କେନ୍ଦୁଝରର ୬୦ରୁ ଅଧିକ ଖଣିରେ ମନ୍ଦିର

କେନ୍ଦୁଝରର ୬୦ରୁ ଅଧିକ ଖଣିରେ ମନ୍ଦିର

Share :

ସ୍ବରୂପ ଦାସ   ୩୦ରୁ ଅଧିକ ମନ୍ଦିର ସରକାରୀ ଜମିରେ   ଅନ୍ୟସବୁ ମନ୍ଦିର ଭାଙ୍ଗିବାକୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର   ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦୁଝର ଜିଲ୍ଲାର ଯୋଡ଼ା ବ୍ଳକ ଅନ୍ତର୍ଗତ ଦୁର୍ଗମ ଉଚ୍ଚବାଲିରେ ସରକାରୀ ଜମିରେ ନିର୍ମିତ ମା’ ଜଗଜ୍ଜନନୀ ମନ୍ଦିରର ସୁରକ୍ଷା ପାଚେରୀକୁ ପ୍ରଶାସନ ଭାଙ୍ଗିଦେଇଛି। ତେବେ କେବଳ କେନ୍ଦୁଝର ନୁହେଁ ସମଗ୍ର ରାଜ୍ୟରେ ଏଭଳି ଅନେକ ସରକାରୀ ଜମି ଓ ଖଣି ଲିଜ ଅଂଚଳରେ ସଂଖ୍ୟାଧିକ ମନ୍ଦିର ନିର୍ମିତ ହୋଇଥିବା ସରକାରୀ ସୂଚନାରୁ ଜଣାଯାଇଛି। ଏଭଳି ସରକାରୀ ଜମିରେ ନିର୍ମିତ ହୋଇଥିବା ମନ୍ଦିରର ତାଲିକାରେ ରାଜ୍ୟ ସରକାରଙ୍କ ପରିଚାଳିତ ଓଡ଼ିଶା ମାଇନିଂ କର୍ପୋରେସନର ଖଣି ଲିଜ ଇଲାକାରେ ନିର୍ମିତ ମନ୍ଦିରରୁ ଆରମ୍ଭ କରି ପ୍ରସିଦ୍ଧ ଘଟଗାଁ ତାରିଣୀ ମନ୍ଦିର ମଧ୍ୟ ଅନ୍ତର୍ଭୁକ୍ତ।   ରାଜସ୍ବ ବିଭାଗର ସୂଚନାନୁସାରେ, ଚଂପୁଆ ଉପଖଣ୍ଡର ଡୁବୁନା ଓ ସେରେଣ୍ଡା ଠାରେ ରାଜ୍ୟ ସରକାରଙ୍କ ପରିଚାଳିତ ଓଡ଼ିଶା ମାଇନିଂ କର୍ପୋରେସନ(ଓଏମସି) ଲିଜ ଇଲାକାରେ ଗୋଟିଏ ଲେଖାଏଁ ଶିବ ଓ ତାରିଣୀ ମନ୍ଦିର ନିର୍ମାଣ କରାଯାଇଛି।  ଡୁବୁନାର ଓଏମସି ଇଲାକାରେ ୪ ଏକରରୁ ଅଧିକ ଜମିରେ ଶିବ ମନ୍ଦିର ରହିଥିବା ବେଳେ ସେରେଣ୍ଡାରେ ଅନୁରୂପ ୪ ଏକର ଅଂଚଳରେ ତାରିଣୀ ମନ୍ଦିର ରହିଛି। ସେହିଭଳି ରୁଗୁଡ଼ାର ଓଏମସି ଖଣି ଅଂଚଳରେ ଶିବ ମନ୍ଦିର ନିର୍ମାଣ କରାଯାଇଛି। ବଡ଼କାଳିମାଟି ରାସ୍ତାକଡ଼ ସରକାରୀ ଜାଗାରେ ଜଗନ୍ନାଥ ମନ୍ଦିର, ବିଛାକୁଣ୍ଡି, ଯୋଡ଼ା ଓ ବାମେବାରୀର ଟାଟା ଷ୍ଟିଲ କଂପାନୀର ଖଣି ଲିଜ ଅଂଚଳରେ ଗତ ୧୦ ବର୍ଷ ଧରି ତିନିଟି ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ନିର୍ମିତ ହୋଇଛି। ବିଲେଇପଦାରେ ଥିବା ଟାଟା ଷ୍ଟିଲ ଖଣି ଅଂଚଳ ନିକଟସ୍ଥ ସରକାରୀ ଜମିରେ  ଶିବ ମନ୍ଦିର ପ୍ରତିଷ୍ଠା ହୋଇଛି।  ଗୁଆଲି ଠାରେ କେଜେଏସ ଆଲୁୱାଲିଆ ଖଣି ଇଲାକାରେ ଶିବ ମନ୍ଦିର, ଭଦ୍ରାସାହିର ଏସେଲ କଂପାନୀର ଖଣି ଇଲାକାରେ ଥିବା ଶିବ ମନ୍ଦିର, ଟିସ୍କୋ କଂପାନୀର ଯୋଡ଼ା ଇଷ୍ଟ ଖଣି ଇଲାକାର ଜଗନ୍ନାଥ ମନ୍ଦିର, ଟିସ୍କୋ ମେଡିକାଲ ପରିସରରେ ଥିବା ଶିବ ମନ୍ଦିର ରହିଛି।   ଜଲହରିସ୍ଥ ଏସେଲ ମାଇନିଂ ଅଂଚଳ ଓ ଜଜାଙ୍ଗର ରୁଙ୍ଗଟା ଖଣି ଲିଜ ଅଂଚଳରେ ଶିବ ମନ୍ଦିର ନିର୍ମିତ ହୋଇ ପୂଜା ପାଉଛନ୍ତି। କେବଳ ଏହା ନୁହେଁ, ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ମୃଗା ମହାଦେବ ମୃଗାବେଡ଼ା ଖଣି ଇଲାକାରେ ରହିଛି। ସେହିଭଳି ବଡ଼ବିଲଠାରେ ୫ ଏକରର ଅଧିକ ସରକାରୀ ଜମିରେ ହରିହର ମନ୍ଦିର, ଚଂପୁଆରେ ଜଗନ୍ନାଥ ମନ୍ଦିର, ଯୋଡ଼ାର ଜାରୀୟ ରାଜପଥ କଡ଼ରେ ତାରିଣୀ ମନ୍ଦିର,  ଭୀମକୁଣ୍ଡ ପାଟଣାରେ ଭୀମକୁଣ୍ଡ ଶିବ ମନ୍ଦିର, ସୀତାବିସି ଶିବ ମନ୍ଦିର, ପଂଚ ଜଂଗଲରେ ଥିବା ଗୋନାଶିକା ଶିବ ମନ୍ଦିର, ପଂଚଜଂଗଲର ଶୁଆକାଠି ଶିବ ମନ୍ଦିର ମଧ୍ୟ ସରକାରୀ ଜମି ଉପରେ ନିର୍ମାଣ କରାଯାଇଛି।   ଜିଲ୍ଲା ସାରା ଏଭଳି ଅନେକ ମନ୍ଦିର ଖଣି ଲିଜ ଏରିଆ ଓ ସରକାରୀ ଜମିର ଥିବାବେଳେ ଏପ୍ରିଲ ୨୨ ତାରିଖ ଉଚ୍ଚବାଲିର ମା’ ଜଗଜ୍ଜନନୀ ମନ୍ଦିର ପାଚେରୀ ଭଂଗା ଘଟଣାକୁ ସ୍ଥାନୀୟ ବାସିନ୍ଦା ସହଜରେ ଗ୍ରହଣ କରିପାରିନାହାନ୍ତି। ଯଦିଓ ନ୍ୟାୟାଳୟ ଓ ଜିଲ୍ଲା ପ୍ରଶାସନକୁ ସମ୍ମାନ ଜଣାଇ ମନ୍ଦିର ପାଚେରୀ ଉଚ୍ଛେଦ ବେଳେ ସ୍ଥାନୀୟ ବାସିନ୍ଦା ପ୍ରତିବାଦ କରି ନଥିଲେ, ପରେ କିନ୍ତୁ ଏନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ‘ମନ୍ଦିର ପାଚେରୀ ଭଂଗା ପଛରେ ଏକ ନିର୍ଦ୍ଦିଷ୍ଟ ନ୍ୟସ୍ତସ୍ବାର୍ଥବାଦୀ ଗୋଷ୍ଠୀଙ୍କ ହାତ ରହିଛି ବୋଲି ଅଭିଯୋଗ କରି ସ୍ଥାନୀୟ ବାସିନ୍ଦା ଜିଲ୍ଲାପାଳ ଏନ. ତିରୁମାଲା ନାୟକଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସ୍ମାରକ ପତ୍ରରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ମନ୍ଦିର ନିର୍ମାଣ କରାଯାଇଥିବା ବେଳେ ଏକ ନିର୍ଦ୍ଦିଷ୍ଟ ମନ୍ଦିରର ପାଚେରୀ ଭାଂଗିବା ପଛରେ ଜିଲ୍ଲା ବାହାରର ଏକ ନିର୍ଦ୍ଦିଷ୍ଟ ନ୍ୟସ୍ତସ୍ବାର୍ଥବାଦୀ ଗୋଷ୍ଠୀର ପ୍ରୋତ୍ସାହନ ରହିଛି ବୋଲି ଅଭିଯୋଗ କରାଯାଇଛି।   ମା ଜଗଜ୍ଜନନୀ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ଗଢ଼ି ଉଠିଥିବା ଧାର୍ମିକ ଅନୁଷ୍ଠାନ ପ୍ରତ୍ୟକ୍ଷ ଭାବେ ସାମାଜିକ ସେବା ଦ୍ୱାରା ଜନସାଧାରଣଙ୍କ ଉନ୍ନୟନ ପାଇଁ କାର୍ଯ୍ୟ କରୁଥିବା ଓ ଏକ ଦୁର୍ଗମ-ଅନଗ୍ରସର ଅଂଚଳର ଜନତାଙ୍କ ଧାର୍ମିକ ଚେତନା ଜାଗ୍ରତ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଅନ୍ୟ ସରକାରୀ ଓ ଖଣି ଇଲାକାରେ ଥିବା ମନ୍ଦିରଗୁଡ଼ିକ ଅକ୍ଷୂଣ୍ଣ ରହିଥିବା ବେଳେ ମା’ ଜଗଜ୍ଜନନୀ ମନ୍ଦିରର ପାଚେରୀ ଭଂଗା ଯିବା ପଛରେ ଏକ ମୁଷ୍ଟିମେୟ ଗୋଷ୍ଠୀଙ୍କ ଅସୂୟା ମନୋଭାବ ରହିଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। କେବଳ ଏହାନୁହେଁ, ଜିଲ୍ଲାର ସରକାରୀ ଜମିରେ ଗଢ଼ି ଉଠିଥିବା ମନ୍ଦିରର ଗୁଡ଼ିକ ଉପରେ ମଧ୍ୟ ଅନୁରୂପ ପ୍ରଶାସନିକ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।   ଏକ ଦୁର୍ଗମ ଇଲାକାରେ, ଗମନାଗମନରେ କୌଣସି ପ୍ରତିବନ୍ଧକ ସୃଷ୍ଟି କରୁନଥିବା ସ୍ଥଳେ ମନ୍ଦିରର ପାଚେରୀ ଭଂଗାଯିବା ମନ୍ଦିରର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି ବୋଲି ପୂଜକମାନେ କହିଛନ୍ତି।

Share :