ଯୋଜନାବଦ୍ଧ ଜମି ଦୁର୍ନୀତି- ୧୯୮୯

ଯୋଜନାବଦ୍ଧ ଜମି ଦୁର୍ନୀତି- ୧୯୮୯

Share :

    ପ୍ରଦୀପ ପ୍ରଧାନ   ରାଜ୍ୟ ପ୍ରଶାସନରେ ସାଧାରଣ ପ୍ରଶାସନ ବିଭାଗ ଏକ ପ୍ରମୁଖ ବିଭାଗ। ଏହି ବିଭାଗର ମୁଖ୍ୟ ସଦାସର୍ବଦା ମୁଖ୍ୟ ଶାସନ ସଚିବ ରହିଥାନ୍ତି ଏବଂ ଏହା ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ହିଁ ରହିଥାଏ। ସର୍ବଭାରତୀୟ ପ୍ରାଶାସନିକ ଅଧିକାରୀଙ୍କ ନିଯୁକ୍ତି, ପଦୋନ୍ନତି, ବଦଳି ଏବଂ କର୍ମଚାରୀମାନଙ୍କର କାର୍ଯ୍ୟକଳାପକୁ ଏହି ବିଭାଗ ନିୟନ୍ତ୍ରଣ କରିଥାଏ ଏବଂ ବହୁ ଉଚ୍ଚସ୍ତରୀୟ ନୀତି ନିର୍ଦ୍ଧାରଣ ବା ସରକାରୀ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ମଧ୍ୟ ଗ୍ରହଣ କରିଥାଏ। ରାଜ୍ୟରେ ରାଜସ୍ବ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ହାତରେ ଜମି ପରିଚାଳନା ଦାୟିତ୍ବ ନ୍ୟସ୍ତ ଥିଲେ ମଧ୍ୟ ଭୁବନେଶ୍ୱର ଇଲାକାରେ ଜମି ପରିଚାଳନା ଦାୟିତ୍ବ ସାଧାରଣ ପ୍ରଶାସନ ବିଭାଗ ନିୟନ୍ତ୍ରଣରେ ରହିଛି।   ୧୯୫୨ ମସିହାରେ ୯ ଗୋଟି ଗ୍ରାମକୁ ନେଇ ଗଠିତ ରାଜ୍ୟ ରାଜଧାନୀ ଭୁବନେଶ୍ବର ବିଜ୍ଞାପିତ ଅଞ୍ଚଳ ପରିଷଦରେ ସୀମିତ ଥିଲା ଯାହାକି ପରବର୍ତ୍ତୀ ପର୍ଯ୍ୟାୟରେ ୬୦ଟି ଗ୍ରାମକୁ ନେଇ ଭୁବନେଶ୍ବର ମହାନଗର ନିଗମରେ ପରିଣତ ହୋଇଛି। ଏହାର ଭୌଗୋଳିକ ପରିସୀମା ୩୩୩୫୯.୨୨୬ ଏକର। ଏଥିମଧ୍ୟରୁ ୧୫,୫୨୫ ଏକର ଜମି ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ରହିଛି। ଗଭର୍ଣ୍ଣମେଣ୍ଟ ଗ୍ରାଣ୍ଟସ ଆକ୍ଟ ୧୮୯୫ର ଧାରା ୩ ଅନୁଯାୟୀ, ସାଧାରଣ ପ୍ରଶାସନ ବିଭାଗ ବିଭିନ୍ନ ବ୍ୟକ୍ତି ବିଶେଷ, ଅନୁଷ୍ଠାନ, ବେସରକାରୀ ଏବଂ ସରକାରୀ ଅନୁଷ୍ଠାନ, ବ୍ୟବସାୟିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନମାନଙ୍କୁ ଲିଜ ସୂତ୍ରରେ ଜମି ଦେଇ ଆସୁଛନ୍ତି। କିନ୍ତୁ ଉକ୍ତ ଆଇନରେ ଜମି କିପରି ଆବଣ୍ଟନ କରାଯିବ ଏବଂ କେଉଁ ପ୍ରକ୍ରିୟାରେ ଆବଣ୍ଟନ କରାଯିବ, ଏହା ନିର୍ଦ୍ଦିଷ୍ଟ ହୋଇନଥିବାରୁ ବା ଜମି ଆବଣ୍ଟନ ପାଇଁ ନିୟମାବଳି ପ୍ରଣୟନ ହୋଇନଥିବାରୁ ବା ନିର୍ଦ୍ଦିଷ୍ଟ ଜମି ଆବଣ୍ଟନ ନୀତି ନଥିବାରୁ ରାଜ୍ୟ ସରକାର ମନଇଚ୍ଛା ଏବଂ ଅତ୍ୟନ୍ତ େସ୍ୱଚ୍ଛାଚାରୀଭାବେ ଶାଗମାଛ ମୂଲ୍ୟରେ ଜମି ଆବଣ୍ଟନ କରିଛନ୍ତି। ଏହି ଲେଖାରେ ବହୁ ବ୍ୟକ୍ତି ବିଶେଷ, ପ୍ରଭାବଶାଳୀ ଲୋକ କିପରି ଚଞ୍ଚକତା କରି ବେଆଇନ ଭାବେ ସାଧାରଣ ପ୍ରଶାସନ ବିଭାଗର ଜମି ବା ପ୍ଲଟଗୁଡ଼ିକୁ ବିଭିନ୍ନ ସ୍କିମ ଜରିଆରେ ହଡ଼ପ କରି ନେଇଛନ୍ତି, ତାହା ବର୍ଣ୍ଣନା କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ଦ୍ବାରା ବିଭିନ୍ନ ଅନୁଷ୍ଠାନମାନଙ୍କୁ ଅହେତୁକ ଅନୁକମ୍ପା ଦେଖାଇ କିପରି ଶହ ଶହ ଏକର ଜମି ନାମମାତ୍ର ମୂଲ୍ୟରେ ଦିଆଯାଇ ବ୍ୟାପକ ହରିଲୁଟ କରାଯାଇଛି, ତାହା ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରକାଶ ପାଇବ।   ଭୁବନେଶ୍ବର ରାଜଧାନୀ ସହର ହୋଇଥିବାରୁ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ବର୍ଗର ଲୋକମାନଙ୍କୁ ଜମି ଯୋଗାଇ ଦେବା ପାଇଁ ୧୯୭୩ ମସିହାରେ ‘ଭୁବନେଶ୍ୱର ଇଲାକାରେ ଜମି ଆବଣ୍ଟନ’ ପାଇଁ ଦରଖାସ୍ତ ଆହ୍ୱାନ କରିଥିଲେ। ସେତେବେଳେ ସାଧାରଣ ପ୍ରଶାସନ ବିଭାଗ ‘ସେବା ଏବଂ ରାଜନୈତିକ ବିଭାଗ’ ନାମରେ ନାମିତ ଥିଲା। ସେତେବେଳେ ରାଜ୍ୟ ସରକାର ଭୁବନେଶ୍ବର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନରେ ଥିବା ୨୦୦୦ ପ୍ଲଟକୁ ଲିଜ ସୂତ୍ରରେ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ସେଥିମଧ୍ୟରୁ ୧୯୩୨ ଗୋଟି ବାସଗୃହ ପ୍ଲଟ, ୧୮ଟି ଦୋକାନ ତଥା ବାସଗୃହ ଉପଯୋଗୀ ପ୍ଲଟ ଏବଂ ୩୪ଟି ଦୋକାନ ଗୃହ ଥିଲା। ଏଥିମଧ୍ୟରୁ କିଛି ପ୍ଲଟ ବିଭିନ୍ନ ବର୍ଗର ଲୋକ ତଥା ସୀମା ସୁରକ୍ଷା ବାହିନୀ, ସେନାବାହିନୀର କର୍ମଚାରୀ, ଧୋବା, ବାରିକ, ଗଉଡ଼, ରିକ୍ସାବାଲା, ଚପରାସିମାନଙ୍କ ପାଇଁ ସଂରକ୍ଷଣ ରଖାଯାଇଥିଲା। ଏହି ସବୁ ପ୍ଲଟ ପାଇବା ପାଇଁ କେଉଁମାନେ ଯୋଗ୍ୟ ହେବେ, ତାର ମାପକାଠି ମଧ୍ୟ ନିର୍ଦ୍ଧାରଣ କରାଯାଇଥିଲା। ଯେଉଁମାନଙ୍କର ତଥା ବ୍ୟକ୍ତି ବା ପରିବାରର ଭୁବନେଶ୍ବର ପରିସରରେ ବା ଭୁବନେଶ୍ବର ପରିସର ବାହାରେ ୪୦ କିମି ପରିଧି ମଧ୍ୟରେ ଜମି ନଥିବ, ସେହିମାନେ ହିଁ ଏହି ପ୍ଲଟ ପାଇବା ପାଇଁ ହକଦାର ହେବେ। ଏହା ସହିତ ପରିବାରର ସଂଜ୍ଞା ମଧ୍ୟ ନିର୍ଦ୍ଧାରଣ କରାଯାଇଥିଲା। ପରିବାର ଅର୍ଥ ସ୍ବାମୀ, ସ୍ତ୍ରୀ, ସନ୍ତାନ ସନ୍ତତି, ଅବିବାହିତ ଝିଅ, ୧୮ ବର୍ଷ କମ ବୟସର ଭାଇ, ଅବିବାହିତ ଭଉଣୀ, ବାପା, ମା ଏବଂ ପାଳିତ ସନ୍ତାନ ଇତ୍ୟାଦି / ଉକ୍ତ ପ୍ଲଟ ପାଇଁ ଜଣେ ଆବେଦନକାରୀ କେବଳ ଗୋଟିଏ ଦରଖାସ୍ତ ହିଁ ପ୍ରଦାନ କରିବେ। ଏହି ପ୍ଲଟ ଆବଣ୍ଟନ ଲଟେରୀ ମାଧ୍ୟମରେ କରାଯାଇଥିଲା। ସେଥିପାଇଁ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନରଙ୍କ ଅଧ୍ୟକ୍ଷତାରେ ଟାଉନ ପ୍ଲାନିଂ ନିଦ୍ଦେର୍ଶକ ଏବଂ ରାଜନୈତିକ ଓ ସେବା ବିଭାଗ(ବର୍ତ୍ତମାନ ଜି.ଏ.)ର ଯୁଗ୍ମ ସଚିବଙ୍କୁ ନେଇ ଏକ ଲଟେରୀ ବୋର୍ଡ଼ କରାଯାଇ ଜମି ଆବଣ୍ଟନ କରାଯାଇଥିଲା।   ଏହା ପରେ ସାଧାରଣ ପ୍ରଶାସନ ବିଭାଗ ୧୯୮୭ ମସିହାରେ ଭୁବନେଶ୍ବରରେ ବାସଗୃହ ଯୋଗାଇ ଦେବା ପାଇଁ ଅନ୍ୟ ଏକ ପ୍ଲଟ ସ୍କିମ କରିଥିଲେ। ଭୁବନେଶ୍ବର ମ୍ୟୁନିସପାଲିଟି ଅଞ୍ଚଳରେ ୧୦୦୦ ପ୍ଲଟ ଲିଜ ସୂତ୍ରରେ ବଣ୍ଟନ କରିଥିଲେ। ଆବେଦନକାରୀ ବା ଆବେଦନକାରୀଙ୍କ ପରିବାର ନାମରେ ଯଦି ଭୁବନେଶ୍ବର ମ୍ୟୁନିସପାଲିଟି ଅଞ୍ଚଳରେ ଜମି ଥାଏ, ତେବେ ସେମାନେ ଏହି ପ୍ଲଟ ପାଇପାରିବେ ନାହିଁ ବୋଲି ସରକାର ଘୋଷଣା କରିଥିଲେ। ଏହି ସ୍କିମ ପରିବାର ସଂଜ୍ଞାକୁ ଆହୁରି ସଙ୍କୁଚିତ କରାଯାଇ କେବଳ ସ୍ବାମୀ, ସ୍ତ୍ରୀ ଏବଂ ନିର୍ଭରଶୀଳ ପିଲାଙ୍କୁ ବୁଝାଇବ ବୋଲି ଦର୍ଶାଯାଇଥିଲା। ଏଭଳି ବ୍ୟବସ୍ଥା କରିବା ଦ୍ବାରା ଆଭିମୁଖ୍ୟ ହେଉଛି ଯେପରି କୌଣସି ପରିବାର ଏକାଧିକ ସରକାରୀ ପ୍ଲଟ ନେଇପାରିବେ ନାହିଁ ଏବଂ ଭୁବନେଶ୍ବର ଅଞ୍ଚଳରେ ବାସଗୃହ କରିବାକୁ ଚାହୁଁଥିବା ପରିବାରଗୁଡ଼ିକ ନ୍ୟାୟୋଚିତ ଭାବେ ଏବଂ ଉଚିତ ମୂଲ୍ୟରେ ପ୍ଲଟ ବା ବାସଗୃହ ପାଇପାରିବେ। ସରକାରୀ ପ୍ଲଟ ପାଉଥିବା ବ୍ୟକ୍ତିମାନେ ସରକାରଙ୍କ ସହିତ ଏକ ଲିଜ ଡ଼ିଡ ଦସ୍ତଖତ କରିବେ ଏବଂ ପାଞ୍ଚବର୍ଷ ମଧ୍ୟରେ ଗୃହ ନିର୍ମାଣ ଶେଷ କରିବେ। କିନ୍ତୁ ସରକାର ଲଟେରୀ ବ୍ୟବସ୍ଥା ନ କରି ନିଜର ଇଚ୍ଛା ମୁତାବକ ବିଭିନ୍ନ ଲୋକଙ୍କୁ ପ୍ଲଟ ବଣ୍ଟନ କରିଥିଲେ। ଏହି ଆବଣ୍ଟନରେ କୌଣସି ସ୍ବଚ୍ଛ ପ୍ରକ୍ରିୟା ଅନୂସୃତ ହୋଇନଥିଲା।   ଏହା ପରେ ୧୯୮୯ ମସିହାରେ ରାଜ୍ୟ ସରକାର ଅନ୍ୟ ଏକ ନୂଆ ପ୍ଲଟ ଆବଣ୍ଟନ ସ୍କିମ କଲେ। ଏହି ସ୍କିମ ଅନୁଯାୟୀ ଭୁବନେଶ୍ବରସ୍ଥିତ ଭରତପୁର, ଘାଟିକିଆ, ଆଇଗିଣିଆ ଏବଂ ସମପୁର ଅଞ୍ଚଳରେ ପ୍ଲଟ ଆବଣ୍ଟନ କରାଯିବ ବୋଲି ସ୍ଥିରୀକୃତ ହେଲା। ପୂର୍ବରୁ ଥିବା ସ୍କିମଗୁଡ଼ିକରେ ପ୍ଲଟ ପାଇବା ପାଇଁ ଥିବା ଯୋଗ୍ୟତାର ମାପକାଠିକୁ ଏହି ସ୍କିମରେ ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଇ ଦିଆଗଲା। ବିଭିନ୍ନ ପ୍ରଭାବଶାଳୀ ଲୋକ ବିନା ପ୍ରତିବନ୍ଧକରେ ନିଜର ଇଚ୍ଛା ମୁତାବକ ଏକାଧିକ ପ୍ଲଟ ଗ୍ରହଣ କରିପାରିବେ, ତାର ବିଧିବଦ୍ଧ ଷଡ଼ଯନ୍ତ୍ର ଏହି ସ୍କିମରେ କରାଗଲା। ଜମି କେଳେଙ୍କାରୀଙ୍କୁ ବୁଝିବା ପାଇଁ ଏହାର ବାଖ୍ୟା ଅତ୍ୟନ୍ତ ଜରୁରୀ। ଏହି ସ୍କିମରେ ଦର୍ଶାଗଲା ଯେ, ଭୁବନେଶ୍ବର ଅଞ୍ଚଳ ଭିତରେ ଆସୁଥିବା ୩୭ଟି ଗ୍ରାମରେ ବାସଗୃହ ବା ପ୍ଲଟ ବା ଫ୍ଲାଟ ବା ଯେକୌଣସି ପ୍ରକାରର ଘର ଥିବା ବ୍ୟକ୍ତିମାନେ ଏହି ସ୍କିମରେ ପ୍ଲଟ ପାଇବା ପାଇଁ ଯୋଗ୍ୟ ହେବେ ନାହିଁ। କିନ୍ତୁ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଏହି ସ୍କିମରେ ପ୍ଲଟ ନେବା ପାଇଁ ଆବେଦନ କରିବାର କିଛି ଅସୁବିଧା ନାହିଁ। ଯୋଗ୍ୟତାର ମାପକାଠି ସ୍ଥିର କରାଯାଇ ଦର୍ଶାଗଲା ଯେ, ଆବେଦନକାରୀ ଓଡ଼ିଶାର ସ୍ଥାୟୀ ବାସିନ୍ଦା ଏବଂ ଭାରତର ନାଗରିକ ହୋଇଥିବା ଆବଶ୍ୟକ ଏବଂ ପିତାମାତାମାନେ ନିଜର ଛୋଟ ପିଲାମାନଙ୍କ ନାମରେ ମଧ୍ୟ ପ୍ଲଟ ପାଇଁ ଆବେଦନ କରିପାରିବେ। ଅର୍ଥାତ ପରିବାରର ଜଣେ ସଦସ୍ୟ ଯଥା ସ୍ବାମୀ ନାମରେ ଯଦି ଭୁବନେଶ୍ବରରେ ପ୍ଲଟ ଥାଏ, ତେବେ ସ୍ତ୍ରୀ ବା ପିଲାମାନେ ଆବେଦନ କରି ପ୍ଲଟ ନେଇପାରିବେ ଏବଂ ବାପାମାଆମାନେ ମଧ୍ୟ ନିଜର ଛୋଟ ଛୋଟ ପିଲାମାନଙ୍କ ନାମରେ ପ୍ଲଟ ନେବାରେ ମଧ୍ୟ ଅସୁବିଧା ନାହିଁ। ଅର୍ଥାତ ଯିଏ ଯେତେ ଚାହିଁବେ, ସେତେ ପ୍ଲଟ ନେଇପାରିବ। ଏହି ସ୍କିମ ହିଁ ରାଜ୍ୟରେ ଜମି ଆବଣ୍ଟନର ଦୁର୍ନୀତି ଏବଂ ଅନିୟମିତତାର ମୂଳଦୁଆ ପକାଇଲା।   ଏହି ସ୍କିମ ଘୋଷଣା ହେଲା ପରେ ସମୁଦାୟ ୨୭୮୩ ଆବେଦନକାରୀ ପ୍ଳଟ ପାଇଁ ଦରଖାସ୍ତ ଦେଇଥିଲେ। କିନ୍ତୁ ବିଡ଼ିଏ ସମୁଦାୟ ୧୭୦୯ ପ୍ଲଟର ନକ୍ସା କରି ସାଧାରଣ ପ୍ରଶାସନ ବିଭାଗକୁ ଦେଇଥିଲେ। ତେଣୁ ଏହି ଆଧାରରେ ୧୯.୮.୧୯୯୦ରେ ରାଜ୍ୟ ସରକାର ଲଟେରୀ ମାଧ୍ୟମରେ ପ୍ଲଟ ଆବଣ୍ଟନ ପାଇଁ ନିଷ୍ପତ୍ତି ନେଲେ। ଏହା ପରେ ୧.୯.୧୯୯୦ରେ ବିଡ଼ିଏ ପୁଣି ଏକ ସଂଶୋଧିତ ଡ଼୍ରଇଂ ସିଟ ଦେଇ ୧୭୦୯ରୁ ୨୦୩୧ ପ୍ଲଟକୁ ବୃଦ୍ଧି କରାଇଲେ। ତା ୬.୯.୧୯୯୦ରେ ରାଜ୍ୟ ସରକାର ସାଧାରଣ ପ୍ରଶାସନ ବିଭାଗର ସ୍ବତନ୍ତ୍ର ସଚିବ, ରାଜସ୍ବ ବିଭାଗର ସଚିବ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ସଚିବଙ୍କୁ ନେଇ ଏକ ଲଟେରୀ କମିଟି ଗଠନ କଲେ। ଇତିମଧ୍ୟରେ ସମୁଦାୟ ଆବେଦନକାରୀ ୨୭୮୩ ଜଣଙ୍କ ମଧ୍ୟରୁ ୫୦ ଜଣ ସେମାନଙ୍କ ଦରଖାସ୍ତ ପ୍ରତ୍ୟାହାର କରିନେବାକୁ ପ୍ଲଟ ଆଶାୟୀଙ୍କ ସଂଖ୍ୟା ୨୭୨୮କୁ ଖସିଆସିଲା। ତେଣୁ ସମସ୍ତ ଆଶାୟୀ ଆବେଦନକାରୀ କିପରି ପ୍ଲଟ ପାଇବେ, ସେଥିପାଇଁ ପ୍ରଶାସନିକ ସ୍ତରରେ ଟଣା ଓଟରା ଚାଲିଲା ଏବଂ ବିଡ଼ିଏକୁ ଆଉଥରେ ସଂଶୋଧନ କରି ପ୍ଲଟ ତାଲିକା ଦେବାକୁ କୁହାଗଲା। ୨୦.୨.୧୯୯୧ରେ ବିଡ଼ିଏ ପୁଣିଥରେ ତର୍ଜମା କରି ସଂଶୋଧିତ ଡ୍ରଇଂ ସିଟ୍ ଦେଲେ ଯେଉଁଥିରେ ପ୍ଲଟ ସଂଖ୍ୟା ୩୩୯୫ରେ ପହଞ୍ଚିଲା। ଅର୍ଥାତ ସମୁଦାୟ ଆବେଦନକାରୀ ୨୭୨୮ ଥିଲାବେଳେ ପ୍ଲଟ ହେଲା ୩୩୯୫। ତେଣୁ ଏହି କ୍ଷେତ୍ରରେ ଲଟେରୀ ଥିଲା କେବଳ ନାମକୁମାତ୍ର। ସମସ୍ତ ଆବେଦନକାରୀଙ୍କୁ ପ୍ଲଟ ସହଜରେ ମିଳିଗଲା। ଏହି ପ୍ଲଟ ଆବଣ୍ଟନରେ ବହୁ ରାଜନେତା, ପ୍ରଶାସକ, ପ୍ରଭାବଶାଳୀ ଲୋକ ମନଇଚ୍ଛା ଏକାଧିକ ପ୍ଲଟ ଧରାଧରି କରି ନେଇଛନ୍ତି ଏବଂ ଏଥିରେ ବ୍ୟାପକ ଅନିୟମିତତା ହୋଇଛି। ଲିଜ ଡ଼ିଡ଼ ଅନୁଯାୟୀ ୫ ବର୍ଷ ମଧ୍ୟରେ ବାସଗୃହ ନିର୍ମାଣ ପାଇଁ ନିୟମ ଥିଲେ ମଧ୍ୟ ଦୀର୍ଘ ୨୦ ବର୍ଷ ବିତିଯାଇଥିଲେ ମଧ୍ୟ ବହୁ ଲୋକ ଏପର୍ଯ୍ୟନ୍ତ ପ୍ଲଟ ପକାଇ ରଖିଛନ୍ତି। ଏହି ସ୍କିମରେ ବହୁ ବରିଷ୍ଠ ପ୍ରଶାସକ ନିଜନିଜ ସ୍ତ୍ରୀ, ସମ୍ପର୍କୀୟ ଏବଂ ଛୋଟ ଛୋଟ ପିଲାଙ୍କ ନାମରେ ମଧ୍ୟ ପ୍ଲଟ ନେଇଛନ୍ତି। ଏହି ସ୍କିମରେ ଏକାଧିକ ସରକାରୀ ପ୍ଲଟ ନେବା ପାଇଁ ହିଁ ବ୍ୟବସ୍ଥା କରାଯାଇଥିଲା ଯାହାକି ଆଇନ ବିରୁଦ୍ଧ। ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ବ ସମୟରେ ଏହିଭଳି ଏକ ଭୁଲ, ବେଆଇନ ଏବଂ ତ୍ରୁଟିପୂର୍ଣ୍ଣ ସ୍କିମ କରାଯାଇଥିଲା ବେଳେ ଶ୍ରୀ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ବ ସମୟରେ ପ୍ଲଟ ଆବଣ୍ଟନ କରାଯାଇଥିଲା।   ଡ଼କ୍ଟର ତାରା ଦତ୍ତ ପ୍ରସ୍ତୁତ କରିଥିବା ତାଙ୍କ ଟ୍ୟାକ୍ସଫୋର୍ସ ରିପୋର୍ଟରେ ଏହି ସ୍କିମରେ ପ୍ଲଟ ନେଇଥିବା ବ୍ୟକ୍ତିବିଶେଷଙ୍କ ତାଲିକା ପ୍ରକାଶ ପାଇଁ ସୁପାରିଶ କରିଛନ୍ତି। କାରଣ ଏହି ତାଲିକା ହିଁ ଜମି ଦୁର୍ନୀତିର ପେଡ଼ି ଖୋଲିବ। ଯେଉଁଥି ପାଇଁ ରାଜ୍ୟ ସରକାର ୧୯୯୦ ମସିହାରୁ ପ୍ଲଟ ବା ବାସଗୃହ ଆବଣ୍ଟନ ଅନୁଧ୍ୟାନ ପାଇଁ ଦାୟିତ୍ବ ଟ୍ୟାକ୍ସ ଫୋର୍ସକୁ ଦେଲେ ନାହିଁ। ଏଠାରେ ସୂଚନାଯୋଗ୍ୟ ଯେ, ସୂଚନା ଅଧିକାର ଆଇନରେ ଯେତେ ଥର ଏହି ତଥ୍ୟ ମଗାଯାଇଛି, ସାଧାରଣ ପ୍ରଶାସନ ବିଭାଗ କୌଣସି ନା କୌଣସି କାରଣ ଦର୍ଶାଇ ସୂଚନା ଦେବାକୁ ମନାକରି ଆସିଛନ୍ତି।   ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ଥିବା ଏହି ତାଲିକା ସର୍ବସାଧାରଣରେ ପ୍ରକାଶ କରିବା ଜରୁରୀ।। ଏହି ତାଲିକା ପ୍ରକାଶ ପାଇଲେ ସ୍ପଷ୍ଟ ହୋଇଯିବ କେଉଁ ବ୍ୟକ୍ତି କେତେ ପ୍ଲଟ ନେଇଛନ୍ତି ଏବଂ କେଉଁ କେଉଁ ବିଭାଗ ବା କର୍ତ୍ତୃପକ୍ଷ ତଥା ବିଡ଼ିଏ, ସିଡ଼ିଏ, ହାଉସିଂ ବୋର୍ଡ଼ରୁ ନେଇଛନ୍ତି। ଏହି ୧୯୮୯ ପ୍ଲଟ ସ୍କିମ ସମ୍ପୂର୍ଣ୍ଣ ବେଆଇନ ଓ ଏହି ସ୍କିମରେ ଆବଣ୍ଟିତ ହୋଇଥିବା ପ୍ଲଟ ମଧ୍ୟ ଆଇନ ବିରୁଦ୍ଧ ଯାହା ସମ୍ପୂର୍ଣ୍ଣ ଖାରଜ ହେବା ଜରୁରୀ।   ଚଳଭାଷ-୯୯୩୭୮୪୩୪୮୨

Share :