ବେଳାଭୂମିରେ ଲକ୍ଷ ଲକ୍ଷ ମୃତ ଜେଲି ଫିଶ୍

ବେଳାଭୂମିରେ ଲକ୍ଷ ଲକ୍ଷ ମୃତ ଜେଲି ଫିଶ୍

Share :

ଏପ୍ରିଲ ୩୦ ତାରିଖ ରବିବାର ସକାଳ ୮ଟା ସମୟରେ ବଙ୍ଗୋପସାଗରର ବକ୍ଷରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଜେଲିଫିଶ ଭାସି ଆସି ଚନ୍ଦ୍ରଭାଗା ସମୂଦ୍ର କୂଳରେ ମୃତ୍ୟୁବରଣ କରିଥିବା ଦେଖିବାକୁ ମିଳିଥିଲା। ଏହି ଜେଲିଫିଶ ଗୁଡିକ ଟଙ୍କିକିଆ ଆକୃତିର ହୋଇଥିବା ବେଳେ ଏହାର ଚତୁଃପାର୍ଶ୍ୱରେ ନୀଳରଙ୍ଗର ଲାଳୁଆ ଲୋମ ରହିଥିବା ଦେଖିବାକୁ ମିଳିଥିଲା। ଏଗୁଡ଼ିକର ରଙ୍ଗ ନୀଳ ଓ ଦେଖିବାକୁ ବୋତାମ ଭଳି। ତେଣୁ ଏହାକୁ ବ୍ଲୁ ବଟନ୍ ଜେଲି ଫିଶ ବୋଲି ମଧ୍ୟ କୁହାଯାଏ। ଚନ୍ଦ୍ରଭାଗା ବ୍ୟତିତ ଅସ୍ତରଙ୍ଗ ସମୁଦ୍ର ଉପକୂଳରେ ମଧ୍ୟ ଏହିପରି ଲକ୍ଷଲକ୍ଷ ସଂଖ୍ୟାରେ ଜେଲି ଫିଶ୍ ମରି ପଡ଼ିଥିବାର ଦେଖାଯାଇଛି।   ମତ୍ସ୍ୟଜୀବୀମାନେ ଏହି ଜେଲିଫିଶକୁ ରାବେଣା ବୋଲି କହିଥାନ୍ତି। ସେମାନଙ୍କ ମତରେ ଏହା ଏକ ପ୍ରଜାତିର ଜେଲି ଫିଶ। ଗଭୀର ସମୁଦ୍ରରେ ଏମାନେ ଦଳ ଦଳ ହୋଇ ଦଳପତି ବା ମା ଜେଲିଫିଶକୁ ଅନୁସରଣ କରି ଖାଦ୍ୟ ସଂଗ୍ରହ କରିଥାନ୍ତି। ଏହି ସମୟରେ ଶିକାରୀ ଜଳଚର ଜୀବଙ୍କର ଆକ୍ରମଣ ହେଉ ବା ଦଳପତି ଠାରୁ ଅଲଗା ହୋଇ ବଟବଣା ହେବା ଯୋଗୁଁ ସମୁଦ୍ରର ଉଚ୍ଚ ଜୁଆରକୁ ଚାଲି ଆସିବା ଫଳରେ ଜୁଆର ସହ ସଂଘର୍ଷ କରି ନ ପାରି କୂଳକୁ ଭାସିଆସି ମୃତ୍ୟୁବରଣ କରିଥାନ୍ତି।   ଗବେଷଣାରୁ ଜଣା ପଡିଛି ଯେ ଏହି ପ୍ରଜାତିର ଜେଲିଫିଶ ଅଲିଭ ରିଡଲେ କଇଁଛମାନଙ୍କର ପ୍ରିୟ ଖାଦ୍ୟ ହୋଇଥିବା ବେଳେ ଏହି ଜେଲିଫିଶମାନେ ସମୁଦ୍ରର ଛୋଟ ମାଛମାନଙ୍କୁ ଖାଇଯାଇଥାନ୍ତି। ଜେଲିଫିସ ଜନ୍ମ ହେବାର ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଦଳ ଦଳ ହୋଇ ମୃତ୍ୟୁବରଣ କରିଥାନ୍ତି। ତେବେ ଏତେ ସଂଖ୍ୟାରେ ଜେଲିଫିଶ ଚନ୍ଦ୍ରଭାଗାର ସମୁଦ୍ର କୂଳରେ ମୃତ୍ୟୁବରଣ କରିବା ଆଗରୁ କେବେ ଦେଖିବାକୁ ମିଳି ନ ଥିଲା। ଚନ୍ଦ୍ରଭାଗାର ସମୁଦ୍ର କୂଳରେ ମୃତ ଜେଲିଫିଶଙ୍କୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ସମେତ ସ୍ଥାନୀୟ ଲୋକଙ୍କର ଭିଡ ଲାଗିରହିଥିଲା।   କେତେକ ବିଶେଷଜ୍ଞଙ୍କ ମତରେ ଜେଲି ଫିଶମାନେ ସାଧାରଣତଃ ସମୁଦ୍ରର ଉତ୍ତପ୍ତ ଅଂଚଳରେ ବସବାସ କରନ୍ତି। ସେମାନଙ୍କୁ ଅଧିକ ସଂଖ୍ୟାର ପ୍ରଶାନ୍ତ ମହାସାଗର ଓ ଆଟଲାଣ୍ଟିକ ମହାସାଗରର ଉତ୍ତପ୍ତ ଭାଗରେ ଦେଖିବାକୁ ମିଳେ। ଭାରତ ମହାସାଗରର ଉତ୍ତପ୍ତ ଜଳରାଶିରେ ମଧ୍ୟ ଜେଲି ଫିଶ୍ ରହିଥାନ୍ତି। ସଂପ୍ରତି ଏଲ୍ ନିନୋ ଓ ବିଶ୍ବ ତାପନ ପ୍ରଭାବ ଯୋଗୁଁ ସାମୁଦ୍ରିକ ଜଳବାୟୁରେ ମଧ୍ୟ ଅନେକ ପରିବର୍ତ୍ତନ ଘଟିଛି। ଏହି ପରିବର୍ତ୍ତନ ମଧ୍ୟରେ ବଙ୍ଗୋପସାଗର ଉପକୂଳ ଅଂଚଳ ମଧ୍ୟ ଅଧିକ ଉତ୍ତପ୍ତ ହୋଇଛି। ଏହା ଫଳରେ ଜେଲି ଫିଶମାନେ ଏ ଅଂଚଳକୁ ଚାଲି ଆସିଥାଇ ପାରନ୍ତି। ପୁଣି କେତେକଙ୍କ ମତରେ ସେମାନଙ୍କର ମୂଳ ଅଂଚଳରେ ଖାଦ୍ୟାଭାବ ସୃଷ୍ଟି ହୋଇଥିଲେ ଆହାର ସନ୍ଧାନରେ ଆସି ଜେଲିଫିଶମାନେ ଏଠାରେ ମୃତ୍ୟୁମୁଖରେ ପଡ଼ିଥାଇ ପାରନ୍ତି।

Share :