ନିର୍ନାରୀ କବିତା

ନିର୍ନାରୀ କବିତା

Share :

ଶଙ୍କର୍ଷଣ ପରିଡ଼ା   ରମଣୀ ଓ ରମଣର ରାଶିରାଶି କବିତାର ରମଣୀୟ ସୁନା ସୋରିଷିଆ କ୍ଷେତରେ ମୁଁ ପାଳଭୂତ ହୋଇ ଠିଆ ହୋଇଛି ଏ ଯାବତ ରୁନୁର ରୋଦନ ଯାଏଁ ଅନାଦି କାଳରୁ ଶରାହତ କ୍ରୌଞ୍ଚ ମିଥୁନର ବୈକଲ୍ୟ ବିଳାପ ପ୍ରେମ ଓ ମୃତ୍ୟୁର ମହାଲେଖରୁ।   ଯଶୋବନ୍ତ, ରମାକାନ୍ତ, ସ୍ବପ୍ନା ଓ ଅଜୟ ସୃଜନ ମହାନଦୀରେ ବହିଗଲାଣି ଅନେକ ପାଣି ଟୀକା ଗୋବିନ୍ଦଚନ୍ଦ୍ର, ଶ୍ରୀରାଧା, ମିଥୁନ ରାଶିର ଝିଅ ପ୍ରେମ ଆଉ ମରଣ ଉଜାଣି ହେଲେ ଏ ଯାଏଁ ପାରୁନି ବୁଝି ଜୀବନ ଓ ମରଣର ସନ୍ଧିକ୍ଷଣ କେଉଁଠି ଠିଆ ହୋଇଛି କେଜାଣି?   କବିତା କ’ଣ କେବଳ ଏକତରଫା ପ୍ରେମ ଓ ମୃତ୍ୟୁର ନିତ୍ୟ ଗୁଞ୍ଜରଣ ଯୁଦ୍ଧ ଆଉ ଜୀବନର ନିର୍ବେଦ ସ୍ଫୁରଣ! କବିତା କେବଳ ନୁହେଁ ପ୍ରେମ ଆଉ ମରଣର ନୀଳ ହସ୍ତାକ୍ଷର କବିତା ବି ପ୍ରିୟ ପ୍ରିୟତମ ଜୀବନ ଓ ଯୁଦ୍ଧ ଉଭୟର ଲୋଭନୀୟ ଲୋହିତ ସ୍ବାକ୍ଷର।   ନିଅ ଶାସ୍ତ୍ର, ଶସ୍ତ୍ର, ଶିର, ଶିରସ୍ତ୍ରାଣ ନିଅ କବଚ କୁଣ୍ଡଳ, ଧର କଲମ, ଧର କୃପାଣ ଦୃଶ୍ୟହୀନ ଦୂରତାରେ ଦୃଶ୍ୟ ହୁଏ ଫରଫର ଉଡ଼ିଲେଣି ବିଜୟ ବୈଜୟନ୍ତୀର ଅଶ୍ରୁତ ନିଶାଣ।   ଟୀକା ଗୋବିନ୍ଦଚନ୍ଦ୍ରର ମୃତ୍ୟୁଲେଖରେ ନୁହେଁ ଅନାଘ୍ରାତ ସ୍ପର୍ଦ୍ଧାରେ ସୁର ହେଉ ନିର୍ନାରୀ କବିତା ନୂଆ ସକାଳର ଗୀତ, ନିଆରା ସଙ୍ଗୀତ।   ଦୟା ନଦୀର ରକ୍ତାକ୍ତ ପ୍ଳାବନରୁ ଜୀର୍ଣ୍ଣ ଦେହୀ ଶୀର୍ଣ୍ଣ କେଶୀ ବୃଦ୍ଧାର ଥରିଲା ଓଠରୁ ଉତୁରି ଆସୁ ଧାରେ କବିତା ଜୀବନ ଓ ଯୁଦ୍ଧ ଉଭୟର ସେମିତି ଗୋଟେ ପରିପୂର୍ଣ୍ଣକବିତାର ଧାଡ଼ିକୁ ପ୍ରତୀକ୍ଷା କରିଛି ପୃଥିବୀ କାଳ କାଳ।   ଇନ୍ଦ୍ରପ୍ରସ୍ଥ,ସର୍ବୋଦୟ ନଗର, ପୁରୀ-୨

Share :