏମାନଙ୍କ ଭରସାରେ ରୋଗୀଙ୍କୁ ଛାଡ଼ିବା ଛଡ଼ା ଅନ୍ୟ ଉପାୟ ନଥାଏ। ରୋଗୀମାନେ ଏସଂପର୍କରେ ଅଭିଯୋଗ କଲେ ତାଙ୍କୁ ପିଜି ଛାତ୍ରମାନେ ଦୁର୍ବ୍ୟବହାର ସହ ମାଡ଼ ମାରୁଥିବା ମଧ୍ୟ ନଜିର ରହିଛି। ଗଣମାଧ୍ୟମ ପ୍ରତିନିଧିମାନେ ଖବର ସଂଗ୍ରହ କରିବାକୁ ଗଲେ ମେଡ଼ିକାଲ ଛାତ୍ରମାନେ ସେମାନଙ୍କୁ ମଧ୍ୟ ମାଡ଼ ମାରିବା ଏବଂ ମେଡ଼ିକାଲରେ ପ୍ରବେଶ ନିଷେଧ କରିବା ନିକଟ ଅତୀତରେ ଦେଖିବାକୁ ମିଳିଛି।   ସେହିଭଳି ମେଡ଼ିକାଲ ରକ୍ତଭଣ୍ଡାରରେ ରକ୍ତର ବ୍ୟାପକ କଳା କାରବାର ହେଉଥିବା ଅଭିଯୋଗ ହେଉଛି। ବାରମ୍ବାର ଅାନ୍ଦୋଳନ ସହ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଅାକର୍ଷଣ କରାଯାଉଥିଲେ ସୁଦ୍ଧା ଠିକଣା ସମୟରେ ରକ୍ତ ଅାବଶ୍ୟକ କରୁଥିବା ରୋଗୀଙ୍କୁ ରକ୍ତ ମିଳିପାରୁ ନାହିଁ। ବିଭିନ୍ନ ସମୟରେ ଏହାକୁ କେନ୍ଦ୍ରକରି ଗଣ୍ଡଗୋଳ ହେଉଥିବା ନଜିର ରହିଛି। ନିର୍ଦ୍ଦିଷ୍ଟ ଗ୍ରୁପର ରକ୍ତ ରକ୍ତ ଭଣ୍ଡାରରେ ନଥିବା ରକ୍ତ ଭଣ୍ଡାର ବାହାରେ ଉଲ୍ଲେଖ ଥିଲାବେବେଳ ବେସରକାରୀ ନର୍ସିଂହୋମ, ଭିଅାଇପି ସୁପାରିଶ ଓ ପରିଚିତ ବ୍ୟକ୍ତିଙ୍କ ଅନୁରୋଧରେ ରକ୍ତ ମିଳୁଥିବା ଦେଖିବାକୁ ମିଳୁଛି। ସହଜରେ ମିଳୁନଥିବା କିଛି ନିର୍ଦ୍ଦିଷ୍ଟ ଗ୍ରୁପର ରକ୍ତ ରକ୍ତ ଭଣ୍ଡାରରେ ମହଜୁଦ ଥିଲେ ସୁଦ୍ଧା ମହଜୁଦ ନଥିବା ବାହାରେ ଉଲ୍ଲେଖ କରାଯାଉଛି। ଗରୀବ ରୋଗୀଟି କାକୁତି ମିନତି ହୋଇ ଅନୁରୋଧ କଲେ ମଧ୍ୟ ରକ୍ତ ମିଳୁନାହିଁ। ରକ୍ତ ବିକ୍ରୀ ହୁଏନାହିଁ ବୋଲି ଉଲ୍ଲେଖ ରହିଥିଲେ ସୁଦ୍ଧା ବ୍ରହ୍ମପୁର ବଡ଼ ମେଡ଼ିକାଲ ରକ୍ତଭଣ୍ଡାରରେ ବର୍ଷବର୍ଷ ଧରି ଚଢ଼ା ଦରରେ ରକ୍ତର କଳାବଜାରୀ ହେଉଥିବା ଅଭିଯୋଗ ହେଉଛି।   ଏସଂପର୍କରେ ଗଣମାଧ୍ୟମରେ ବାରମ୍ବାର ପ୍ରକାଶ ଏବଂ ପ୍ରସାର ହେଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ। ପ୍ରତିଦିନ ବିଭିନ୍ନ ସ୍ବେଚ୍ଛାସେବୀ ସଂସ୍ଥାଙ୍କ ଦ୍ବାରା ଏବଂ ବ୍ୟକ୍ତିଗତ ଭାବେ ରକ୍ତଦାନ କରାଯାଇଥିବା ସ୍ଥଳେ ଉକ୍ତ ରକ୍ତ ଯାଉଛି କୁଅାଡ଼େ ତାହା ଏକ ବିରାଟ ପ୍ରଶ୍ନ। ସେହିଭଳି ଏମକେସିଜି ମେଡ଼ିକାଲରେ ରାଜନୀତି ମଧ୍ୟ କିଛି କମ ନୁହେଁ। ନୂଅା ବସଷ୍ଟାଣ୍ଡ ନିକଟସ୍ଥ ମେଡ଼ିକାଲ ଗେଟ ଦୀର୍ଘଦିନ ଧରି ବନ୍ଦ ରହିଥିବା ସ୍ଥଳେ ରୋଗୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଅାମ୍ବୁଲାନ୍ସ କିମ୍ବା ଗାଡ଼ିରେ ଗୁରୁତର ଅବସ୍ଥାରେ ମେଡ଼ିକାଲ ମୁଖ୍ୟ ଗେଟ ଦେଇ ଯିବା ପାଇଁ ଯଥେଷ୍ଟ ଅଧିକ ସମୟ ଲାଗିଥାଏ ଯାହାଫଳରେ ବହୁ ଗୁରୁତର ରୋଗୀଙ୍କ ଚିକିତ୍ସାର ବିଳମ୍ବ ଘଟୁଛି।   ଏ ସଂପର୍କରେ ବାରମ୍ବାର ଖୋଦ ବ୍ରହ୍ମପୁର ବିଧାୟକଙ୍କ ଦୃଷ୍ଟି ଅାକର୍ଷଣ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ। ଯାହାକୁ ନେଇ ଅସନ୍ତୋଷ ବଢ଼ୁଛି। ଏହିଭଳି ବିଭିନ୍ନ ସମସ୍ୟା ମେଡ଼ିକାଲରେ ଲାଗିରହିଥିବା ସ୍ଥଳେ ଡ଼ାକ୍ତରମାନେ ମେଡ଼ିକାଲରେ କମ କ୍ଲିନିକ ଏବଂ ନର୍ସିଂହୋମରେ ଅଧିକ ସମୟ ଦେବା ଅନ୍ୟ ଏକ ମୁଖ୍ୟ ସମସ୍ୟା। ମୋଟା ଅଙ୍କରେ ଦରମା ପାଉଥିବା ଡାକ୍ତର ଏବଂ ପ୍ରଫେସରରମାନେ ମେଡ଼ିକାଲ ଅାସୁଥିବା ରୋଗୀଙ୍କୁ ଶୋଷଣ କରୁଥିବା ବର୍ଷବର୍ଷ ଧରି ଅଭିଯୋଗ ହୋଇଅାସୁଛି। ଏସବୁ କାରଣରୁ ବଡ଼ ମେଡିକାଲକୁ ଧୀରେ ଧୀରେ ରୋଗୀସଂଖ୍ୟା କମିବାରେ ଲାଗିଛନ୍ତି। ପଇସା ଥିଲାବାଲା ମେଡ଼ିକାଲ ଭୁଲି ନର୍ସିଂହୋମ ଏବଂ କ୍ଲିନିକକୁ ଯାଉଥିବା ବେଳେ ସରକାରୀ ମେଡ଼ିକାଲକୁ କେବଳ ଗରୀବ ରୋଗୀମାନେ କୌଣସି ଉପାୟ ନପାଇ ଯାଉଛନ୍ତି। ତେବେ ଡାକ୍ତରମାନେ ଦୂରଦୂରାନ୍ତରୁ ଅାସୁଥିବା ଗରୀବ ରୋଗୀମାନଙ୍କୁ ନିଜ କ୍ଲିନିକ ଏବଂ ନର୍ସିଂହୋମକୁ ପଠାଇବା ସହ ବାହାରୁ ଔଷଧ କିଣିବାକୁ ଚାପ ପକାଉଛନ୍ତି।   ଏ ସଂପର୍କରେ ଗଣାମଧ୍ୟମରେ ବାରମ୍ବାର ଖବର ପ୍ରକାଶ ଏବଂ ପ୍ରସାର ହେଲେ ସୁଦ୍ଧା ମେଡ଼ିକାଲ ଉଚ୍ଚ କର୍ତ୍ତୃପକ୍ଷଙ୍କ ଏଥିପ୍ରତି ଖାତିର ଥିବା ଭଳି ମନେହେଉ ନାହିଁ। ଏହି ବଡ଼ ମେଡ଼ିକାଲ ପ୍ରତି ବିଶ୍ବାସ ତୁଟିଯାଉଥିବାରୁ ରୋଗୀମାନେ କୌଣସି ନର୍ସିଂହୋମ କିମ୍ବା ସୁଦୂର ବିଶାଖାପାଟଣା ଯିବାକୁ ଉଚିତ ମନେ କରୁଛନ୍ତି।

Share :