ଅଥ ଶ୍ରୀ ବେଙ୍ଗ ଉପାଖ୍ୟାନ

ଅଥ ଶ୍ରୀ ବେଙ୍ଗ ଉପାଖ୍ୟାନ

Share :

ପରଂବ୍ରହ୍ମ ତ୍ରିପାଠୀ   ପଞ୍ଚତନ୍ତ୍ର ବହୁତ ହେଲା, ଆଜି ଚାଲନ୍ତୁ ଗୋଟେ ବିଜ୍ଞାନ ପରୀକ୍ଷା କରିବା। ଗୋଟେ ପାତ୍ରରେ କିଛି ପାଣି ନିଅନ୍ତୁ, ତା ଭିତରେ ଗୋଟେ ବେଙ୍ଗ ରଖନ୍ତୁ ଆଉ ପାତ୍ରଟିକୁ ଚୁଲିରେ ବସେଇ ଦିଅନ୍ତୁ। ପାଣି ଗରମ ହେବାକୁ ଲାଗିବ। ହେଲେ ଆପଣ ଦେଖିବେ ଯେ ବେଙ୍ଗଟି ପାତ୍ର ଭିତରେ ଆରାମରେ ଖେଳୁଛି। ପାଣି ଆଉ ଟିକେ ଗରମ ହେବ, ତଥାପି ବେଙ୍ଗଟି ଖେଳୁଥିବ। ଦୁଇ ତିନି ମିନିଟ ପରେ ଯେତେବେଳେ ପାଣି ଫୁଟିବା ଆରମ୍ଭ କରିବ, ଆପଣ ଦେଖିବେ ଯେ ବେଙ୍ଗଟି ପାତ୍ର ବାହାରକୁ ଡେଇଁବା ପାଇଁ ଚେଷ୍ଟା କରିବ। ହେଲେ ପାରିବନି, କିଛି ସମୟ ପରେ ବେଙ୍ଗର ଖେଳ ଶେଷ। ପ୍ରକୃତି ବେଙ୍ଗକୁ ବଢୁଥିବା ତାପମାତ୍ରା ସହ ଉପଯୋଜନ କରିବାର କ୍ଷମତା ଦେଇଛି। ସେଥିପାଇଁ ତ ପ୍ରଥମ ଦୁଇ ତିନି ମିନିଟ ପାଣି ଗରମ ହେଲେ ବି ବେଙ୍ଗଟି ଖେଳୁଥିଲା। ମାତ୍ର ଏହି ପ୍ରକୃତିଦତ୍ତ ଉପଯୋଜନର ବି ଗୋଟେ ସୀମା ଥାଏ। ପାଣି ଫୁଟିବାକୁ ଆରମ୍ଭ କରେ, ବେଙ୍ଗକୁ ଲାଗେ ଆଉ ହେବନି, ଏବେ ଡେଇଁବା ଦରକାର ହେଲେ ସେ ପାରେନି। କାରଣ ତାର ସମସ୍ତ ଶକ୍ତି ସେ ଅଳ୍ପ ଅଳ୍ପ ବଢୁଥିବା ଉତ୍ତାପ ସହ ଉପଯୋଜନ କରିବାରେ ନଷ୍ଟ କରିସାରିଥାଏ। ଏବେ ଯଦି ପଚରାଯାଏ ବେଙ୍ଗକୁ କିଏ ମାରିଲା ଅନେକ ଉତ୍ତର ଦେଇ ପାରନ୍ତି ଯେ ପାଣିର ଉତ୍ତାପ। ହେଲେ ଟିକେ ତଳେଇ ଭାବିଲେ, ସତରେ କଣ ସେଇଟା? ନା, ବେଙ୍ଗକୁ ‘କେତେ ବେଳେ ଡେଇଁବି’ ସେ ନିଷ୍ପତ୍ତି ଠିକ ସମୟରେ ନନେଇ ପାରି ଉପଯୋଜନରେ ବ୍ୟସ୍ତ ରହିବା ହିଁ ଆର ପୁରରେ ପହଞ୍ଚାଇଲା? ଆମେ ଯେତିକି ସମୟ ଓ ଶକ୍ତି ‘ହଁ ମ ଚଳୁଛି’ ରେ ନଷ୍ଟ କରୁ ତାର ଦଶ ଭାଗରୁ ଭାଗେ ଯଦି ସମସ୍ୟାର ପ୍ରତିକାର ଓ ପ୍ରତିରୋଧରେ ଲଗାନ୍ତେ ତାହାଲେ ହୁଏତ ଆମ ଅବସ୍ଥା ସେ ବେଙ୍ଗ ଭଳି ହୁଅନ୍ତା ନାହିଁ। ଗୋଟେ ବିଷମ ବଳୟରୁ ବାହାରିବା ପାଇଁ କେତେବେଳେ ସେହି ବଳୟ ବାହାରକୁ ଡେଇଁବାକୁ ପଡିବ ସେ ନିଷ୍ପତ୍ତି ହିଁ ଜୀବନ ଓ ମରଣର ଫରକ ସ୍ଥିର କରେ। ଶକ୍ତି ଥାଉ ଥାଉ ଡେଇଁବା ହିଁ ବୁଦ୍ଧିମତାର ପରିଚୟ।  ସ୍ଵାମୀ ସ୍ତ୍ରୀ ଝଗଡାଠାରୁ ଆରମ୍ଭ କରି ବୈଦେଶିକ ନୀତି, ଭାଷା, ସଂସ୍କୃତି ସବୁଠି ଏହି ବେଙ୍ଗ ଉପାଖ୍ୟାନ ନିଜ ମହତ୍ଵ ରଖେ। ଜଣେ କହି ଚାଲେ, ଆଉ ଜଣେ ଭାବେ, ସମୟ ଆସିଲେ ସବୁ ଠିକ ହେଇ ଯିବ,  ଏବେ ଟିକେ ଚୁପ ରହିଯିବା। କହୁଥିବା ଲୋକଟି ଅନେକ ସମୟରେ ଚୁପ ଥିବା ଲୋକର ନୀରବତାକୁ ତାର ଦୁର୍ବଳତା ବୋଲି ଭାବେ ଓ ଅଧିକ, ଆହୁରି ଅଧିକ କୁହେ। ସମୟ ଆସେ, ଚୁପ ଥିବା ଲୋକଟି ଅତିଷ୍ଠ ହୁଏ ଆଉ ପ୍ରତିବାଦ କରେ। ହେଲେ ସେଇ ଦିନ ହିଁ ହୁଏ ମହାଭାରତ, ଘର କଥା ଗଡ ଗଡାଏ ଦାଣ୍ଡରେ। ଭାବୁନାହାନ୍ତି, ଚୁପ ଥିବା ଲୋକଟି ଉପଯୋଜନର ମୋହ ତ୍ୟାଗ କରି ଯଦି ପୂର୍ବରୁ ଥରେ ଦୁଇ ଥର ମଧୁର ପ୍ରତିବାଦ କରିଥାନ୍ତା, କଥା କଣ ଏତେ ଦୂର ଯାଇଥାନ୍ତା? ବୋଧ ହୁଏ ନା। ମାଲ ରେଡି ଚକରରେ ଦକ୍ଷିଣୀର କପି ପେଷ୍ଟ। ଗୋଟେ ହେଲା, ଦର୍ଶକ ଭାବିଲେ ନୂଆ କିଛି ହେଲା, ଦେଖି ଦେବା ମ। ଗୋଟେରୁ ଦୁଇଟା, ତାପରେ ଦଶଟା, ଏମିତି ହଉ ହଉ ସମୟ ଆସିଲା ଯେତେବେଳେ କପି ପେଷ୍ଟ ହିଁ ହେଲା ସୃଜନୀ। ଏବେ ଦର୍ଶକ ବେଙ୍ଗ ଭାବୁଛି, ନାଇଁ ମ ବହୁତ ହେଇଗଲା ଏ ଚାରୁପାଣି, ଏବେ ଡେଇଁବି। ଗତି ଅଛି? କେଜାଣି? ବେଳେବେଳେ ଉପଯୋଜନର ଗୋଟିଏ ସୁନ୍ଦର ଅମରାବତୀ ସୁଚିନ୍ତିତ ଉପାୟରେ ମଧ୍ୟ ତିଆରି କରାଯାଇଥାଏ। ଯେମିତି କି ଛତା ନେ ଜୋତା ନେ ଭତ୍ତା ନେ, ଇତ୍ୟାଦି। ଆଉ ବେଙ୍ଗମାନେ (ସାଂସଦଙ୍କ ମୂଷା ଭଳି ଏଠି ବେଙ୍ଗ ବି ପ୍ରତୀକାତ୍ମକ) ଏହି ଅମରାବତୀ ନିର୍ମାଣ ପଛରେ ଦଉଥିବା ଲୋକର  ‘ମୋ ପେଁକାଳୀ ବଜେଇ ଦେ’  ଗୁପ୍ତ ଏଜେଣ୍ଡା କୁ ବୁଝି ମଧ୍ୟ ନବୁଝିଲା ଭଳି ଫୁଟିଲା ପାଣିରେ ଖେଳି ଚାଲନ୍ତି। ଏହି ଖେଳ ଭିତରେ ପୋକ ଖାଇବାକୁ ଲାଗେ ସାମାଜିକ ଜୀବନ ଓ ଉଦ୍ୟୋଗ। ସମୟ ଆସିବ ବେଙ୍ଗ ବୁଝିବ ଏବେ ଡେଇଁବା ଦରକାର, ହେଲେ ସେତେବେଳେ ଡେଇଁବା ପାଇଁ ଶକ୍ତି ଥିଲେ ତ? ଅସ୍ତିତ୍ଵ ପାଇଁ ଉପଯୋଜନ ଆବଶ୍ୟକ। ମାତ୍ର ଏହି ସୁନ୍ଦର ପ୍ରକୃତି ଦତ୍ତ ଗୁଣ ଗୋଟେ ବଦଭ୍ୟାସରେ ପରିଣତ ନହେଉ।

Share :