ଏହା କ’ଣ ହିନ୍ଦୁ ମନ୍ଦିର ନୁହେଁ?

ଏହା କ’ଣ ହିନ୍ଦୁ ମନ୍ଦିର ନୁହେଁ?

Share :

    ଶରତ ଜେନା   କେନ୍ଦୁଝର ଜିଲ୍ଲାର ବିଭିନ୍ନ ଖଣି ଅଂଚଳରେ ଏକାଧିକ ମନ୍ଦିର ନିର୍ମିତ ହୋଇଛି। ପ୍ରାୟ ସବୁ ମନ୍ଦିର ଲିଜ ଏରିଆ ମଧ୍ୟରେ ନିର୍ମାଣ କରାଯାଇଛି। ଏହା ହିନ୍ଦୁ ବ୍ୟବସାୟୀ ଓ ସାଧାରଣ ଲୋକଙ୍କର ଏକ ସାଧାରଣ ଧର୍ମ ବିଶ୍ବାସ। ହିନ୍ଦୁମାନେ ନିଜ ଦୋକାନରେ ଦେବାଦେବୀଙ୍କ ଫଟୋ କିମ୍ବା ମୂର୍ତ୍ତି ରଖି ପୂଜା କରନ୍ତି। ବ୍ୟାବସାୟିକ ପ୍ରତିଷ୍ଠାନରୁ ଆରମ୍ଭ କରି କଳକାରଖାନା ପରିସରରେ ମଧ୍ୟ ମନ୍ଦିର ନିର୍ମାଣ କରି ମୂର୍ତ୍ତି ପ୍ରତିଷ୍ଠା କରିଥାନ୍ତି। ଏହା ସାରା ଭାରତର ପ୍ରାଚୀନ ପରମ୍ପରା। ସେହି କ୍ରମରେ କେନ୍ଦୁଝର ଓ ସୁନ୍ଦରଗଡ଼ର ଅନେକ ଖଣି ଲିଜ ଏରିଆରେ ମଧ୍ୟ ଏପରି ମନ୍ଦିରସବୁ ନିର୍ମାଣ କରାଯାଇଛି।   ପ୍ରଶାସନ ଏଭଳି ମନ୍ଦିରସବୁ ଭାଙ୍ଗିନଥିବାବେଳେ ଉଚ୍ଚବାଲିର ଜଗତଜନନୀ ମନ୍ଦିର ଭାଙ୍ଗିବା ବାଛବିଚାର ତଥା ପକ୍ଷପାତୀ ନିଷ୍ପତ୍ତି ଏବଂ ସମ୍ବିଧାନ ପ୍ରଦତ୍ତ ଲୋକଙ୍କ ଧାର୍ମିକ ଅଧିକାରର ଉଲ୍ଲଙ୍ଘନ ବୋଲି ଅଭିଯୋଗ ହୋଇଛି। ନ୍ୟାୟପାଳିକା ନିର୍ଦ୍ଦେଶରେ ଏପରି କରାଯାଉଛି ବୋଲି ପ୍ରଶାସନ ଯୁକ୍ତି କରୁଥିଲେ ମଧ୍ୟ ସରକାର ଚାହିଁଲେ ଏହି ସାର୍ବଜନୀନ ଧର୍ମାନୁଷ୍ଠାନକୁ ଅକ୍ଷତ ଅବସ୍ଥାରେ ରଖାଯାଇ ପାରନ୍ତା। ଏହି ମନ୍ଦିର ନିର୍ମାଣରେ ସର୍ବସାଧାରଣରୁ ସଂଗୃହୀତ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ସରକାର ଚାହିଁଲେ ମନ୍ଦିର ପରିଚାଳନା ଭାର ହାତକୁ ନେଇପାରନ୍ତେ। ତାହା ନକରି ଏଭଳି ମନ୍ଦିର ଭାଙ୍ଗିବା ଦ୍ବାରା ଅର୍ଥନଷ୍ଟ ହେବା ସହିତ ଲୋକଙ୍କର ଧର୍ମାଧିକାର ଉଲ୍ଲଙ୍ଘନ ହେଉଥିବାରୁ ସରକାର ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଦାବି ହେଉଛି।   କେନ୍ଦୁଝର ଜିଲ୍ଲାର ଯୋଡ଼ା ବ୍ଲକ ଅଧୀନସ୍ଥ ଉଚ୍ଚବାଲିଠାରେ ଥିବା ମା’ ଜଗତ ଜନନୀ ମନ୍ଦିରର ସୁରକ୍ଷା ପାଚେରୀକୁ ଜିଲ୍ଲା ପ୍ରଶାସନ ଏପ୍ରିଲ ୨୨ ତାରିଖ ଶୁକ୍ରବାର ଭାଙ୍ଗିବା କାର୍ଯ୍ୟ ଆରମ୍ଭ କରିଛି। ମାନ୍ୟବର ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ମୁତାବକ ମନ୍ଦିର ଏବଂ ଠାକୁରାଣୀଙ୍କ ଆସ୍ଥାନ ସ୍ଥଳ ବରଗଛକୁ ଛାଡ଼ି ପ୍ରଶାସନ ଶୁକ୍ରବାର ସକାଳ ୬ ଘଟିକାରୁ ଦକ୍ଷିଣ ପଟ ପାଚରୀ ଭାଙ୍ଗିବା ଆରମ୍ଭ କରିଥିଲା। ଗୁରୁବାର ସନ୍ଧ୍ୟାରେ ୧୪୪ ଧାରା ଜାରିକରି ଡ଼ାକବାଜି ଯନ୍ତ୍ରଦ୍ୱାରା ମନ୍ଦିର ସଂଲଗ୍ନ ଅଞ୍ଚଳ ଭଙ୍ଗାଯିବାର ସୂଚନା ଦେଇଥିଲା ଜିଲ୍ଲା ପ୍ରଶାସନ। ଘଟଣା ସ୍ଥଳରେ ୨୫ ପ୍ଲାଟୁନ ପୁଲିସ ସହ ଗୋଟିଏ ବ୍ରେକର, ୨ଟି ଲୋଡ଼ର, ଦୁଇଟି ଜେସିବି ମେସିନ ନିୟୋଜିତ କରାଯାଇଥିଲା। ଆଠ ଜଣ ମାଜିଷ୍ଟ୍ରେଟଙ୍କ ସମେତ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ କାର୍ଯ୍ୟ କରାଯାଇଥିଲା।   ପ୍ରବଳ ଖରାଯୋଗୁଁ ଦିନ ୧୧ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଉଚ୍ଛେଦ କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ପାଚେରୀ ମଧ୍ୟରେ ଥିବା ପୂଜକ, ସେବକ  ଏବଂ ଗୋଶାଳା ଗୃହକୁ ଭାଙ୍ଗିବା ପାଇଁ ପଦକ୍ଷେପ ଆରମ୍ଭ ହୋଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଥିଲା। ଲୋକଙ୍କ ଧର୍ମ ଭାବନା ଓ ଧର୍ମପୀଠ ଉପରେ ଏହା ଆକ୍ରମଣ ବୋଲି ଲୋକମାନେ ପ୍ରକାଶ କରିଥିଲେ। ଏହି ମନ୍ଦିରର ସୁରକ୍ଷା ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଅନୁରୋଧ କ୍ରମେ ମା’ ଜଗତ ଜନନୀ ସେବା ଟ୍ରଷ୍ଟ ତରଫରୁ ପାଚେରୀ ନିମାର୍ଣ କରାଯାଇଥିଲା। ପ୍ରଶାସନ ଏହାକୁ ଭାଙ୍ଗିବା ପରେ ମନ୍ଦିରର ସୁରକ୍ଷା ଓ ପବିତ୍ରତା ରକ୍ଷା କରିବାର ଆଶଙ୍କା ସୃଷ୍ଟି ହୋଇଛି ବୋଲି ପୂଜକମାନେ ପ୍ରକାଶ କରିଛନ୍ତି।   ରାଜା ରାଜୁଡ଼ା ଅମଳରୁ ଜିଲ୍ଲାର ବହୁ ମନ୍ଦିର ସରକାରୀ ଜାଗାରେ ଗଢି ଉଠିଥିବାବେଳେ ଏବେ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଦେବୋତ୍ତର ବିଭାଗ ଦ୍ୱାରା ସେଗୁଡିକ ପରିଚାଳିତ ହୋଇଆସୁଛି। ପରବର୍ତ୍ତୀ ସମୟରେ ଜିଲ୍ଲାର ଆନନ୍ଦପୁର, କେନ୍ଦୁଝର ଏବଂ ଚମ୍ପୁଆ ଉପଖଣ୍ଡରେ ଅନେକ ଦେବାଦେବୀ ମନ୍ଦିର ସରକାରୀ ଜାଗାରେ ନିର୍ମିତ ହୋଇ ଲୋକମାନଙ୍କର ଧର୍ମୀୟ ଭାବାବେଗ ସହିତ ଜଡ଼ିତ ହୋଇଆସିଛି। ଚମ୍ପୁଆ ଉପଖଣ୍ଡର ଦୁବୁନାର ଓଏଏମ ଲିଜ ଏରିଆ ମଧ୍ୟରେ ୪ ଏକରରୁ ଅଧିକ ଅଞ୍ଚଳ ପରିଷରରେ ଶିବ ମନ୍ଦିର, ବଡ଼କାଳିମାଟି ରାସ୍ତା କଡ଼ ସରକାରୀ ଜାଗାରେ ଜଗନ୍ନାଥ ମନ୍ଦିର; ବିଛାକୁଣ୍ଡି, ଯୋଡ଼ା ଏବଂ ବାମେବାରୀର ଟାଟା ଷ୍ଟିଲ ଲିଜ ଏରିଆ ମଧ୍ୟରେ ପ୍ରାୟ ୧୦ ବର୍ଷରୁ ଅଧିକ ହେବ ୩ଟି ମନ୍ଦିର ରହିଆସିଛି। ସେହିପରି ବଡ଼ବିଲଠାରେ ୫ ଏକରରୁ ଅଧିକ ପରିମିତ ସରକାରୀ ଜାଗାରେ ହରିହର ମନ୍ଦିର, ସେରେଣ୍ଡାର ଓଏମସି ଲିଜ ଏରିଆ ମଧ୍ୟରେ ତାରିଣୀ ମନ୍ଦିର, ଚମ୍ପୁଆରେ ଜଗନ୍ନାଥ ମନ୍ଦିର, ଯୋଡ଼ାର ଜାତୀୟ ରାଜପଥ କଡ଼ରେ ତାରିଣୀ ମନ୍ଦିର, ଓଏମସି ରୁଗୁଡ଼ା ମାଇନ୍ସ ଅଞ୍ଚଳରେ ଶିବ ମନ୍ଦିର ଏବଂ ବିଲେଇପଦାସ୍ଥ ଟାଟା ଷ୍ଟିଲ ନିକଟରେ ଥିବା ସରକାରୀ ଜାଗାରେ ଶିବ ମନ୍ଦିର ପ୍ରତିଷ୍ଠିତ ହୋଇ ପୂଜା ପାଇ ଆସୁଛନ୍ତି। ଜଲହରିସ୍ଥ ଏସେଲ ମାଇନିଂ ଅଞ୍ଚଳ ଏବଂ ଜଜାଙ୍ଗର ରୁଙ୍ଗଟା ଖଣି ଲିଜ ଅଞ୍ଚଳରେ ଶିବ ମନ୍ଦିର ନିର୍ମିତ ହୋଇଥିବାବେଳେ ଜିଲ୍ଲା ତଥା ରାଜ୍ୟର ପ୍ରସିଦ୍ଧ ଶୈବପୀଠ ମୃଗା ମହାଦେବ ଖଣି ଖନନ ଅଞ୍ଚଳରେ ଅବସ୍ଥିତ। ଅତି ମୂଲ୍ୟବାନ ଖଣିଜ ଦ୍ରବ୍ୟ ଉତ୍ତୋଳିତ ହେଉଥିବା ଅଞ୍ଚଳରେ ମୃଗା ମହାଦେବଙ୍କ ପୀଠ ଜନସାଧାରଣଙ୍କୁ ଆକୃଷ୍ଟ କରି ଦୀର୍ଘଦିନ ଧରି ପର୍ଯ୍ୟଟନର ମାନ୍ୟତା ପାଇଆସିଛି।   ମାତ୍ର ଏକ କମ୍ପାନୀର ଲିଜ ଏରିଆ ମଧ୍ୟରେ ସ୍ଥାନୀୟ ଲୋକମାନଙ୍କର ଧର୍ମୀୟ ଉତ୍କଣ୍ଠାକୁ ନେଇ ନିର୍ମିତ ଏହି ଦେବୀ ମନ୍ଦିର ଭାଙ୍ଗିବା ପାଇଁ ଏକ ଗୋଷ୍ଠୀ ଦୁଇ ବର୍ଷରୁ ଅଧିକ ସମୟ ଧରି ଉଦ୍ୟମ ଅବ୍ୟାହତ ରଖିବା ସହିତ ପ୍ରଶାସନ ଉପରେ ଚାପ କାଇ ଆସିଥିଲା। ସାଧାରଣ ଜୀବନ ଯାତ୍ରାରେ ବାଧକ ହେଉ ନଥିବା କିମ୍ୱା ଟ୍ରାଫିକ ସମସ୍ୟା ସୃଷ୍ଟି କରୁନଥିବା ଦୁର୍ଗମ ଅଞ୍ଚଳର ଏହି ମନ୍ଦିର ଭାଙ୍ଗିବା ପାଇଁ ସ୍ଥାନୀୟ ଅଞ୍ଚଳର କେହି କେବେ ସ୍ବର ଉତ୍ତୋଳନ କରିନାହାନ୍ତି। ମାତ୍ର ଜିଲ୍ଲା ବାହାରର ଏକ ଗୋଷ୍ଠୀ ଆକ୍ରୋଶମୂଳକ ଭାବେ ଏହି ଧର୍ମୀୟ ପୀଠକୁ ଛାରଖାର କରିବା ପାଇଁ ଉଦ୍ୟମ ଚଳାଇଆସିଛି। ଧର୍ମପୀଠ ନିର୍ମାଣ କାର୍ଯ୍ୟ ପାଇଁ ସହାୟତାର ହାତ ବଢାଇ ଆସିଥିବା ବଦାନ୍ୟ ବ୍ୟକ୍ତିଙ୍କ ଉପରେ ନିଜର ବ୍ୟକ୍ତିଗତ ରାଗ ଶୁଝାଇବା ପାଇଁ ମନ୍ଦିରକୁ ଆଳକରିବା ସ୍ଥାନୀୟ ଧାର୍ମିକ ବ୍ୟକ୍ତିମାନଙ୍କ ମନରେ ଆଘାତ ସୃଷ୍ଟି କରିଛି। ମନ୍ଦିର ପ୍ରତିଷ୍ଠାକୁ ନେଇ କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ରାଜନୀତି କରୁଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସ୍ଥାନୀୟ ଲୋକମାନେ ମତ ଦେଇଛନ୍ତି।   ଏହି ଜଗତଜନନୀ ମନ୍ଦିର ସୁରକ୍ଷା ନେଇ ଅଞ୍ଚଳବାସୀଙ୍କ ତରଫରୁ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ଆକ୍ରୋଶ ମୂଳକଭାବେ କେତେକ ବ୍ୟକ୍ତିବିଶେଷ ମନ୍ଦିର ସମ୍ପତ୍ତି ନଷ୍ଟ ପାଇଁ ଚକ୍ରାନ୍ତ କରିବା ଅତ୍ୟନ୍ତ ପରିତାପର ବିଷୟ। ସାଧାରଣରେ କୌଣସି ଅସୁବିଧା ସୃଷ୍ଟି କରୁନଥିବା ଏହି ଦୈବୀପୀଠର ଭଙ୍ଗାଯିବା ଜନ ସାଧାରଣଙ୍କର ଧର୍ମ ଭାବନା ଉପରେ କୁଠାରଘାତ ବୋଲି ସେମାନେ ସ୍ମାରକ ପତ୍ରରେ ଦଶାର୍ଇଛନ୍ତି। ଧର୍ମ ପୀଠର ସୁରକ୍ଷା ପାଇଁ ସେମାନେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି।

Share :