ଚକ୍ରାନ୍ତରେ ଚପିଗଲା ଜମି ଦୁର୍ନୀତି!

ଚକ୍ରାନ୍ତରେ ଚପିଗଲା ଜମି ଦୁର୍ନୀତି!

Share :

ପ୍ରଦୀପ ପ୍ରଧାନ   ଗତ ଅଗଷ୍ଟ, ୨୦୧୪ରେ ରାଜ୍ୟର ସହରାଂଚଳରେ ଜମି ଆବଂଟନରେ ହୋଇଥିବା ବ୍ୟାପକ ଦୁର୍ନୀତି, ଅନିୟମିତତା ଏବଂ ବେଆଇନ କାର୍ଯ୍ୟ ସଂପର୍କରେ ସିଏଜି ରିପୋର୍ଟ ପ୍ରକାଶ ପାଇଲା ପରେ ସାରା ରାଜ୍ୟରେ ଦେଖା ଦେଇଥିବା ତୀବ୍ର ଜନ ଅସନ୍ତୋଷ ଏବଂ ରାଜନୈତିକ ହଟଚମଟକୁ ଦୃଷ୍ଟିରେ ରଖି ସରକାର ବାଧ୍ୟବାଧକତାରେ ବରିଷ୍ଠ ପ୍ରଶାସକ ଡ଼କ୍ଟର ତାରାଦତ୍ତଙ୍କ ଅଧ୍ୟକ୍ଷତାରେ ଏକ ଟ୍ୟାକ୍ସ ଫୋର୍ସ ଗଠନ କରିଥିଲେ। ଜମି ଆବଂଟନ ଏବଂ ଇଚ୍ଛାଧୀନ କୋଟାରେ ଜମି ଆବଂଟନ ହୋଇଥିବା ଅନିୟମିତତାର ଅନୁଧ୍ୟାନ କରି ଚାରି ମାସ ମଧ୍ୟରେ ରିପୋର୍ଟ ଦେବାକୁ ଟ୍ୟାକ୍ସ ଫୋର୍ସକୁ ଦାୟିତ୍ୱ ଦିଆଯାଇଥିଲା। ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ତଥା ନଭେମ୍ୱର ୩ ତାରିଖରେ ଉକ୍ତ କମିଟି ତାଙ୍କ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ ଏବଂ ଏହି ରିପୋର୍ଟର ସୁପାରିଶ ଆଧାରରେ ସରକାର ଦେଢ଼ ମାସ ପରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ପ୍ରକାଶ କରିଥିଲେ। ଏହା ଦ୍ୱାରା ଜମି ଦୁର୍ନୀତିର ଅବସାନ ଘଟାଇବା ପାଇଁ ରାଜ୍ୟ ସରକାର ବାସ୍ତବ ପଦକ୍ଷେପ ନେବେ ବୋଲି ଗଣ ମାଧ୍ୟମରେ ସରକାରୀ କଳ ପକ୍ଷରୁ ବ୍ୟାପକ ପ୍ରଚାର କରାଯାଇଥିଲା। କିନ୍ତୁ ଏହା ପରେ ବି ବର୍ଷାଧିକ କାଳ ବିତିଗଲାଣି। ବିଡିଏ, ସିଡିଏ ଓ ହାଉସିଂ ବୋର୍ଡ଼ ଆଦି ସଂସ୍ଥା କେତେକ କ୍ଷେତ୍ରରେ କେବଳ ନୋଟିସ ଜାରି କରି ଚୁପ ବସିଛନ୍ତି। ଚାରି ହଜାର ଉପରେ ବେଆଇନ ପ୍ଲଟରୁ ମାତ୍ର ୧୧ଟି ପ୍ଲଟର ଆବଣ୍ଟନ ବାତିଲ ହୋଇଥିବା କୁହାଯାଉଛି।   ବାସ୍ତବରେ ଟ୍ୟାକ୍ସ ରିପୋର୍ଟ ଏବଂ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଅନୁଧ୍ୟାନ କଲେ ଦେଖାଯାଏ ଉଭୟ ରିପୋର୍ଟ ମାଧ୍ୟମରେ ଜମି ଦୁର୍ନୀତି ବା ଜମି/ପ୍ଲଟ ଆବଂଟନରେ ହୋଇଥିବା ବ୍ୟାପକ ଦୁର୍ନୀତି କୁ ଘଂଟ ଘୋଡ଼ାଇବା ପାଇଁ ଏକ ଦୀର୍ଘ ସୂଚୀ ବିଧିବିଧ ଚକ୍ରାନ୍ତ କରାଯାଇଛି। ପ୍ରଥମତଃ, ସାଧାରଣ ପ୍ରଶାସନ ବିଭାଗ, ବିଡ଼ିଏ, ସିଡ଼ିଏ ଏବଂ ଇଡ଼କୋ ଦ୍ୱାରା ବିଭିନ୍ନ ବ୍ୟକ୍ତି ବିଶେଷ, ବେସରକାରୀ ଅନୁଷ୍ଠାନ, କଂପାନୀମାନଙ୍କୁ ଦେଇଥିବା ଜମି ଆବଂଟନରେ ବ୍ୟାପକ ଅପିୟମିତତା ଏବଂ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଇଥିବା ସଂପର୍କରେ ସିଏଜି ଦର୍ଶାଇଥିଲେ। ଆଶା କରାଯାଉଥିଲା ଉପରୋକ୍ତ ସମସ୍ତ ସଂସ୍ଥାଙ୍କ ଦ୍ୱାରା ହୋଇଥିବା ଜମି ଆବଂଟନର ଅନୁଧ୍ୟାନ ପାଇଁ ରାଜ୍ୟ ସରକାର ଟ୍ୟାକ୍ସ ଫୋର୍ସକୁ ଦାୟିତ୍ୱ ଦେବେ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଇଡ଼କୋ ଜମି ଆବଂଟନର ଅନୁଧ୍ୟାନ ପାଇଁ ଟ୍ୟାକ୍ସ ଫୋର୍ସକୁ ଦାୟିତ୍ବ ଦିଆଯାଇ ନଥିଲା। ଏହାର କାରଣ ଏବେ ବି ଅସ୍ପଷ୍ଟ। ଏଠାରେ ସୂଚନା ଆଗୁଆ ସିଏଜି ତାଙ୍କ ରିପୋର୍ଟରେ ସବୁଠାରୁ ଅତ୍ୟଧିକ ବେଆଇନ ଓ ଅନିୟମିତତା ଏବଂ ବ୍ୟାପକ ରାଜସ୍ୱ କ୍ଷତି ଇଡ଼କୋ ଜମି ଆବଂଟନରେ ହୋଇଥିଲା ବୋଲି ଦର୍ଶାଇଥିଲେ। ତେଣୁ ପ୍ରଥମରୁ ରାଜ୍ୟ ସରକାର ଇଡ଼କୋ ଜମି ଦୁର୍ନୀତିକୁ ଘଂଟ ଘୋଡ଼ାଇବା ପାଇଁ ଚେଷ୍ଟା କରିଥିଲେ ବୋଲି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ।   ଦ୍ବିତୀୟତଃ, ରାଜ୍ୟ ସରକାର ଟ୍ୟାକ୍ସ ଫୋର୍ସକୁ ୧୯୯୫ ମସିହାରୁ ସାଧାରଣ ପ୍ରଶାସନ ବିଭାଗ, ବିଡ଼ିଏ, ସିଡ଼ିଏ ଏବଂ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡ଼ ଦ୍ୱାରା ଇଚ୍ଛାଧୀନ ଭାବେ ବା ମନ୍ତ୍ରୀଙ୍କ ଇଚ୍ଛାଧୀନ କୋଟାରେ ବାସଗୃହ/ପ୍ଲଟ ଆବଂଟନରେ ହୋଇଥିବା ଅନିୟମିତତାର ଅନୁଧ୍ୟାନ ପାଇଁ ଦାୟିତ୍ୱ ଦେଇଥିଲେ। କିନ୍ତୁ ସରକାର ୧୯୯୫ ମସିହାର ପୂର୍ବ ସମୟରୁ ଅର୍ଥାତ ୧୯୮୦ ବା ୧୯୮୫ ମସିହାରୁ ଜମି ଆବଂଟନର ଅନୁଧ୍ୟାନ ପାଇଁ କାହିଁକି ଟ୍ୟାକ୍ସ ଫୋର୍ସକୁ ଦାୟିତ୍ୱ ଦେଲେ ନାହିଁ ତା’ର କୌଣସି କାରଣ ଦର୍ଶାଇ ନଥିଲେ ଯାହା କି ତଦନ୍ତ ସାପେକ୍ଷ। ଏଠାରେ ସୂଚନାଯୋଗ୍ୟ ଯେ ୧୯୯୫ ମସିହାର ପୂର୍ବବର୍ତ୍ତୀ ସମୟରେ ମଧ୍ୟ ସାଧାରଣ ପ୍ରଶାସନ ବିଭାଗ ଏବଂ ଅନ୍ୟାନ୍ୟ କର୍ତ୍ତୃପକ୍ଷ ଦ୍ୱାରା ହୋଇଥିବା ଜମି/ପ୍ଲଟ ଆବଂଟନରେ ବ୍ୟାପକ ଦୁର୍ନୀତି ହୋଇଥିବା ସଂପର୍କରେ ଅଭିଯୋଗ ହୋଇଛି ଏବଂ ଏହାର ତଦନ୍ତ ପାଇଁ ମଧ୍ୟ ଦାବୀ ହୋଇ ଆସୁଅଛି। ତେଣୁ ଏହି ଦୁର୍ନୀତିକୁ ଲୁଚାଇବାକୁ ରାଜ୍ୟ ସରକାର ଏପରି ଚକ୍ରାନ୍ତ କରିଥିବାର ସ୍ପଷ୍ଟ ଅନୁମେୟ। ଟ୍ୟାକ୍ସ ଫୋର୍ସ ମଧ୍ୟ ୧୯୯୫ ମସିହାର ପୂର୍ବବର୍ତ୍ତୀ ଜମି ଆବଂଟନର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛନ୍ତି।   ତୃତୀୟତଃ, ଟ୍ୟାକ୍ସ ଫୋର୍ସ କମିଟି ଏହା ମଧ୍ୟ ଦର୍ଶାଇଛନ୍ତି ଯେ ୧୯୯୫ ମସିହାର ପୂର୍ବବର୍ତ୍ତୀ ସମୟରେ ଅର୍ଥାତ ୧୯୮୦ରୁ ୧୯୯୫ ମଧ୍ୟରେ ସାଧାରଣ ପ୍ରଶାସନ ବିଭାଗ ଏବଂ ଅନ୍ୟାନ୍ୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ହୋଇଥିବା ବାସଗୃହ ଆବଂଟନ ସ୍କିମ କରାଯାଇ ବ୍ୟାପକ ପ୍ଲଟ ଏବଂ ବାସଗୃହ ଆବଂଟନ କରାଯାଇଛି। ଯାହାର ତାଲିକା ପ୍ରସ୍ତୁତ ନହେଲେ ବିଭିନ୍ନ ବ୍ୟକ୍ତି ଆଇନଗତ ବା ବେଆଇନଭାବେ ନେଇଥିବା ଜମିର ମୂଲ୍ୟାୟନ ବା ଅନୁଧ୍ୟାନ କରାଯାଇ ପାରିବ ନାହିଁ କି ସଂପୂର୍ଣ୍ଣ ତାଲିକା ପ୍ରସ୍ତୁତ କରାଯାଇ ପାରିବ ନାହିଁ। ତେଣୁ ଟ୍ୟାକ୍ସ ଫୋର୍ସ ଦ୍ୱାରା ପ୍ରଦତ୍ତ ଇଚ୍ଛାଧିନ କୋଟାରେ ନେଇଥିବା ପ୍ଲଟ ନେଇଥିବା ବ୍ୟକ୍ତି ବିଶେଷଙ୍କ ନାମ ତାଲିକା ଅସଂପୂର୍ଣ୍ଣ। ଚତୁର୍ଥତଃ, କମିଟିର ଅଧ୍ୟକ୍ଷ ଡ଼କ୍ଟର ତାରାଦତ୍ତ ଦର୍ଶାଇଛନ୍ତି ଯେ ବାସଗୃହ ଆବଂଟନ ସଂପର୍କୀତ ବିଭିନ୍ନ ସ୍କିମର ବହୁ ଗୁରୁତ୍ୱପୂର୍ଣ୍ଣ ଫାଇଲ, ଡ଼କୁମେଟ ସଂପୃକ୍ତ ସରକାରୀ ଅଧିକାରୀମାନେ ଯୋଗାଇ ନାହାନ୍ତି ଯେଉଁଥିପାଇଁ ଟ୍ୟାକ୍ସ ଫୋର୍ସ ତାଙ୍କ କାର୍ଯ୍ୟ ଠିକ ଭାବେ କରିପାରି ନାହାନ୍ତି ଯାହାର ତଦନ୍ତ ଜରୁରୀ। ତେଣୁ ଏଥିରୁ ସ୍ପଷ୍ଟ ଅନୁମେୟ, ରାଜ୍ୟ ସରକାରଙ୍କ କର୍ମଚାରୀମାନେ ଟ୍ୟାକ୍ସ ଫୋର୍ସକୁ ତଦନ୍ତରେ ସାହାଯ୍ୟ କରିନାହାନ୍ତି ଏବଂ ଦୁର୍ନୀତି ଘଂଟ ଘୋଡ଼ାଇବା ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ଫାଇଲକୁ ଲୁଚାଇଛନ୍ତି ବା ଜାଣିଶୁଣି ହଜାଇ ଦେଇଛନ୍ତି। ଅନୁରୂପ ଅଭିଯୋଗ ମଧ୍ୟ ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ଜମି ଆବଂଟନ ସଂପର୍କୀତ ବହୁଗୁରୁତ୍ୱପୂର୍ଣ୍ଣ ଫାଇଲ ସିଏଜିକୁ ଅଡ଼ିଟ ସମୟରେ କର୍ମଚାରୀମାନେ ଦେଇନଥିଲେ।   ପଂଚମତଃ, ବିଡ଼ିଏ, ସିଡ଼ିଏ ଏବଂ ହାଉସିଂ ବୋର୍ଡ଼ ଦ୍ୱାରା ହୋଇଥିବା ପ୍ଲଟ / ବାସଗୃହ ଆବଂଟନର ତାଳିକା ଟ୍ୟାକ୍ସ ଫୋର୍ସ ଦେଇଥିଲା ବେଳେ ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ହୋଇଥିବା ଜମି ଆବଂଟନର ତାଲିକା ଦେଇନଥିଲେ। ଏହାର କାରଣ ହୋଇପାରେ ଟ୍ୟାକ୍ସ ଫୋର୍ସ କମିଟି ତଥ୍ୟ ପାଇଁ ମଧ୍ୟ ରିପୋର୍ଟରେ ଉଲ୍ଲେଖ କରିନାହାନ୍ତି ବା ସରକାରୀ ଅଧିକାରୀମାନେ ତଥ୍ୟ ଦେଇନାହାନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, ୧୯୮୯ ମସିହାରେ ହୋଇଥିବା ଘାଟିକିଆ, ସାମପୁର, ଆଇଗିଣିଆ ପ୍ଲଟ ଆବଂଟନ ସ୍କିମରେ ରାଜ୍ୟ ସରକାର ୧୯୯୦ରୁ ୧୯୯୫ ମଧ୍ୟରେ ଦୁର୍ନୀତି ହୋଇଛି ଏବଂ ବହୁ ପ୍ରଭାବଶାଳୀ ଲୋକ, ପ୍ରଶାସକମାନେ ଏକାଧିକ ପ୍ଲଟ ନିଜ ନାମରେ ବା ନିଜ ସ୍ତ୍ରୀ ନାମରେ ନେଇଛନ୍ତି, ଯାହାର ବ୍ୟାପକ ତଦନ୍ତ ଜରୁରୀ। ଏହି ୩୦୦୦ ପ୍ଲଟ ଆବଂଟନରେ ତାଲିକା ଟ୍ୟାକ୍ସ ଫୋର୍ସ ପ୍ରଦାନ କରିନାହାନ୍ତି।  ଷଷ୍ଠତଃ, ଟ୍ୟାକ୍ସ ଫୋର୍ସ ଏହା ମଧ୍ୟ ଦର୍ଶାଇଛନ୍ତି ଯେ, ବାସଗୃହ ଆବଂଟନ ପାଇଁ ହୋଇଥିବା ସ୍କିମ ପ୍ରାୟ ସମସ୍ତ ସ୍କିମ ତ୍ରୁଟିପୂର୍ଣ୍ଣ ଏବଂ ଆଇନ ବିରୁଦ୍ଧ। ସରକାରୀ ଜମି ଯେକୌଣସି ପ୍ରକାରରେ ହଡ଼ପ କରିବା ପାଇଁ ଏହି ସ୍କିମ ପ୍ରସ୍ତୁତ ହୋଇଥିଲା। ଏହା ଦ୍ୱାରା ନେତା, ମନ୍ତ୍ରୀ, ପ୍ରଶାସକ ଏବଂ ସେମାନଙ୍କର ସଂପର୍କୀୟମାନେ ଏକାଧିକ ପ୍ଲଟ ବା ବାସଗୃହ ନେଇ ଉପକୃତ ହୋଇଛନ୍ତି।   ସପ୍ତମତଃ, ୧୯୯୫ ରୁ ୨୦୧୪ ମଧ୍ୟରେ ଓଡ଼ିଶା ଉଚ୍ଚ ନ୍ୟାୟଳୟର ବହୁ ବିଚାରପତି ମଧ୍ୟ ମନ୍ତ୍ରୀଙ୍କ ଉଚ୍ଛାଧୀନ କୋଟାରେ ବେଆଇନ ଭାବେ ପ୍ଲଟ ନେଇଛନ୍ତି। କିନ୍ତୁ ଏହି ତଥ୍ୟ ଡ଼କ୍ଟର ତାରାଦତ୍ତ ବିଶେଷ ଭାବେ ଉଲ୍ଲେଖ କରିନାହାନ୍ତି। ଅଷ୍ଟମତଃ, ବିଡ଼ିଏ, ସିଡ଼ିଏ ଏବଂ ହାଉସିଂ ବୋର୍ଡ଼ ଦ୍ୱାରା ପ୍ରସ୍ତିତ ସ୍କିମରେ ବାସଗୃହ ନେବା ପାଇଁ ଇଚ୍ଛୁକ ବ୍ୟକ୍ତିମାନଙ୍କର ଯୋଗ୍ୟତା ଉଲ୍ଲେଖ ରହିବା ସହ ସତ୍ୟପାଠ ଦାଖଲ ପାଇଁ ବାଧ୍ୟତାମଳକ ବ୍ୟବସ୍ଥା ରହିଥାଏ। ଆବେଦନକାରୀ ବାସଗୃହ ପାଇଁ ଆବେଦନ କଲାବେଳେ ବିଭିନ୍ନ ଡ଼କୁମେଟ ସହ ସତ୍ୟପାଠ ଦାଖଲ କରିବା ବାଧ୍ୟତାମୂଳକ ହୋଇଥାଏ। ଆବେଦନ ପତ୍ରକୁ ଆଇନଗତ ଭାବେ ଯାଂଚ କରିବା ଏବଂ ଆବେଦନକାରୀଙ୍କ ଯୋଗ୍ୟତାକୁ ନିରୀକ୍ଷଣ କରିବା ଏବଂ ଦାଖଲ ହୋଇଥିବା ସତ୍ୟପାଠର ବୈଧତାକୁ ଅନୁଧ୍ୟାନ କରିବା ଇତ୍ୟାଦି ସଂପୃକ୍ତ ଅଧିକାରୀମାନେ କରିନାହାନ୍ତି। ଫଳରେ ବହୁ ଅଯୋଗ୍ୟ ବ୍ୟକ୍ତି ମିଥ୍ୟା ସତ୍ୟପାଠ ଦାଖଲ କରି ଏକାଧିକ ପ୍ଲଟ ନେବାରେ ସକ୍ଷମ ହୋଇଛନ୍ତି। ଯାହାକି ଟ୍ୟାକ୍ସ ଫୋର୍ସ ରିପୋର୍ଟରେ ଦର୍ଶାଯାଇଛି।   ତେଣୁ ଏଥିରୁ ସ୍ପଷ୍ଟ ଅନୁମେୟ ଯେ ତାରାଦତ୍ତ ଟ୍ୟାକ୍ସ ଫୋର୍ସ ରିପୋର୍ଟ ସଂପୂର୍ଣ୍ଣ ଭାବରେ ଅଧପାନ୍ତରିଆ ଓ ଅସଂପୂର୍ଣ୍ଣ।   ତେବେ ଏହି ରିପୋର୍ଟରୁ ଏକଥା ସାବିତ ହୋଇଯାଇଛି ଯେ ସରକାରୀ ପ୍ରୋତ୍ସାହନରେ ରାଜ୍ୟର ମୂଲ୍ୟବାନ ସରକାରୀ ଜମିକୁ ମୁଷ୍ଟିମେୟ ବ୍ୟବସାୟୀ, ପ୍ରଭାବଶାଳୀ ଲୋକ, ରାଜନେତା, ପ୍ରଶାସକମାନେ ଲୁଟ କରିଛନ୍ତି। ରାଜ୍ୟର ପ୍ରମୁଖ ରାଜନୈତିକ ଦଳମାନେ ସେମାନେ କ୍ଷମତାରେ ଥିବା ସମୟରେ ସରକାରୀ ଜମି ଲୁଟ କରିଛନ୍ତି ଏବଂ କରାଇବାରେ ସାହାଯ୍ୟ କରିଛନ୍ତି। ସେହିପରି ମନ୍ତ୍ରୀଙ୍କ ଇଚ୍ଛାଧୀନ କୋଟାରେ ପ୍ଲଟ ବା ବାସଗୃହ ଆବଂଟନ ବ୍ୟବସ୍ଥାକୁ ତତ୍କାଳୀନ ମନ୍ତ୍ରୀ ଅମର ପ୍ରଧାନ, କନକ ବର୍ଦ୍ଧନ ସିଂହଦେଓ ଏବଂ ସମୀର ଦେ ନିଜର ପୈତୃକ ସମ୍ପତ୍ତି ଭାବେ ସମସ୍ତ ଆଇନକାନୁନ ଓ ନୀତିନିୟମକୁ ଜଳାଂଜଳି ଦେଇ ଅତ୍ୟନ୍ତ ଶିକ୍ଷିତ, ପ୍ରଭାବଶାଳୀ ବ୍ୟକ୍ତି ଏବଂ ନିଜର ସଂପର୍କୀୟମାନଙ୍କୁ ପ୍ଲଟ ଆବଂଟନ କରିଛନ୍ତି। ଯାହାଦ୍ୱାରା ବ୍ୟାପକ ରାଜସ୍ୱ କ୍ଷତି ହୋଇଛି ଏବଂ ସରକାରୀ ଯୋଜନାର ଦୁରୁପଯୋଗ କରାଯାଇଛି। ବସ୍ତୁତଃ, ଜମି ଆବଂଟନର ଦୁର୍ନୀତି ଏବଂ ଅନିୟମିତାରେ ରାଜ୍ୟର ପ୍ରମୁଖ ତିନୋଟି ରାଜନୈତିକ ଦଳ ବିଜେଡ଼ି, ବିଜେପି ଏବଂ କଂଗ୍ରେସ ଦାୟୀ ଏବଂ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରିତ୍ୱରେ ଦୀର୍ଘ ୧୪ ବର୍ଷ ମଧ୍ୟରେ ଜମି ଦୁର୍ନୀତି ସୀମାହୀନ ମହାଦୁର୍ନୀତିରେ ପରିଣତ ହୋଇଛି ଏବଂ ଏହି ଦୁର୍ନୀତିକୁ ଆଇନଗତ ସ୍ୱୀକୃତି ମିଳିଚାଲିଛି। ଯେଉଁଥିପାଇଁ ଏତେ ବଡ଼ ଦୁର୍ନୀତିର ପର୍ଦ୍ଦାଫାସ ହୋଇଥିଲେ ମଧ୍ୟ, ଏ ପର୍ଯ୍ୟନ୍ତ କାହାରି ବିରୁଦ୍ଧରେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇନାହିଁ।   ଟ୍ୟାକ୍ସ ଫୋର୍ସ ତାଙ୍କର ରିପୋର୍ଟ ସହିତ ଅନେକ ସୁପାରିଶ କରିଛନ୍ତି। ଏହି ସୁପାରିଶକୁ ଆଧାର କରି ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ରିପୋର୍ଟ ପ୍ରକାଶ କରିଛନ୍ତି ଯାହାର ଅନୁଧ୍ୟାନ ମଧ୍ୟ ଜରୁରୀ। ରାଜ୍ୟ ସରକାର ତାଙ୍କ କାର୍ଯ୍ୟାନୁଷ୍ଠାନ ରିପୋର୍ଟରେ ଦର୍ଶାଇଛନ୍ତି ଯେ, ୧୯୯୫ ମସିହାରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଇଚ୍ଛାଧୀନ କୋଟାରେ ଦିଆଯାଇଥିବା ପ୍ଲଟ, ବା ଟ୍ୟାକ୍ସ ଫୋର୍ସକୁ ତଥ୍ୟ ଦିଆଯାଇଥିବା ପ୍ଲଟ ସଂଖ୍ୟା ଏବଂ ବିଭିନ୍ନ ବ୍ୟକ୍ତି ବିଶେଷ ନେଇଥିବା ଏକାଧିକ ପ୍ଲଟ ସଂପର୍କରେ ଅର୍ଥ ବିଭାଗ ପୁଣି ଥରେ ସ୍ୱତନ୍ତ୍ର ଅଡ଼ିଟ କରିବ। ଏହି ଅଡ଼ିଟର କୌଣସି ସମୟସୀମା ଧାର୍ଯ୍ୟ କରାଯାଇ ନାହିଁ। ଅର୍ଥାତ ଏହା ଏକ ବର୍ଷ ଲାଗିପାର ବା ଦଶ ବର୍ଷ ଲାଗିପାରେ। ଜମି ଦୁର୍ନୀତିର ତଦନ୍ତ ନାମରେ ଅନିର୍ଦ୍ଦିଷ୍ଟ ସମୟ ଗଡ଼ାଇ ନେବା ଏ ରାଜ୍ୟ ସରକାରଙ୍କର ସୁଚିନ୍ତିତ ଷଡ଼ଯନ୍ତ୍ର କହିଲେ ଅତ୍ୟୁକ୍ତି ହେବ ନାହିଁ। ସେହିପରି ରାଜ୍ୟ ସରକାର ଦର୍ଶାଇଛନ୍ତି ଯେ, ଭୁଲ ତଥ୍ୟ ଦେଇ ବା ମିଥ୍ୟା ସତ୍ୟପାଠ ଦାଖଲ କରି ସରକାରୀ ପ୍ଲଟ ବା ବାସଗୃହ ହଡ଼ପ କରିଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଭିଜିଲାନ୍ସ ତଦନ୍ତ ହେବ ଏବଂ ତଦନ୍ତ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କିନ୍ତୁ ଏହି ତଦନ୍ତର ସମୟ ସୀମା ଧାର୍ଯ୍ୟ କରାଯାଇ ନାହିଁ। ପୁଣି ଭିଜିଲାନ୍ସ ତଦନ୍ତ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣାଧୀନ ଅର୍ଥାତ ମୁଖ୍ୟମନ୍ତ୍ରୀଙ୍କ ମର୍ଜି ଉପରେ ନିର୍ଭର କରେ। ତେଣୁ ଭିଜିଲାନ୍ସ ତଦନ୍ତରୁ କୌଣସି ସୁଫଳ ମିଳିବାର ସମ୍ଭବନା ନାହିଁ। ଚିଟ ଫଣ୍ଡ ଘୋଟଲାର କ୍ରାଇମ ବ୍ରାଂଚ ତଦନ୍ତ କିପରି ଦୋଷୀମାନଙ୍କୁ ଘଂଟ ଘୋଡ଼ାଇବା ପାଇଁ ଚାଲିଥିଲା, ତାହା ରାଜ୍ୟବାସୀଙ୍କ ପାଇଁ ଅଛପା ନୁହେଁ। ପୁଣି ଟ୍ୟାକ୍ସ ଫୋର୍ସ ୧୯୯୫ର ପୂର୍ବବର୍ତ୍ତୀ ସମୟରେ ବିଭିନ୍ନ କର୍ତ୍ତୃପକ୍ଷ ଏବଂ ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଜମି ଆବଂଟନର ଅନୁଧ୍ୟାନ ପାଇଁ ସୁପାରିଶ କରିଛନ୍ତି। ଏହି ସୁପାରିଶକୁ ଗ୍ରହଣ କରି ରାଜ୍ୟ ସରକାର ଏହାର ଅନୁଧ୍ୟାନ ପାଇଁ ବା ପ୍ଲଟ ଆବଂଟନର ତାଲିକା ପ୍ରସ୍ତୁତ ପାଇଁ ସେହି ବିଭାଗ ଯଥା ଜିଏ., ବିଡ଼ିଏ, ସିଡ଼ିଏ ଏବଂ ହାଉସିଂ ବୋର୍ଡ଼କୁ ଦାୟିତ୍ୱ ଦେଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, ଟ୍ୟାକ୍ସ ଫୋର୍ସ ତାଙ୍କ ରିପୋର୍ଟରେ ଉପରୋକ୍ତ ସଂସ୍ଥାର କର୍ମଚାରୀମାନେ ସ୍କିମର ବାସଗୃହ ଆବଂଟନର ଫାଇଲ ଏବଂ ଗୁରୁତ୍ୱପୂର୍ଣ୍ଣ ନଦେବା ବା ଲୁଚାଇ ରଖିଥିବା ସଂପର୍କରେ ଉଲ୍ଲେଖ କରିଥିବାବେଳେ ସରକାର ପୁଣି ଏହି ସଂସ୍ଥାମାନଙ୍କୁ ବାସଗୃହ ଆବଂଟନର ତାଲିକା ପ୍ରସ୍ତୁତ ପାଇଁ ଦାୟିତ୍ୱ ଦେବା କେତେ ଦୂର ଯୁକ୍ତିଯୁକ୍ତ, ତାହାର ସମୀକ୍ଷା ହେବା ଜରୁରୀ।   ତେଣୁ ବାସ୍ତବରେ ଜମି ଦୁର୍ନୀତି ବା ଜମି ଅନିୟମିତତା ତଦନ୍ତ ନାମରେ ବା କାର୍ଯ୍ୟାନୁଷ୍ଠାନ ନାମରେ ରାଜ୍ୟ ସରକାର ଗ୍ରହଣ କରୁଥିବା କାର୍ଯ୍ୟାନୁଷ୍ଠାନ କେବଳ ଠକାମୀ ବ୍ୟତିତ ଆଉ କିଛି ନୁହେଁ। ଏହି ଅନିୟମିତତା ବା ବେଆଇନ କାର୍ଯ୍ୟକୁ ଘଂଟ ଘୋଡ଼ାଇବା, ବେଆଇନ ଜମି ବା ପ୍ଲଟ ଦଖଲକାରୀଙ୍କୁ ସୁରକ୍ଷା ଦେବା ପାଇଁ ଏବଂ ସମୟ ଗଡ଼ାଇ ନେବା ପାଇଁ ବିଭିନ୍ନ ସରକାରୀ ସଂସ୍ଥାକୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ତଦନ୍ତ ପାଇଁ ଦାୟିତ୍ୱ ଦିଆଯାଇଛି। ଜମି, ପ୍ଲଟ ଏବଂ ବାସଗୃହ ଆବଂଟନରେ ଯେପରି ବ୍ୟାପକ ଅନିୟମିତତା, ବେଆଇନ ଏବଂ ହରିଲୁଟ ହୋଇଛି, ଏହା ଖଣି ଦୁର୍ନୀତି ଏବଂ ଚିଟ ଫଣ୍ଡ ଦୁର୍ନୀତିଠାରୁ ମଧ୍ୟ ଆହୁରି ଭୟଙ୍କର। ୧୯୮୦ ମସିହାରୁ ଏହି ଜମି ଦୁର୍ନୀତିର ଯଦି ରାଜସ୍ୱ କ୍ଷତିର ମୂଲ୍ୟାୟନ କରାଯାଏ, ତେବେ ତାହା ଏକ କୋଟି ଟଙ୍କାରୁ ଅଧିକ ହେବ। ତେଣୁ ଏହି ଭୟାନକ ଜମି ଦୁର୍ନୀତିର ସିବିଆଇ ତଦନ୍ତ ଏକମାତ୍ର ବାଟ। କାରଣ ରାଜ୍ୟ ସରକାରଙ୍କ ତଦନ୍ତକାରୀ ସଂସ୍ଥା ଯଥା ଭିଜିଲାନ୍ସ ବା କ୍ରାଇମ ବ୍ରାଂଚ କଦାପି ସ୍ୱାଧୀନ ଏବଂ ନିରପେକ୍ଷଭାବେ ଏହି ତଦନ୍ତ କରିପାରିବ ନାହିଁ। ଏହି ଦୁଇ ସଂସ୍ଥା ଏପର୍ଯ୍ୟନ୍ତ କୌଣସି ଏକ ଘଟଣାର ନିରପେକ୍ଷ ତଦନ୍ତ କରିବାରେ ସକ୍ଷମ ହୋଇନାହାନ୍ତି। କେବଳ ଦୁର୍ନୀତିଗ୍ରସ୍ତ ରାଜ୍ୟ ସରକାରଙ୍କ ଇଚ୍ଛାକୁ ପୂରଣ କରିବାରେ ସକ୍ଷମ ହୋଇଛନ୍ତି। ସିବିଆଇ ତଦନ୍ତ ହେଲେ ପ୍ରକୃତ ତଥ୍ୟ ଲୋକ ଲୋଚନକୁ ଆସିବ, ପ୍ରକୃତ ଦୋଷୀ ଦଣ୍ଡ ପାଇବ ଏବଂ ବେଆଇନ ଜମି ସରକାରୀ ଅଧୀନକୁ ଆସିପାରିବ। ସିବିଆଇ ତଦନ୍ତର ବାସ୍ତବ ସୁଫଳତା ରାଜ୍ୟବାସୀ ଚିଟ ଫଣ୍ଡ ଦୁର୍ନୀତିରେ ଦେଖୁଛନ୍ତି।   ଚଳଭାଷ-୯୯୩୭୮୪୩୪୮୨

Share :