ନବୀନଙ୍କ ଢାଲ, ତରବାରୀ

ନବୀନଙ୍କ ଢାଲ, ତରବାରୀ

Share :

ପ୍ରଦୀପ ପ୍ରଧାନ ଗତ ମାର୍ଚ୍ଚ ୪ ତାରିଖରେ ଲେଖକଙ୍କ ସହିତ କିଛି ସାମାଜିକ କର୍ମୀ ସେମାନେ ଦୀର୍ଘ ବର୍ଷ ଧରି ରାଜ୍ୟ ଭିଜିଲାନ୍ସରେ ଦାଖଲ କରିଥିବା ଦୁର୍ନୀତି ଓ ଅନିୟମିତତା ସମ୍ପର୍କୀତ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନ ହେବା ସମ୍ପର୍କରେ ନବନିଯୁକ୍ତି ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଭେଟି ଅାଲୋଚନା କରିଥିଲେ ଏବଂ ଉକ୍ତ ଅଭିଯୋଗଗୁଡ଼ିକର ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅନୁରୋଧ କରିଥିଲେ। ନିର୍ଦ୍ଦେଶକ ମହାଶୟ ତାଙ୍କ ଦପ୍ତର ଗ୍ରହଣ କରୁଥିବା ଅଭିଯୋଗ ଗୁଡ଼ିକୁ ସମ୍ପୃକ୍ତ ବିଭାଗୀୟ ମୁଖ୍ୟଙ୍କୁ ତଦନ୍ତ କରି ରିପୋର୍ଟ ଦେବାପାଇଁ ପଠାଇ ଦେଉଛନ୍ତି ବୋଲି କହିଥିଲେ। ଯେହେତୁ ବିଭାଗୀୟ ମୁଖ୍ୟମାନଙ୍କଠାରୁ କୌଣସି ତଦନ୍ତ ରିପୋର୍ଟ ମିଳୁନାହିଁ, ଭିଜିଲାନ୍ସ ଦପ୍ତର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁ ନାହିଁ ବୋଲି ସେ କହିଥିଲେ। ଭିଜିଲାନ୍ସ ନିର୍ଦ୍ଦେଶାଳୟରେ ଅାବଶ୍ୟକ କର୍ମଚାରୀ ଅଭାବ ଥିବାରୁ ଅନେକ ଗୁରୁତ୍ବପୂର୍ଣ୍ଣ କେସର ତଦନ୍ତ ହୋଇପାରୁ ନାହିଁ ବୋଲି ସେ ସ୍ବୀକାର କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ଭିଜିଲାନ୍ସ ନିର୍ଦ୍ଦେଶାଳୟରେ ବର୍ଷ ବର୍ଷ ଧରି ଦୁର୍ନୀତି ସମ୍ପର୍କିତ ଶହ ଶହ ଅଭିଯୋଗ ତଦନ୍ତ ନ ହୋଇପାରି ପଡ଼ିରହିଛି।   ରାଜ୍ୟ ପ୍ରଶାସନ ଏବଂ ବିଭିନ୍ନ ଯୋଜନାରେ ହେଉଥିବା ବ୍ୟାପକ ଦୁର୍ନୀତି, ଅନିୟମିତତା, ଅର୍ଥ ତୋଷରପାତ ଏବଂ ରାଜସ୍ବ ଲୁଟ ସମ୍ପର୍କୀତ ଅଭିଯୋଗର ତଦନ୍ତ ପାଇଁ ରାଜ୍ୟରେ ଦୁଇଟି ସଂସ୍ଥା ଭିଜିଲାନ୍ସ୍ ନିର୍ଦ୍ଦେଶାଳୟ ଏବଂ କ୍ରାଇମ ବ୍ରାଞ୍ଚ ଗଠନ କରାଯାଇଛି। ଏହି ଦୁଇଟି ସଂସ୍ଥା ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣାଧୀନ। ସାଧାରଣ ପ୍ରଶାସନ ବିଭାଗର ସର୍କୁଲାର ବଳରେ ଭିଜିଲାନ୍ସ ନିର୍ଦ୍ଦେଶାଳୟ ଗଠନ ହୋଇଥିଲା ବେଳେ ପୋଲିସ ଆଇନ ଅନୁଯାୟୀ କ୍ରାଇମ ବ୍ରାଞ୍ଚ ଗଠନ କରାଯାଇଛି। ଉକ୍ତ ଦୁଇ ସଂସ୍ଥାରେ ଅଫିସର, କର୍ମଚାରୀ ନିଯୁକ୍ତି, ପଦୋନ୍ନତି ଏବଂ ବଦଳି ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଧୀନ ବ୍ୟାପାର। କୌଣସି ମନ୍ତ୍ରୀ, ବିଧାୟକ ବା ଅଫିସର ଦୁର୍ନୀତି ସମ୍ପର୍କରେ ହୋଇଥିବା ଅଭିଯୋଗର ତଦନ୍ତ ରାଜ୍ଯ ଭିଜିଲାନ୍ସ ବା କ୍ରାଇମ ବ୍ରାଞ୍ଚ ମୁଖ୍ୟମନ୍ତ୍ରୀଙ୍କ ସମ୍ମତି ବିନା କରିପାରିବେ ନାହିଁ।   ଉକ୍ତ ଦୁଇ ସଂସ୍ଥା ବାହାରକୁ ସ୍ବାଧୀନ ସଂସ୍ଥା ଭାବେ ଦେଖାଯାଉଥିଲେ ମଧ୍ୟ ବାସ୍ତବରେ ମୁଖ୍ୟମନ୍ତ୍ରୀଙ୍କ ମର୍ଜିର୍ ଉପରେ ଏହି ଦୁଇଟି ସଂସ୍ଥା କାମକରେ। ତେଣୁ କୌଣସି ଦୁର୍ନୀତି ଅଭିଯୋଗର ସ୍ବାଧୀନ ଓ ନିରପେକ୍ଷ ତଦନ୍ତ ରାଜ୍ୟ ଭିଜିଲାନ୍ସଠାରୁ ଅାଶା କରିବା ନିରର୍ଥକ। ମୁଖ୍ୟମନ୍ତ୍ରୀ ମଧ୍ୟ ରାଜ୍ୟ ଭିଜିଲାନ୍ସକୁ ନିଜର ରାଜନୈତିକ ଏଜେଣ୍ଡା ହାସଲ ବା କୌଣସି ମନ୍ତ୍ରୀ, ବିଧାୟକ ବା ଅଫିସରଙ୍କୁ ଜବତ କରିବା ପାଇଁ ବ୍ୟବହାର କରିଥାନ୍ତି। ୨୦୦୧ ମସିହାରେ ମିଥ୍ୟା ଭିଜିଲାନ୍ସ କେସ କରାଇ ତନି ଜଣ ବରିଷ୍ଠ ମନ୍ତ୍ରୀଙ୍କୁ ମନ୍ତ୍ରୀପଦରୁ ବହିଷ୍କାର କରିବା, ପୂର୍ବତନ ବରିଷ୍ଠ ଅାଇଏଏସ ପ୍ରଫୁଲ୍ଲ ମିଶ୍ରଙ୍କୁ ମିଥ୍ୟା ଭିଜିଲାନ୍ସ କେସ କରାଇ ଚାକିରିରୁ ନିଲମ୍ବନ କରିବା, ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ରଙ୍କ ବିରୁଦ୍ଧରେ ମିଥ୍ୟା କେସ କରାଇ ହଇରାଣ କରିବା ଏବଂ ଅଫିସରମାନଙ୍କୁ ଭିଜିଲାନ୍ସ କେସ୍ରେ ଫସେଇବାର ଧମକ ଦେଇ ନିଜର ତଥାକଥିତ ରାଜନୈତିକ ଅଭିଳାଷ ଚରିତାର୍ଥ କରିବା ଇତ୍ୟାଦି କାର୍ଯ୍ୟ ମୁଖ୍ୟମନ୍ତ୍ରୀ ନିଷ୍ଠାର ସହ କରିଅାସୁଥିବାର ଦେଖାଯାଉଛି।   ଅପର ପକ୍ଷରେ, ରାଜ୍ୟରେ ବ୍ୟାପକ ଦୁର୍ନୀତି ଏବଂ ଅର୍ଥ ହେରଫେରରେ ସମ୍ପୃକ୍ତ ଥିବା ବହୁ ଉଚ୍ଚପଦସ୍ଥ ଅଧିକାରୀ ଯେଉଁମାନଙ୍କ ବିରୁଦ୍ଧରେ ରାଜ୍ୟ ଭିଜିଲାନ୍ସ କେସ ଦାୟର କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଏହାର ତଦନ୍ତ ପାଇଁ ମଂଜୁରୀ ଦେଇନାହାନ୍ତି। ସୂଚନା ଅଧିକାର ଅାଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ବହୁ ବରିଷ୍ଠ ଅାଇଏଏସ ଅଫିସର ଯଥା ସୁରେନ୍ଦ୍ର ନାଥ ତ୍ରିପାଠୀ, ନିକୁଂଜ କିଶୋର ସୁନ୍ଦରରାୟ, ଅାଇ. ଶ୍ରୀନିବାସ, ରବିନାରାୟଣ ସେନାପତି ଏବଂ ବହୁ ଓଡ଼ିଶା ପ୍ରଶାସନିକ ଅଧିକାରୀଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ରାଜ୍ୟ ଭିଜିଲାନ୍ସକୁ ମୁଖ୍ୟମନ୍ତ୍ରୀ ମନା କରିଥିଲେ। ସେହିପରି ମୁଖଞମନ୍ତ୍ରୀ କ୍ରାଇମ ବ୍ରାଞ୍ଚକୁ ଯେକୌଣସି ଅଭିଯୋଗର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇପାରନ୍ତି ଏବଂ ସମସ୍ତ ତଥ୍ୟ ପ୍ରମାଣ ଥାଇ ମଧ୍ୟ ତଦନ୍ତ ନ କରିବା ପାଇଁ ଉକ୍ତ ସଂସ୍ଥାକୁ ମନା କରିଦେଇପାରନ୍ତି। ୨୦୧୪ ମସିିହା ଘଙ୍ଗାପାଟଣା ଜମି ଦୁର୍ନୀତିର ତଦନ୍ତ କ୍ରାଇମ ବ୍ରାଞ୍ଚକୁ ଦିଅାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତଦନ୍ତର ଅଗ୍ରଗତି ସମ୍ପର୍କରେ ରାଜ୍ୟବାସୀ ଅନ୍ଧକାରରେ ଅଛନ୍ତି। ଏହି ଜମି ଘୋଟାଲାରେ ବିଜେପି ଦଳର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂଦେଓ, ବିଜେଡିର ବରିଷ୍ଠ ନେତା ସ୍ବର୍ଗତ କଳ୍ପତରୁ ଦାସ ଏବଂ ତାଙ୍କ ବିଧାୟକ ପୁତ୍ର ପ୍ରଣବ ବଳବନ୍ତରାୟଙ୍କ ସମେତ ବହୁ ପ୍ରଭାବଶାଳୀ ଲୋକ ଜଡ଼ିତ। ସେମାନେ ଅାଦିବାସୀ ଜମି ହଡ଼ପକରି ମାଡ଼ି ବସିଥିବାର ଅଭିଯୋଗ ହୋଇଥିଲା। ଏହି କେସରେ କ୍ରାଇମ ବ୍ରାଞ୍ଚ ଜଣଙ୍କୁ ବି ଗିରଫ କରି ନାହିଁ କି ଗୋଟିଏ ଏକର ଜମି ସରକାରୀ ଖାତାକୁ ଏପର୍ଯ୍ୟନ୍ତ ଫେରିନାହିଁ।   ସେହିପରି ରାଜ୍ୟ ଭିଜିଲାନ୍ସ ବ୍ୟତୀତ ଜିଲ୍ଲାପାଳ, ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟ ବା ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ ସରକାରୀ ଯୋଜନା/ ପ୍ରକଳ୍ପରେ ହୋଇଥିବା ଦୁର୍ନୀତି ସମ୍ପର୍କୀତ ଅଭିଯୋଗ ସାଧାରଣ ଲୋକେ କରିଥାନ୍ତିି। କିନ୍ତୁ ଏହିସବୁ ଅଭିଯୋଗର ପ୍ରାପ୍ତି ସ୍ବୀକାର ରସିଦ ଅଭିଯୋଗକାରୀଙ୍କୁ ଦିଅାଯାଏ ନାହିଁ। ତଦନ୍ତର ଫଳାଫଳ ସମ୍ପର୍କରେ ମଧ୍ୟ ବର୍ଷ ବର୍ଷ ଧରି ଅଭିଯୋଗକାରୀମାନଙ୍କୁ ଅବଗତ କରାଯାଏ ନାହିଁ। ରାଜ୍ୟରେ ଦୁର୍ନୀତି ସମ୍ପର୍କୀତ ଅଭିଯୋଗ ଉପରେ କେଉଁ ଅଧିକାରୀ କେତେ ଦିନ ମଧ୍ୟରେ ତଦନ୍ତ ସମାପ୍ତ କରିବେ, ଏଥିପାଇଁ କୌଣସି ସମୟସୀମା ଧାର୍ଯ୍ୟ କରାଯାଇ ନାହିଁ। ତେଣୁ ଜଣେ ଅଧିକାରୀ ଦୁର୍ନୀତି ସମ୍ପର୍କୀତ ଅଭିଯୋଗର ତଦନ୍ତ କରିବ କି ନାହିଁ, ତାହା ତାଙ୍କ ମର୍ଜି ଉପରେ ନିର୍ଭର କରେ। ବଲାଙ୍ଗୀର ଜିଲ୍ଲାରେ ଅାରଅାଇ ଏବଂ ଅମିନ ନିଯୁକ୍ତିରେ ହୋଇଥିବା ବ୍ୟାପକ ଜାଲିଅାତି ସମ୍ପର୍କରେ ଅଭିଯୋଗ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ବିଭିନ୍ନ ସଙ୍ଗଠନମାନଙ୍କ ତରଫରୁ ଲଗାତର ଅାନ୍ଦୋଳନ ଏବଂ ଗଣମାଧ୍ୟମରେ ବ୍ୟାପକ ଖବର ପ୍ରସାରଣ ପରେ ଦୀର୍ଘ ତିନିବର୍ଷ ପରେ ରାଜ୍ୟ ସରକାର ଏହି ନିଯୁକ୍ତିକୁ ବାତିଲ କଲେ।   ରାଜ୍ୟରେ ମୁଖ୍ୟମନ୍ତ୍ରୀ ବା ମୁଖ୍ୟ ଶାସନ ସଚିବଙ୍କ ଦପ୍ତରକୁ ଅଭିଯୋଗ କଲେ ମଧ୍ୟ ଅଭିଯୋଗର ପ୍ରାପ୍ତିସ୍ବୀକାର ରସିଦ ମିଳେନାହିଁ। ପୂର୍ବତନ ମୁଖ୍ୟ ସୂଚନା କମିଶନର ତରୁଣକାନ୍ତି ମିଶ୍ର, ବରିଷ୍ଠ ପୋଲିସ ଅଧିକାରୀ ବିଜୟ ଶର୍ମା ମିଥ୍ୟା ସତ୍ୟପାଠ ଦାଖଲ କରି ଏକାଧିକ ପ୍ଲଟ ନେବା ସମ୍ପର୍କରେ ବିଭିନ୍ନ ସାମାଜିକ ସଙ୍ଗଠନମାନଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ହୋଇଥିଲା। ଏହା ପରେ ଦୀଘ ତିନିବର୍ଷ ବିତିଯାଇଥିଲେ ସୁଦ୍ଧା ସେମାନଙ୍କ ବିରୁଦ୍ଧରେ କୌଣସି ତଦନ୍ତ ହୋଇପାରିନାହିଁ। ସୂଚନା ଅଧିକାର ଅାଇନ ବଳରେ ଉକ୍ତ ଅଭିଯୋଗ ଉପରେ ରାଜ୍ୟ ସରକାର କି କି ପଦକ୍ଷେପ ନେଇଛନ୍ତି ବୋଲି ମଗାଯାଇଥିବା ତଥ୍ୟ  ସମ୍ପର୍କରେ ସାଧାରଣ ପ୍ରଶାସନ ବିଭାଗର ଅଧିକାରୀ ତଦନ୍ତ ଚାଲିଛି ବୋଲି ଉତ୍ତର ଦେଇଥାନ୍ତି। ତେଣୁ ବାସ୍ତବରେ ଦୁର୍ନୀତି ସମ୍ପକିର୍ତ ଅଭିଯୋଗ ଉପରେ ସ୍ବଚ୍ଛ, ସମୟବଦ୍ଧ ତଦ‘ ପାଇଁ ରାଜ୍ୟରେ କୌଣସି ଅାଇନଗତ ବ୍ୟବସ୍ଥା ନାହିଁ।   ଓଡ଼ିଶା ଲୋକପାଳ ଓ ଲୋକାୟୁକ୍ତ ଅାଇନ, ୧୯୯୫ ଅନୁଯାୟୀ ଦୁର୍ନୀତି ସମ୍ପକିର୍ତ ଅଭିଯୋଗର ତଦନ୍ତ ପାଇଁ ଲୋକପାଳ ନିଯୁକ୍ତି ହୋଇ ଅାସୁଥିଲେ। କିନ୍ତୁ ୨୦୧୩ ମସିହାରୁ ତତ୍କାଳୀନ ଲୋକପାଳ ଜଷ୍ଟିସ ପାତ୍ରଙ୍କ ଦେହାନ୍ତ ପରେ ଉକ୍ତ ପଦବୀ ଖାଲିପଡ଼ିଛି ଏବଂ ହଜାର ହଜାର କେସ ବିଚାର ପାଇଁ ଲୋକପାଳ ଦପ୍ତରରେ ପଡ଼ିରହିଛି। ଲୋକପାଳଙ୍କ ଦପ୍ତରରେ କର୍ମଚାରୀମାନେ ବସି ବସି ପ୍ରତ୍ୟେକ ମାସରେ ଲକ୍ଷାଧିକ ଟଙ୍କା ଦରମା ବାବଦରେ ନେଉଛନ୍ତି। ଉକ୍ତ ଅଭିଯୋଗ ଗୁଡ଼ିକର ଶୁଣାଣୀ ହେବ କି ନାହିଁ ଏବଂ ଅଭିଯୋଗକାରୀ ନ୍ୟାୟ ପାଇବେ କି ନାହିଁ, ତାହା ଏବେ ବି ସନ୍ଦେହ ଘେରରେ ରହିଛି।   ଏକ ସଶକ୍ତ ଜନଲୋକପାଳ ଅାଇନ ପ୍ରଣୟନ ଦାବିରେ 2012 ମସିହାରେ ଦୁର୍ନୀତି ବିରୁଦ୍ଧରେ ବିିଶିଷ୍ଟ ସମାଜସେବୀ ଅାନ୍ନା ହଜାରେଙ୍କ ନେତୃତ୍ବରେ ଦେଶବ୍ୟାପୀ ଅାନ୍ଦୋଳନ ହେଲାପରେ କେନ୍ଦ୍ର ସରକାର ୨୦୧୩ ମସିହାରେ ଲୋକପାଳ ଓ ଲୋକାୟୁକ୍ତ ଅାଇନ ପ୍ରଣୟନ କଲେ। ଉକ୍ତ ଅାଇନରେ ଥିବା ବ୍ୟବସ୍ଥା ଅନୁଯାୟୀ ୨୦୧୪ ମସିହା ଫେବୃୟାରୀ ମାସରେ ବିଧାନସଭାର ଶେଷ ଅଧିବେଶନରେ ରାଜ୍ୟ ସରକାର ଓଡ଼ିଶା ଲୋକାୟୁକ୍ତ ବିଲ ପାସ କରାଇ ସାରା ଦେଶରେ ଏହା ପ୍ରଥମ ଲୋକାୟୁକ୍ତ ଅାଇନ ହେଲା ବୋଲି ବାହାବା ନେଲେ। ଦୁର୍ନୀତିର ମୂଳୋତ୍ପାଟନ ବା ଦୁର୍ନୀତିମୁକ୍ତ ଶାସନ ପାଇଁ ରାଜ୍ୟ ସରକାର ଅଙ୍ଗୀକାରବଦ୍ଧ ବୋଲି ପ୍ରଚାର କରାଇଲେ। ଉକ୍ତ ବିଲ ରାଷ୍ଟ୍ରପତିଙ୍କ ସ୍ବୀକୃତି ପାଇ ସାରିଥିଲେ ମଧ୍ୟ ରାଜ୍ୟରେ ଏହି ନୂତନ ଓଡ଼ିଶା ଲୋକାୟୁକ୍ତ ଅାଇନ ଅାଧାରରେ ଲୋକାୟୁକ୍ତ ନିଯୁକ୍ତି ହୋଇପାରିନାହିଁ। ଦୀର୍ଘ ଏକ ବର୍ଷରୁ ଅଧିକ ଦିନ ଧରି ବିରୋଧୀ ରାଜନୈତିକ ଦଳମାନଙ୍କ ତରଫରୁ ତୁରନ୍ତ ଲୋକାୟୁକ୍ତ ଗଠନ ପାଇଁ ଦାବି ହୋଇଅାସୁଥିଲେ ମଧ୍ୟ, ରାଜ୍ୟ ସରକାର ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ଏହି ଓଡ଼ିଶା ଲୋକାୟୁକ୍ତ ଅାଇନରେ ବ୍ୟାପକ ତ୍ରୁଟିବିଚ୍ୟୁତି ଥିବା ଏବଂ ତଦନ୍ତକାରୀ ସଂସ୍ଥା ରାଜ୍ୟ ଭିଜିଲାନ୍ସକୁ ସ୍ବାଧୀନ ଓ ନିରପେକ୍ଷ କରିବା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ, ଉକ୍ତ ଅାଇନର ସଂଶୋଧନ ପାଇଁ ବିଭିନ୍ନ ସାମାଜିକ ସଂଗଠନଙ୍କ ତରଫରୁ ଦାବି ହୋଇଅାସୁଅଛି।   ତେଣୁ ରାଜ୍ୟରେ ଦୁର୍ନୀତି ସମ୍ପର୍କୀତ ଅଭିଯୋଗ ଗ୍ରହଣ ଏବଂ ସମୟବଦ୍ଧ ତଦନ୍ତର ଅାଇନଗତ ବ୍ୟବସ୍ଥାର ଅଭାବ ଯୋଗୁଁ ସରକାରୀ ପ୍ରୋତ୍ସାହିତ ଦୁର୍ନୀତି ବଢ଼ି ବଢ଼ି ଚାଲିଛି। ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀମାନେ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକ୍ରମରେ ଦୁର୍ନୀତି ଏବଂ ଅର୍ଥ ତୋଷରପାତ କରିବାକୁ ଉତ୍ସାହିତ ହେଉଛନ୍ତି। ତେଣୁ ବିଭିନ୍ନ ଦପ୍ତରରେ ଖୁଲମଖୁଲା ଦୁର୍ନୀତି ଚାଲିଛି। ଇନ୍ଦିରା ଅାବାସ, ବିଜୁ ପକ୍କାଘର ଯୋଜନା, ବିଧବା ଓ ବାର୍ଦ୍ଧକ୍ୟଭତ୍ତା ଅାବଣ୍ଟନ, ତହସିଲ କାର୍ଯ୍ୟାଳୟରେ ଜମି ପଟ୍ଟା ବାହାର କରିବା, ଜାତି ପ୍ରମାଣପତ୍ର ଇତ୍ୟାଦିର ଖୁଲମଖୁଲା ଦୁର୍ନୀତି ଏବଂ ଲାଞ୍ଚ କାରବାର ନିତିଦିନିଅା ଘଟଣା ହୋଇଯାଇଛି।   ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଅାରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ଦୁର୍ନୀତି ତା’ର କାୟା ବିସ୍ତାର କରିଚାଲିଛି। ଏହି ବ୍ୟାପକ ଦୁର୍ନୀତି ଯୋଗୁଁ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି ସାଧାରଣ ଲୋକ ଏବଂ ବିକାଶ ବାଧାପ୍ରାପ୍ତ ହୋଇଛି। ତେଣୁ ରାଜ୍ୟରେ ସଶକ୍ତ ଲୋକାୟୁକ୍ତ ଗଠନ ସହ ସମସ୍ତ ତଦନ୍ତକାରୀ ସଂସ୍ଥାକୁ ରାଜନୈତିକ ପ୍ରଭାବରୁ ମୁକ୍ତ କରି ସେମାନଙ୍କୁ ସ୍ବାଧୀନ ଏବଂ ନିରପେକ୍ଷ ଭାବେ କାର୍ଯ୍ୟ କରିବାର କ୍ଷମତା ଦେବା ଅତ୍ୟନ୍ତ ଜରୁରୀ। ରାଜ୍ୟ ଅାବାହକ, ଓଡ଼ିଶା ସୂଚନା ଅଧିକାର ଅଭିଯାନ, ମୋ : ୯୯୩୭୮୪୩୪୮୨

Share :