ଗଂଜାମ ଅପରାଧ ମୁକ୍ତ ହେବ?

ଗଂଜାମ ଅପରାଧ ମୁକ୍ତ ହେବ?

Share :

ହେମାଙ୍ଗ ରାଉଳ   ୪୦ ଦିନରେ ୧୨୨୭ ଜଣ ଗିରଫ, ୩୨ ବନ୍ଧୁକ ଜବତ   ଗଂଜାମ ଜିଲ୍ଲାକୁ ଅପରାଧମୁକ୍ତ କରିବା ଉଦ୍ଦେଶ୍ୟରେ ଏସପି ଆଶିଷ ସିଂହ ୨୦୧୬ ମାର୍ଚ୍ଚ ୧୯ ତାରିଖରୁ ଆରମ୍ଭ କରିଥିବା ଅପରେସନ କ୍ଲିନ ଅନେକଟା ସଫଳ ହୋଇଛି। ଏହି ଅଭିଯାନର ୪୦ ଦିନ ମଧ୍ୟରେ ୧୨୨୭ ଜଣଙ୍କୁ ଗିରଫ କରାଯିବା ସହିତ ୩୨ଟି ବୋମା ଜବତ କରାଯାଇଥିବା ଜିଲ୍ଲା ପୁଲିସ ନିକଟରୁ ସୂଚନା ମିଳିଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ୧୯୫ ଜଣ ଅପରାଧୀ ରହିଥିବା ବେଳେ ୭୭୬ ଜଣ ୱାରେଣ୍ଟି ଏବଂ ୨୫୬ ଜଣ ଅବକାରୀ ଆଇନ ଉଲ୍ଲଙୋଘନକାରୀ ରହିଥିବା ଜଣାପଡ଼ିଛି। ଗଂଜାମରେ ଏବେ ପ୍ରାୟ ପ୍ରତିଦିନ ପୋଲିସ ଅସାମାଜିକ ବ୍ୟକ୍ତିମାନଙ୍କୁ ଗିରଫ କରି ଜେଲ ପଠାଉଥିବାରୁ ଜେଲରେ ମଧ୍ୟ ସ୍ଥାନ ଅଭାବ ହେଲାଣି ବୋଲି ଲୋକ ହାଲକା ମନ୍ତବ୍ୟ ଦେବାର ଶୁଣିବାକୁ ମିଳୁଛି।   ଏସପିଙ୍କ ଗଂଜାମ ଜିଲ୍ଲାକୁ ଅପରାଧ ମୁକ୍ତ କରିବାର ପଣକୁ ଜିଲ୍ଲାବାସୀ ସ୍ୱାଗତ କରିଛନ୍ତି। ବହୁ କୁଖ୍ୟାତ ଅପରାଧୀ ଗିରଫ ହୋଇଛନ୍ତି। କିନ୍ତୁ ବାସ୍ତବରେ ପୋଲିସ କେବଳ ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନା ଏବଂ ତାଙ୍କ ସହଯୋଗୀ ଅପରାଧୀମାନଙ୍କ ପଛରେ ପଡ଼ିଥିବା ଦେଖିବାକୁ ମିଳୁଛି। ରମେଶ ସହ ବହୁ ଜମି ଜାଲିଆତିରେ ସଂପୃକ୍ତ ଥିବା ବ୍ରହ୍ମପୁର କିଛି ବିଲଡରଙ୍କୁ  ଗିରଫ କରାଯାଇଥିବା ବେଳେ ଆଉ କିଛି ଫେରାର ଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। କିନ୍ତୁ ଏଠାରେ ପ୍ରଶ୍ନଉଠେ ଯେ, ରମେଶଙ୍କ ସହ କେବଳ ବ୍ରହ୍ମପୁର ବିଲଡରମାନେ ହିଁ ସଂପୃକ୍ତ ରହିଛନ୍ତି କି?   ପୋଲିସ ଗିରଫ କରୁଥିବା ଅପରାଧୀମାନେ କେବଳ କଂଗ୍ରେସ ଦଳର ଏବଂ ଦଳୀୟ ସମର୍ଥକ ବୋଲି ପୂର୍ବରୁ ଅଭିଯୋଗ ହୋଇଥିଲା। ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ସରକାରୀ ଦଳ ନିର୍ଦ୍ଦେଶରେ ଏସପିଙ୍କ ଅପରେସନ କ୍ଲିନ ଆରମ୍ଭ ହୋଇଥିବା ଚର୍ଚ୍ଚା ଜୋର ଧରିଥିଲା। ପଞ୍ଚାୟତ ନିର୍ବାଚନ ପରେ ଗଂଜାମ ଜିଲ୍ଲାରେ ଅପରାଧୀ ଦମନ ପ୍ରକ୍ରିୟା ଜାରି ରହିବ ନା ବନ୍ଦ ହେବ ତାହା ବର୍ତ୍ତମାମ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷରେ ବିଏମସିର ବହୁ ଟେଣ୍ଡରରେ ଫିକ୍ସିଂ ହୋଇଥିବା ସୂଚନା ମିଳିଥିବା ବେଳେ ଖୋଦ ଏସପି ବିଏମସିର ବହୁ ଗୁରୁତ୍ବପୂର୍ଣ୍ଣ ଟେଣ୍ଡର ସଂପର୍କୀତ କାଗଜପତ୍ର ନେଇ ତଦନ୍ତ ପରିସରଭୁକ୍ତ କରିଥିବା ସୂଚନା ମିଳିଛି। କିନ୍ତୁ ବିଏମସି ଟେଣ୍ଡର ଫିକ୍ସିଂ ସଂପର୍କରେ ଆଜିସୁଦ୍ଧା ଖୁଲାସା ହୋଇପାରି ନାହିଁ। ଯାହାକୁ ନେଇ ବର୍ତ୍ତମାନ ବୁଦ୍ଧିଜୀବୀ ମହଲରେ ପୋଲିସ କାର୍ଯ୍ୟକଳାପକୁ ନେଇ ନାନାମତ ପ୍ରକାଶ ପାଉଛି।

Share :