ବାହାନା ଛାଡ଼ିଲେ ଶୀତଳ ହେବ ପୃଥ୍ବୀ

ବାହାନା ଛାଡ଼ିଲେ ଶୀତଳ ହେବ ପୃଥ୍ବୀ

Share :

    ପାଗ ପରିବର୍ତ୍ତନର ମୁକାବିଲା ପାଇଁ ସ୍ବାକ୍ଷରିତ ହୋଇଛି ଐତିହାସିକ ପ୍ୟାରିସ ଚୁକ୍ତି। ପୃଥିବୀର ୧୭୫ଟି ଦେଶ ଏଥିରେ ସ୍ବାକ୍ଷର କରିଛନ୍ତି ଏବଂ ବାକି ଦେଶଗୁଡ଼ିକ ଆସନ୍ତା ବର୍ଷକ ଭିତରେ ଏଥିରେ ସ୍ବାକ୍ଷର କରିବାର ସମ୍ଭାବନା ଅଛି। ତେବେ କେବଳ ଏହି ଚୁକ୍ତି ଦ୍ବାରା ପାଗ ପରିବର୍ତ୍ତନ ସଂକଟର ମୁକାବିଲା କରାଯାଇ ପାରିବ ନାହିଁ। ସେଥିପାଇଁ ନିଷ୍ଠାପର କାର୍ଯ୍ୟକ୍ରମ ଦରକାର ବୋଲି କହିଛନ୍ତି ମିଳିତ ଜାତିସଂଘ ମହାସଚିବ ବାନ‍୍‌ କି ମୁନ‍୍‌। ଏପ୍ରିଲ ୨୧ ତାରିଖ ଶୁକ୍ରବାର ଧରିତ୍ରୀ ଦିବସରେ ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ଅନୁଷ୍ଠିତ ପାଗ ପରିବର୍ତ୍ତନ ସମ୍ମିଳନୀରେ ଆମେରିକା ଓ ଭାରତ ସମେତ ବିଶ୍ବର ୧୭୫ଟି ଦେଶ ଏ ସଂକ୍ରାନ୍ତ ରାଜିନାମାରେ ସ୍ବାକ୍ଷର କରିଛନ୍ତି। ବିଶ୍ବ ତାପନ ଓ ପାଗ ପରିବର୍ତ୍ତନ ସଂକଟର ମୁକାବିଲା କରିବା ଦିଗରେ ଅବାରିତ ଉଦ୍ୟମ ଦରକାର ବୋଲି ଅନୁଭବ କରିଛନ୍ତି ବିଶ୍ବ ନେତୃତ୍ବ। ବିଶ୍ବ ତାପମାତ୍ରା ରେକର୍ଡ କରିଥିବାବେଳେ ତୁଷାର ସ୍ତର ତରଳିବା ଓ ସମୁଦ୍ର ଜଳପତ୍ତନ ବୃଦ୍ଧି ଜନିତ ସମସ୍ୟା ବିଶ୍ବବାସୀଙ୍କୁ ଆକ୍ରାନ୍ତ କରିସାରିଲାଣି। ଏହାର ତୁରନ୍ତ ଓ ନିଷ୍ଠାପର ମୁକାବିଲା ଦିଗରେ ଦେଶଗୁଡ଼ିକ ତରଫରୁ ଫଳପ୍ରସୂ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ଦରକାର। ସ୍ବକ୍ଷରିତ ହୋଇଥିବା ଚୁକ୍ତିରେ ଏହିପରି କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଦିଆଯାଇଛି। ତେବେ ଏହି ଚୁକ୍ତି ସାଙ୍ଗେସାଙ୍ଗେ କାର୍ଯ୍ୟକାରୀ ହେବ ନାହିଁ। ଏହା କାର୍ଯ୍ୟକାରୀ ହେବା ପାଇଁ ବିଶ୍ବର ୫୫ ପ୍ରତିଶତ ସବୁଜଗୃହ ବାଷ୍ଫ ନିର୍ଗମନ କରୁଥିବା ୫୫ଟି ରାଷ୍ଟ୍ର ଏହା ଉପରେ କାର୍ଯ୍ୟାରମ୍ଭ କରିବା ପରେ ଏହା ବିଶ୍ବ ସ୍ତରରେ କାର୍ଯ୍ୟକାରୀ ହେବ ବୋଲି ଚୁକ୍ତିରେ ବ୍ୟବସ୍ଥା ରହିଛି। ଏଥିପାଇଁ ୨୦୨୦ ଯାଏଁ ଅପେକ୍ଷା କରିବାକୁ ପଡ଼ିପାରେ। କିନ୍ତୁ ସମ୍ମିଳନୀରେ ଉପସ୍ଥିତ ଥିବା କେତେକ ଗୁରୁତ୍ବପୂର୍ଣ୍ଣ ରାଷ୍ଟ୍ରର ପ୍ରତିନିଧି ଯେପରି ଉଦବେଗ ପ୍ରକାଶ କରିଛନ୍ତି ସେଥିରୁ ଜଣାପଡ଼ୁଛି ଯେ ଏହା ଆସନ୍ତା ବର୍ଷ ସୁଦ୍ଧା କାର୍ଯ୍ୟକାରୀ ହୋଇପାରିବ। ପୃଥିବୀର ସର୍ବାଧିକ ସବୁଜଗୃହ ବାଷ୍ଫ ନିର୍ଗତ କରୁଥିବା ଚୀନ କହିଛନ୍ତି ଚଳିତ ବର୍ଷ ସେପ୍ଟେମ୍ବରରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ଏହି ଚୁକ୍ତିକୁ ଅନୁମୋଦନ କରାଯିବ ଏବଂ ଜାତୀୟ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେବ। ସେହିପରି ଦ୍ବିତୀୟ ବୃହତ୍ତମ ପ୍ରଦୂଷକ ଆମେରିକା ମଧ୍ୟ କହିଛି ଏଇ ବର୍ଷ ହିଁ ଏହି ଚୁକ୍ତିର ଅନୁମୋଦନ କରାଯିବ। ମେକ୍ସିକୋ ଓ ଆର୍ଜେଣ୍ଟିନା ମଧ୍ୟ ଚଳିତ ବର୍ଷ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ୟୁରୋପୀୟ ୟୁନିଅନର ଶକ୍ତି ମୁଖ୍ୟ ମାରୋସ ସେଫକୋଭିକ କହିଛନ୍ତି ତାଙ୍କର ସଦସ୍ୟ ରାଷ୍ଟ୍ରଗୁଡ଼ିକ ପ୍ରଥମ ପର୍ଯ୍ୟାୟରେ ଏହି ଚୁକ୍ତିକୁ ଅନୁମୋଦନ ପ୍ରଦାନ କରିବେ। ପୃଥିବୀର ସବୁଠୁଁ କମ୍‌ ପ୍ରଦୂଷଣ କରୁଥିବା ୪୮ ଦେଶ ତରଫରୁ ବକ୍ତବ୍ୟ ପ୍ରଦାନ କରି କଙ୍ଗୋର ରାଷ୍ଟ୍ରପତି ଯୋଶେଫ କାବିଲା କହିଛନ୍ତି ଯେ ଛୋଟ ଓ ଅନୁନ୍ନତ ଦେଶଗୁଡ଼ିକର ଭୂମିକା ବିଶ୍ୱ ପ୍ରଦୂଷଣରେ ଅତ୍ୟନ୍ତ ନଗଣ୍ୟ ହୋଇଥିଲେ ମଧ୍ୟ ବିଶ୍ୱର ଅଗ୍ରାଧିକାରପ୍ରାପ୍ତ ଆଜେଣ୍ଡା କାର୍ଯ୍ୟକାରୀ କରିବା ଦିଗରେ ସେମାନେ ନିଶ୍ଚୟ ପୂର୍ଣ୍ଣ ସହଯୋଗ କରିବେ। ଏହି ଚୁକ୍ତିରେ ପ୍ରଥମେ ସ୍ବାକ୍ଷର କରିଥିବା ଫ୍ରାନ୍ସ ରାଷ୍ଟ୍ରପତି ଫ୍ରାନ୍ସୁଆ ଓଲାନ୍ଦ କହିଛନ୍ତି ଯେ ତାଙ୍କ ଦେଶର ସଂସଦରେ ଏହି ଚୁକ୍ତିକୁ ଏହି ଗ୍ରୀଷ୍ମକାଳ ଭିତରେ ଅନୁମୋଦନ କରାଯିବ। ଏବେ ଆଉ ଫେରିବାର ନାହିଁ ବୋଲି ସେ କହିଛନ୍ତି। ଆମେରିକା ପରରାଷ୍ଟ୍ର ସଚିବ ଜନ୍‌ କେରି କହିଛନ୍ତି ଯେ ପୃଥିବୀକୁ ଅଧିକରୁ ଅଧିକ ଉତ୍ତପ୍ତ କରୁଥିବା ଅଙ୍ଗାରକାମ୍ଳ ଗ୍ୟାସ୍‌ ନିର୍ଗମନ ଯଥେଷ୍ଟ ପରିମାଣରେ ହ୍ରାସ କରିବା ଦିଗରେ ବିଶ୍ବ ନେତାମାନେ ନିଷ୍ଠାପର କାର୍ଯ୍ୟକ୍ରମ ଗ୍ରହଣ କରିବା ଦରକାର। ପରିବେଶ ସୁରକ୍ଷା ଉପରେ ଗୁରୁତ୍ବ ପ୍ରଦାନ କରୁଥିବା ବିକାଶ ଓ ପ୍ରଗତିର ପନ୍ଥା ନିର୍ଣ୍ଣୟ କରିବା ସହିତ ବିକଳ୍ପ ଶକ୍ତି ଉପରେ ଗୁରୁତ୍ବ ଦେବାକୁ ସେ ବିଶ୍ବବାସୀଙ୍କୁ ଆହ୍ବାନ ଦେଇଛନ୍ତି। ମିଳିତ ଜାତିସଂଘର ଶାନ୍ତି ଓ ଜଳବାୟୁ କର୍ମୀ ଭାବେ ଏହି ସମ୍ମିଳନୀରେ ଯୋଗ ଦେଇଥିବା ବିଖ୍ୟାତ ଅଭିନେତା ଲିଓନାର୍ଡୋ ଡି କ୍ୟାପିରୋ ବିଶ୍ବବାସୀଙ୍କ ତରଫରୁ କହିଛନ୍ତି ଯେ ଆମେ ସମସ୍ତେ ଆଜି ପରସ୍ପରକୁ ଅଭିନନ୍ଦନ ଜଣାଇପାରିବା କିନ୍ତୁ ବିଶ୍ବ ନେତାମାନେ ଏଠାରୁ ଫେରିବା ପରେ ଯଦି ଏ ଦିଗରେ କିଛି କାର୍ଯ୍ୟ ନକରନ୍ତି ତେବେ ଏହାର କିଛି ମାନେ ନାହିଁ। ଆଉ ଆଲୋଚନା ଦରକାର ନାହିଁ, ଆଉ ବାହାନା ଦରକାର ନାହିଁ କି ଆଉ ୧୦ ବର୍ଷର ଅନୁଧ୍ୟାନ ଦରକାର ନାହିଁ। ବିଶ୍ୱବାସୀ ଚାହିଁ ରହିଛନ୍ତି। ଭବିଷ୍ୟତ ତୁମମାନଙ୍କୁ ପ୍ରଶଂସା କରିବ ନହେଲେ ନିନ୍ଦା କରିବ। ସେ କହିସାରିବା ପରେ ଉପସ୍ଥିତ ଥିବା ୧୭୫ ଦେଶର ପ୍ରତିନିଧି ଏହି ଚୁକ୍ତିରେ ସ୍ବାକ୍ଷର କରିଥିଲେ। ପୂର୍ବରୁ କୌଣସି ଅନ୍ତର୍ଜାତୀୟ ଚୁକ୍ତିରେ ଏକାସାଙ୍ଗରେ ଏତେ ଦେଶ ସ୍ବାକ୍ଷର କରିନଥିଲେ। ଏହି ଚୁକ୍ତିରେ ସ୍ବାକ୍ଷର କରିବା ପାଇଁ ଉତ୍ତର କୋରିଆର ବିଦେଶ ମନ୍ତ୍ରୀ ରି ସୁ ୟଙ୍ଗ ସମ୍ମିଳନୀରେ ଉପସ୍ଥିତ ଥିଲେ। ଏହା ଏକ ବିରଳ ଘଟଣା। ସେହିପରି ଜିମ୍ବାୱେ ରାଷ୍ଟ୍ରପତି ରବର୍ଟ ମୁଗାବେ ଯେତେବେଳେ କହିଲେ ଯେ ‘ଏହି ଯୁଦ୍ଧରେ ଜୀବନ ବାଜି ଲାଗି ଯାଇଛି, ତେବେ ଏହା ଜିତିବା ପାଇଁ ଆମର ଶକ୍ତି ଅଛି’ ସେତେବେଳେ ଉପସ୍ଥିତ ସମସ୍ତ ପ୍ରତିନିଧି କରତାଳି ଦେଇ ତାଙ୍କୁ ସମର୍ଥନ କରିଥିଲେ। ପ୍ରଶାନ୍ତ ମହାସାଗରୀୟ ଦ୍ବୀପ ଦେଶ ତୁଭାଲୁ ପ୍ରଧାନମନ୍ତ୍ରୀ ଏନେଲେ ଶୋଷେନେ ସୋପୋଗା କହିଥିଲେ ଯେ ଏହି ଚୁକ୍ତି ପୃଥିବୀକୁ ବଦଳାଇ ପାରିବ, ତେବେ ଦ୍ବୀପଦେଶଗୁଡ଼ିକର ସୁରକ୍ଷା ପାଇଁ ଅନ୍ତର୍ଜାତୀୟ ସମୁଦାୟ ବୀମା ବ୍ୟବସ୍ଥା ପରି ଆର୍ଥିକ ଅନୁଦାନ ଦେବା ଉଚିତ। ବିଶ୍ବ ତାପନ ଓ ପାଗ ପରିବର୍ତ୍ତନ କାରଣରୁ ତୁଭାଲୁର ୪ଟି ଛୋଟ ଦ୍ବୀପ ପ୍ରଶାନ୍ତ ମହାସାଗର ଗର୍ଭରେ ଲୀନ ହୋଇସାରିଲାଣି। ଏହିପରି ୧୫ଟି ଦେଶ ଏହି ଚୁକ୍ତିରେ ସ୍ବାକ୍ଷର କରିବା ସହିତ ଏହାକୁ ପ୍ରଥମ ଦିନରେ ହିଁ ଅନୁମୋଦନ ପ୍ରଦାନ କରିଛନ୍ତି। ତେବେ ଏହି ଚୁକ୍ତିରେ ସ୍ବାକ୍ଷର କରିବେ କି ନାହିଁ ସେ ସଂପର୍କରେ ଏଯାଏଁ ପୃଥିବୀର କେତେକ ବୃହତ୍ତମ ତୈଳ ଉତ୍ପାଦନକାରୀ ରାଷ୍ଟ୍ର କିଛି ସୂଚନା ଦେଇ ନାହାନ୍ତି। ସେହିସବୁ ରାଷ୍ଟ୍ର ମଧ୍ୟରେ ଅଛନ୍ତି ସାଉଦି ଆରବ, ଇରାକ, ନାଇଜେରିଆ ଓ କାଜାଖସ୍ଥାନ। ଏହି ଚୁକ୍ତି ଅନୁସାରେ ଦେଶଗୁଡ଼ିକ କେତେ ଅଙ୍ଗାରକାମ୍ଳ ନିର୍ଗମନ କମାଇବେ ତାହା ସେମାନେ ନିଜେ ନିର୍ଦ୍ଧାରଣ କରିବେ। ଏହା ଆଇନଗତ ଭାବେ ବାଧ୍ୟତାମୂଳକ ହୋଇନଥିଲେ ମଧ୍ୟ ପ୍ରତି ୫ ବର୍ଷରେ ଥରେ ଦେଶଗୁଡ଼ିକ ଏହି ଟାର୍ଗେଟ ବା ଧାର୍ଯ୍ୟଲକ୍ଷ୍ୟ ବୃଦ୍ଧି କରିବେ। ଶିଳ୍ପ ବିପ୍ଳବ ପରଠୁଁ ବିଶ୍ବ ତାପମାତ୍ରା ବୃଦ୍ଧିକୁ ୨ ଡିଗ୍ରୀ ସେଣ୍ଟିଗ୍ରେଡ଼ ମଧ୍ୟରେ ସୀମୀତ ରଖିବା ପାଇଁ ଚୁକ୍ତିରେ ସହମତି ପ୍ରକାଶ ପାଇଛି। ତେବେ ଏହା କେତେ ଶୀଘ୍ର ଓ କିପରି ହାସଲ ହେବ ତାହା ରାଷ୍ଟ୍ରଗୁଡ଼ିକର ବୁଦ୍ଧିମତା ଓ ନିଷ୍ଠା ଉପରେ ନିର୍ଭର କରେ।

Share :