ନିହତ ମହିଳା ମାଓବାଦୀଙ୍କ ପରିଚୟ କ’ଣ?

ନିହତ ମହିଳା ମାଓବାଦୀଙ୍କ ପରିଚୟ କ’ଣ?

Share :

ଏପ୍ରିଲ ୩୦ ତାରିଖରେ ପୁଲିସ ଏନକାଉଣ୍ଟରେ ନିହତ ହୋଇଥିବା ତିନି ଜଣ ମହିଳାଙ୍କର ପରିଚୟ ମିଳି ନଥିବାରୁ ପୁଲିସର ଦାବି ନେଇ ସନ୍ଦେହ ସୃଷ୍ଟି ହୋଇଛି। ନିହତ ମହିଳାମାନେ ସତରେ ମାଓବାଦୀ କି ଜଙ୍ଗଲୀ ଆଦିବାସୀ ତାହା ମଧ୍ୟ ସ୍ଥିର ହୋଇନାହିଁ। ସେମାନଙ୍କ ଶିବିରରୁ ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ପୁଲିସ ଦାବି କରିଥିବାରୁ ସେମାନେ ମାଓବାଦୀ ହୋଇଥାଇ ପାରନ୍ତି ବୋଲି ମଧ୍ୟ ବିଶ୍ବାସ କରାଯାଉଛି।   କଳାହାଣ୍ଡି ଏସପି ବ୍ରଜେଶ ରାୟଙ୍କ ନେତୃତ୍ୱରେ ଡିଭିଏଫ ଏବଂ ଏସଓଜି ଯବାନ ମିଳିତ ଭାବେ କଳାହାଣ୍ଡିର ଆମପାଣି ଜଙ୍ଗଲରେ ଚଢାଉ କରି ସିପିଆଇ ମାଓବାଦୀ ଛତିଶଗଡ କ୍ୟାଡରର ପ୍ରାୟ ୨୫ରୁ ୩୦ ମାଓବାଦୀ ରହୁଥିବା ଶିବିର ଉପରେ ଅତର୍କିତ ଗୁଳି ବର୍ଷଣ କରିଥିଲେ। ମାଓବାଦୀଙ୍କ ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ କରାଯାଇଥିଲା। ତେବେ ଯବାନଙ୍କ ଗୁଳି ମାଡରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ପଳାଇ ଥିବା ବେଳେ ତିନି ଜଣ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ଦକ୍ଷିଣ ପଶ୍ଚିିମାଞ୍ଚଳ ଡିଆଇଜି ଏସ. ସାଇନି ସୂଚନା ଦେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ତିନି ମୃତ ମହିଳା ମାଓବାଦୀଙ୍କ ପରିଚୟ ମିଳିପାରି ନହିଁ।   ପୁଲିସ ପକ୍ଷରୁ ତିନୋଟି ମାଓବାଦୀ ଶିବିର ଧ୍ବଂସ କରାଯାଇ ଘଟଣା ସ୍ଥଳରୁ ଦୁଇ ଗୋଟି ୩୦୩ ରାଇଫଲ ଗୋଟିଏ ୯ ଏମଏମ ପିସ୍ତଲ, ୬୫ ରାଉଣ୍ଡ ଅଫୁଟା ଗୁଳି, ଗୋଟିଏ ଟିଫିନ ବୋମା, ବିଦ୍ୟୁତ ତାର, ମାଓବାଦୀ ପୁସ୍ତିକା ତଥା ମାଓବାଦୀ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି। ମୃତ ତିନି ମହିଳା ମାଓବାଦୀ  ଛତିଶଗଡ ମୈନପୁର ଡିଭିଜନର ବୋଲି ସନ୍ଦେହ କରା ଯାଉଛି। ଏ ନେଇ ଓଡିଶା ପୁଲିସ ଛତିଶଗଡ ପୁଲିସ ସହ ଯୋଗାଯୋଗରେ ଥିବା ଜଣାପଡିଛି।

Share :