କିଏ ଓଡ଼ିଶାର ରଜନୀକାନ୍ତ?

କିଏ ଓଡ଼ିଶାର ରଜନୀକାନ୍ତ?

Share :

ପରଂବ୍ରହ୍ମ ତ୍ରିପାଠୀ   ସବୁ ଭଲ କଥା ମହାତ୍ମା ଗାନ୍ଧୀ କହିଥିଲେ। ସବୁ ଉଦ୍ଭାବନ ଆମେରିକାରେ ହୁଏ। କିନ୍ତୁ ସେମାନେ ଏ ଉଦ୍ଭାବନର ଆଇଡିଆ ରାମାୟଣ, ମହାଭାରତ କି ପୁରାଣରୁ ଚୋରୀ କରିଥାନ୍ତି। ଆଉ ଓଡିଶାରେ ଯାହା ବି ହେଇଛି ତାକୁ ପ୍ରବାଦ ପୁରୁଷ କରିଛନ୍ତି- ଏ କଥା ମୁଁ କହୁନି ଆଜ୍ଞା। ଅନେକ ଉଚ୍ଚ ଶିକ୍ଷିତ ଲୋକଙ୍କ ମୁହଁରୁ ମୁଁ ଶୁଣିଛି। ସାମ୍ବାଦିକତା ଓ ଗଣମାଧ୍ୟମର ଛାତ୍ର ଭାବେ ସୁଧିଜନଙ୍କ ଏହି ସବୁ ମନ୍ତବ୍ୟକୁ ଅନୁଶୀଳନ କରିବାର ଚେଷ୍ଟା ବି କରିଛି। ଆଉ ସେଥିରୁ ଯାହା ପାଇଛି ସେ ବିଷୟରେ ଲେଖୁଛି। ହେଲେ ଗୋଟେ କଥା, ଶତପଥୀ ଆଜ୍ଞାଙ୍କୁ ଧନ୍ୟବାଦ, ସେ ମୂଷା କଥା କହିଲାରୁ ମୋ ମୁଣ୍ଡରେ ବେଙ୍ଗ କଥା ଜୁଟିଲା। ଆଜି ସେ ନିଜ ଖବରକାଗଜରେ କଳଙ୍କିତ ନାୟକ ଲେଖିଲେ, ମତେ ରଜନୀକାନ୍ତ ମନେ ପଡିଲେ। ଆଶା ଆପଣ ତାକୁ କମ୍ପ୍ଲିମେଣ୍ଟ ହିସାବରେ ନେବେ।   ୨୦୦୪ ଠାରୁ ଆରମ୍ଭ ହେଲା ସ୍ଲୋଗାନ ଟି-ସାର୍ଟର ଟ୍ରେଣ୍ଡ। ମୁଁ ବି ପଛରେ ପଡିନଥିଲି। ମୋର ସବୁଠାରୁ ଫେବରାଇଟ ଟି-ସାର୍ଟରେ ଲେଖା ଥିଲା ଆନ୍ ଆୟ୍ ଫର୍ ଆନ୍ ଆୟ୍ ମେକ୍ସ ଦ ହୋଲ୍ ୱାର୍ଲ୍ହ ବ୍ଲାଇଣ୍ଡ। କେବଳ ମୁଁ ନୁହେଁ ମୋ ପରି କୋଟି କୋଟି ଲୋକ, ଏପରିକି ଆପଣ ବି ଭାବନ୍ତି ଯେ ଏ କଥାଟି ମହାତ୍ମା ଗାନ୍ଧୀ କହିଥିଲେ। ସତ କଥାଟି କଣ ଜାଣିଛନ୍ତି? ଏ କଥାଟି ହେଉଛି ଗାନ୍ଧୀ ଚଳଚିତ୍ରର ଏକ ସଂଳାପ, ଗାନ୍ଧୀ ତାଙ୍କ ଜୀବନରେ ଏପରି ଡାଇଲଗ କେବେ ମାରି ନାହାନ୍ତି। ହେଲେ, ଏଇ ଡାଇଲାଗକୁ ମାରି ଆଉ ଗାନ୍ଧୀଙ୍କ ନାଁ ନେଇ ମୁଁ ସ୍କୁଲ ଆଉ କଲେଜ ଜୀବନରେ ଅନେକ ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ହେଇଛି ଆଉ ମୋର ଏହି ଡାଇଲଗ ଲେଖା ଟି-ସାର୍ଟ ମତେ ଭିଡରୁ ଅଲଗା କରିଛି।   ମୁଁ ମୋ କଥା କହି ସାରିଲି। ଏବେ ଆଉ ଜଣେ ବନ୍ଧୁଙ୍କ କଥା କହୁଛି। ସେ କୁହନ୍ତି, ବିମାନର ଉଦ୍ଭାବନ ରାଇଟ ବ୍ରଦର୍ସ ନୁହନ୍ତି, କାଳେ ମହାରାଷ୍ଟ୍ରର ତାଳପଡେ ନାମକ ଭଦ୍ର ବ୍ୟକ୍ତି କରିଥିଲେ ଓ ପୁଷ୍ପକ ବିମାନ ହିଁ ଏ କ୍ଷେତ୍ରରେ ଦୁନିଆର ପ୍ରଥମ ଆବିଷ୍କାର। ବନ୍ଧୁ ଏଇଠି ଚୁପ ରୁହନ୍ତିନି, ତାଙ୍କ ଲିଷ୍ଟ ବହୁତ ଲମ୍ବା। କ୍ଳୋନିଙ୍ଗ ଗଣେଶଙ୍କ ଠାରୁ ଆରମ୍ଭ ହୋଇଥିଲା ବୋଲି କହିବା ସହ ଗାନ୍ଧାରୀଙ୍କ ଶତପୁତ୍ର ଟେଷ୍ଟଟ୍ୟୁବ ବେବିର ପ୍ରଥମ ପରୀକ୍ଷଣ ବୋଲି ସେ ମତ ଦିଅନ୍ତି। ମୁଁ ତାଙ୍କ କଥାରେ ଏକମତ ନହେଲେ କଣ ହେଲା, ଫେସବୁକରେ ସେ ଯେତେବେଳେ ଏକଥା ଲେଖନ୍ତି ଶହ ଶହ ଲୋକ ତାକୁ ଲାଇକ କରନ୍ତି ଓ କମେଣ୍ଟ ଦିଅନ୍ତି। ବେଳେ ବେଳେ ଭାବେ, ଏପରି କରି ବିଶ୍ଵ ଜଗତକୁ ଆମର ପ୍ରକୃତ ଅବଦାନ ଯେପରିକି ଶୂନ୍ୟ, କାଲକୁଲସ, ପରିମିତି, ପାଇର ମାନ ନିର୍ଦ୍ଧାରଣ, ଆମ ଦର୍ଶନ, ଆୟୁର୍ବେଦ, ଆମ ବୌଧିକ ଚିନ୍ତାଧାରା- ଏସବୁକୁ ଆମେ ଛୋଟ ଆଉ ହାସ୍ୟାସ୍ପଦ କରିଦେଉନେ ତ?   ଓଡିଶାରେ ଏ କ୍ଷେତ୍ରରେ ନୂଆ ଟ୍ରେଣ୍ଡ ହଉଛନ୍ତି ପ୍ରବାଦ ପୁରୁଷ। ସେ କୁଆଡେ ସୁକର୍ନୋ ଠାରୁ ଆରମ୍ଭ କରି ୧୯୩୦ ମସିହାରେ ବନ୍ୟା ଜଳରେ ଭାସି ଯାଉଥିବା ଗୋପବନ୍ଧୁଙ୍କ ଛତା- ଏ ସବୁର ତ୍ରାଣକର୍ତ୍ତା। ସେ ସାଇକେଲରେ ଯାଉଥିବା ବେଳେ କୁଆଡେ ବାଘ/ସିଂହ ସହ ଏମିତି ଆଖି ମିଶେଇଲେ ଯେ ସେ ପଶୁଟିର ଲାଙ୍ଗୁଳ ଜାକି ଯିବା ଛଡା ଆଉ କିଛି ଗତି ନଥିଲା। ଏ ସବୁ କିମ୍ବଦନ୍ତୀକୁ ଶୁଣିବା ବା ଉପଭୋଗ କରିବାରେ ମୋର କେବେ କିଛି ଅସୁବିଧା ନଥିଲା। ହେଲେ ବେଳେ ବେଳେ ଦୁଃଖ ହୁଏ ଯେତେବେଳେ ତାଙ୍କୁ ପ୍ରବାଦ ପୁରୁଷରୁ  ଭଗବାନ କରିବା ପାଇଁ କିଛି ବିଜ୍ଞ ଲୋକ ଅନ୍ୟମାନଙ୍କୁ ଛୋଟ କରିବାକୁ ଚାହାନ୍ତି। ଏଇ ଯେମିତି ଆଜି ଲୋକପ୍ରିୟ ସାଂସଦ ତାଙ୍କ ମୂଷା ଉପାଖ୍ୟାନ ପରେ ବାଉଁଶ ଉପାଖ୍ୟାନ ଓ କଳଙ୍କିତ ନାୟକର ଅବତାରଣା କରିଛନ୍ତି। ନିଜକୁ ଡେଙ୍ଗା ଦେଖାଇବା ପାଇଁ ଅନ୍ୟ ଜଣକର ଗୋଡ କାଟିଦେବା କେତେଦୂର ଯଥାର୍ଥ ଆଜ୍ଞା?   ସେମାନଙ୍କୁ ମହାକାବ୍ୟ, ମହାତ୍ମା ବା ପ୍ରବାଦ ପୁରୁଷ ହୋଇ ରହିବାକୁ ଦିଅନ୍ତୁ। ଏ ସବୁ ଉପାଧି ବି ସେମାନେ ନିଜ ଜୀବଦଶାରେ କେବେ ମାଗିନଥିଲେ। ଦୟାକରି ସେମାନଙ୍କୁ ରଜନୀକାନ୍ତ କରନ୍ତୁ ନାହିଁ। ଆପଣ ବି ଫେସବୁକ ଆଉ ହ୍ଵାଟସପରେ ଅଛନ୍ତି। ସେଠି ନିଶ୍ଚିତ ଦେଖିଥିବେ, ପରଦାରେ ସବୁଠାରୁ ଷ୍ଟାଇଲିଶ ନାଚ ନାଚୁଥିବା ଥରେ ଫୁଙ୍କି ହଜାରେ ଗୁଣ୍ଡାଙ୍କୁ ଉଡେଇ ଦେଉଥିବା ରଜନୀକାନ୍ତ କିପରି ବ୍ୟକ୍ତିଗତ ଜୀବନରେ ଆପଣ ଆଉ ମୋ ପରି ଚପଲ ପିନ୍ଧୁଥିବା ଚନ୍ଦା ମଣିଷଟେ। ଯେଉଁଠି ରିଅଲ ଜୀବନର ରଜିନୀକାନ୍ତ ରିଲ ଜୀବନର ରଜନୀକାନ୍ତ ଭିତରେ ପ୍ରଭେଦର ବଡ ଲକ୍ଷ୍ମଣରେଖା ଟିଏ ଟାଣି ପାରୁଛି, ଆମେ ଆମ ମହାକାବ୍ୟ, ମହାତ୍ମା ଓ ପ୍ରବାଦ ପୁରୁଷଙ୍କୁ ରଜନୀକାନ୍ତ କରିବା ଚେଷ୍ଟାରେ କଦର୍ଥ ଓ ବାମନ କରି ଦେଉନେ ତ?

Share :