ମା ମଙ୍ଗଳାଙ୍କ ଝାମୁଯାତ୍ରା ଶେଷ

ମା ମଙ୍ଗଳାଙ୍କ ଝାମୁଯାତ୍ରା ଶେଷ

Share :

ଚୈତ୍ର ମାସର ପ୍ରତ୍ୟକ ମଙ୍ଗଳବାରରେ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ପୀଠରେ ଅନୁଷ୍ଠିତ ହୋଇଥାଏ ପ୍ରସିଦ୍ଧ ଝାମୁଯାତ୍ରା। ମାସର ଶେଷ ମଙ୍ଗଳବାର ଥିଲା ମା’ମଙ୍ଗଳାଙ୍କର ଝାମୁଯାତ୍ରାର ଶେଷ ପାଳି। ମା’ଙ୍କ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଶାନ୍ତି ଶୃଙ୍ଖଲାର ସହ ଶେଷ ହୋଇଛି ଝାମୁଯାତ୍ରା। ସୂର୍ଯ୍ୟଙ୍କ ପ୍ରଚଣ୍ଡ ଖରାକୁ ଭ୍ରୁକ୍ଷପ ନ କରି ମା’ଙ୍କ ରାଜରାଜେଶ୍ୱରୀ ବେଶକୁ ଦର୍ଶନ କରିବା ପାଇଁ ପ୍ରତ୍ୟୁଷରୁ ଦିନ ତମାମ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଥିଲା। ପ୍ରତ୍ୟୁଷରୁ ମା’ ମଙ୍ଗଳାଙ୍କ ପାରମ୍ପାରିକ ରୀତି ନୀତି ଅନୁଯାୟୀ ମା’ଙ୍କୁ ବନଦୁର୍ଗା ମନ୍ତ୍ରରେ ପୂଜା କରାଯାଇଥିଲା। ଭୋର ୪ ଟାରେ ପହଡ଼ ଖୋଲା ହୋଇ ମା’ଙ୍କୁ ସୁବାସିତ ଜଳରେ ସ୍ନାନ ଓ ମାଜଣା କରାଯିବା ପରେ ସକାଳ ୫ ଟାରେ ବଲ୍ଳଭ ଭୋଗ ଓ ପିଠାଲାଗି କରାଯାଇଥିଲା। ମଧ୍ୟାହ୍ନରେ ଅନ୍ନଭୋଗରେ ଖେଚୁଡ଼ି, ଅନ୍ନ, ଡ଼ାଲି, ଏଣ୍ଡୁରୀ ପିଠା, ଖଟା ଓ ଖିରି ଭୋଗ ଲାଗି ହୋଇ ଥିଲା। ସଂଧ୍ୟା ୬ ଟାରେ ଆଳତି, ୬ ଟା ୩୦ରେ ସ୍ନାନ ଓ ବାଳଭୋଗ, ରାତି ୧୦ଟାରେ ରାତ୍ର ଭୋଗ, ମଧ୍ୟାହ୍ନର ଅନ୍ନଭୋଗ ଖିରି, ଖଟା ଓ ଏଣ୍ଡୁରିପିଠା ପରିବର୍ତ୍ତେ ଦହିପଖାଳ, ପଣା, କାକରା ଆଦି ଭୋଗ ହୋଇଥିଲା। ରାତ୍ର ଭୋଗ ଶେଷରେ କଂସାପାତ୍ରରେ ପଇଡ଼ପାଣିକୁ ମଦ୍ୟ ରୂପେ ମା’ଙ୍କୁ ସମର୍ପଣ କରାଯାଇଥିଲା। ରାତ୍ର ୧୧ ଟାରେ ବଡ଼ସିଂହାର ଧୂପ ଓ ଆଳତି ପରେ ପହଡ଼ ପଡେ଼। ସକାଳ ମଙ୍ଗଳ ଆଳତି ଓ ରାତିରେ ବଡ଼ସିଂହାର ଧୂପ ଆଳତିକୁ ମିଶାଇ ମାଆଙ୍କ ନିକଟରେ ମୋଟ ୫ ଥର ଆଳତି ହୋଇଥିଲା।   ଝାମୁଯାତ୍ର ସମୟରେ ଦିନତମାମ ସାଧାରଣ ଦର୍ଶନ ନିମନ୍ତେ ସାହାଣମେଲା ରହିଥିଲା। ଲକ୍ଷାଧିକ ମାତୃଭକ୍ତ ଲମ୍ୱାଧାଡ଼ିରେ ମନ୍ଦିର ମଧ୍ୟକୁ ପ୍ରବେଶ କରି ମା’ଙ୍କୁ ଦର୍ଶନ ଓ ପୂଜାଅର୍ଚ୍ଚନା କରିବା ସହିତ ବେଢ଼ା ପରିକ୍ରମା କରିଥିଲେ। ମଧ୍ୟାହ୍ନରେ ଘଣ୍ଟପାଟୁଆମାନେ ମୁଣ୍ଡରେ ଘଟ କଳଶୀ ଧରି ନିକଟସ୍ଥ ପ୍ରାଚୀ ନଦୀକୁ ଯାଇ ପାଣି ତୋଳିଥିଲେ। ଏହାପରେ ମନ୍ଦିର ବେଢ଼ା ଓ ବାହାରେ ନୃତ୍ୟ କରି ଅଗ୍ନିରେ ଚାଲି ମା’ଙ୍କ ନିକଟରେ ଭକ୍ତି ଅର୍ଘ୍ୟ ଅର୍ପଣ କରିଥିଲେ। ରାତିରେ ମା’ ମଙ୍ଗଳଙ୍କ ପ୍ରସିଦ୍ଧ କାଳୀକା ନୃତ୍ୟ ଅନୁଷ୍ଠିତ ହୋଇଥିଲା। ଶେଷ ପାଳି ଝାମୁଯାତ୍ର ଥିବାରୁ ମା’ଙ୍କ ପୀଠରେ ଶ୍ରଦ୍ଧାଳୁମାନଙ୍କ ନାହିଁ ନ ଥିବା ଭିଡ ଦୃଷ୍ଟିରୁ ପୁଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ବ୍ୟାପକ ବନ୍ଦବୋସ୍ତ କରାଯାଇଥିଲା। ନିମାପଡ଼ା ଏସଡ଼ିପିଓ ଅରୁଣ କୁମାର ଜେନା ଓ କାକଟପୁର ଥାନାଧିକାରୀ ରବିନାରାୟଣ ଭଞ୍ଜ ଓ ଝାମୁଯାତ୍ରା ପାଇଁ ମୁତୟନ ହୋଇଥିବା ସ୍ୱତନ୍ତ୍ର ପୁଲିସ ଯାତ୍ରାସ୍ଥଳରେ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ତଦାରଖ କରିଥିଲେ। ବିଭିନ୍ନ େସ୍ୱଚ୍ଛାସେବୀ ସଂଗଠନ ପକ୍ଷରୁ ଜଳଦାନ ଶିବିର  କରାଯାଇ ଶ୍ରଦ୍ଧାଳୁମାନଙ୍କୁ ସୁମିଷ୍ଠ ପଣା ବଣ୍ଟନ କରାଯିବା ସହ ସୂର୍ଯ୍ୟଙ୍କ ଉତ୍ତାପରୁ ରକ୍ଷା କରିବା ପାଇଁ ଜଳସିଞ୍ଚନର ବ୍ୟବସ୍ଥା କରାଯାଇଥିଲା।

Share :