ମଧୁବାବୁ ସହ ଲଢ଼ିବି!

ମଧୁବାବୁ ସହ ଲଢ଼ିବି!

Share :

ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ   ଓଡିଆ ଜାତି ବର୍ତ୍ତମାନ ଇତିହାସର ସବୁଠାରୁ ସଂକଟଜନକ ସ୍ଥିତି ଦେଇ ଗତି କରୁଥିବା ବେଳେ ଆମେ ମଧୁବାବୁଙ୍କର ୧୬୮ତମ ଜୟନ୍ତୀ ଉତ୍ସବ ପାଳନ କରୁଛନ୍ତି। ପାଞ୍ଚ ଛଅ ଦଶନ୍ଧି ତଳେ ଓଡିଆ ପୁଅ, ‘କାଳିଆ ଘୋଡାରେ ଚଢିବି, ମଧୁବାବୁ ସଙ୍ଗେ ଲଢିବି’ ଗୀତ ଅବୃତ୍ତି କରୁଥିଲା। ସବୁ କ୍ଷେତ୍ରରେ ମଧୁବାବୁଙ୍କ ଭଳି ହେବାକୁ ପ୍ରେରଣା ଏହି ଗୀତରୁ ସଂଗ୍ରହ କରୁଥିଲା। ମିସଲରେ ମଧୁବାବୁଙ୍କ ସହିତ ଲଢିବା ତା’ର ଲକ୍ଷ୍ୟ ନଥିଲା, ତା’ର ଲକ୍ଷ୍ୟ ଥିଲା ଓଡିଆ ଜାତିର ଉନ୍ନତି ପାଇଁ ମଧୁବାବୁଙ୍କ ଭଳି ନିଜକୁ ସଂପୂର୍ଣ୍ଣ ଭାବେ ଉତ୍ସର୍ଗ କରିବାର ବଜ୍ର ଶପଥ ନେବା ଓ ପ୍ରତିବଦ୍ଧତାର ସହିତ ସେହି ଦିଗରେ ଆଗକୁ ବଢିବା। ହେଲେ ଆଜି ଓଡିଆ ପୁଅ ଶୁଣୁଛି ‘ଆହାର ଖାଅ ଭୋଟ ଦିଅ’ ସ୍ଲୋଗାନ। ଟଙ୍କାରେ କିଲେ ଚାଉଳ, ଖାଦ୍ୟ ନିରାପତ୍ତା କାର୍ଯ୍ୟକ୍ରମ ଓ ପାଂଚ ଟଙ୍କିଆ ଆହାର ସୁବିଧା ଏବେ ସାଢେ ୩ କୋଟି ଲୋକଙ୍କୁ ମଳିବ। ଗଣତନ୍ତ୍ର ନାମରେ ଦେଶର ସମ୍ୱଳ ଓ କରଦାତାଙ୍କ ଅର୍ଥର ବିନର୍ବ୍ୟୟ କରି ରାଜନୈତିକ ଦଲାଲମାନେ ନିଜକୁ କ୍ଷମତାରେ ରଖିବା ପାଇଁ  କରୁଥିବା ଏକ ଷଡଯନ୍ତ୍ରର ଅଂଶ ଭାବେ ଏହି ହିତାଧିକାରୀମାନେ ସେମାନଙ୍କ ସପକ୍ଷରେ ଏକ ନିଶ୍ଚିତ ଭୋଟଦାତା ଗୋଷ୍ଠୀ କରିବେ। ଏବେ ତ ଗ୍ରାମାଞ୍ଚଳର ୮୦ ପ୍ରତିଶତ ଯୁବକ କାମ କରିବା ଛାଡି ସାରିଲେଣି। ଏବେ ସେମାନଙ୍କ କାମ  ଖାଇବା, ତାସ ଖେଳିବା ଓ ଠିକାଣା ବେଳେ ମଟୋରବାଇକ  ନେଇ ମାଗଣା ଜିନିଷ ଘରକୁ ବୋହି ଆଣିବା।   ଏହି ମାଗଣା ଖାଦ୍ୟର ପରିଣତି କ’ଣ ହୋଇଛି, ଦେଶରେ ତା’ର ପ୍ରଥମ ପରୀକ୍ଷାଗାର ତାମିଲନାଡୁର ଅବସ୍ଥା ଦେଖି ଆମେ ଆମର ଭବିଷ୍ୟତ କଥା କେବେ ଚିନ୍ତା କରିଛୁ? ଦୂରସଂଚାର ବିଭାଗରେ କେଳେଙ୍କାରୀ କରି ଲକ୍ଷ ଲକ୍ଷ କୋଟି ଟଙ୍କା ହଡପ କରନ୍ତୁ ବା ଆୟ ବହିର୍ଭୂତ ଲକ୍ଷ ଲକ୍ଷ କୋଟି ଟଙ୍କାର ସମ୍ପତି ଠୁଳ କରି ଜେଲଲ‌୍‍ ଯାଆନ୍ତୁ, ବଂଶ ପରମ୍ପରା କ୍ରମେ ଆମେ ତାଙ୍କୁ ହିଁ କ୍ଷମତାରେ ରଖିବାକୁ ଭୋଟ ଦେଉଥିବା ଏବଂ ସେମାନେ ପରସ୍ପର ସହିତ ପ୍ରତିଯୋଗିତା କରି ଆମକୁ ମାଗଣାରେ ଭାତ, ଡାଲମା, ଇଡ଼, ଦୋଶା, ଚିକେନ ଝୋଳ, ମୋବାଇଲ ଫୋନ, ସୁନା କାନ ଫୁଲ, ମଙ୍ଗଳସୂତ୍ର ଓ ସୁନାଚୁଡି ଦେବେ। ଆଗାମୀ ସେହି ହାତ ଟେକା ଦାନକୁ ପାଇ ଆମେ ଆମ ଯୁବ ଶକ୍ତିର ସ୍ବର୍ଣ୍ଣିମ ଭବିଷ୍ୟତ ନିର୍ମାଣ କରିବୁ। ସ୍ଲୋ ପଏଜନ ଦେଇ ଗୋଟିଏ ଜାତିକୁ  ଧୀରେ ଧୀରେ ହୀନବିର୍ଯ୍ୟ ଓ ନପଂୁସକ କରିଦେବା ପାଇଁ ବୋଧହୁଏ ଏହାଠାରୁ ଭଲ ଉପାୟ ଆଉ କିଛି ନାହିଁ। ସତେ କ’ଣ ଭିକ୍ଷାବୃତ୍ତି ଏ ଜାତିର ଭାଗ୍ୟଲିପି!  ସେ ଆଉ ‘ଟାଣେ କିରେ ଗାଡି ଦାନାର ତୋବଡା ଘୋଡା ମୁହେଁ ବନ୍ଧା ଥିଲେ’ର ଅର୍ଥ ବୁଝିବାକୁ ଚେଷ୍ଟା କରୁନାହିଁ? ସେ କେବଳ ବୁଝୁୂଛି ଦେଶ ଲୁଟ ହେଲେ ତା’ର କି ଯାଏ, ସବୁକଥା ସେ ଏବେ ମାଗଣାରେ ଚାହେଁ। ଏପରି କି କୋଟିପତି ବିଧାୟକ ଓ ତାଙ୍କର ଲକ୍ଷପତି ଗୋଡାଣିଆ ମଧ୍ୟ ଟୋକନ ନେଇ ଧାଡିରେ ଛିଡା ହେଉଛନ୍ତି!   ଏବେ ଖବର କାଗଜାରେ ବାହାରିଛି ଜଣେ ବରିଷ୍ଠ ସାମ୍ୱାଦିକଙ୍କ ମନ୍ତବ୍ୟ ‘ଏବେ ଅତି ନିର୍ଲ୍ଲଜଭାବେ ଓଡିଆ ଭାଷାକୁ ବଞ୍ଚାଇବା ପାଇଁ ଆମେ ଲଢୁଛୁ’।  ପ୍ରାୟ ଦେଢ ଶହ ବର୍ଷ ତଳେ ଏମିତି ଅବସ୍ଥା ଉପୁଜିଥିଲା। ଓଡିଆ ଭାଷା ତାର ସ୍ଥିତି ହରାଉଥିବା ବେଳେ ଓଡିଆ ପୁଅ ସିଂହ ଭଳି ନିଜ ଭାଷା ପାଇଁ ଲଢିଥିଲା। ଭାଷା ତ ବଂଚିଲା, ସେହି ଭାଷା ଭିତ୍ତିରେ ସବୁ ଓଡିଆଙ୍କୁ ଏକାଠି କରି ସ୍ବତନ୍ତ୍ର ଓଡିଶା ପ୍ରଦେଶ ଦାବୀ ହେଲା। ମଧୁସୂଦନ ଦାସ ଏଇ ଲଢେଇରେ ଏ ଜାତିର ନେତୃତ୍ବ ନେଇଥିଲେ। ମାଡ୍ରାସଠାରେ ଅନୁଷ୍ଠିତ କଂଗ୍ରେସର ଜାତୀୟ ଅଧିବେଶନରେ ସ୍ୱତନ୍ତ୍ର ଓଡିଶା ଗଠନ ପାଇଁ ପଡୋଶୀ ରାଜ୍ୟର ନେତାମାନେ ଅମଙ୍ଗ ହେବାରୁ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଶେଷକୁ ତାଙ୍କ ସ୍ୱପ୍ନ ସଫଳ ହୋଇଥିଲା ଏବଂ ଓଡିଶା ସମଗ୍ର ଭାରତ ବର୍ଷରେ ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ସୃଷ୍ଟି ହୋଇଥିଲା। ଏବେ ପୁଣି ଭାରତ ବର୍ଷର ଷଷ୍ଠ ଶାସ୍ତ୍ରୀୟ ଭାଷା ରୂପେ ଓଡିଆ ଭାଷା ସ୍ୱୀକୃତି ପାଇସାରିବା ପରେ ମଧ୍ୟ ଆମକୁ ଆମ ଭାଷା ବଞ୍ଚାଇବା ପାଇଁ ଲଢିବାକୁ ପଡୁଛି। ଆମ ଯୁବକମାନେ ମାଗଣା ଖାଦ୍ୟ ସହିତ ‘ବାଡିପଡା’ ଓ ‘ଚଢିଖୋଲ’ ଆଦି ଶବ୍ଦ ସହିତ ଏତେ ଅଭ୍ୟସ୍ତ ହୋଇଗଲେଣି ଯେ ସେମାନଙ୍କ ପାଖରେ ଭାଷା ବଞ୍ଚାଇବା ପ୍ରସଙ୍ଗ ଅପାଙକ୍ତେୟ ଓ ଅପ୍ରାସଙ୍ଗିକ  ହୋଇପଡିଲାଣି।  ଭାଷା କ’ଣ ତାକୁ ସ୍ବର୍ଗକୁ ନେବ? ଯିଏ ତାକୁ ଭାଷା ଓ ଦେଶପ୍ରେମ ଶିଖାଇ ସଫଳତାର ଚରମ ଶିଖରରେ ପହଂଚାଇବାକୁ ଉଦ୍ୟମ କରନ୍ତା ସେଇ ତାକୁ ସ୍ୱର୍ଗଦ୍ୱାର ଦିଗରେ ପାଇଁ ବାଟ କଢେଇ ନେଉଛି,  ସେ ବୁଝିପାରୁ ନାହିଁ। ‘ଭାଷା ମରିଗଲେ ଜାତି ମରିଯାଏ’ କଥାଟା ତା ପାଇଁ ଅଲୋଡା ହୋଇପଡିଲାଣି।   ସତ୍ୟର ଅନୁସରଣ କରିବାକୁ ଓ ପୂର୍ବ ବୀରତ୍ବକୁ ସ୍ମରଣ କରାଇ ଦେବାକୁ ମଧୁବାବୁ ଓଡିଶାବାସୀଙ୍କୁ ଉଦଧନ ଦେଇଥିଲେ, ‘ ତୁ ପରା ବୋଲାଇ ଉତ୍କଳ ସଂନ୍ତାନ ତେବେ କିମ୍ପା ଏତେ ଭୀରୁ / ତୋହର ଜନନୀ ରୋଦନ କରିଲେ କହିବାକୁ କିମ୍ପା ଡରୁ / ତୋ ପୂର୍ବ ପୁରୁଷ ଜୟ କରିଥିଲେ ଗଙ୍ଗାଠାରୁ ଗୋଦାବରୀ / ତାଙ୍କର ଔରସେ ଜନ୍ମହୋଇ ତୁହି କେଉଁ ଗୁଣେ ତାଙ୍କୁ ସରି ?’ ସେ ବୀରତ୍ୱ ଭୁଲି ଓଡିଆ ପୁଅ ଆଜି ତୋଷାମଦି କରୁଛି। ତା ମୁହଁରେ ଦାନାର ତୋବଡା ବାନ୍ଧି ତା ପୌରୁଷତ୍ବକୁ ଅପଶକ୍ତିମାନେ ଅପହରଣ କରୁଛନ୍ତି। ତେଣୁ ଓଡିଆ ମାଟିରେ ମଧୁବାବୁଙ୍କ ଭଳି ଏମିତି ଓଡିଆ ପୁଅ ଜଣେ ଜନ୍ମ ହୋଇଥିଲା ସେକଥା ବିଶ୍ବାସ କରିବା ତାଙ୍କ ପାଇଁ ଆଉ ସମ୍ଭବ ହେଉନାହିଁ।   ୧୯୧୧ରେ ବିହାର ଓଡିଶା ବଙ୍ଗଳାଠାରୁ ଅଲଗା ହୋଇଗଲା। ଦୁଃଖିନୀ ଓଡିଶା କଲିକତା ପରିବର୍ତ୍ତେ ଆହୁରି ଅଧିକ ୫୦୦ କିଲୋମିଟର ଦୂର ପାଟନାରୁ ଶାସିତ ହେଲା। ସେତେବେଳେ ପାଟନା ବିଧାନ ପରିଷଦକୁ ଯିବା ପାଇଁ ଲୋକ ଖୋଜା ହେଲେ।  ମଧୁବାବୁ ପୁଣି କଂଗ୍ରେସର ଅନୁରୋଧରେ ମନ୍ତିମଣ୍ଡଳରେ ସ୍ବାୟତ୍ତ ଶାସନ ମନ୍ତ୍ରୀ ଭାବେ ଯୋଗ ଦେଇଥିଲେ। ଦରମା ଥିଲା ପାଞ୍ଚ ହଜାର ପାଞ୍ଚ ଶହ ପଞ୍ଚାବନ ଟଙ୍କା ପାଞ୍ଚଣା ଚାରି ପାହୁଲା! ବର୍ତ୍ତମାନ ଟଙ୍କାରେ ସୁନା ବା ଜମିକୁ ନେଇ ମାପିବସିଲେ ବୋଧେ ପଚାଶ ଲକ୍ଷ ଟଙ୍କାରୁ ଅଧିକ ହେବ। କିନ୍ତୁ ମଧୁସୂଦନଙ୍କ ଠୋସ ବକ୍ତବ୍ୟ ଥିଲା- ମନ୍ତ୍ରୀ ଜଣେ ସମାଜ ସେବକ, ସେବା କରିବାକୁ ଆସିଥିବା ମନ୍ତ୍ରୀଟି ଦରମା ନେବ କାହିଁକି? ସେ ଦରମା ନେବେ ନାହିଁ ବୋଲି ରୋକ ଠୋକ ମନା କରିଦେଇଥିଲେ। ଅନ୍ୟ ପକ୍ଷରେ ସପ୍ତାହର ୬ ଦିନ କାର୍ଯ୍ୟକାରୀ ଦିବସରୁ ଗୋଟିଏ ଦିନ ନିଜର ଆଇନ ବ୍ୟବସାୟ କରି ରୋଜଗାର କରିବେ ଓ ସେହି ଅର୍ଥରେ ଚଳିବେ ବୋଲି ଲାଟ ସାହେବଙ୍କ ଆଗରେ ପ୍ରସ୍ତାବ ରଖିଥିଲେ। ହେଲେ ତାଙ୍କ ମତ ଗୃହୀତ ନହେବାରୁ ଭାରତ ବର୍ଷର ପ୍ରଥମ ମନ୍ତ୍ରୀ ଭାବେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। କିନ୍ତୁ ଆମର ଦୁର୍ଭାଗ୍ୟ ଆଜିର ମନ୍ତ୍ରୀମାନେ ଉଚ୍ଚ କୋଠା ଓ ଲମ୍ୱା ଗାଡି ମୋହରେ ଅନ୍ଧ ହୋଇଯାଇଛନ୍ତି। ସେ ଚିଟ ଫଣ୍ଡ ହେଉ ବା ଅଙ୍ଗନବାଡି ପିଲାଙ୍କର ଡାଲି ଅଣ୍ଡା ପଇସା, ନିଜର ଉନ୍ନତି ପ୍ରଥମେ ହେଉ, ରାଜ୍ୟ ପଛେ  ଚୁଲିକି ଯାଉ। ରାଜ୍ୟ କେନ୍ଦ୍ର ପାଖରେ ହାତ ପାତୁ ବା ଋଣ କରୁ, ସବୁ ନିଜେ ଗିଳି ସର୍ବଗିଳା ହେବାର କି କୁତ୍ସ ସାଧନା !   ସେ ଥିଲେ ଓଡିଆ ଜାତିର ପ୍ରଥମ ବି.ଏ, ପ୍ରଥମ ଏମ.ଏ, ପ୍ରଥମ ଓକିଲ, ପ୍ରଥମ ମନ୍ତ୍ରୀ ଓ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ପ୍ରଥମ ଓଡିଆ। ସବୁଥିରେ ପ୍ରଥମ ହୋଇଥିବା ଏହି ଲୋକଟି ଯଦି କେବଳ ନିଜ କଥା ଚିନ୍ତା କରିଥାନ୍ତେ, ତେବେ ସେ କେତେ ଉଚ୍ଚା କୋଠା କରିପାରିଥାନ୍ତେ, କେତେ ଲମ୍ୱା ଗାଡି କିଣି ପାରିଥାନ୍ତେ! କିନ୍ତୁ ସେଭଳି ସେ କରି ନଥିଲେ। ସବୁ କ୍ଷେତ୍ରରେ ଓଡିଶାକୁ ଆଗେଇ ନେବା ପାଇଁ ସେ ସବୁବେଳେ ସ୍ବପ୍ନ ଦେଖୁଥିଲେ। କଟକର ରୂପା ତାରକସି ଶିଳ୍ପର ପୁନରୁଦ୍ଧାର ପାଇଁ ସେ ଉଦ୍ୟମ କରିଥିଲେ। ପ୍ରଥମ ଚମଡା ଶିଳ୍ପ କାରଖାନା କଟକରେ ସେ ବସାଇଥିଲେ। ଜୋତାରେ ସାମାନ୍ୟ ତୃଟି ଦେଖିଲେ ଗୋଛା ଗୋଛା ନୂଆ ଯୋତା ସେ ଜାଳି ଦେଉଥିଲେ, ଆଜିକା ପରି ଅଧା ଦାମ ବିକି ଲୋକଙ୍କୂ ଠକିବା କଥା ତାଙ୍କ ଚିନ୍ତା ଭିତରେ ନଥିଲା। ନିଜ ଉତ୍ପାଦନର ଗୁଣବତ୍ତାର ସୁରକ୍ଷା ଓ ଗ୍ୟାରେଣ୍ଟି ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ସେଥିପାଇଁ ସେ ସବୁବେଳେ କହୁଥିଲେ ‘ଆଲୋ ସଖୀ, ଆପଣା ମହତ ଆପେ ରଖି!’ ବୋଧହୁଏ ସେଥିପାଇଁ ମହାତ୍ମା ଗାନ୍ଧୀ ତାଙ୍କର ଓଡିଶା ଗସ୍ତ ବେଳେ ଦୁଇ ଦୁଇ ଥର ତାଙ୍କ ଘରେ ଅତିଥି ହେବାକୁ ପସନ୍ଦ କରିଥିଲେ।   ପୁରୀ ମନ୍ଦିରକୁ ଯେତେବେଳେ ଇଂଗ୍ରେଜ ସରକାର ଗଜପତିଙ୍କ ହାତରୁ ନିଜ ହାତକୁ ନେବାକୁ ନିଷ୍ପତ୍ତି ନେଲେ, ସେତେବେଳେ ସେ କହିଥିଲେ, ‘ପୃଥିବୀରେ ଏପରି ରାଜା ନାହିଁ ଯାହାର ନାମରେ ଗୋଟିଏ ବର୍ଷ ଗଣନା ହୁଏ। ଓଡିଆ ଜାତିର ଜାତକରେ ପୁରୀ ରାଜାଙ୍କର ଅଙ୍କ ବସେ। ସେପରି ରାଜାଙ୍କ ହାତରୁ ଜଗନ୍ନାଥଙ୍କ ପୂଜା ଭାର କାଢିନେଇ ଖ୍ରୀଷ୍ଟିଆନ ସରକାର ପୂଜା ଭାର ଗ୍ରହଣ କରିବେ, ମଧୁସୂଦନ ଦାସ ଜୀବିତ ଥାଉଁ ଥାଉଁ ତାହା କରାଇଦେବ ନାହିଁ।’ କାଲିକତା ହାଇକୋର୍ଟରେ ଶେଷ ପର୍ଯ୍ୟନ୍ତ ଲଢି ଶେଷରେ ସେ ବିଜୟୀ ହୋଇଥିଲେ। ଜଗନ୍ନାଥ ମନ୍ଦିର ପରିଚାଳନା ଦାୟିତ୍ୱ ଗଜପତିଙ୍କ ହାତରେ ରହିଲା। ତତ୍କାଳୀନ ଇଂରେଜ ସାହେବ ଉଡ୍ରଫ ଓ ଇଭାନ୍ସ ଉଭୟ ତାଙ୍କର ବିଚକ୍ଷଣତା ଓ ବିଜୟ ପାଇଁ ଭୂୟସୀ ପ୍ରସଂଶା କରିଥିଲେ। ଏବେ କିନ୍ତୁ ଓଡିଆ ସାହେବମାନେ ଚିଟ ଫଣ୍ଡରୁ ମୁକ୍ତି ପାଇଁ ସବୁଠାରୁ ବେଶୀ ଅର୍ଥ ଦାବୀ କରୁଥିବା ଓକିଲଙ୍କ ଜରିଆରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ସରକାରୀ ଅର୍ଥ ତୋଷରଫ କରି ନିଜକୁ ବଞ୍ଚାଇବାକୁ ଲଢି ହାରିଥିବାର ଉଦାହରଣ ସୃଷ୍ଟି କରିଛନ୍ତି। ଜଗନ୍ନାଥଙ୍କ ନବ କଳେବର ନାମରେ ନିଜର ସ୍ବାର୍ଥ ଏବଂ ସମ୍ପତିର ଅଦ୍ଭୂତପୂର୍ବ ନବକଳେବର କରିବାକୁ ସକ୍ଷମ ହୋଇଛନ୍ତି।   ମଧୁବାବୁ କେବଳ ବତନ୍ତ୍ର ଓଡିଶା ପ୍ରଦେଶ ଗଠନର ମୁଖ୍ୟ ବିନ୍ଧାଣୀ ନଥିଲେ,  ଓଡିଶାର ନାରୀ ଶିକ୍ଷାର ସେ ଥିଲେ ଅଗ୍ରଦୂତ। ତାଙ୍କରି ପ୍ରଚେଷ୍ଟାରେ କଟକ ଠାରେ ପ୍ରତିଷ୍ଠା ହୋଇଥିଲା ଉଚ୍ଚ ଇଂଗ୍ରାଜୀ ବାଳିକା ବିଦ୍ୟାଳୟ। ପାଳିତା କନ୍ୟା ଶୈଳବାଳା ବିଲାତରୁ ଉଚ୍ଚ ଶିକ୍ଷା ପାଇ ଫେରିବା ପରେ ପିତାପୁତ୍ରୀଙ୍କ ଚେଷ୍ଟାରେ କଟକରେ ଆରମ୍ଭ କରିଥିଲେ ଓଡିଶାର ପ୍ରଥମ ମହିଳା ମହାବିଦ୍ୟାଳୟ ବା ଆଜିର ଶୈଳବାଳା ମହିଳା କଲେଜ। ସେହି ଭଳି ବନ୍ଧୁ କନ୍ୟା ସୁଧାଂଶୁବାଳା ହାଜରା, ଶୈଳବାଳାଙ୍କ ସାନ ଭଉଣୀ, ଯେତେବେଳେ କଟକରେ ପ୍ରଥମେ ଆଇନ ବ୍ୟବସାୟ କରିବାକୁ ଚାହିଁଥିଲେ ‘ଲିଗାଲ ପ୍ରାକଟିସନର୍ସ ଆକ୍ଟ’ ଅନୁୟାୟୀ ସେ ମହିଳା ହୋଇଥିବାରୁ ତାଙ୍କୁ ଅନୁମତି ମିଳିନଥିଲା। ମଧୁବାବୁ ପାଟନା ହାଇାକୋର୍ଟରୁ ବିଫଳ ହେବା ପରେ ଲଣ୍ଡନର ‘ପ୍ରିଭି କାଉନସିଲ ଜୁଡିସିଆଲ କମିଟି’ ନିକଟରେ ନିବେଦନ କରିଥିଲେ। ଫଳ ସ୍ବରୂପ ସୁଧାଂଶୁବାଳା ହାଜରା କେବଳ ଓଡିଶାର ନୁହନ୍ତି ସମଗ୍ର ଭାରତ ବର୍ଷର ପ୍ରଥମ ମହିଳା ଓକିଲ ହୋଇଥିଲେ।   ମଧୁବାବୁଙ୍କର ଅଦ୍ଭୂତ ସାହାସ ଓ ବିଜୟୀ ହେବାର ଦୁର୍ଦ୍ଦୟମାନ ପ୍ରୟାସର ପଟ୍ଟାନ୍ତର ନାହିଁ। ଆଜି ସତରେ କ’ଣ ଆମ ପିଢ଼ି ଆମ ରାଜ୍ୟ ଓ ଆମ ମାତୃଭାଷା ପାଇଁ ପୁଣି ଥରେ ସେଭଳି ଦୁର୍ବାର ଆନ୍ଦୋଳନ ସୃଷ୍ଟି କରିପାରିବ?  ଆଦର୍ଶ ବିଦ୍ୟାଳୟ ନାଁରେ କେନ୍ଦ୍ର ସରକାରଙ୍କ ୭୫ ପ୍ରତିଶତ ଅନୁଦାନରେ ଗଢି ଉଠିଥିବା ଏହି ଶିକ୍ଷାନୁଷ୍ଠାନ ଗୁଡିକରେ ଶିକ୍ଷାର ଗୁଣାତ୍ମକ ବିକାଶ ମୂଳ ଲକ୍ଷ୍ୟ ହୋଇଥିବା ବେଳେ ଇଂଗ୍ରାଜୀ ଭାଷାକୁ ପ୍ରମୁଖତା ଦେଇ ରାଜ୍ୟ ପ୍ରକଳ୍ପ ଭାବେ ମିଥ୍ୟାର ଡିଣ୍ଡିମ, ମିଥ୍ୟା ମାନସିକତାରୁ ଏ ରାଜ୍ୟର ନୂଆ ପିଢ଼ି କ’ଣ ସତ୍ୟକୁ ସମ୍ମାନ ଦେବାକୁ ସକ୍ଷମ ହେଲା ଭଳି ଶିକ୍ଷା ଲାଭ କରିପାରିବ? ଆଜି କେବଳ ମଧୁବାବୁଙ୍କ ଉକ୍ତିକୁ ଆମେ ରାଜ୍ୟବାସୀଙ୍କୁ ମନେପକାଇ ଦେବା- ‘ଉଠରେ ଉଠରେ ଉତ୍କଳ ସନ୍ତାନ ଉଠିବୁ ତୁ କେତେ ଦିନେ / ପୂରୁବ ଗୌରବ ପୂରବ ସାହସ ପଡିବକି କେବେ ମନେ !’   ମୋ- ୯୩୩୭୧୨୦୨୫୫

Share :