ଆତ୍ମପ୍ରଶଂସାର ଚାରିଦିଗ

ଆତ୍ମପ୍ରଶଂସାର ଚାରିଦିଗ

Share :

ରୁଦ୍ରପ୍ରସନ୍ନ ରଥ   ନିଜେ ନିଜ କାମକୁ, ନିଜ ପାରିବାର ପଣିଆକୁ ଓ ପ୍ରତି ଘଟଣାରେ ନିଜର ଆଭିମୁଖ୍ୟକୁ ଉଚିତ ବୋଲି ଦଶାର୍ଇବାକୁ ଅନେକ ଲୋକ ପାରୁପର୍ଯ୍ୟନ୍ତ ଏପରି ଚେଷ୍ଟା କରନ୍ତି ଯେ ସେମାନେ ଆତ୍ମପ୍ରଶଂସା ଜନିତ ରୋଗରେ ପଡିଛନ୍ତି ବୋଲି ଆପଣ କହିପାରିବେ। ନିଶରେ ହାତମାରି ନିଜ କଥା କହିବାରେ ସେମାନେ ଏତେ ପଟୁ ଯେ ଆବଶ୍ୟକ ପଡିଲେ ହାତରୁ ପଇସା ଖର୍ଚ୍ଚ କରି ନିଜକଥାକୁ ଶୁଣାଇବାକୁ ଅନାୟାସରେ ଭିଡ ଯୋଗାଡ କରିପାରିଥାନ୍ତି।   ଅବଶ୍ୟ ସ୍ଥାନକାଳପାତ୍ର ନିର୍ବିଶେଷରେ ଆମେ ସମସ୍ତେ ଏହି ରୋଗରେ ଅଳ୍ପ ବହୁତେ ପୀଡିତ ବୋଲି କୁହାଯାଇପାରିବ। ସେ ଧନୀ ହେଉ ବା ଗରିବ, ପୁରୁଷ କିମ୍ବା ମହିଳା, ଚାକିରିଆ କିମ୍ବା ଖଟିଖିଆ ସମସ୍ତେ ନିଜକୁ ନିଜେ ପ୍ରଶଂସା କରିବାର ସୁଯୋଗ ହାତଛଡା କରିବାକୁ ଛାଡନ୍ତି ନାହଁି। ଅବଶ୍ୟ ଆଜିର ଯୁଗରେ ଅନ୍ୟମାନେ ଆପଣଙ୍କୁ ପ୍ରଶଂସା କରି କଥା ପଦେ କହୁନଥିବା ବେଳେ ନିଜକୁ ନିଜେ ପ୍ରଶଂସା କରି ଖୁସି ହେବା ଛଡା ଆମମାନଙ୍କ ପାଖରେ ଅନ୍ୟ ବାଟ ବି ନାହିଁ। ନିଜର ଏକଲାପଣରେ ଆତ୍ମପ୍ରଶଂସା କରି ନିଜ ପାଖେ ଠିଆ ହେବାର ପ୍ରଚେଷ୍ଟାକୁ ନେଇ ମଣିଷଟି ଖୁସି ହେବାର ଉଦ୍ୟମଟି ଖୁବ କୌଶଳପୂର୍ଣ୍ଣ ଏବଂ ଅନେକ କ୍ଷେତ୍ରରେ ଯଥାଯଥ ମନେହୁଏ। ଅନେକ କ୍ଷେତ୍ରରେ ଏଥିରେ ମାରାତ୍ମକ ଅହଂ ନଥାଏ ବୋଲି ଯୁକ୍ତି ଯଦିଓ ଦିଆଯାଇ ପାରିବ ତଥାପି ଦେଖେଇ ହେବାର କୁତ୍ସିତ ମାନସିକତା ଯେ ନଥାଏ ତାହା କହିବା ବୋଧେ ଭୁଲ ହେବ।   ଆତ୍ମପ୍ରଶଂସା ସେତେବେଳ ଯାଏଁ ଭଲ ଯେତେବେଳ ଯାଏ ଏହା ଆତ୍ମବିଶ୍ୱାସ ବଢାଇବାରେ ସହାୟକ ହେଉଛି। ଆତ୍ମପ୍ରଶଂସା କରି ଯଦି ‘ମଁୁ ପାରୁଛି ବା ମଁୁ ପାରିବି’ର ପ୍ରତ୍ୟୟ ମଣିଷ ମନରେ ସୃଷ୍ଟି ହେଉଛି ତେବେ ଏହା ଖୁବ ଖୁସିର କଥା। ମାତ୍ର ଯଦି ଏତିକିରେ କଥା ସରୁଥାନ୍ତା ତେବେ ହୁଏତ ଆତ୍ମପ୍ରଶଂସା କେବେଠାରୁ ଜାତୀୟ କାର୍ଯ୍ୟକ୍ରମ ବୋଲି ଘୋଷଣା ହୋଇଥାନ୍ତା ଆଉ ଦେଶର ବଡ଼ ବଡ଼ ମନିଷୀମାନେ ମଣିଷକୁ ନିୟମିତ ଆତ୍ମପ୍ରଶଂସା କରିବାକୁ କେବେଠାରୁ କହି ଆସୁଥାନ୍ତେ। ତେବେ ସେମାନେ କେବେ ବି ଏମିତି କହି ନାହନ୍ତି। ଆଉ ତାହାର କାରଣ ବି ରହିଛି।   ଏହାର କାରଣ ହେଉଛି ଆତ୍ମପ୍ରଶଂସା ଯେଉଁ ଆତ୍ମବିଶ୍ୱାସ ବଢାଇଥାଏ ତାହା ଧୀରେ ଧୀରେ ଆତ୍ମଗର୍ବ ଆଡକୁ ମାଡିଯାଏ। ‘ମଁୁ ପାରିବି’ଟି ‘କେବଳ ମଁୁ ହିଁ ପାରିବି’ରେ ରୂପାନ୍ତରିତ ହୁଏ। ପାରିବାର ସାମର୍ଥ୍ୟଟା ଅହଂକୁ ବାଟ ଛାଡି ଦିଏ। ‘ମଁୁ ପାରିବି’ରେ ଯେଉଁଠି କାମ କରି ଆତ୍ମପ୍ରତ୍ୟୟ ହାସଲ କରିବାର ଅଭିପ୍ରାୟ ଥାଏ ସେଠି ‘କେବଳ ମଁୁ ହିଁ ପାରିବି’ରେ ଅନ୍ୟମାନଙ୍କୁ ନୀଚା ଦେଖାଇବାର ହୀନ ଉଦ୍ଦେଶ୍ୟ ଥାଏ। ଆତ୍ମପ୍ରଶଂସା କରୁ କରୁ ମଣିଷଟି ଆତ୍ମଗର୍ବ ଜନିତ କର୍କଟରେ ପୀଡିତ ହୋଇ ପଡିଥାଏ।   ପୁଣି ଆତ୍ମଗର୍ବ ଯେତେ ଯେତେ ବଢି ବଢି ଯାଏ ମଣିଷର ଆତ୍ମସମ୍ମାନ ହାନୀ ହେବାର ଆଶଙ୍କା ସେତେ ଅଧିକ ହୋଇଚାଲେ। ଆତ୍ମପ୍ରଶଂସା ‘ମଁୁତ୍ବ’ ଉପରେ ଭରସା କରୁଥିବା ମଣିଷଟା ଧୀରେ ଧୀରେ ନିଜକୁ ଅନ୍ୟମାନଙ୍କଠାରୁ ଭିନ୍ନ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରେ। ଏ କୌଶଳ କିନ୍ତୁ ବେଶୀ ଦିନ କାମ କରେ ନାହିଁ। ଆପଣ କିଛି ଲୋକଙ୍କୁ କିଛି ସମୟ ଯାଏ ହୁଏତ ନୀଚ ଦେଖାଇ ପାରନ୍ତି ମାତ୍ର ଏହା ସବୁବେଳେ ସବୁ ସମୟରେ ସଂଭବ ନୁହେଁ। ଆତ୍ମପ୍ରଶଂସା ରୁ ଆତ୍ମଗର୍ବୀ ହେବା ଏବଂ ଆତ୍ମ ସମ୍ମାନ ଯିବାର ପୁନଃପୌନିକ ଚକ୍ରରୁ ମୁକ୍ତି ପାଇନଥିବା ବ୍ୟକ୍ତି ସବୁବେଳେ ମାନସିକ ଦ୍ବନ୍ଦ୍ବରେ ଗତି କରୁଥାଏ। ସେ ହୁଏତ ମନେ ମନେ ଏ ସମସ୍ୟାରୁ ମୁକ୍ତି ପାଇବାକୁ ବାଟ ଖୋଜୁଥାଏ। ଏଥିରୁ କ’ଣ ମୁକ୍ତି ଅଛି?   ହଁ ମୁକ୍ତି ଅଛି। ସେତେବେଳେ ଯେତେବେଳେ ଆପଣ ନିଜର ଆତ୍ମ ସମୀକ୍ଷା କରିବେ। କେଉଁଠି ଆତ୍ମପ୍ରଶଂସା କରିବା ଆବଶ୍ୟକ ଆଉ ସେଇଟା ଆତ୍ମପ୍ରଶଂସା ନା ଆତ୍ମଗର୍ବ, ଆଉ ନିଜର ଆତ୍ମଗର୍ବ ଅନ୍ୟକୁ ମାନସିକ ନିର୍ଯତନା ଦେଉନି ତ ଆଦି ବିଷୟକୁ ନେଇ ଯେଉଁଦିନ ମଣିଷଟି ଅତ୍ମସମୀକ୍ଷା କରିବାକୁ ସକ୍ଷମ ହେବ ସେଦିନ ହିଁ ମଣିଷଟି ଆତ୍ମ ପ୍ରଶଂସା ଜନିତ ମାନସିକ ଅବସ୍ଥାରୁ ବାହାରକୁ ଆସିପାରିବ। ନିୟମିତ ଆତ୍ମ ସମୀକ୍ଷା କରୁଥିିବା ବ୍ୟକ୍ତିଟିକୁ ‘ମଁୁଁ’ ବା ‘କେବଳ ମୋର’ ଆଦି ଶବ୍ଦ ଖୁବ ଅଶ୍ଳୀଳ ମନେହୁଏ। ତା’ର ନିଜ ଉପରେ ଭରସା ବଢେ ଆଉ ସେ ଆତ୍ମପ୍ରଶଂସାର ଯୂପକାଠରୁ ବାହାରି ଆସି ଆତ୍ମସନ୍ତୋଷ ପାଏ।   ମୋଟ ଉପରେ କହିବାକୁ ଗଲେ ଆତ୍ମବିଶ୍ୱାସ, ଆତ୍ମଗର୍ବ, ଆତ୍ମସମ୍ମାନ ଏବଂ ଆତ୍ମସମୀକ୍ଷା ବେଶ ଅଂଗାଗଂୀ ଭାବେ ଜଡିତ। ଏଥିମଧ୍ୟରୁ କେବଳ ଆତ୍ମସମୀକ୍ଷା କରୁଥିିିିିବା ଲୋକଟି ହିଁ ଆତ୍ମସମ୍ମାନ ରକ୍ଷା କରିଥାଏ। ଆଉ ସେ ହିଁ ଆତ୍ମପ୍ରଶଂସା ଜନିତ ଆତ୍ମବିଶ୍ୱାସ ଏବଂ ଆତ୍ମଗର୍ବ ମଧ୍ୟରେ ଫରକ ଜାଣିଥାଏ।    ଏକଥା ବି ସତ ଯେ କେବଳ ଅଯୋଗ୍ୟ ବ୍ୟକ୍ତି ହିଁ ଆତ୍ମପ୍ରଶଂସା କରିବାରେ ବ୍ୟସ୍ତ ଥାନ୍ତି। ଯିଏ ଯୋଗ୍ୟ ସିଏ ନିଜକୁ ନିଜେ ପ୍ରଶଂସା କଲାବେଳେ ସଂକୁଚିତ ଅନୁଭବ କରେ। ସେ ଭଲ ଭାବେ ବୁଝି ଯାଆନ୍ତି ଯେ ଆତ୍ମପ୍ରଶଂସା କରିବାର ଅର୍ଥ ନିଜ ଦେଖାଇହେବା ଗୁଣକୁ ପଦାରେ ପକାଇବା। ତେଣୁ ସେମାନେ ବୁଝିବିଚାରି କାମ କରନ୍ତି ଆଉ ଆବଶ୍ୟକ ନପଡିଲେ ଆତ୍ମପ୍ରଶଂସା କରିବାକୁ କୁଣ୍ଠାବୋଧ କରନ୍ତି। ତେବେ ଶେଷରେ ଯଦି ଆଉ କୌଣସିଠାରେ ଆତ୍ମପ୍ରଶଂସା କରିବାକୁ ଯାଉଛନ୍ତି ତେବେ ନିଜର ସମୀକ୍ଷା କରି ନିଅନ୍ତୁ। ଯଦି ଆପଣ ନିଜେ ସନ୍ତୁଷ୍ଟ ଯେ ଆପଣ ଠିକ ବାଟରେ ଅଛନ୍ତି ଆଉ ଆତ୍ମପ୍ରଶଂସା ଆପଣଙ୍କୁ ଆତ୍ମବିଶ୍ୱାସ ଦେଉଛି ତେବେ ଆପଣଙ୍କୁ ରୋକିବାକୁ ମଁୁ କିଏ? ଆପଣ ନିଜର ଆତ୍ମପ୍ରଶଂସା ଜାରି ରଖନ୍ତୁ।   ଧବଳଗିରି, ଯାଜପୁର ରୋଡ, ଚଳଭାଷ- ୯୮୫୩୨୦୬୧୬

Share :